Unknown

 

 

 

 

 

 

 

 

 

 

 

ଖାଲଢ଼ିପ

ପରମାନନ୍ଦ ଅଧିକାରୀ

 

ଅଭିମତ ଏକ

 

ଓଡ଼ିଆ ସାହିତ୍ୟର ଅପ୍ରତିଦ୍ଵନ୍ଦୀ ଔପନ୍ୟାସିକ ଓ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ଵାରା ପୁରସ୍କୃତ ଲେଖକ ଶ୍ରୀଯୁକ୍ତ କାହ୍ନୁ ଚରଣ ମହାନ୍ତିଙ୍କର ଖାଲ ଢିପ ସମ୍ଵନ୍ଧରେ ପଦେ–

 

“ତରୁଣ ଲେଖକ ଶ୍ରୀଯୁକ୍ତ ପରମାନନ୍ଦ ଅଧିକାରୀଙ୍କର ଏହି ଉପନ୍ୟାସଟି ପଢ଼ିଲି । ଭାଷା ସରଳ ହୋଇଛି । ଏଥିରେ ଅନେକ ଗୁଡ଼ିଏ ଢଗ ଓ ପ୍ରବଚନ ସନ୍ନିବେଶ କରାହୋଇଛି । କେତେଗୁଡ଼ିଏ ଅଖ୍ୟାୟିକାର ମିଶ୍ରଣରେ ରଚିତ ହୋଇଛି ଏ ଉପନ୍ୟାସ । ପଢ଼ିବାକୁ ଭଲ ଲାଗିଲା, ଯଦିଓ ଏହି ଉପନ୍ୟାସରେ ଅନେକ ସ୍ଥଳରେ ନାଟକୀୟ ଆକସ୍ମିକ ପରିସ୍ଥିତି ସୃଷ୍ଟିକରାଯାଇଛି । ଲେଖକଙ୍କର ଏହା ଦ୍ଵିତୀୟ ଅବଦାନ ।

 

ଚରିତ୍ରଗୁଡ଼ିକ ଆହୁରି ବାସ୍ତବ ହୋଇ ପାରିଥିଲେ ଉପନ୍ୟାସଟି ଆହୁରି ଚିତ୍ତାକର୍ଷକ ହୋଇ ପାରିଥାନ୍ତା । ଅଭିଜ୍ଞତା, ଅଧ୍ୟୟନ ଓ ଗଭୀର ଚିନ୍ତା ଲେଖକଙ୍କର ଭବିଷ୍ୟତର ଉପନ୍ୟାସଗୁଡ଼ିକୁ ବାସ୍ତବ ଓ ଚରିତ୍ରଗୁଡ଼ିକୁ ଜୀବନ୍ତ କରି ପାରିବ ବୋଲି ମୁଁ ଆଶା କରୁଛି ।

 

“ତାଙ୍କର ଲେଖନୀ ଜୀବନ୍ତ ହେଉ, ଏହାହିଁ ମୋର କାମନା ।”

 

ଶିବରାତ୍ରୀ

 

୧୮, ଫେବୃଆରୀ, ୧୯୬୬

କାହ୍ନୁ ଚରଣ

 

ଅଭିମତ ଦୁଇ

 

ଓଡିଆ ସାହିତ୍ୟର ସୁପ୍ରସିଦ୍ଧ କଥାକାର, ଔପନ୍ୟାସିକ ଓ ସମାଲୋଚକ ତଥା ‘କଳିଙ୍ଗ’ର ସୁଯୋଗ୍ୟ ସଂପାଦକ ଶ୍ରୀଯୁକ୍ତ ସୁରେନ୍ଦ୍ର ମହାନ୍ତିଙ୍କ ଭାଷାରେ :–

 

ଓଡ଼ିଆ ଗଳ୍ପ, ଉପନ୍ୟାସ କ୍ଷେତ୍ରରେ ଶ୍ରୀ ପରମାନନ୍ଦ ଅଧିକାରୀ ନବାଗତ ହେଲେହେଁ ତାଙ୍କ ରଚନାରେ ସମ୍ଭାବନାର ସଂକେତ ମିଳିଅଛି । ‘ଖାଲଢିପ’ ତାଙ୍କର ଦ୍ଵିତୀୟ ଉପନ୍ୟାସ । ଇତିପୂର୍ବରୁ ତାଙ୍କର ଆଉ ଖଣ୍ତିଏ ଉପନ୍ୟାସ ପ୍ରକାଶ ପାଇ ସାରିଅଛି । ଶ୍ରୀ ଅଧିକାରୀଙ୍କ ଲେଖାର ଉଦ୍ଦେଶ୍ୟ କେବଳ ଲେଖିବା ବୋଲି ପ୍ରତୀତ ହୁଏ ନାହିଁ । ତାହାର ନେପଥ୍ୟେରେ ଏକ ଗଭୀର ଦାୟିତ୍ଵ ବୋଧ ଓ ସମାଜ ସଚେତନତା ରହିଅଛି । ଚରିତ୍ର ଚିତ୍ରଣର ବିନ୍ୟାସରେ ମଧ୍ୟ ଆଦର୍ଶବାଦର ଏକ ବ୍ୟଂଜନା ପରିଲିକ୍ଷିତ ହୁଏ ।

 

ଉପନ୍ୟାସ ଏକ ଆୟାସ ସାଧ୍ୟ କଳା । ଏହା କେବଳ କୁଶଳତା ବା ସ୍କିଲ ଉପରେ ନିର୍ଭର କରେ ନାହିଁ । ଏଥିପାଇଁ ଜୀବନ ସହିତ ନିବିଡ଼ ପରିଚୟ, ପୁଣି ସେ ପରିଚିତ ସଂର୍କରେ ଗଭୀର ମନର ଓ ତାହାର ରସପୁଷ୍ଟ ପରିବେଷଣ ଆବଶ୍ୟକ ।

 

ମୁଁ ଆଶାକରେ, ଶ୍ରୀମାନ୍‍ ଅଧିକାରୀ ଏହି ଉପନ୍ୟାସରେ ସଂଭାବନାର ଯେଉଁ ସଂକେତ ଦେଇ ଅଛନ୍ତି ଧାରାବାହିକ ଅନୁଶୀଳନ ଓ ମନରରେ ତାହା ସଫଳତା ପ୍ରାପ୍ତ ହେବ ।

 

ଶିବାନୀ

 

୨୬, ଫେବୃୟାରୀ–୧୯୬୬

ସୁରେନ୍ଦ୍ର ମହାନ୍ତି

 

ନାମକରଣ

 

ମୋର ଏହି ଉପନ୍ୟାସର “ଖାଲ ଢିପ” ନାମକରଣ ଓଡିଆ ସାହିତ୍ୟର ସୁପରିଚିତ, କବି ଓ ସମାଲୋଚକ ମୁରାରିମୋହନ ଜେନା କରିଛନ୍ତି । ଏଇ ଅବସରରେ ତାଙ୍କୁ ମୁଁ ହୃଦୟର ଗଭୀର କୃତଜ୍ଞତା ଜ୍ଞାପନ କରୁଛି ।

 

ଲେଖକ

 

ଉତ୍ସର୍ଗ

 

ଚଲା ପଥରେ ଟିକିଏ ଥମିଗଲେ ପଛରୁ ଠେଲାମାରି ଯେଉଁମାନେ ଜଡ଼ତା ଭାଙ୍ଗିଛନ୍ତି ସେହି ସାହିତ୍ୟକ ବଂଧୁ–ଡକ୍ଟର ଜେନାମଣି ନରେନ୍ଦ୍ର କୁମାର, ରାମନାଥ ପଣ୍ତା, ରାମପ୍ରସାଦ ମହାନ୍ତି ମୁରାରିମୋହନ ଜେନା, ଭଗବାନ ନାୟକ ବର୍ମା, ରବିନାରାୟଣ ମହାପାତ୍ରଙ୍କ ହାତରେ ଏହି “ଖାଲ–ଢିପ” ଉପନ୍ୟାସଟିକୁ ଶ୍ରଦ୍ଧାରେ ଅର୍ପଣ କରି ରହୁଛି ।

 

। ଇତି ।

ବିନୟାବନତ

ଲେଖକ

 

“ସମସ୍ତେ ଲେଖୁଛନ୍ତି ତୁ ଲେଖ” !!!

 

ସମସ୍ତେ ଲେଖୁଛନ୍ତି–“ତୁ ଲେଖ”–ମୋ’ ବୋଉର ଏହି ପଦିଏ କଥା ମୋତେ ସାହିତ୍ୟାଭିମୁଖୀ କରାଇଛି । ଏଥିପାଇଁ ଆଶୀର୍ବାଦ ଦେଇଛନ୍ତି ବହୁଗୁଣୀଗଣାଗ୍ରଗଣ୍ୟ ପଣ୍ତିତ ନୀଳକଣ୍ଠ, ଡକ୍ଟର ହରେକୃଷ୍ଣ ମହତାବଙ୍କ ଠାରୁ କବିଚନ୍ଦ୍ର କାଳୀଚରଣଙ୍କ ଯାଏ । ଅନୁପ୍ରେରଣା ଦେଇ ଆଗେଇ ନେଇଛନ୍ତି ସୁପ୍ରସିଦ୍ଧ ଔପନ୍ୟାସିକ କାହ୍ନୁଚରଣ, କାଳିନ୍ଦୀଚରଣ, ରାଜକିଶୋର, ସ୍ଵନାମଧନ୍ୟ ନାଟ୍ୟକାର ମନୋରଂଜନ, ଅନନ୍ତପ୍ରସାଦ ପଣ୍ତା, ସୁରେନ୍ଦ୍ରବାବୁ, ଜାନକୀବାବୁ ଓ କମଳାକାନ୍ତ ଦାଶ ପ୍ରଭୃତି ।

 

ବାଣୀ ମନ୍ଦିର ଭିତରକୁ ଜବରଦସ୍ତି ହାତଧରି ଟାଣିଛନ୍ତି ଆଗକରି ସାହିତ୍ୟକ ବନ୍ଧୁ ମୁରାରିମୋହନ, ରବିନାରାୟଣ, ଅଧ୍ୟାପକ ଜାନକୀବଲ୍ଲଭ, ଅଧ୍ୟାପକ କୃଷ୍ଣଚରଣ ଆଉ ଅଧ୍ୟାପକ ପଠାଣୀବାବୁ ।

 

“ମତୋ ହାଟ ନା ମତୋ’ ହାଟ–ମୁଁ କି ଜାଣେ ଏତେ ବାଟ ?” ସମସ୍ତେ ଲେଖୁଛନ୍ତି । ମୁଁ ଲେଖିବି । ମାତୃ ଆଦେଶ ଶିରୋଧାର୍ଯ୍ୟ ।

 

କିନ୍ତୁ–

 

ଅତି ସଂତର୍ପଣରେ ସାଧନା ମାର୍ଗକୁ ପାଦ ବଢ଼ାଇ ଦେଖେ ଯେ ସାରସ୍ଵତ ସାହିତ୍ୟ ଗଗନ ଅସୂୟା–ଅମ୍ଵୁଦ ପରିପୂର୍ଣ୍ଣ । ଆଧୁନିକ ସାହିତ୍ୟ, ପୁରାତନ ସାହିତ୍ୟ ମଝିରେ ଗଢ଼ିଉଠୁଛି ଅଲଂଘ୍ୟ ପ୍ରାଚୀର ଯୁବ–ପ୍ରବୀଣ ଭିତରେ ସୃଷ୍ଟି ହୋଇଛି ପ୍ରବଳ ଅହେତୁକୀ ଦ୍ଵନ୍ଦ୍ଵ । ପଛକୁ ଫେରିଯିବାକୁ ମନସ୍ଥ କଲି । ଆଉ ଫେରି ହେଉଛି କେଉଁଠି ? ବଳିଗଲା ମନ ଢଳିଗଲା ବନ ଆଉ କ’ଣ ଫେରି ଆସିବା ସହଜ ? ପଛକୁ ଫେରି ପଳାୟନ ପନ୍ଥୀର ଅପବାଦ ନେବାକୁ ଦୃଢ଼ ଅନିଚ୍ଛା–ଏଣେ ଅସୀମ ପଥର ଅନାବିଳ ଆହ୍ଵାନ ଏଡ଼ିବାକୁ ହିଧା, ସଂକୋଚ ଓ କୁଣ୍ଠା ।

 

ଏଥର ସାହିତ୍ୟ କ’ଣ ବୁଝିବାକୁ ଚେଷ୍ଟା କଲି । ବୁଝିଲି ଯେ ଯାହା ସତ୍ୟ, ଶିବ, ସୁନ୍ଦର, ଚିରନ୍ତନ, ସାର୍ବଜନୀନ, ସର୍ବ ଯୁଗ ଧର୍ମୀ ଏବଂ ସମ୍ୟକ ଭାବରେ ଯାହା ହିତସାଧନ କରେ ତାହାହିଁ ହେଉଛି ସାହିତ୍ୟ । ଏଥିପାଇଁ ସାହିତ୍ୟ–ଦର୍ପଣ ଓଲଟାଇବା ଦରକାର ନାହିଁ କି ମ୍ୟାଥ୍ୟୁ ଆରନୋଲ୍ଡ଼ଙ୍କ ପାଖକୁ ଧଇଁ ସଇଁ ହୋଇ ଦଉଡ଼ିବା ଦରକାର ନାହିଁ ବା Art for art sake କହି ପାଣ୍ତିତ୍ୟର ଉଦ୍ଧତ୍‍ପ୍ରୟାସର ଅନ୍ତରାଳରେ ପ୍ରତିଭାର ଅପମୃତ୍ୟୁକୁ ଅନୁମୋଦନ କରିବା ଆବଶ୍ୟକ ନାହିଁ, କିମ୍ଵା ଆରିସ୍ଟୋଟଲ୍‍, ପ୍ଳେଟୋ, ସକ୍ରେଟିସ୍‍ଙ୍କ ବାହୁଛାୟା ତଳେ ନିଜକୁ ଘୋଡ଼ାଇ ରଖିବା ଦରକାର ନାହିଁ ।

 

ପୁଣି ଯାହାର ଯାହା ପ୍ରାପ୍ୟ, ତାକୁ ସେଥିରୁ ବଂଚିତ କଲେ ବିପ୍ଳବ ବା ସଂଘର୍ଷ ଅବଶ୍ୟମ୍ଭାବୀ । ନୂତନ ଯେପରି ଅଭିନନ୍ଦନୀୟ, ପୁରାତନ ସେହିପରି ବନ୍ଦନୀୟ ।

 

ବିଶା ସହ କୋଶ ପୃଥ୍ଵୀ ଆସି ବିଶା କାଠିରେ ରହିଲାଣି–ତଥାପି ଯଦି ଆମେ ନବୁଝି, ନିଜ ନିଜ ଭିତରେ ବିଭେଦ, ବିଦ୍ଵେଷର ଝଡ଼ ଛୁଟାଇ–ସୌଜନ୍ୟତା ସାରୁ, ନମ୍ରତା ହାରୁ, ଅର୍ଥ ଶ୍ରାଦ୍ଧ କରୁ, ସମୟ ନଷ୍ଟ କରୁ, ସହନଶୀଳତାକୁ ପାଶୋରୁ, ପରଶ୍ରୀକାତରତାରେ ଘାଣ୍ଟି ହେଉ, ପୁରୁଷକାରର ପୌରଷକୁ ହତ୍ୟାକରୁ, ତେବେ ସ୍ଵୟଂ ସ୍ରଷ୍ଟା ଆସିଲେ ମଧ୍ୟ ଏ ଦେଶକୁ ଧ୍ଵଂସମୁଖରୁ ରକ୍ଷା କରି ପାରିବେ ନାହିଁ କି ଏ ଜାତିକୁ ଅଧପତନରୁ ନିବୃତ୍ତ କରି ପାରିବେ ନାହିଁ ।

 

ଈଶ୍ଵର ଯେପରି ଏକ, ଧର୍ମ ଅନେକ । ସାହିତ୍ୟ ସେହିପରି ଏକ ବିଭାଗ ବିଭିନ୍ନ, ତାହା ଗଳ୍ପ ହେଉ ବା–ଉପନ୍ୟାସ ହେଉ, କବିତା ହେଉ ବା ପ୍ରବଂଧ ହେଉ, ଜୀବନୀ ହେଉ ବା ସମାଲୋଚନା ହେଉ, ପ୍ରତ୍ୟେକ ପାଇଁ ଦରକାର ପ୍ରତିଭାର ଉତ୍ତାପ, ବିଚାରନିଷ୍ଠ ମାନସ, ଦିପ୍ତୀମୟ ବୁଦ୍ଧି, ଅଶ୍ରୁଳ ଅନୁଭୂତି, ବାସ୍ତବ ଅଭିଜ୍ଞତା, ପ୍ରୀତିପ୍ରତ୍ୟୟ, ମାନବିକତା, ସଂବେଦନଶୀଳତା, ପାରିପାର୍ଶ୍ଵିକ ସଚେତନତା, ତାତ୍ତ୍ଵିକ ଉପାଦାନ, ରସର ପ୍ରତ୍ୟାଶିତ ଗୁରୁଗଂଭୀର ଗର୍ଜନର ସାର୍ଥକ ଧ୍ଵନୀ, ମନର–ଶୀଳତାର ଅମୃତ ସ୍ପର୍ଶ, କାଳୋଚିତ ଚିନ୍ତା ଇତ୍ୟାଦି । ତାହା ନ ହେଲେ ତାହା ହୁଏ ନାହିଁ ସାହିତ୍ୟ, ସ୍ଵାବ୍ୟ, ଉପଭୋଗ୍ୟ ସ୍ଵୟଂ ସଂପୂର୍ଣ୍ଣ ।

 

ମୁଁ ଜାଣେନା ବୁଦ୍ଧି–ପ୍ରଧାନ, ହୃଦୟବାନ ଗୁଣଗ୍ରାହୀ ପାଠକ–ପାଠିକା ମୋ’ ଉପନ୍ୟାସ ‘ଖାଲ ଢିପ’ ରେ ତା’ର ଗଂଧ ସ୍ପର୍ଶ ଅନୁଭବ କରିବେ କି ନାହିଁ । “ଜହୁରୀ ବୁଝଇ ମୂଲ୍ୟ ହୀରକର, ଆନ ତା’ ମଣଇ ଅଲୋଡ଼ା ପଥର ।”

 

ଅବଶ୍ୟ ଆଜି ମୁକ୍ତ କଣ୍ଠରେ ସ୍ଵୀକାର କରିବାକୁ ପଡ଼ିବ ଯେ ଓଡ଼ିଆ ସାହିତ୍ୟରେ ଗଳ୍ପ, ଉପନ୍ୟାସ, କବିତା ପ୍ରଭୃତିର ମୂଲ୍ୟ ବଢ଼ିଛି । ରସିକ ପାଠକଙ୍କୁ ଆଉ ସାହିତ୍ୟ ବିମୁଖତାର ଅପବାଦ ଦେଲେ ଚଳିବ ନାହିଁ । ପାଠକର ଆନୁକୁଲ୍ୟ ଲେଖକ ଗୋଷ୍ଠୀଙ୍କୁ ଅନୁପ୍ରାଣିତ କରୁଛି । ଲେଖକର ମାନସମ୍ମାନ ବଢ଼ୁଛି, ଆର୍ଥିକ ସ୍ଵୀକୃତି ବି ମିଳୁଛି । ଯଦି କେହି ହଠାତ୍ ମାର୍ଜିନ ଲେଖକ ଟୁମାନ କ୍ୟାପଟେନଙ୍କର ସାଂପ୍ରତିକ ଉପନ୍ୟାସ–ଇନ କୋଲ୍‍ଡ ବ୍ଳଡ ର ଯଶ ଆଉ ଅର୍ଥର ଆଶା କରୁଥାନ୍ତି ସେ ସ୍ଵତନ୍ତ୍ର କଥା । ତେବେ ମୁଁ ଏତିକି କହିବି ଯେ, ସେ ଦିନ ଏ ଦେଶରେ ଆସିନାହିଁ ।

 

ପ୍ରସିଦ୍ଧ ଔପନ୍ୟାସିକ ଶ୍ରୀଯୁକ୍ତ କାହ୍ନୁଚରଣ ମହାନ୍ତି, ଓ ଶ୍ରୀଯୁକ୍ତ ସୁରେନ୍ଦ୍ର ମହାନ୍ତି ସେମାନଙ୍କର ବହୁମୂଲ୍ୟ ସମୟ ନଷ୍ଟକରି ଏ ବହିରେ ଅଭିମତ ଲେଖି ଦେଇଥିବାରୁ ମୁଁ ତାଙ୍କ ନିକଟରେ ଚିରକୃତଜ୍ଞ ।

 

ରୋଗ ଶଯ୍ୟାରେ ବି ବହିଟିକୁ ପଢ଼ି ଓଡ଼ିଶାର ସୁପ୍ରସିଦ୍ଧ ସାହିତ୍ୟିକ ‘ନିଆଁ ଖୁଣ୍ଟାର ସଂପାଦକ ୰ଗୋଦାବରୀଶ ମହାପାତ୍ର ଆଶୀର୍ବାଦ ଦେଇଥିବାରୁ ମୁଁ ତାଙ୍କ ନିକଟରେ ଚିରଋଣୀ । ଶିଳ୍ପୀ ଶ୍ରୀଯୁକ୍ତ ଦାଶରଥି ପ୍ରସାଦ ଦାସ ଯେପରି ଆଗ୍ରହ ପ୍ରକାଶ କରି ଅଳ୍ପ ସମ୍ଭୟ ଭିତରେ ପ୍ରଚ୍ଛଦପଟ୍ଟ ଆଂକିଛନ୍ତି, ସେଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଦେଲି ।

 

ଶେଷରେ ଅରୂଣ ପ୍ରେସ୍‍ର ସ୍ଵତ୍ଵାଧିକାରୀ ଶ୍ରୀଯୁକ୍ତ ଗଜେନ୍ଦ୍ରନାଥ ଦାସ ଯେପରି ଆନ୍ତରିକତାର ସହିତ ଛାପା କାର୍ଯ୍ୟ ଅଳ୍ପ ସମୟ ଭିତରେ ସାରିଛନ୍ତି, ସେଥିପାଇଁ ସେ ପ୍ରଶଂସାର ପାତ୍ର ।

 

ମଣିଷ ଅବସ୍ଥାର ଦାସ । ବେଳେବେଳେ ଏପରି ଅବସ୍ଥା ଆସେ ଯେ, ଯେଉଁଥିପାଇଁ ମଣିଷ ଆଦୌ ପ୍ରସ୍ତୁତ ହୋଇ ନଥାଏ । ସେ ଅବସ୍ଥା କଥା ସେ ସ୍ଵପ୍ନରେ ସୁଦ୍ଧା ଭାବି ନ ଥାଏ । ପାଟହାତୀ ରଜା ଖୋଜିବାକୁ ଯାଇ ସୁନା–କଳସ ଢ଼ାଳିଲା ଭଳି କଥା ହୁଏ । ମୁହୂର୍ତ୍ତକ ମଧ୍ୟରେ ଅତି ଅଦ୍ଭୁତ କଥା ସଂଘଟିତ ହୋଇଯାଏ । ବର୍ଷ ବର୍ଷ ଧରି ପ୍ରଗାଢ଼ ନିଷ୍ଠା ଓ ଚେଷ୍ଟା ଦ୍ଵାରା ଯେଉଁ କାର୍ଯ୍ୟ କରିହୁଏନା–ଧନଧାନ୍ୟର ସ୍ରୋତ ବୁହାଇ ଯାହା କରିବା ଆଦୌ ସମ୍ଭବ ହୁଏନା, ତାହା କେଉଁ ଅଦୃଶ୍ୟ ଶକ୍ତିର ଆଦେଶରେ ମନକୁ ମନ ହୋଇଯାଏ । ଆଖି ପିଛୁଳାକେ କିଏ ନଭଶ୍ଚୁମ୍ଵୀ ନବତଳ ପ୍ରାସାଦରୁ ତଳକୁ ଓହ୍ଲାଇ ଆସି ଦାଣ୍ତର ଭିକାରୀ ସାଜେ । ବାରଦ୍ଵାରେ ଦାନ୍ତ ନିକୁଟି ହାତ ପାତି ଭିକ ମାଗେ । ପେଟ ପୋଷ, ନାହିଁ ଦୋଷ ନ୍ୟାୟରେ ମାନ ସମ୍ମାନରେ ହସି ହସି ଜଳାଞ୍ଜଳି ଦେଇ ଦିଏ-। ସମୟେ ସମୟେ କିଏ ଫକୀରରୁ ରାତାରାତି ରାଜେନ୍ଦ୍ରାସନରେ ଅଧିରୂଢ଼ ହୁଏ । ସକଳ ବାଧା, ବିଘ୍ନ ଅଦିନ କୁହୁଡ଼ି ଭଳି ଉଭେଇ ଯାଏ । ଶତ୍ରୁମାନେ ବି ଶତ ଜିହ୍ଵା ହୋଇ ପ୍ରଶଂସା କରନ୍ତି-। ଭବ୍ୟ ସଂବର୍ଧନାରେ ଇନ୍ଦ୍ରଧନୁର ମାୟା ସୃଷ୍ଟିହୁଏ । ଭାଗ୍ୟ ଲକ୍ଷ୍ମୀଙ୍କର ଶୁଭଦୃଷ୍ଟି ପଡ଼େ । ବାମନ ଆକାଶ କୁସୁମ ତୋଳିବାକୁ ସ୍ପର୍ଦ୍ଧାକରେ । ପଙ୍ଗୁ ଉତ୍ତୁଙ୍ଗ ଗିରୀ ଲଂଘେ । ଭାଗ୍ୟ ଓ ଭଗବାନ କୃତଜ୍ଞାତାରେ ଭାସିଯାଆନ୍ତି ।

 

ଏହାକୁ କହନ୍ତି ସୁଯୋଗ ।

 

ଏହିଭଳି ଏକ ସୁଯୋଗ ଆସିଥିଲା ବିବେକାନନ୍ଦର ଭାଗ୍ୟରେ । ସେ ନିଜକୁ ନିଜେ ବିଶ୍ଵାସ କରି ପାରି ନ ଥିଲା । କେବଳ ଭଗବାନ ତୁମେ ଚିର ମଙ୍ଗଳମୟ । ତୁମର ଇଛା ପୂର୍ଣ୍ଣ ହେଉ । ଏତିକି କହି ଦୀର୍ଘ ନିଶ୍ଵାସଟିଏ ପକାଇଥିଲା । ତାହା ପରେ ଆଖି ଆଗରେ ସନେମା ଫିଲିମ୍‍ ପରି ଗୋଟିକ ପରେ ଗୋଟିଏ ରଙ୍ଗିନ୍‍ ପରଦା ଭାସି ଆସିଥିଲା । ସେ ତାକୁ ଧୀର ବୁଦ୍ଧି ସ୍ଥିର ଚିତ୍ତରେ ସମୀକ୍ଷା କରି ଚାଲିଥିଲା ।

 

ବର୍ଷଣ ମୁଖର ସଂଧ୍ୟା । ଝଡ଼ ଝଂକାରରେ ଧରାକାଶ ପ୍ରକଂପିତ । କାଉ କୋଇଲୀର ରାବ ନାହିଁ । ଦୀର୍ଘ ତିନିଦିନ ହେଲା ଅବିଶ୍ରାନ୍ତ ଭାବରେ ଅଦିନ ବର୍ଷା ଲାଗି ରହିଛି । ପକ୍ଷୀ ବି ଆହାର ଖୋଜି ଯାଇ ପାରୁନି । ଭଗ୍ନ ନୀଡ଼ରେ ଛୋଟ ଛୋଟ ଛୁଆଗୁଡ଼ିକୁ ପକ୍ଷତଳେ ଯାକି ଛୋଟ ଥଣ୍ଟୁଟିଏ ପଦାକୁ କାଢ଼ି ଘଡ଼ିକି ଘଡ଼ି ଆକାଶକୁ ଚାହୁଛି । ମନରେ ତା’ର ଗୋଟିଏ ଭାବନା ଉଁକି ମାରୁଛି–“ଏ ବର୍ଷା କେତେବେଳେ ସତେ ଛାଡ଼ିବ ? ଭଗବାନ ନ ଦେଇଥିଲେ ନାହିଁ, ଦେଇ କି ଲାଭ ? ଭୋକ ଉପାସରେ ଛୁଆଗୁଡ଼ିକ ଶୁଖି ମରିଯିବେ । ଭଗବାନ କେଉଁ ଯଶବାନା ଉଡ଼ାଇବେ କେଜାଣି ?”

 

ପଶୁ, ପକ୍ଷୀ, କୀଟ, ପତଙ୍ଗ ସମସ୍ତଙ୍କ ମନରେ ଭାବନାର ଅନ୍ତ ନାହିଁ । ବୁଢ଼ା ବୁଢ଼ାମାନେ କହୁଛନ୍ତି ଏଭଳି ଝଡ଼ ଗତ ଶହେବର୍ଷ ଭିତରେ ହେବାର ତାଙ୍କ ବାପ ଅଜାଙ୍କଠାରୁ ସେମାନେ ଶୁଣି ନ ଥିଲେ । ଧାରା ଶ୍ରାବଣରେ ବିନ୍ଦୁଟିଏ ବର୍ଷା ହେଲା ନାହିଁ ମାତ୍ର ମାଘ ମାସରେ ଏପରି ବର୍ଷା ! ଦାଣ୍ତ, ଘାଟ, ହାଟ ସବୁଆଡ଼େ ପାଣି । ଯୁଆଡ଼କୁ ଚାହ” ସିଆଡ଼େ ସମୁଦ୍ର ଭଳି ଦେଖା ଯାଉଛି । ଖଳାରେ ଧାନ ଗଦା ଭାସୁଛି । ଗୋରୁମାନେ ଗୁହାଳରେ ହମ୍ଵାରଡ଼ି ଦେଇ ଗଗନ, ପବନ ପ୍ରକଂପିତ କରୁଛନ୍ତି ।

 

ବିଚରା ବିବେକାନନ୍ଦ ଝରକା ପାଖରେ କସି ଶ୍ୟାମଳ ମେଘମାଳାର କମନ୍ଦୀୟଶୋଭା ନିରୀକ୍ଷଣ କରିବାରେ ଲାଗିଛି । ବେଳେବେଳେ ନୃତ୍ୟରତ ମୟୁର ଆଡ଼କୁ ଚାହିଁ ଆତ୍ମ ବିଭୋର ହୋଇ ଯାଉଛି । ମେଘ ମହ୍ଲାର ରାଗିଣୀରେ ପଦେ ଗୀତ ଗାଇ ଗାଇ ଗୋଟିଏ ଉପନ୍ୟାସ ଲେଖିବାରେ ମନ ବଳାଇଲେ ମଧ୍ୟ, ଲେଖି ପାରୁନି ।

 

ମେଘ ତିନିଦିନ ହେଲା ଆରଂଭ ହୋଇଥିଲେ ମଧ୍ୟ ବିବେକାନନ୍ଦ ମନରେ ତିଳେ ହେଲେ ଚିନ୍ତା ନାହିଁ । ଏ ମେଘ ଯଦି ଆହୁରି ଦଶଦିନ ଧରି ଲାଗି ରହେ ତେବେ ବି ସେ ଦୁଃଖିତ ହେବ ନାହିଁ ।

 

କାଳି ଆଉ କଲମ ।

 

ଏହାର ବ୍ୟବଧାନ ଭିତରେ ବୁଡ଼ି ରହି ନୂଆ ନୂଆ କଥା ସାହିତ୍ୟ ସେ ସୃଷ୍ଟି କରିବାକୁ ଚାହେଁ । କାହା କଥା ସେ ଶୁଣିବାକୁ ଚାହେଁନା । ଯାହା ସତ୍ୟ, ଶିବ, ସୁନ୍ଦର ତାହାକୁହିଁ ନିର୍ଭୀକ ଭାବରେ ସେ ପ୍ରକାଶ କରିବାକୁ ଚାହେଁ । ସେ କାହାର ନାଲି ଆଖି ଦେଖି ଡରିବାକୁ ଚାହେଁନା-। ନିନ୍ଦା ପ୍ରଶଂସା ପ୍ରତି ତା’ର ଆଦୌ ଖାତିର ନାହିଁ । କାହାର ଅନୁଗ୍ରହ ପ୍ରାର୍ଥୀ ହେବାକୁ ସେ ଚାହେଁନା-। ସେ ଦରିଦ୍ର ! ହେଲା ଏବେ ହେଉ । ଦାରିଦ୍ର୍ୟତ ଦୟାମୟଙ୍କର ଆଶୀର୍ବାଦ । ବିବେକାନନ୍ଦର ସବୁବେଳେ କବିବର ଚିନ୍ତାମଣି ମହାନ୍ତିଙ୍କର ଗୋଟିଏ ଅମର କବିତାର ପଦ ମନେ ପଡ଼େ–

 

–“ଜୀବନ ମରଣ ସଂଧି ସ୍ଥଳେ ମୋତେ,

କରାଇଛି ଠିଆ ଭାଗ୍ୟ ଅବିରତେ ।

ନିରତେ ଆଶଂକା ପ୍ରବଣ ମୋ’ ପ୍ରାଣ,

ଦୁଃଖ ଧନେ ମୁହିଁ ମହା ଧୂନବାନ ।”

 

ବାସ୍ତବିକ !

 

ଜୀବନ ମରଣ ସଂଧି ସ୍ଥଳରେ ଦରିଦ୍ର୍ୟ ହିଁ ଜହୁରୀର କାମ କରେ । ମଣିଷକୁ ଶୁଦ୍ଧ ସୁବର୍ଣ୍ଣ ହୋଇ ଉତୁରିବାରେ ସାହାଯ୍ୟ କରେ । ଦାରିଦ୍ର୍ୟ ଭିତରେ ବୁଡ଼ି ରହି ମଣିଷ ସବୁ କଥା କରିପାରେ । ଧନ–ଧାନ୍ୟ, ଭୋଗ–ବିଳାସ ଭିତରେ ମଣିଷ ମଣିଷତ୍ଵକୁ ଭୁଲିଯିବାକୁ କୁଂଠା ବୋଧ କରେନି । ଦାରିଦ୍ର୍ୟ ଅନେକ ସମୟରେ ମଣିଷକୁ ଉନ୍ମାର୍ଗରୁ ସନ୍ମାର୍ଗକୁ ଟାଣି ଆଣେ । ଈଶ୍ଵର ଚିନ୍ତାରେ ମନୋନିବେଶ କରିବାକୁ ପ୍ରେରଣା ଦେଇଥାଏ । ଆଭିଜାତ୍ୟ, ବିଭବ–ବଡ଼ିମା ଏହାର ବିରୁଦ୍ଧାଚରଣ କରେ । ବିବେକାନନ୍ଦ ଭଲ ଭାବରେ ଜାଣେ, ଦାରିଦ୍ର୍ୟରେ ବୁଡ଼ିରହି ଜୀବନ ଯିବା ବରଂ ଶ୍ରେୟସ୍କର ।

 

କିନ୍ତୁ… ।

 

ଦସ୍ୟୁବୃତ୍ତି ଆଶ୍ରୟ ନେଇ, ପରାସ୍ଵ ଅପହରଣ କରି ଭୋଗ ବିଳାସରେ ବୁଡ଼ିରହିବା ନିନ୍ଦନୀୟ । ବିବେକାନନ୍ଦ ବରଂ ଭୋକ ଉପାସରେ ଛଟପଟ ହୋଇ, ତରୁତଳେ ପଡ଼ି, ଭାଗ୍ୟକୁ ଆଦରି ମୃତ୍ୟୁକୁ ହସି ହସି ଅଭିନନ୍ଦନ କରିବ ମାତ୍ର, ପର ଗଳାରେ ଛୁରୀ ଦେଇ ନିଜକୁ ସେ ବଡ଼ଲୋକୀରେ ସଜାଇ ପାରିବ ନାହିଁ । ନିଜର ବିବେକକୁ ବଳି ଦେଇ ପାରିବ ନାହିଁ ।

 

ଅନ୍ୟାୟ, ଅନୀତି, ଅପଥର ମୋହ ମାଦକତା, ମସୃଣତା ଏତେ ଯେ, ଥରେ ସେ ପଥରେ ପାଦ ଖସିଗଲେ ପାଦ ଖସି ଚାଲିଥାଏ । ପୁଣ୍ୟ ପରିବେଶ ନିମିଷକ ମଧ୍ୟରେ ବିଷାକ୍ତ ହୋଇ ଉଠେ । ସତ୍ରୁ ପରାମର୍ଶ ହୃଦୟରେ ଶେଲବିଦ୍ଧର ଯନ୍ତ୍ରଣା ଆଣି ଦିଏ । ସବୁ ଶୁଭ ଚିନ୍ତା ଉଭେଇ ଯାଏ । ସେଥିପାଇଁ ମୁନି ଋଷିମାନେ ପାପ ପଥରେ ଯିବାତ ଦୂରର କଥା, ପାପ ଚିନ୍ତା କରିବା ପାଇଁ ଦୃଢ଼ ସ୍ଵରରେ ନିଷେଧ କରିଛନ୍ତି ।

 

ବିବେକାନନ୍ଦ ଭାବେ… ।

 

ହଁ, ତା’ର ବୟସ ହୋଇଛି । ସମାଜର ରକ୍ତ ଚକ୍ଷୁରେ ସେ ଶୀକାର ହୋଇଛି । ସେ ଦରିଦ୍ର ହେତୁ ଘୃଣାର ପାତ୍ର ହୋଇଛି । ଘରଠାରୁ ବଂଧୁ ବାଂଧବ ଯାଏ ତାକୁ ସମସ୍ତେ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି । ସେ ଅନେକ ସମୟରେ ଅନୁଭବ କରେ, ତା’ ପାଇଁ ସମସ୍ତଙ୍କର ସ୍ନେହ, ଶ୍ରଦ୍ଧା, ଅନୁକଂପାର ଭଣ୍ତାର ଖାଲି ହୋଇଯାଇଛି । ତା’ ସମ୍ଵନ୍ଧରେ କେତେ ଲୋକ କେତେ ରକମର କଟୁ ମନ୍ତବ୍ୟ ଦିଅନ୍ତି । ସେ ତିଳେ ହେଲେ ଦୁଃଖିତ ହୁଏ ନାହିଁ । ସେ ଚାରିତ୍ରିକ ଶୁଦ୍ଧି ପ୍ରତି ବିଶେଷ ନଜର ଦିଏ । ସେ ଜାଣେ ସଂସାରରେ ସବୁଥିଲେ ମଧ୍ୟ ଚରିତ୍ର ନଥିଲେ ସବୁ ଅସାର ।

 

କଥା ଅଛି–“ଥିଲେ ଥାଉ ପଛେ ଗୁଣ ହଜାର,

ଚରିତ୍ର ନ ଥିଲେ ସବୁ ଅସାର ।”

 

ସେଥିପାଇଁ ସକ୍ରେଟିସ୍‍ ଠାରୁ ଶ’ ପର୍ଯ୍ୟନ୍ତ ସମସ୍ତେ କହିଛନ୍ତି, ଧନ ନଷ୍ଟ ହେଲେ ତାହା ଫେରି ଆସି ପାରେ, ସ୍ଵାସ୍ଥ୍ୟ ନଷ୍ଟ ହେଲେ ତାହା ବି ଫେରି ଆସି ପାରେ, ମାତ୍ର ଚରିତ୍ର ଥରେ ନଷ୍ଟ ହେଲେ ତାହା ଆଉ ଫେରି ଆସି ପାରେ ନାହିଁ । ସେଥିପାଇଁ ପୁରାକାଳରେ ଅନ୍ତେବାସୀମାନଙ୍କୁ କଠୋର ସଂଯମ, ନିୟମ, ଶୃଙ୍ଖଳା ଆଶ୍ରମ ବିଦ୍ୟାଳୟମାନଙ୍କରେ ଶିକ୍ଷା ଦିଆଯାଉଥିଲା । ତାହା ଫଳରେ ଚରିତ୍ରର ଶୁଦ୍ଧତା ଆପେ ଆପେ ଚରମ ସୀମା ସ୍ପର୍ଶ କରୁଥିଲା । ବିଶୃଙ୍ଖଳାର ବହୁ ଦୂରରେ ସେମାନେ ରହୁଥିଲେ। ତେଣୁ ସେମାନେ ଯେଉଁ କ୍ଷେତ୍ରରେ ପ୍ରବେଶ କରୁଥିଲେ, ସୁନାମ ଅର୍ଜନ କରୁଥିଲେ । ଜୀବନ ସଂଗ୍ରାମକୁ ଭ୍ରୁକ୍ଷେପ କରୁନଥିଲେ ।

 

କିନ୍ତୁ… ।

 

ଆଜି ??

 

ସବୁ କ୍ଷେତ୍ରରେ ଦୁର୍ନୀତି, ବିଶୃଙ୍ଖଳା, ଅସଂଯମର ସ୍ରୋତ ପ୍ରଧାବିତ ହେଉଛି । ପାଣି ସ୍ରୋତରେ କାଠିକୁଟା ସମୁଦ୍ରାଭିମୁଖୀ ହୋଇ ଭାସି ଗଲା ଭଳି, ଅଳ୍ପ ବହୁତେ ସମସ୍ତେ ଧ୍ଵଂସ ଆଡ଼କୁ ଭାସି ଚାଲିଛନ୍ତି । ବିବେକାନନ୍ଦ ତା’ର ସାଧ୍ୟାନୁଯାୟୀ ଖୁବ୍‍ ଚେଷ୍ଟା କରେ, ଏ ସବୁଠାରୁ ଦୂରରେ ରହିବା ପାଇଁ । ପାରୁଛି କେତେକେ ? ଲକ୍ଷେ ନୀଳବର୍ଣ୍ଣ ଶୃଗାଳଙ୍କ ମଧ୍ୟରେ ଗୋଟିଏ ଅବା କିପରି ଅପରିବର୍ତ୍ତିତ ରଙ୍ଗରେ ରହିପାରିବ । ବୟସ ହେଲେ ସମସ୍ତେ ବିବାହ ହୁଅନ୍ତି । ସଂସାରରେ ପଶନ୍ତି-

 

ବିବେକାନନ୍ଦକୁ କିନ୍ତୁ କେହି କନ୍ୟାଦାନ କରିବାକୁ ଇଚ୍ଛୁକ ନୁହନ୍ତି । କନ୍ୟାଦାନ ପୂର୍ବରୁ ବାପା ମା, ଭାଇ–ବନ୍ଧୁ, କୁଟୁମ୍ଵ ଯେଉଁ ସବୁ ବିଷୟରେ ପରୀକ୍ଷା ନୀରିକ୍ଷା ଚଳାନ୍ତି ସେ ସବୁ ବିବେକାନନ୍ଦର ନାହିଁ ।

 

ବିବେକାନନ୍ଦ ଏକା ଏକା । ସେ ଯୁଆଡ଼େ, ତା’ର ଅନୁକୁଳ ସିଆଡ଼େ । ପାଇଲେ ଖାଇଲା, ନ ପାଇଲେ ନାହିଁ । ଦିନେ ହେଲେ କାହା ନିକଟରେ ସେ ଅଭାବ ଅଭିଯୋଗ ବାଢ଼ି ନାହିଁ କି ଭାଗ୍ୟ ଭଗବାନଙ୍କୁ ଦୋଷ ଦିଏ ନାହିଁ । ସୁଖ ଦୁଃଖ ସବୁ ସେ ହସି ହସି ସହିଯାଏ । ତେବେ କାହାର ଏମିତି ଝିଅ ପଚି ଯାଉଛି ଯେ ଆଣି ଗୁଂଜି ଦେଇ ଯିବ ? ଭେକ ଥିଲେ ଭିକ ମିଳେ ।

 

କଥାରେ ଅଛି–କନ୍ୟା ଖୋଜେ ବର, ମା’ ଖୋଜେ ଘର । ବାପ ଖୋଜେ ବଂଶ ମର୍ଯ୍ୟାଦା, ବଂଧୁ, ବାଂଧବମାନେ ଖୋଜନ୍ତି ଧନ, ଧାନ୍ୟ । ସାଇ ପଡ଼ିଶା ଖୋଜନ୍ତି ଆଦର, ଯତ୍ନ । ଇତର ଜନଙ୍କର ଖୋଜା ମିଷ୍ଟାନ୍ନ । ବିବେକାନନ୍ଦର ସେ ସବୁ କାହିଁ ? ଯେ ଆସନ୍ତି ସେ ମୁହଁ ମୋଡ଼ି ଚାଲି ଯାଆନ୍ତି ।

 

ବିବେକାନନ୍ଦ ଅନେକ ସମୟରେ ଭାବେ, ଏହା ବୋଲି କ’ଣ ଦୁନିଆଁରେ ଯେତେ ଲୋକ ଜନ୍ମ ହୋଇଛନ୍ତି, ସମସ୍ତେ ବିବାହ କରି ସଂସାରୀ ହେବେ ? ସମସ୍ତଙ୍କ ଘର ଶିଶୁ ସଂତାନର ଅମୃତ ମଧୁମୟ କୋଳାହଳରେ ମୁଖରିତ ହେବ ? ସେ ଜାଣେ ସେ ଏକା ନୁହେ, ଦୁନିଆଁରେ ତା’ ପରି ଅନେକ ଅଭାଜନ ଅଛନ୍ତି, ଯେଉଁମାନେ ସୌଭାଗ୍ୟକୁ ହେଉ, ବା ଦୁର୍ଭାଗ୍ୟକୁ ହେଉ ଜୀବନରେ ସ୍ତ୍ରୀ ମୁଖ ଦର୍ଶନ କରି ନାହାନ୍ତି ।

 

ସେ ଆହୁରି ଗଭୀର ଭାବରେ ଚିନ୍ତାକରେ । ଆଜି ଯେତେବେଳେ ଘରେ ବାହାରେ, ସବୁଠାରେ ଜନ୍ମ ନିୟନ୍ତ୍ରଣ ପାଇଁ ହୁରି ପଡ଼ିଛି, ସେତେବେଳେ “ମୁଳୁ ମାଇଲେ ଯିବସରି, ଦେବଙ୍କ ସଙ୍ଗେ କିମ୍ପା କଳି” ? ଏହିପରି କେତେ କଥା ତା’ର ମନରେ ଉଁକି ମାରୁଛି । ସେ ବସି ଉପନ୍ୟାସଟି ଲେଖିବାରେ ଲାଗିଛି ।

 

ଏହି ସମୟରେ ହଠାତ୍‍ ତା’ର ଘର ଭିତରକୁ ପଶିଆସିଲେ କବିତା–ପଲ୍ଲୀ–ଗ୍ରାମର ବଳବନ୍ତ ରାୟ ଛଞ୍ଚାଣସିଂହ ମହାପାତ୍ର ଆଉ ତାଙ୍କ ଶଳା ବିଭୁପଦବିହ୍ଵଳ ପଟ୍ଟନାୟକ । ଛଞ୍ଚାଣସିଂହ ମହାପାତ୍ର ଜଣେ ସମାଜ ସେବୀ, ଦୟାପ୍ରାଣ, ବିଶିଷ୍ଟ ଜମିଦାର । ବିଭୁପାଦବାବୁ ଜଣେ ଜିଲା ଜଜ୍‍ । ଉଭୟଙ୍କ କଥା ଭାଷା, ଭାବଭଙ୍ଗୀ, ଚାଲିଚଳନରେ ଆଭିଜାତ୍ୟର ସଙ୍କେତ ସୁପ୍ପଷ୍ଟ । କିନ୍ତୁ ବଦନମଣ୍ତଳ ବିଷଦ ମେଘାଚ୍ଛନ୍ନ । ମହଳଣ ବେଶ । ଦୂରରୁ ଦେଖି ଦେଲେ ଜଣାପଡ଼େ ସତେ ଯେପରି ଶତବୃଶ୍ଠିକର ଦଂଶନରେ ଉଭୟେ ଆଘାତ ପ୍ରାପ୍ତ । ବିବେକାନନ୍ଦ ହଠାତ୍ ଉଠିପଡ଼ି ବିସ୍ମୟ ବିସ୍ଫାରିତ ନେତ୍ରରେ ଅପରିଚିତ ଭଦ୍ରବ୍ୟକ୍ତି ଦ୍ଵୟଙ୍କୁ ଅନାଇଁ ପଚାରିଲେ–ଆପଣମାନେ କିଏ ?

 

ଏ ଅସମୟରେ ।

 

ଏତେ ରାତ୍ରୀରେ ଏଠାରେ କାହିଁକି ?

 

ଛଞ୍ଚାଣସିଂହ ମହାପାତ୍ର ହଠାତ୍‍ ବିବେକାନନ୍ଦର ହାତକୁ ଧରି ପକାଇ ଅଶ୍ରୁ ଗଦ୍‍ଗଦ୍‍ କଣ୍ଠରେ କହିବାକୁ ଲାଗିଲେ–“ବାପା, ମୁଁ ଜାଣେ ତୁମେ ଆଶ୍ଚର୍ଯ୍ୟ ହେବ । ତୁମେ ମୋତେ ଏ ବିପଦରୁ ରକ୍ଷା ନ କଲେ ମୋର ସର୍ବନାଶ ହୋଇଯିବ । ତୁମ ଛଡ଼ା ମୋତେ ରକ୍ଷା କରିବାର ସାମର୍ଥ୍ୟ ମୁଁ ଆଉ କାହାଠାରେ ଦେଖୁନାହିଁ । ତୁମ ହୃଦୟ ଦୟାରେ ପୂର୍ଣ୍ଣ । ତୁମଠାରୁ ଦୟା ପାଇବାର ଆଶା ରଖି ମୁଁ ଏଠାକୁ ଆସିଛି । ତୁମେ ମୋତେ ନିରାଶ କରିବ ନାହିଁ ବୋଲି ମୋର ଏକାନ୍ତ ଆଶା ଓ ବିଶ୍ଵାସ ।

 

ବିବେକାନନ୍ଦ ଭଦ୍ରଲୋକଙ୍କ ବ୍ୟସ୍ତତାରେ ଟିକିଏ ଅପ୍ରତିଭ ହୋଇଗଲା । ମନ ଭିତରେ ତା’ର ଏକ ଆକସ୍ମିକ ଝଡ଼ର ସନ୍ଦେହ ସୂତ୍ରପାତ ହେଲା । ସେ [ନପଯୌନ] ତସ୍ତୈ ଅବସ୍ଥାରେ ପଡ଼ି ପଚାରିଲା, ଆଜ୍ଞା “ମୋତେ ପ୍ରକୃତ କଥା ନ କହିଲେ ମୁଁ ଜାଣିବି କେମିତି ?”

 

ଛଞ୍ଚାଣସିଂହ ମହାପାତ୍ର କୌଣସି ଉତ୍ତର ନ ଦେଇ ଶାନ୍ତିପୁରୀ ଚାଦରରେ କେବଳ ଆଖି ପୋଛିବାରେ ଲାଗିଲେ ।

 

ବିବେକାନନ୍ଦର ମନରେ ସନ୍ଦେହ ଆହୁରି ଘନୀଭୂତ ହୋଇଗଲା । ସେ ଆକାଶ ପାତାଳ କେତେ କଥା ଭାବିବାରେ ଲାଗିଲା ।

 

ପ୍ରଭୁପାଦବାବୁ ଏଥର କହିଲେ–“ବାବୁ ! ସତ କହିଲେ ଶତ୍ରୁକୁ ଜିଣିବ । ଆମର ଭାଣିଜୀ ମଙ୍ଗୁଳାଇ ହୋଇ ବସିଛି । ତା’ର ବିବାହ ପ୍ରସ୍ତାବ ଯେଉଁଠାରେ ଠିକ୍ ହୋଇଥିଲା ସେଠାରେ ଭାଙ୍ଗି ଗଲା ।”

 

ବିବେକାନନ୍ଦର ପାଟିରୁ ଅଜାଣତରେ ବାହାରି ପଡ଼ିଲା–ସେ ସବୁ ଅନେକ କଥା ।

 

କ’ଣ କୁହନ୍ତୁ ବୋଲି–ଏଥର ବିବେକାନନ୍ଦ ଶ୍ଳେଷ ବ୍ୟଂଜକ ଗଳାରେ ସାମାନ୍ୟ ଜିଦD କଲା ।

 

–“ମାଧପୁରର ଦିବ୍ୟସିଂହ ଚୌଧୁରୀଙ୍କ ଜ୍ୟେଷ୍ଠପୁତ୍ର ବିଶ୍ଵଜିତ୍‍ ସହିତ ମୋର ଭାଣିଜୀ ଅଳକାର ବିବାହ ପ୍ରସ୍ତାବ ଠିକ୍‍ ହୋଇଥିଲା । ବର ଦେଖା, କନ୍ୟା ଦେଖା, ଜବାବ ପତ୍ର ସରିଥିଲା । ମାତ୍ର–

 

ଆଜି ବର ଘରୁ ଖବର ଆସି ପହଞ୍ଚିଛି ଯେ–ଯଦି ଗୋଟିଏ ଅମ୍ଵାସାଡ଼ର କାର, ପଚାଶଭରି ସୁନା, ବାଟଖର୍ଚ୍ଚ ଦଶହଜାର ଟଙ୍କା ବର ବେଦୀକୁ ଯିବା ପୂର୍ବରୁ ନ ଦିଆଯାଏ, ତେବେ ବାହାଘର ହୋଇ ପାରିବ ନାହିଁ । ଏ କଥା ଶୁଣିଲା ମାତ୍ରେ ସାଇ ପଡ଼ିଶା, ବନ୍ଧୁ–ବାନ୍ଧବମାନଙ୍କ ଭିତରେ ଚାଞ୍ଚଲ୍ୟ ଖେଳିଗଲା । ମୋର ଭଉଣୀ ବସୁମତି ମୂର୍ଚ୍ଛା ଗଲା । ଅଳକା ଏକଜିଦ୍‍ ଧରି ବସିଲା ଯେ–“ମୁଁ ସେ ବିବେକହୀନ ପଶୁ ସହିତ ବିବାହ କରିବାକୁ ଚାହେଁନା, ମୁଁ ସେଥିପାଇଁ ମୂଳରୁ ଏ ବିବାହ ପ୍ରସ୍ତାବରେ ରାଜି ନଥିଲି । ତୁମେ ବୁଝିପାରୁ ନାହଁ । ଆଧୁନିକ ସଭ୍ୟତା ଅସଂଖ୍ୟ (Wisest Fools) ପାଠୁଆ ମୂର୍ଖଙ୍କୁ ସୃଷ୍ଟି କରିଛି । ସେମାନଙ୍କର ଦେଶକାଳ ପ୍ରତି ଆଦୌ ଭ୍ରୁକ୍ଷେପ ନାହିଁ । ସେମାନେ ଗୋଟିଏ ଘର ଭାଙ୍ଗି ଆଉ ଗୋଟିଏ ଘର ବିଜୟ ଦର୍ପରେ ତୋଳିବାକୁ ଚାହାନ୍ତି । ସେମାନଙ୍କ ପାଖରେ ଜୀବନର ମୂଲ୍ୟ ଅର୍ଥହୀନ । ସେମାନେ ପରଙ୍ଗପୁଷ୍ଟ ମଲାଙ୍ଗ । ଜୀବନ ସଂଗ୍ରାମରେ ପଳାୟନ ପନ୍ଥୀର ଭୂମିକା ନିର୍ବିବାଦରେ ଗ୍ରହଣ କରନ୍ତି । ମହାକାଳ ଫଳ ପରି ଉପର ସୁନ୍ଦର, ଭିତର ପୋଡ଼ା ଅଙ୍ଗାର । ସେମାନଙ୍କ ପକ୍ଷରେ ବିବାହ ଏକ ବିଳାସ । ଯଦି ତୁମ୍ଭେମାନେ ମୋତେ ଜନ୍ମ କରିଛ ବୋଲି ଦାବୀ ବାଢ଼ୁଛ ଏବଂ ଯଦି ମୋର ମଙ୍ଗଳ ମନାସୁଁ ଥାଅ, ତେବେ ମୋତେ ଗୋଟିଏ ମଣିଷର ହାତ ଧରିବାର ସୁଯୋଗ ଦିଅ । ନଚେତ୍‍ ମାରିଦିଅ ।” ବିବେକାନନ୍ଦ ଗୋଟାଏ ଦୀର୍ଘ ନିଶ୍ଵାସ ପକାଇ କହିଲା–“ହେ ଭଗବାନ ପୁଣି ଏ କି ପରୀକ୍ଷା ?”

 

–“ଆଉ ଭାବୁଛ କ’ଣ ବାପା ?” ଅଧିର ହୋଇ କହିଲେ–ପ୍ରଭୁପାଦବାବୁ । ଶୁଭବେଳେ ଗଡ଼ିଯିବ । ଆମର ଏକାନ୍ତ ଅନୁରୋଧ, ତୁମେ ଏଥିରେ ସମ୍ମତି ପ୍ରଦାନ କର । ଆମର ମାନ ସମ୍ମାନ ରକ୍ଷାକର । ଝିଅର ପଣ ପୂରଣ ହେଉ । ଆମେ ତୁମର ଅମଙ୍ଗଳ ଆଦୌ ଚାହୁଁ ନା ।”

 

ଆଚ୍ଛା ସେ ବରଙ୍କର ଯୋଗ୍ୟତା କ’ଣ ?

 

ଛାଡ଼ ସେ କଥା ।

 

ହଁ କୁହନ୍ତୁ ।

 

ସେ ଆଇ, ଏ, ଏସ୍‍ ।

 

ଆଉ ଝିଅର ?

 

ଝିଅର ଯୋଗ୍ୟତା ଏମ୍‍, ଏ, ପାଶ୍‍ । ଭଲ ନାଚେ । ଭଲ ଲେଖେ । ଭଳ ଗୀତ ଗାଏ । ହାତ କାମରେ ମଧ୍ୟ ବହୁତ ପ୍ରାଇଜ୍‍ ପାଇଛି ।

 

ବିବେକାନନ୍ଦ କ’ଣ ଭାବୁ ଭାବୁ ବଜ୍ର ନିର୍ଘୋଷ ଗଳାରେ କହିଲା–“ନା–ନା–ତାହାହେଲେ ମୋ’ କଥା ଉଠି ପାରେ ନା ।”

 

–କାହିଁକି ବାବା ? ପ୍ରଭୁପାଦବାବୁ ପଚାରିଲେ ।

 

–ମୋର ଯୋଗ୍ୟତା ସମ୍ଵନ୍ଧରେ ଆପଣ ବୋଧହୁଏ–

 

ଆମେ ସବୁ ଜାଣୁ ।

 

ଜାଣିଥିଲେ ହୁଏତ…

 

ଆଉ ହୁଏତ କ’ଣ ? ଗୁଡ଼ାଏ ପାଠ ଘୋଷି ଦେଲେ ମଣିଷ ମଣିଷ ହୁଏନା । ବାଡ଼ି ବାଇଗଣ–ପୋଥି ବାଇଗଣ ଭିତରେ ଆକାଶ ପାତାଳ ତଫାତ୍‍ । ତୁମେ କବି । କଳାକାର । ମଣିଷ-। ତୁମେ ସ୍ରଷ୍ଟା, ଦ୍ରଷ୍ଟା । ତୁମେ ଅରୂପରେ ରୂପ ଦିଅ । ନିଷ୍ପ୍ରାଣରେ ପ୍ରାଣ ଭର । ଅସୀମରେ ସମୀମର ଗନ୍ଧ ବାରି ଜଗତ ଜୀବନକୁ ଆନନ୍ଦ ପ୍ରଦାନ କର । ଅସୀଠାରୁ ମସୀ ତୁମର ବଳିଆର-। [ନବୋନବୋଉନ୍ମେଷଶାଲିନୀପ୍ରଜ୍ଞାର] ବାହକ ତୁମେ । ତୁମେ ସରସ୍ଵତୀଙ୍କର ବରପୁତ୍ର । ଆମେ ବହୁ ଆଶା କରି ଆସିଛୁ ତୁମ ପାଖକୁ । ଆମକୁ ନିରାଶ କରନା ବାବା !

 

ଏଥର ବିବେକାନନ୍ଦର ହୃଦୟ କେତେକ ପରିମାଣରେ ତରଳି ଗଲା । ନିଜକୁ ସଂଯତ କରି ନେଇ କହିଲା–“ଆପଣମାନେ ବଡ଼ଲୋକ । ଆପଣମାନଙ୍କ ସହିତ ଆମ୍ଭମାନଙ୍କ ପରି ଦରିଦ୍ର ଲୋକମାନଙ୍କର ସଂପର୍କ ପାଣିରେ ତେଲ ମିଶିଲା ପରି ହେବ ।

 

ତା’ପରେ ଅଳକା ଜଣେ ଅତ୍ୟାଧୁନିକା, ଉଚ୍ଚ, ଶିକ୍ଷିତା, ସର୍ବଗୁଣ ସଂପନ୍ନା ଝିଅ । ସେ ମୋ’ ପରିଜଣେ ଦରିଦ୍ର କଳାକାର ହସ୍ତ ଧରି କ’ଣ ସୁଖୀ ହୋଇ ପାରିବ ? ଦାସବାସୀ ପରିବେଷ୍ଟିତ ତିତଳ ରାଜପ୍ରାସାଦର ବିଳାସ କକ୍ଷ ଛାଡ଼ି ମୋର ଝାଟି ମାଟି ଘରେ ଚଳି ପାରିବତ ?

 

ହଁ–ହଁ–ଚଳି ପାରିବ ବାବା ।

 

ଆପଣ ସିନା କହୁଛନ୍ତି ଆଜ୍ଞା, ଆଜି କାଲି ପିଲାମାନଙ୍କର ମନ ଜାଣିବା ଅତ୍ୟନ୍ତ ଦୁରୁହ ବ୍ୟାପାର । କେବଳ ଉପରେ ଉପରେ ଭାସି ଗଲେ, ଭବିଷ୍ୟତରେ ବିଷମୟ ପରିଣାମ ଭୋଗିବାକୁ ପଡ଼ିବ । ବାଧ୍ୟବାଧ୍ୟକତାରେ ଜଣକ ସହିତ ଅନ୍ୟ ଜଣକୁ ଯୋଡ଼ି ଦେବା ଫଳରେ ଅନେକ ସୁନାର ସଂସାର ଚୂନା ହୋଇଥାଏ । ମନୋମାଳିନ୍ୟର ଝଂଜା ବହି ସବୁ କଳ୍ପନାକୁ ଲିଭାଇ ଦିଏ । ଭାସିଗଲା ଲୋକ କୁଟା ଖିଅକୁ ଧରି ସମୁଦ୍ର ପାରି ହେବାକୁ ଇଚ୍ଛା କଲାଭଳି ଆଜି ହୁଏତ ଆପଣମାନେ ଅସୁବିଧାରେ ପଡ଼ି କୌଣସିମତେ ଏପ୍ରସ୍ତାବଟି ବାଢ଼ୁଛନ୍ତି, ମାତ୍ର ଏହାର ପ୍ରତିକ୍ରୀୟା ସଂପର୍କରେ ଆପଣ ସଚେତନ ଅଛନ୍ତିତ ? ମୁଁ ମନେ କରେ ଜଣେ ଏମ୍‍, ଏ ପାଶ୍‍ କରିଥିବା । ଝିଅର ପାଣିଗ୍ରହଣ କରିବା ପାଇଁ ମୁଁ ଏକାନ୍ତ ଅନୁପଯୁକ୍ତ ।

 

ଏଥର ଛଂଚାଣସିଂହ ମହାପାତ୍ର ନିଜେ ଉଠି ଆସିଲେ ବିବେକାନନ୍ଦ ପାଖକୁ । ବିଷର୍ଣ୍ଣ ଗଳାରେ କହିଲେ–“ମୋ’ ବାବାଟା ପରା ! ତୁମେ ସବୁ ଯାହା ଭାବୁଛ ତାହାର ବହୁଦୂରରେ ଅଳକା-। ସେ ଅନ୍ୟ ଝିଅ ପରି ନୁହେଁ । ସେ ସବୁ କ୍ଷେତ୍ରରେ ସବୁ ପରିସ୍ଥିତିରେ ନିଜକୁ ଖାପ ଖୁଆଇ ଚଳିବାରେ ଅଭ୍ୟସ୍ତ । ଢିଙ୍କିରେ ଚଢ଼ି ଧାନ କୁଟିବାଠାରୁ ଗୁହାଳ କାଢ଼ିବା ଯାଏ ଯେପରି ଜାଣେ ସଭା ସମିତିରେ ଓଜସ୍ଵୀନୀ ବକ୍ତୃତା ଦେବାଠାରୁ ମାନ୍ୟଗଣ୍ୟ ଅତିଥିମାନଙ୍କର ଚର୍ଚ୍ଚା ସେହିପରି ଜାଣେ । ଏଡ଼େ କଷ୍ଟ ସହିଷ୍ଣୁ ଯେ କହିବାର ନାହିଁ । ଅବଶ୍ୟ ମୋର ଝିଅ ବୋଲି ମୁ ଅତିରଂଞ୍ଜନ କରି କହୁନାହିଁ ମାତ୍ର ଅଳକା ଭଳି ଝିଅ କୋଟିକରେ ଗୋଟିଏ ମିଳେ । ଭାଗ୍ୟରେ ଥିଲେ ଗୋର ଭୂମୀ, ସ୍ତ୍ରୀ ମିଳେ । ନିୟତୀର ଗତି ବିଚିତ୍ର । ଯାହାର ଯେଉଁଠି ଯୋଗ ଅଛି, ଯାହା ହାଣ୍ତିରେ ଯିଏ ଚାଉଳ ପକାଇଛି ତାହାର ବ୍ୟତିକ୍ରମ କରିବ କିଏ ? ଭଗବାନଙ୍କର ଏ ଅଦୃଶ୍ୟ ଆଦେଶକୁ ତୁମେ ପାଦରେ ଦଳି ଦିଅନା ବାବା !

 

ଆପଣଙ୍କର ଇଚ୍ଛା ପୂର୍ଣ୍ଣ ହେଉ ବୋଲି ନିଜର ସମ୍ମତି ନମ୍ର ଭାବରେ ଜଣାଇଲା ବିବେକାନନ୍ଦ ।

 

ଏଥର ଆନନ୍ଦଶ୍ରୁ ଦୁଇ ଧାର ହୋଇ ବୋହିଗଲା ଛଚାଣସିଂହ ମହାପାତ୍ରଙ୍କର । କିଛିସମୟପରେ ଯାଉଛୁ ବୋଲି କହି, ଠିଆ ହେଲେ ପ୍ରଭୁପାଦ ବିହ୍ଵଳ ପଟ୍ଟନାୟକ, ଆଉ ଛଚାଣସିଂହ ମହାପାତ୍ର । ଜେଲ ଝରକା ପାଖରେ ଠିଆ ହୋଇ ଆତ୍ମୀୟ ସ୍ଵଜନମାନଙ୍କର ପ୍ରସ୍ଥାନକୁ ଯେପରି ଭାବ ବିହ୍ଵଳ ହୋଇ ଲମ୍ଵା ଚାହାଣୀ ହାଣି ଚାହିଁ ରହିଥାଏ କଏଦୀ, ସେହିପରି ଖାଲି ଚାହିଁ ରହିଥିଲା ବିବେକାନନ୍ଦ ।

 

ଝଡ଼ ଶେଷର ପକ୍ଷୀ ନୀଡ଼ ତେଜି ବାହାରି ଯାଉଥିଲେ ଆହାର ଖୋଜି, ଦିଗ୍‍ବଳୟ ଧାରେ ଧାରେ ।

 

ତିନିଦିନ ହେଲା ଭୁବନ ଗାଆଁ ଉଠୁଛି ପଡ଼ୁଛି । ବାରଲୋକେ ବାରଶ କଥା କହୁଛନ୍ତି । ନଈ ନ ଦେଖି ନଙ୍ଗଳା ହୋଇପଡ଼ିବା ଲୋକର ଅଭାବ ଏ ଦେଶରେ ନାହିଁ । ନବୁଝି ନସୁଝି ସଜ ମାଂସରେ ପୋକ ପକାଇ ଦେବାକୁ ସେମାନେ କୃତିତ୍ଵ ବୋଲି ଭାବନ୍ତି । ନୋହିଲା କଥାକୁ ହୋଇଲା କରନ୍ତି । କାହା ପାଟିରେ ଏବେ କିଏ ହାତ ଦେବ ?

 

କିଏ ଯଦି କହୁଛି–କି କାଳ ହେଲା ଲୋ ମା’ କୁହାନାହିଁ, ବୋଲାନାହିଁ, ଜଣାନାହିଁ, ଶୁଣାନାହିଁ, ବର, କନ୍ୟା ଦେଖାନାହିଁ, ଜାତିଗୋତ୍ର ବୁଝାନାହିଁ, ବନ୍ଧୁ ବାନ୍ଧବ ଖୋଜା ନାହିଁ, ରାତାରାତି ସବୁକାମ ଶେଷ । କ’ଣ ନା ବାହାଘର ସାରି ବରକନ୍ୟା ବାହୁଡ଼ି ଆସିଲେ । କାହାର ଏମିତି ଝିଅ ପଚି ଯାଉଥିଲା ଯେ, ଗୋଟିଏ ମାଗନ୍ତା ଛତରଖିଆ ବେକରେ ସ୍ଵର୍ଣ୍ଣ–ସୀତାକୁ ଛନ୍ଦି ଦେଉଥିଲା ? ମାଙ୍କଡ଼ ହାତରେ ଶାଳଗ୍ରାମ, ନଚାଇ ନଚାଇ ନେବ ପ୍ରାଣ ।

 

କିଏ ତେବେ କହୁଛି–ଏ ଭଳି ସୁନା–ନାକୀ, ଅପ୍‍ସରା ଭଳି ଝିଅକୁ ଯଦି ବାପ ମା’ ଭଲ ଘର ଭଲ ବରରେ ନ ଦେଇ ପାରିଲେ ତେବେ ତା’ ବେକରେ ବାଲିମାଠିଆ ବାନ୍ଧି ମହାନଦୀ କି ଠେଲି ନଦେଇ ଭଙ୍ଗାକୁଡ଼ିଆକୁ ପଠାଇଦେଲେ କାହିଁକି ? ଜଗତେ କେବଳ ଜନେ ହସିବେ–ଏହାହିଁ ସାର ହେବ ।

 

କିଏ ଜଣେ ବୁଝିଲା ସୁଝିଲା ଲୋକ ପୁଣି କହୁଛି “ମଲାମୋର, ମାତା ବୁଝିଲା ତ’ ଲଗନ ସୁଝିଲା । ଯାହାର ଯାହା ଇଚ୍ଛା ହେଲା, ସେ ତାହା କଲା । ଆମ ଦେଖଣାହାରୀଙ୍କ ଦେହ ସହୁନାହିଁ କାହିଁକି ? କୁଣିଆକୁ କାନ୍ଥଭରା କିଆଁ ? ଝିଅଟିଏ ଜନ୍ମ କରି ଷୋଳବର୍ଷ କାଳ ଯେ ଗେଲବସରରେ ବଢ଼େଇଲେ, ତାଙ୍କୁ ଏଭଳି ଭାବରେ ଭୂତ ଲାଗିଛି ଯେ ସେ, କିଛି ନ ବୁଝି, ନ ସୁଝି, ଆଣି ଏଠାରେ ବାହାକରି ଦେଇ ନିଶ୍ଚିନ୍ତ ହେଲେ ?

 

ଭାଗ୍ୟଛଡ଼ା ପଥ ନାହିଁ । ଯାହାର ଯେଉଁଠି ଯୋଗଅଛି, ଯେ ଯାହା ହାଣ୍ତିରେ ଚାଉଳ ପକାଇଛି, ସେ ଅନ୍ୟ ଯାଗାକୁ ଯିବ କେମିତି ? ମା’ବାପ ଜନ୍ମ ଦେଇଛନ୍ତି ବୋଲି କ’ଣ କର୍ମ ଦେଇଛନ୍ତି ? ମାଖୁନା ଲୋକ ଗୁଡ଼ାକ କେତେ କଥା ବାହାର କରୁଛନ୍ତି । ଭିକ ମୁଠେ ଦେବେ ନାହିଁ, ଥାଳଟି ବାଡ଼େଇ ଭାଙ୍ଗି ଦେବେ । ଆମ ଦିନ କାଳ ତ’ ସରିନାହିଁ । ଆମେ ବି ପୁଣି ଝିଅ ଜନ୍ମ କରିଥାଇ । “ଯେ ପାଞ୍ଚେ ପରମନ୍ଦ, ତା’ ମନ୍ଦ ପାଞ୍ଚନ୍ତି ଗୋବିନ୍ଦ ।” ପର ଝିଅ ନାଆଁରେ ଉଡ଼େଇ ବୁଡ଼େଇ କହିଲେ ଆମର କ’ଣ ଭାରି ଭଲ ମଙ୍ଗଳ ହେବ ।

 

ଏ ତୋଫାନ ଉଠେଇ ଗାଆଁଟା ରାଇଜରୁ ବାହାର । ଯେତକ ଘରଭଙ୍ଗା, ପରଶ୍ରୀକାତର ଲୋକଙ୍କର ଏଇ ଗାଆଁରେ ବାସ । ତାଙ୍କରି କଥା ତାଙ୍କୁ ସୁନ୍ଦର ।

 

କିଏ ତେବେ କହୁଛି–“ସେ ପରା ବେଶ୍ୟାଟା ଲୋ । ତାକୁ ଆମ ରଙ୍ଗିଆ ଅମୀନ ଚଉଦଫୁଲବାଣୀରୁ ଘେନି ଆସିଥିଲା। କହନା, କହନା ମା’ ତା’ କଥା । ଭାରୀ ଛଟକୀ ସେ । ଯେମିତି ରଙ୍ଗିଆ ଅମିନ ହୋଇ, ତାଙ୍କ ଗାଆଁରେ ପହଞ୍ଚିଛି, ସେମିତି ଆଖି ଠାରରେ ତାକୁ ବାନ୍ଧି ପକାଇଲା । ମା’ ବାପା ପ୍ରଶ୍ରୟ ଦେଲେ । ରାଧା ପ୍ରେମଲୀଳା ବଢ଼ିଚାଲିଲା । ଚୋର ଘରେ ତ ନିତି ଆଲୁଅ ନୁହଁ, ଦିନେନା ଦିନେ ଅନ୍ଧାର ହେବ । ନିଆଁ କେଉଁଠି ଛପେ ନା, କଥା କେଉଁଠି ଛପେ ? ରାଇଜସାରା ଡ଼ିବି ଡ଼ିବି ନାଗରା ବାଜିଲା। ତୁଣ୍ତ ବାଇଦ ସହସ୍ର କୋଶ । କାନକୁ ଦି’କାନେ, ଦି’କାନରୁ ସହସ୍ର କାନ । ଜାତି ଭାଇ ଅଡ଼ି ବସିଲେ । ଗାଆଁବାଲା ନିଆଁ ପାଣି ଅଟକ କଲେ । ଲଜ୍ଜାରେ ମାଆ କହିଲା ମୁଁ ଦଉଡ଼ି ଦେବି । ବାପ କହିଲା ମୁଁ ବିଷ ଖାଇବି । ଏଣେ ତ ପୁନେଇଁ ଜୁଆର, କା’କଥା ଶୁଣୁଛି କିଏ ? ବଳିଗଲା ମନ ଢଳିଗଲା ବନ ଫେରି ଆସିବା କ’ଣ ଏତେ ସହଜ-? ତା’ ପରେ ଦିନେ ରାତି ଅଧରେ ରସିକ ରସିକା ଦିଜଣ ଚଂପଟ ଦେଇ ପଳାଇ ଆସିଲେ-

 

ରଙ୍ଗିଆ ତାକୁ ଆଣି ଘରେ ଗୋଡ଼ ଦେଇଛି କି ନାହିଁ ସାଇପଡ଼ିଶା ବଂଧୁ–ବାଂଧବ, ଭାଇଭଗାରୀ ସମସ୍ତେ ଛି’ଛାକର କଲେ । ଢଗ ପହଳୀରେ ଉଡ଼େଇଲେ । ମଣିଷର ରକ୍ତ ମାଉଁସ ଦିହତ ? ଏବେ କେତେ ସହିବ ? ପିଲାଟାର ହାଡ଼ ଥାଇ ମାଂସ ମିଳାଇ ଗଲା ।

 

ରଙ୍ଗିଆ ଏଥର ଗୋଟାଏ ଫିକର ବାହାର କଲା । ବ୍ରାହ୍ମଣ ପିଲାବୋଲି କହି ତାକୁ ଅଗସ୍ତିପୁରର ଅଗାଧୁ ପଣ୍ତାକୁ ଅବାହାରେ ବାହା କରାଇ ଦେଲା ।

 

ଭସ୍ମ ଆଚ୍ଛାଦିତ ବହ୍ନି କୁହୁଳିଲା ଭଳି କଥାଟା କୁହୁଳିଲା । ଗାଁ ଠାରୁ ତିନି ଗାଁ ଯାଏ ସମସ୍ତେ ଟୁପ୍‍ ଟାପ୍‍ ଫୁସ ଫାସ ହେଲେ ।

 

ଅଗସ୍ତିପୁରତ ବଡ଼ ବ୍ରାହ୍ମଣ ଶାସନ । ସବୁ ବ୍ରାହ୍ମଣଯାକ ଏକ ମେଳି ହୋଇ, ଅଗାଧୁକୁ ଏକ ଘରିଆ କଲେ । କେତେ ଦିନ ବା ଏକୁଟିଆ ଚଳିବ ? ଗାଁବାଲା ନାନା ରକମ ଅତ୍ୟାଚାର କରିବାକୁ ଆରମ୍ଭ କଲେ । କେତେବେଳେ ଯଦି ସାଇକି ଟେକା ବୃଷ୍ଟି ହେଲାଣିତ–କେତେବେଳେ ରାତି ଅଧରେ କବାଟରେ ଠେଙ୍ଗା ବାଜିଲାଣି । କେତେବେଳେ ଗୋରୁ ଦାଣ୍ତ ଦୁଆରକୁ ବାହାରୁ ବାହାରୁ କାଞ୍ଜିଆ ହାଉଦାକୁ ଗଲାଣି ।

 

ଦେଖିବ, ଗାଁଆଯାକ ଲୋକଙ୍କର ମୁହଁ ଧାନଉଁଷା ହାଣ୍ତି ପରି । ସତେ ଯେମିତି ଅଗାଧୁ ପାଞ୍ଚହଜାର, ଦଶହଜାର କରି ଟଙ୍କା କରଜ କରିଛି । ପିଲାଙ୍କ ଟାହି ଟାପରାତ ଆହୁରି ମର୍ମନ୍ତୁଦ । ସମସ୍ତଙ୍କ ମୁହଁରେ–“ଆହା ରସିକ, କଖାରୁ ଫୁଲକୁ ପାରୁଡ଼ା ପୋକ ।” ନ୍ୟାୟ–ନିଶାପ, ଯଂତାଳ ଭେଦାରୁ ଅଗାଧୁ ବଂଚିତ ।

 

କାକ ମୟୂର ପୁଚ୍ଛ ପିନ୍ଧିଲାଭଳି ଏଣେ ଅସଲ କଥା ବି ଜଣା ପଡ଼ିଗଲା । ଚଇତିପୁହ୍ନେଇଁ ଦିନ । ହୀରା ନୂଆଲୁଗା ପିନ୍ଧିଲା । ପିଠାପଣା କଲା । ଯିଏ ଦେଖିଲା ସିଏ ପଚାରିଲା–ଇଲୋ, ମାଲୋ, ଏକି କଥା । ଚଇତି ପୁନେଇଟାରେ ବ୍ରାହ୍ମଣଘରେ କ’ଣ ନୂଆ ଲୁଗା ପିନ୍ଧି ପିଠା ପଣା କରିଛ ? ଏ ପରା କୈବର୍ତ୍ତମାନଙ୍କର ପର୍ବ ?”

 

କାହିଁକି, ଆମ ଆଡ଼େତ ସମସ୍ତେ ଏ ପର୍ବ ଯାକଜକମରେ ପାଳନ କରନ୍ତି । ନୂଆ ଲୁଗା ପିନ୍ଧନ୍ତି, ପିଠାପଣା କରି ଖାଆନ୍ତି । ଘୋଡ଼ା ନାଚ ହୁଏ । ଏ ପର୍ବ ପ୍ରତି ଓଡ଼ିଆ, ପାଳନ କରିବା ଉଚିତ । ଆମର ପୂର୍ବ ପୁରୁଷମାନେ କିପରି ଯାଇଁ ଯାଭା, ସୁମାତ୍ରା, ବୋର୍ଣ୍ଣିଓ, ବାଲି, ସିଂହଳ ପ୍ରଭୃତି ଦେଶରେ ବାଣିଜ୍ୟ କରି ଧନ, ଧାନ୍ୟ, ମଣିମାଣିକ୍ୟ ବୋହି ଆଣୁଥିଲେ, ତା’ର ସ୍ମୃତିକୁ ଉଦ୍‍ଜୀବିତ କରି ରଖିଛି ଏ ଚଇତି ପୁନେଇଁ ପର୍ବ ।

 

ହୀରା ଯେତେ ସଫେଇ ଦେଲେ ମଧ୍ୟ ସେ ଅନ୍ୟଜାତିର ଝିଅ ବୋଲି ଜଣା ପଡ଼ିଗଲା । ଅଗାଧୁ ମହର୍ଗରୁ କାନ୍ତାରରେ ପଡ଼ିଲା । ତା’ର ମୁଣ୍ତ ଘୁରିଗଲା । ଅଜଣା ଆଶଂକାରେ ତା’ର ଦେହ ଥରି ଉଠିଲା । ସେ ମନକୁ ମନ ବହୁତ ସାନ୍ତ୍ଵନା ଦେଲା । ହଁ ଯେତେବେଳେ ଦେଶରେ ବଡ଼ ବଡ଼ ଲୋକମାନେ ଅସବର୍ଣ୍ଣ ବିବାହ କଲେଣି–ସେତେବେଳେ ମୋର ଏ ବିବାହ ଅସିଦ୍ଧ ହେବ କାହିଁକି-? ଆମରି ଆଖି ଆଗରେ ତ’ ଅରୁଣା, ବ୍ରାହ୍ମଣ ଘର ଝିଅ ହୋଇ ଆସଫ ଅଲୀଙ୍କୁ ବିବାହ କରିଥିଲେ । ଇନ୍ଦିରା ଫିରୋଜ ଗାନ୍ଧିଙ୍କି ବିବାହ କଲେ ? ଗାନ୍ଧୀଙ୍କ ପୁଅ ରାଜଗୋପାଳଚାରୀଙ୍କ ଝିଅକୁ ବିଭା ହେଲେ । ଏହିପରି ପ୍ରତିଦିନ ଯେତେବେଳେ ଅସଂଖ୍ୟ ବିବାହ ଅନୁଷ୍ଠିତ ହେଉଛି, ସେତେବେଳେ ମୁଁ ଦୋଷୀ ହେବି କାହିଁକି ?

 

ନା–ନା–

 

ଯେ ଯାହା କହୁ ମୁଁ କିଛି ଶୁଣିବି ନାହିଁ । ଜନ୍ମ ହେଲାବେଳେ କ’ଣ କିଏ ବ୍ରାହ୍ମଣ, କିଏ କରଣ, କିଏ ଅସ୍ପୃଶ୍ୟ ହୋଇ ଜନ୍ମ ହୋଇଥାଏ ? ଏଇ ମଣିଷ ସୁବିଧା ଅନୁଯାୟୀ ଜାତି ଗୋତ୍ରର ବାହାନା ଖଞ୍ଜିଦିଏ । ଜଣେ ଘଣ୍ଟ ବଜାଇ, ଫୁଲ ଚନ୍ଦନ ଦେଇ, ଠାକୁର ପାଦକୁ ଛୁଇଁ ପ୍ରଣାମ ବାଢ଼େ, ଆଉ ଜଣେ ମନ୍ଦିର ଦ୍ଵାରରୁ ମନ କଷ୍ଟକରି ଆଖିରୁ ଦି ଟୋପା ତତଲା ଲୁହ ଗଡ଼େଇ ନିରାଶରେ ଫେରି ଆସେ । ଜାତିତ ଗୋଟିଏ, ମଣିଷ ଜାତି । ଏକା ଲହୁ ସମସ୍ତଙ୍କ ଦେହରେ । ମଣିଷ ମଣିଷ ଭିତରେ ଏତେ ବିଭେଦ କାହିଁକି ?

 

ଅବଶ୍ୟ ରୁଚି–,

 

ସେ ଭିନ୍ନ କଥା । ଜଣକର ରୁଚି ନ ହେବ ଜଣକ ଘରେ ଖାଇବାକୁ, କା ସହିତ ବନ୍ଧୁ ବାନ୍ଧିବାକୁ, କା ସହିତ ସମ୍ଵନ୍ଧ ରଖିବାକୁ, ତାକୁ କ’ଣ କିଏ ବାଡ଼େଇବ ? ଜାତିର ଆଶ୍ରା ନେଇ ଲାଭ କ’ଣ ? ଯେ ଯାହା କହୁ ମୁଁ କିଛି ଶୁଣିବି ନାହିଁ । ମୋ’ଘର ମୁଁ କରିବି । ମୋତେ କ’ଣ କିଏ ଦେବ-? ନାଁ ମୁଁ କାହା ଜମିଦାରୀରେ ଘର କରିଛି ? ଉପରେ ପଡ଼ି କା’ର କ’ଣ କହିବାର ଅଛି?”

 

ପୁଣି ବେଳେବେଳେ ଭାବେ—“ହଁ, ଏ ବଡ଼ ଲୋକଙ୍କର ମତ, ଅଳପ ଲୋକେ ବିପରୀତ । ବଡ଼ ବଡ଼ ଲୋକ ଚାଉଳ ଚୋବାଇଲେ ବାତ, ପିତ ଶାନ୍ତିହୁଏ । ଗରୀବ ଲୋକ ଚାଉଳ ଚୋବାଇଲେ ଅଭାବରେ ପଡ଼ି ଅରକ୍ଷିତଟା ଖାଉଛିବୋଲି ଲୋକଙ୍କ ଦ୍ଵାରା ଉପହାସିତ ହୁଏ ।”

 

କଥାରେ ଅଛି–“ଯା ନ କରେ ମା’ର ସ୍ଵାମୀ, ତା’ କରଇ ଗାଆଁ ମୁଝାମି ।” ଗାଆଁବାଲାଙ୍କ ଦୌରାତ୍ମ୍ୟ ଏଡ଼େ ଉର୍ଦ୍ଧ୍ଵକୁ ଉଠିଲା ଯେ, ଅଗାଧୁ ବାଧ୍ୟ ହୋଇ ହୀରାକୁ ନେଇ କଟକ ଷ୍ଟେସନରେ ଗୋଟିଏ ଗୋରୁ ବ୍ୟବସାୟୀ ହାସିମ୍‍ ମିଆଁକୁ ବିକିଦେଇ କୌଶଳରେ ଚାଲି ଆସିଲା । ସେ ୟାକୁ କେମିତି ଏ ଘେନି ଆସିଛି ଲୋ’ମା !

 

ଆଉ ଜଣେ ତେବେ କିଏ କହିଲା–“ନା–ନା ଆଉ ହେବ ନାହିଁ, ହେବନାହିଁ । କାଳ ନ’ଟାରେ ପଶିଲାଣି । ଅଜବ ମିଛ କଥା । ଏ ପିଲା ହେଉଛି, କବିତା ପଲ୍ଲୀ ଛଞ୍ଚାଣସିଂହ ମହାପାତ୍ରଙ୍କର ଜ୍ୟେଷ୍ଠା କନ୍ୟା । ତାଙ୍କ ବାପ ମା’ଙ୍କ ରାଜି–ଖୁସିରେ ଏ ବିଭାଘର ହୋଇଛି । ଗାଆଁ କନିଆଁ ସିଂଘାଣୀନାକୀ । ଆମେ କିଛି ବୁଝୁନା, କି ଜାଣୁନା । କୌଣସି କଥାର ଭିତରକୁ ପଶୁନା । ଅନ୍ଧ ହାତୀ ଦେଖିଲା ଭଳି ଶୁଣିଲା କଥାକୁ ଖିଅ କାଢ଼ି ହୋଇଲା କଥାକୁ ନୋହିଲା କରୁ । ଅଘଟଣ କାଥାକୁ ଘଟଣ କହୁ । ସୁନ୍ଦରକୁ ଅସୁନ୍ଦର କହୁ ।

 

ପର ବୁଦ୍ଧି ପ୍ରଳୟଙ୍କରୀ ।

 

ଥରେ କଥାରେ ଭାସିଗଲେ ସର୍ବନାଶ । ଆଉ ନିଜତ୍ଵ ବୋଲି କିଛି ଜିନିଷ ରହେନାହିଁ । ଗୋଟିଏ ସତକଥାକୁ ଲୁଚେଇବାକୁ ଯାଇଁ ହଜାରଟି ମିଛକଥା ମନରୁ ଫାନ୍ଦି କହିବାକୁ ହୁଏ ।

 

ବିବେକାନନ୍ଦ ।

 

କ’ଣ ଟିକିଏ ଲୋକକି ? ମଳି ମୁଣ୍ତିଆଟିଏ ଭଳି ଦେଖା ଯାଏବୋଲି, ତାକୁ କେହି ପସନ୍ଦରେ ପକାନ୍ତି ନାହିଁ ସିନା, କିନ୍ତୁ ବିଦେଶରେ ତା’ର ଭାରି ଖାତିରି । ଭାରି ଆଦର । ଚା’ଖଣ୍ତକରେ ଚଉଦ ଜୁହାର ମିଳେ ତାକୁ । ସେ ଗାଆଁରେ କାହାକୁ କିଛି କହେ ନାହିଁ, କାହା ପାଖରେ ବସେ ନାହିଁ କି, ହସେ ନାହିଁ । ଗାଆଁ ଦଳାଦଳିରେ ପଶେ ନାହିଁ । ସେ କାହା ହାନୀରେ ନ ଥାଏ କି, ଲାଭରେ ନ ଥାଏ । ଭଲରେ ନ ଥାଏ କି ମନ୍ଦରେ ନ ଥାଏ । ସମସ୍ତଙ୍କ ସାଙ୍ଗରେ ଭଲ ।

 

ଗାଁ ଦାଣ୍ତରେ ଚାଲିଲାବେଳେ ତଳକୁ ମୁହଁ ପୋତି ଚାଲିଥାଏ । କାହାକୁ ଚାହେଁ ନାହିଁ । ସେ ଅନ୍ୟ ପିଲାଙ୍କ ଭଳି ପରଝିଅ ବୋହୁଙ୍କୁ ନିରୋଳାରେ ଦେଖିଲା ମାତ୍ରେ ଆଖିଠାର ବସାଏ ନାହିଁ କି, ମୁରୁକିହସା ଦିଏ ନାହିଁ । ଯାନିଯାତରା ମେଳାମଉଛବରେ ଗହଳି ଭିତରକୁ ଯାଏ ନାହିଁ । ପାନ ଖାଏନା କି, ବିଡ଼ି ଖାଏନା । ଚାହା ସିଗାରେଟ୍‍ର ପାଖ ପଶେନା । ପାଇଲେ ଖାଏ; ନପାଇଲେ ମୁହଁମାଡ଼ି ନିଜ ଘରେ ଶୋଇଥାଏ । ସେ କାହାର ଧନ ଦେଖି ଈର୍ଷା କରେନା କି କାହାର ଅନୁଗ୍ରହ ପ୍ରାର୍ଥୀ ହୁଏନା । ନବାବ ପୁଅହେଲେ ଜବାବ ଦିଏ । ସେ ସବୁବେଳେ ଅପ୍ରିୟ ସତକଥା କହେ ବୋଲି ତା’ଛାଇ ପଡ଼ିଲେ ସମସ୍ତଙ୍କର ନାହି ଡିଏଁ । ପଛରେ ସମସ୍ତେ ଗରଗର ସରସର ହୋଇ ଚୁପ୍‍ ରହନ୍ତି । ତା’ ମୁହଁରେ କିଛି କହିବାକୁ କେହି ସାହାସ କରନ୍ତି ନାହିଁ । ପଛରେ ଏବେ ରଜାକୁ ରେ’କିଏ କହୁନାହିଁ ?

 

ତା’ରି ଭଳିଆ ଗୋଟିଏ ପୁଅ ବାହାହେଲେ ଶଶୁର ଘର ଉପରେ ଚଡ଼କ ପଡ଼ିବା କଥା । ଶଶୁର ଭିକ ମାଗିବା କଥା । ଶାଶୁ ହାତରେ କଳାକନା ବାଂଧିବା କଥା । ଆଜିକାଲି ରାଣ୍ତିପୁଅ ଅନନ୍ତାଙ୍କୁ ବଳ ପାଉନାହିଁ । ମାଗି ଯାଚି, ସରକାରୀ ସାହାଯ୍ୟ ପାଇ, ପାଠ ଦି ଅକ୍ଷର ପଢ଼ି ଦେଲା ମାତ୍ରେ କହୁଛନ୍ତି ଆମେ ଇନ୍ଦ୍ର । ଧରାକୁ ସରା ମଣୁଛନ୍ତି । ବାହାଘର କଥା ଉଠିଲା ମାତ୍ରେ ବାପ ମା’ କିଛି ନ କହୁଣୁ ଏ ଆଗେ ଏସା ଦିଅ, ତେସା ଦିଅ କହୁଛନ୍ତି । ଯୌତୁକ ଜିନିଷ ଟିକିଏ ଖରାପ ହେଲେ ଅଧା ବାହାହୋଇ ବେଦୀକୁ ଯାଉନାହାନ୍ତି । କେହି କେହି ବାହା ହୋଇସାରି କନ୍ୟାକୁ ଛାଡ଼ି ଚାଲି ଆସୁଛନ୍ତି । କାହାରି କାହାରି କନ୍ୟା ପଛେ ଅଂଧୁଣୀ ହୋଇ କାଚ ଆଖି ଲଗାଇ ଥାଉ, ସେ ଜିନିଷପତ୍ର ଯଦି ବହୁତ ଦେଲା, ତେବେ ଜୋଇଁର ଖୁବ୍‍ ଭଲ । ସମସ୍ତେ କହନ୍ତି ସେ ଅମୁକ ଲୋକ ବହୁତ ଜିନିଷ ଦେଇଛି ।

 

ଆଜିକାଲି ଯା’ ଘରେ ଝିଅ ଚାରି ପାଞ୍ଚଟି ଅଛନ୍ତି–ସିଏ ସବୁବେଳେ ରିନ୍ତା ସମୁଦ୍ରରେ ଭାସୁଛି । ଥଳକୂଳ ପାଉନାହିଁ । ନିଜ ଜୀବନକୁ ବି ସାରୁ ପତରରେ ପୁରାଇ ବସିଛି । ଦଶଟି ହାତୀ କିଣି ହେବ, କିନ୍ତୁ ଏ ଯୁଗରେ ଗୋଟିଏ ଜୋଇଁ ମିଳିବା କଷ୍ଟକର ହେଲାଣି । ଲୋକମାନଙ୍କର ମନୋଭାବ ଅତି କଦର୍ଯ୍ୟ ସ୍ତରରେ ପହଞ୍ଚିଲାଣି ।

 

ଆଜିର ସମାଜରେ–

 

ନୈତିକତାର ଅଧପତନ ଘଟିଲାଣି । ପର ଜିନିଷ ଘରେ ଆଣି ପୁରାଇ ବଡ଼ଲୋକ ହେବାର ମନୋଭାବ ଏକ କୁ’ଅଭ୍ୟାସରେ ପଡ଼ିଗଲାଣି । ଭାରତର ମହନୀୟ ସସ୍କୃତି ଓ ପରମ୍ପରାକୁ ଏହା କୁଠାରାଘାତ କରୁନାହିଁ କି ?

 

ବିବେକାନନ୍ଦର ଜୀବନ କିନ୍ତୁ ଭିନ୍ନ ଉପାଦନରେ ଗଢ଼ା । ସେ ଶଶୁର ଘରୁ ଜିନିଷପତ୍ର ଯୌତୁକ ଆକାରରେ ଆଣିବା ତ’ ଦୂରରକଥା, ମାତ୍ର ତାଙ୍କ ଘରେ ଜଳ ପର୍ଯ୍ୟନ୍ତ ସ୍ପର୍ଶ କରିନାହିଁ । ଅବଶ୍ୟ କୋଟିକରେ ଅଛନ୍ତି ଏଭଳି ଗୋଟିଏ । ବିଛୁଆତି ଦୁଇ ପତ୍ରରୁ ଗଲୁ, ତୁଳସୀ ଦୁଇ ପତ୍ରରୁ ବାସ । ପିଲାବେଳୁ ସବୁକଥା ଜଣା ପଡ଼ିଥିଲା ବିବେକାନନ୍ଦର । ସେ ଆଜିକାଲିକା ପିଲାଙ୍କ ପରି ସିନେମା, ଥିଏଟର ଯାଏନା । ମଦ ପିଏନା । ବେଶଭୂଷାରେ ତା’ର ଚାକଚକ୍ୟ ନଥାଏ । ସେହି ଧୋତି ଚାଦର ଦି’ଖଣ୍ତି । ସେ ଅନ୍ୟମାନଙ୍କ ଭଳି ମୁରବୀମାନଙ୍କୁ ବେଖାତିରି କରି ଫୁଲେଇ ହୁଏନା-। ବଡ଼ହେଉ କି, ମାନ୍ୟ ହେଉ ଆଗରୁ ଦେଖିଲାମାତ୍ରେ ମୁଣ୍ତ ନୁଆଁଇ ନମସ୍କାର କରେ-। ଅତି ଅପରିଚିତକୁ ମଧ୍ୟ ସେ ତା’ର ମଧୁର ବ୍ୟବହାର ଦ୍ଵାରା ନିଜର କରିନିଏ ।

 

ଏବେ ତା’ର “ଜୀବନ୍ତ–ମରଣ” ବୋଲି ଯେଉଁ ଉପନ୍ୟାସ ଟି ପ୍ରକାଶ ପାଇଛି ଚାରିଆଡ଼େ ଚହଳ ପକାଇ ଦେଇଛି । ସରକାର ପାଞ୍ଚହଜାର ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି-। ମାତ୍ର ଏ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଛି ବିବେକାନନ୍ଦ । ମଲା ମାଇଲା କାଳ, କାହାର ଏମିତି ଛାତି ହେବ ? ଟଙ୍କାଏ ନା ଦି’ଟଙ୍କା ? ପାଞ୍ଚହଜାର ଟଙ୍କାଟି ।

 

ସେଥିପାଇଁ ତା’ର ମନରେ ତିଳେହେଲେ ଚିନ୍ତାନାହିଁ ।

 

କିଏ ପୁଣି କହିଲା–“ଥାଉ ଥାଉ ତୁମ ଓକିଲାତି । ଯା’ ମା’ର ତଇଳ ବିହୀନ କେଶରୁ ଉକୁଣୀ ପୋଷ ପୋଷ ଝୁରୁଥିଲା ଯା’ ବାପ ରଜାଘର ଆରାଧ୍ୟ ଦେବତା କନକଦୁର୍ଗାଙ୍କୁ ଚୋରି କରି ଚାରିମାସ ଜେଲ ଖଟିଲା–ଯାହା ଅଜା ବ୍ୟାଙ୍କରୁ ଟଙ୍କା କରଜ ଆଣି ନଦେଇ ପାରି ଦିଆଲିଆ ହେଲା, ଯାହା ଦାଦା ମଣିଷ ମାରି ଫାଶୀ ପାଇଲା–ସେଇ ଘରର ପିଲା ପୁଣି ଏମିତି ଯୋଗ୍ୟ !

 

ଆଉ ତେବେ କିଏ କହିଲା–“ନା–ନା–ବିବେକାନନ୍ଦ ଅତି ବିବେକୀ ପିଲା । ମାଛିକି ମର ବୋଲି କହେ ନାହିଁ । ଗୁରୁଜନମାନଙ୍କୁ ଦେଖିଲେ ଗଛ ପରି ନଇଁ ଯାଏ ।

 

ବୟସ ବେଳ,

ଭରାଯୌବନ ।

 

ନଈ ଦି’କୂଳ ଲଂଘିଲା ପରି ସେ ମନଇଚ୍ଛା ଯାହା ନାହିଁ ତାହା କରିପାରନ୍ତା, ମାତ୍ର ସେ ସବୁଥିର ବ୍ୟତିକ୍ରମ । ଗାଆଁର ଝିଅ ବୋହୂଙ୍କୁ ଦେଖିଲା ମାତ୍ରେ ସେ ତାଙ୍କୁ ଅନାଇବା ଦୂରେ ଥାଉ ବରଂ ଲାଜକୁଳୀ ଲତାପରି ଝାଉଁଳି ପଡ଼େ । ଭୋଗ ବିଳାସରେ ସେ ଏକାନ୍ତ ବୀତସ୍ପୃହ । ନିଜ କାମ ନିଜେ କରିବାକୁ ଭାରି ଭଲପାଏ । ସେଥିପାଇଁ ସେ ପ୍ରତି କଥାରେ କହେ–“ଶିଖ ନିଜ ଗୋଡ଼ରେ ହେବାକୁ ଠିଆ, ପର ବଦନେ ଚାହିଁ ରହିଛୁ କିଆଁ ?”

 

ବାସ୍ତବିକ !

 

କଥାରେ ସେ ବାଚଳକୁ ନିର୍ବାକ କରିଦିଏ । ପୁରାଣ, ଇତିହାସ ବେଦ ବେଦନ୍ତାସବୁ ତା’ର ଜିଭରେ ନଳିନୀଦଳବତ୍‍ ଜଳ ପରି ଢଳଢଳ ।

 

ସେ ବାହାରକୁ ବଡ଼ କଡ଼ା ବୋଲି ଜଣାପଡ଼ିଲେ ମଧ୍ୟ କାର୍ଯ୍ୟରେ ତାହାର ବିପରୀତ । ସେ ସଭାସମିତିରେ ବକ୍ତୃତା ଦେଲାବେଳେ ଭିକାରୀମାନଙ୍କୁ ଭିକ ଦିଅନାହିଁ ବୋଲି ଅକାଟ୍ୟ ଯୁକ୍ତି ବାଢ଼େ, ମାତ୍ର ଭିକାରୀଙ୍କୁ ଦେଖିଲାମାତ୍ରେ ସେ ଚୁପ୍‍ କରି ଡାକିଆଣି ଚାଉଳ, ପଇସା ଦେଇଦିଏ । ସେ ଝିଅମାନଙ୍କର ପାଠ ପଢ଼ିବା ବନ୍ଦ କରିବାପାଇଁ ଆନ୍ଦୋଳନ କରେ କିନ୍ତୁ ବୋହୂ ଝିଅକୁ ପଢ଼ିବାପାଇଁ ସେ ଯଥାଶକ୍ତି ଦାନ କରେ । କୌଣସି ସୁସ୍ଥ ସବଳ ଲୋକ କାହାକୁ କିଛି ମାଗୁଥିବାର ଦେଖିଲେ ସେ ଭୀଷଣ ବିରକ୍ତ ହୁଏ–ବିନା କର୍ମରେ କପର୍ଦକ ନ ଦେବାପାଇଁ ଉପଦେଶ ଦିଏ ।

 

ମାତ୍ର–

 

ସେହି ଲୋକ ଯେତେବେଳେ ଆସି ୟାକୁ କିଛି ମାଗେ ଏ ବିନା ଦ୍ଵିଧାରେ ପାଖରେ ଯାହା ଥାଏ, ତାହା ଦେଇଦିଏ । କୌଣସି ସ୍ଥାନରେ ନାମ ସଂକୀର୍ତ୍ତନ ଇତ୍ୟାଦି ହେଉଥିବାର ଦେଖିଲେ ସେ କଠୋର ଯୁକ୍ତିର ଅବତାରଣା କରି କହେ–“ସଂକୀର୍ତ୍ତନ, ଚିତାକଟା, ମାଳିବନ୍ଧା ଏ ଦେଶରୁ ଉଠିଯିବା ଉଚିତ୍‍ । କି ଦୁର୍ଯ୍ୟୋଗରେ ଚୈତନ୍ୟ ଏ ଦେଶକୁ ଆସିଲେ କେଜାଣି–ଏଡ଼େ ବଡ଼ ପରାକ୍ରମଶାଳୀ ଦୁଦ୍ଧର୍ଷ ବୀରଜାତିକି ଦୁର୍ବଳତାରେ ବୁଡ଼େଇ ଦେଲେ । ରାୟ ରାମାନନ୍ଦ, ପ୍ରତାପରୁଦ୍ରଙ୍କ ଭଳି ବିରାଟ ବ୍ୟକ୍ତିଙ୍କୁ ଖାପଚରେ ପକାଇ ପଙ୍ଗୁକରି ଦେଲେ ।’

 

କିନ୍ତୁ–

 

ହାୟ!

 

ସଂକୀର୍ତ୍ତନ ଯେଉଁଠାରେ ହେଉଥିବାର ବିବେକାନନ୍ଦ ଦେଖେ, ସେ ଆନନ୍ଦ ବିହ୍ଵଳ ହୋଇପଡ଼େ । ନିଜକୁ ନିଜେ ଭୁଲିଥାଏ । ସେ ନିଜେ ମୃଦଙ୍ଗ ଛଡ଼ାଇ ଆଣି ବଜାଇ–“ନିତାଇ ଗୌର ରାଧେ ଶ୍ୟାମ, ଜପ ହରେକୃଷ୍ଣ ହରେରାମ” କହି ଉନ୍ମତ୍ତ ହୋଇଥାଏ । ଦଧିଭାଣ୍ତ ଭଞ୍ଜନବେଳେ ବିବେକାନନ୍ଦର ଭକ୍ତି ଅବସ୍ଥା ଦେଖିଲେ ମନେହୁଏ ସତେ କ’ଣ ସ୍ଵୟଂ ଚୈତନ୍ୟଙ୍କର ଆବିର୍ଭାବ ଘଟିଛି କି ?

 

ବାସ୍ତବିକ !

 

ପୁଅ ଜନ୍ମ କରିବତ ଏଭଳି ଗୋଟିଏ ଯୋଗ୍ୟପୁଅ ଜନ୍ମ କରିବ, ତା’ ନ କରି ଘୁସୁରୀ ଛୁଆଭଳି ପଲେ ବାଳୁଙ୍ଗା ଜନ୍ମ କରି ଲାଭ କ’ଣ ? ସେଥିପାଇଁ ନୀତି ପ୍ରବଚନ ଅଛି–“ପୁତ୍ର ଯେବେ ଯୋଗ୍ୟହୁଏ ଧନ କାହିଁ ପାଇଁ ସଂଚୁ ? ପୁତ୍ର ଯେବେ ଅଯୋଗ୍ୟ ହୁଏ ଧନ କାହିଁପାଇଁ ସଂଚୁ ?”

 

ଏଇଭଳି ନିନ୍ଦା ପ୍ରଶଂସା ଶୁଣି ଶୁଣି ମନେ ମନେ ଭାଙ୍ଗି ପଡ଼ିଲା ବିବେକାନନ୍ଦ । କଥା, କାର୍ଯ୍ୟ ଓ ମୁଖରେ ତା’ର କୌଣସି ପରିବର୍ତ୍ତନ ନ ଆଣିବାକୁ ଚେଷ୍ଟା କଲା । ସେ ସବୁବେଳେ ଅଳକାର ମନଖୁସି କରିବାକୁ ଚାହିଁଲା । ଅଳକା ହୃଦୟରେ ସୃଷ୍ଟି ହେଉଥିବା ଅଜସ୍ର ପ୍ରତିକ୍ରିୟାର ତରଙ୍ଗକୁ ଲକ୍ଷ୍ୟ କଲା । ସେ ଅନୁଭବ କଲା ଯେ ଅଳକା ତା ହାତଧରି ସୁଖୀ ହୋଇ ପାରିନି ।

 

ବଡ଼ ଲୋକର ଝିଅ ସେ । ବଡ଼ ଆଖି । ବଡ଼ କଥା । ଭଂଗା ଚାଳ ଘରେ, ଛଣ ଫୁଟା ଜହ୍ନ ଆଲୁଅରେ, ମୂଷା ମାଟି ଭଣ ଭଣରେ ଚଳିବାକୁ ଘୃଣା କରୁଛି ସେ । ଅନୁତାପରେ ଉତ୍ତୁରୀ ପଡ଼ୁଛି ଯେମିତି ।

 

ବିବେକାନନ୍ଦ ତା’ର ସାଧ୍ୟ ମତେ ଚେଷ୍ଟା କଲେବି, ଅଳକାର ମନ ପରିବର୍ତ୍ତନ କରିପାରୁନି ।

 

ତଥାପି–

 

ଅଳକା ବେଳେବେଳେ କାନ୍ଦେ । କାହାକୁ କିଛି କହେ ନାହିଁ । ଯେ ଯାହା ପଚାରିଲେ ସେ ଏଡ଼େଇ ଦେବାକୁ ଚେଷ୍ଟା କରେ । ଅଳକାକୁ କିଛି ନ କହି ଘରର ଯାବତୀୟ କାମ କରେ ବିବେକାନନ୍ଦ । ପରିବାକାଟେ, ବେସର ବାଟେ, ରୋଷେଇ କରେ।

 

ସମସ୍ତେ କହନ୍ତି–“ଏକା ଥିଲ ଭିନ୍ନ କଥା । ହାତକୁ ଦି’ ହାତ ହେଲ । ଘରସଂସାରରେ ପଶିଲ । ଗୋଟିଏ ଚାକର କି ଚାକରାଣୀ ନ ରଖିଲେ, ଘରକାମ ଉଠିବ କେମିତି ? ହାଟ ବଜାର ହେବ କେମିତି ? ସେତ ନୂଆ ଭୂଆଷୁଣୀଟାଏ । ଆଉ କ’ଣ ପଦାକୁ ଯାଇଁ ସବୁକାମ କରିବ ?”

 

ବିବେକାନନ୍ଦ ସବୁ ଶୁଣେ । କିଛି କହେନା । ଖାଲି ମୁରୁକି ମୁରୁକି ହସେ । ସତେ ଯେମିତି ହସରେ ତା’ର ପ୍ରଶ୍ନକର୍ତ୍ତାଙ୍କ ଉତ୍ତର ସେ ଦେଇ ଦିଏ ।

 

ଦିନ ଗଡ଼ିଚାଲେ । ସକାଳ ଯାଇ ସଂଧ୍ୟା ଆସେ । ସଂଧ୍ୟା ଯାଇ ପୁଣି ସକାଳ ଆସେ । ତାରି ଭିତରେ ପୃଥିବୀ ଭିତରେ କେତେ ଅଦ୍ଭୁତ କଥା ସଂଘଟିତ ହୋଇଥାଏ । ଲାଇକା ଚନ୍ଦ୍ରପୁରକୁଯାଏ । ତେରେସ୍କୋଭା ଦମ୍ପତ୍ତି ମହାଶୂନ୍ୟରେ ମଧୁ ଚନ୍ଦ୍ରିକା ଯାପନ କରନ୍ତି । ଗୋଟିଏ ମଣିଷର ହୃଦୟ ଅନ୍ୟ ଗୋଟିଏ ମଣିଷର ଦେହରେ ଖଂଜି ଦିଆଯାଏ । ଚକ୍ଷୁହୀନ ଚକ୍ଷୁଷ୍ମାନ ହୁଏ ।

 

ମାତ୍ର ଅଳକାର କିଛି ପରିବର୍ତ୍ତନ ପରିଲକ୍ଷିତ ହୁଏନା । ସେହି ରୁଟିନ୍‍ ବନ୍ଧା କାରବାର । ସକାଳୁ ଗାଧାଏ ଜୀବନ ବଂଚାଇବା ପାଇଁ ଇଚ୍ଛା ବିରୁଦ୍ଧରେ କିଛି ଖାଏ–ତକିଆ ଉପରେ ମୁଣ୍ତ ଦେଇ କାନ୍ଦେ–ବିବେକାନନ୍ଦକୁ ନ ଜଣାଇ ଲୁହ ପୋଛିଦିଏ । ସ୍ଵାମୀ ସ୍ତ୍ରୀ । ଦୁଇଟି ପ୍ରାଣୀ ଗୋଟିଏ ଘର ଭିତରେ ଚଳନ୍ତି । ଦେଢ଼ଶୁର ଭାଇ ବୋହୂ କଥାଭାଷା ହେଲାଭଳି ହୁଅନ୍ତି । “ଛଣ ପଚାରଇ ବତାକୁ–ହଳ ଯିବ କେଉଁ ହତାକୁ ?” ଗଙ୍ଗା ଯମୁନା ପରି ଦୁଇଟି ସ୍ଵଚ୍ଛ ସଲୀଳଧାର ବୋହିଯାଏ ମାତ୍ର ସଙ୍ଗମରେ ମିଳିତ ହୁଅନ୍ତି ନାହିଁ । ବନସ୍ତ ପୋଡ଼ିଲେ ଜଗତ ଜାଣଇ, ମନ ପୋଡ଼ିଲେ କିଏ ଜାଣେ ?

 

ମନ–ବୃନ୍ଦାବନ । କେତେବେଳେ ନିଦାଘ ଉତ୍ତପ୍ତ ଝାଞ୍ଜିରେ ପୋଡ଼ିଯାଏ, କେତେବେଳେ ଚୋରା ବସନ୍ତର ମଳୟ ହିଲ୍ଲୋଳରେ ଉଲ୍ଲସି ଉଠେ । ଘଡ଼ିକିଘଡ଼ି ପରିବର୍ତ୍ତନ ଘଟେ ।

 

ଦିନେ, ଅଳକାର ପରିବର୍ତ୍ତନ ଲକ୍ଷିତ ହେଲା । ବିବେକାନନ୍ଦ ରାନ୍ଧି ସାରିଲା ପରେ ସେ ବାଢ଼ିଆଣି ଦେଲା ଖାଇବାକୁ । ବିବେକାନନ୍ଦ ମୁହଁ ବୁଲାଇ ବସିଲା । ଭାତ ଥାଳି ସେମିତି ବଢ଼ାହୋଇ ଶୁଖୁଥାଏ । କେହି କାହାକୁ କିଛି କହୁନାହାନ୍ତି ।

 

ବିବେକାନନ୍ଦ ଆଉ ଅଳକାର ବିବାହ ଆଜିକି ଦୁଇମାସ ହେଇଗଲା । ଅଳକା ହୁଏତ ବିବେକାନନ୍ଦର ସ୍ନେହରେ ଧରା ଦେଇନି । ବିବେକାନନ୍ଦ ଅଳକାର ମାତୃତ୍ଵବୋଧ ପ୍ରତି ଗଭୀର ଅନାସ୍ଥା ପ୍ରକାଶକରି ଆସିଛି ।

 

ତେବେ ସ୍ଵାମୀ ସ୍ତ୍ରୀର ସମ୍ପର୍କ–କ୍ଷୀର ନୀରର ସମ୍ପର୍କ ପରି । ଫାଙ୍କ ତାଳରେ କେତେଦିନ ଆଉ ଚାଲିବ ? ବେସୁରା ଛନ୍ଦରେ ଆଉ କେତେ ଦିନ ପାଦ ପଡ଼ିବ ? ଦାମ୍ପତ୍ୟ ମନୋମାଳିନ୍ୟ ପ୍ରଭାତର ମେଘ ଗର୍ଜନ ଭଳି । କ୍ଷଣକରେ ସବୁ ଉଭାଇଯାଏ । “ଚୁମ୍ଵକ ଯେସନେ ଲୁହା–ତେସନେ ରମଣୀ ପୁରୁଷ ମାୟା ।” ଜଣେ ଅନ୍ୟ ଜଣର ପରିପୁରକ । ତେବେ ପୁରୁଷ ଅପେକ୍ଷା ସ୍ତ୍ରୀ ଅତି ମାତ୍ରାରେ ଅଭିମାନିନୀ । ଟିକକ କଥାରେ ରୁଷି ବସିବା ଯେପରି ସ୍ତ୍ରୀ ଜାତିର ସର୍ବସ୍ଵ । ଯେଉଁ ନାରୀଜାତି ଜଗତର ଜନ୍ମଦାତ୍ରୀ, ସେହି ନାରୀଜାତିର ଏତାଦୃଶ ବ୍ୟବହାର କାର୍ଯ୍ୟକଳାପ ଦେଖିଲେ ବାସ୍ତବିକ୍‍ ମନରେ ଗଭୀର କ୍ଷୋଭ ଜାତ ହୁଏ ।

 

ଯାହା ହେଉ, ଅଳକା ଆସିଲା ଦିନରୁ ଆଜି ନୂଆକରି ପ୍ରଥମେ ମୁହଁରେ ହସର ଲହରୀ ଖେଳାଇ ବିବେକାନନ୍ଦର ହାତଧରି ଅଳି କଲାପରି ଡାକିଲା–“ମୋ’ ରାଣ, ଖାଇବ ଆସ ।”

 

ଏଥର ବିବେକାନନ୍ଦ ସ୍ଵଭାବ ସୁଲଭ ଭଙ୍ଗୀରେ କହିଲା–“ମୁଁ ଯାହା ପଚାରିବି ତୁମେ ଯଦି ତାହା କହିବ, ତାହାହେଲେ ମୁଁ ଖାଇବି ।”

 

ଅଳକା ଅବିଳମ୍ଵେ କହିଲା–“ହଁ” ।

 

“ଆଚ୍ଛା ତୁମେ କହିବ ? ତୁମେ କ’ଣ ମୋ ହାତ ଧରି ସୁଖୀ ହୋଇ ପାରିଛ ?”

 

–“ଏଭଳି ଏକ ପ୍ରଶ୍ନର ଅବତାରଣା କାହିଁକି ବୋଲି ଅଳକା ପଚାରି ହସିଲା । ମେଘମୁକ୍ତ ଆକାଶରେ ବାଳ ସୂର୍ଯ୍ୟର ପ୍ରଥମ ମଧୁ ରଶ୍ମିଭଳି ଅଳକାର ହସ ବିଛୁଡ଼ି ହୋଇ ପଡ଼ୁଥିଲା । ବିବେକାନନ୍ଦର ତନୁ ମନରେ ଭରିଯାଉଥିଲା ବେପଥୁର ଜୁଆର । ପଞ୍ଚଶରର ଷଣ୍ତୁଆସୀ ଆକ୍ରମଣରେ ଭାଂଗି ପଡ଼ୁଥିଲା ସେ ।”

 

ନିଜର ଦୁର୍ବଳତା ଘୋଡ଼ାଇ ବିବେକାନନ୍ଦ କହିଲା ତୁମ ପ୍ରତି ଅଭିପ୍ରେତ ପ୍ରଶ୍ନର ଉତ୍ତର ମୁଁ ଦେଉଛି ଶୁଣ । ମୁଁ ତୁମର ରୂପ, ଗୁଣ, ବୁଦ୍ଧି, ବିବେକ କେଉଁଥିରେ ସମାନ ନୁହେଁ । ତା’ପରେ ତୁମର ଗାଡ଼ି ଘୋଡ଼ା ଅଛି, ବ୍ୟାଙ୍କ ବାଲାନସ୍‍ ଅଛି ତିତଳ ପ୍ରାସାଦ ଅଛି, ଯାହାକି ମୋର ନାହିଁ । ମୋର ଅଛି କ’ଣ ନା ଝାଟି ମାଟି ଘର, ବିମଳ ଖରା, ଫେନିଳ ଜୋଚ୍ଛନା, ପୁଷ୍ପର ସୁରଭି, ଦାରିଦ୍ର୍ୟତାର ପ୍ରତୀକରୂପେ ଶାଗ ଆଉ ପେଜ ।

 

ପୁଣି ତୁମର ଅଛି ବିଶ୍ଵବିଦ୍ୟାଳୟର ଉଚ୍ଚତମ ଡ଼ିଗ୍ରୀ ଏମ୍‍, ଏ, ପାଶ । ଏହାର କ’ଣ ମାନେ ଅଛି ? ପୁଅ ସବୁବେଳେ ଏମ୍‍, ଏ, ପାଶକରି ପ୍ରୌଢ଼ି ବାଢ଼ୁଥିବ, ଆଉ ଝିଅ ଯାଇଁ କିଣାଦାସୀ ପରି ନୌକରୀ ଖଟୁଥିବ । ସ୍ତ୍ରୀ ପୁରୁଷ ନେଇ ସଂସାର । ସମାଜରେ ସ୍ତ୍ରୀ ପୁରୁଷ ଉଭୟଙ୍କର ସମାନ ଅଧିକାର । ଜଣେ କାହିଁକି ଅବହେଳିତ ହୋଇ ଅବଳା ସଜ୍ଞା ନେଇ ଘର କୋଣରେ ସଢ଼ୁଥିବ, ଆଉ ଜଣେ କିଆଁ ମୁକ୍ତ ଆକାଶର ବିହଙ୍ଗମ ଭଳି ଘୁରି ବୁଲୁଥିବ ?

 

–“ନା–ମୁଁ ଅବଶ୍ୟ ତାହା କହୁନି । ଏ କଥା ସମାଜରେ ବୁଝନ୍ତି କେତେ ଜଣ ?” ବିବେକାନନ୍ଦ ଏଥର ହସି ହସି ପଚାରିଲା।

 

–“ଅନ୍ୟ କିଏ ନ ବୁଝନ୍ତୁ–ମୋର ସେଥିରେ ଯାଏ କେତେ ଆସେ କେତେ ? ମୁଁ ତ ବୁଝୁଛି ? ତୁମ ଭଳି ଜଣେ ପ୍ରଚଣ୍ତ ପ୍ରତିଭା ଦୀପ୍ତ ମାନବ ସୂର୍ଯ୍ୟଙ୍କୁ ମୁଁ ଯେତେବେଳେ ସ୍ଵାମୀ ରୂପେ ପାଇଛି, ସେତେବେଳେ ମୋର ଆଉ ଚିନ୍ତା କ’ଣ ?”

 

ପ୍ରତିଭାର ‘ଆଦର କରନ୍ତି କେତେ ଜଣ ଏ ଦେଶରେ ଅଳକା ? ପ୍ରତିଭା ପୂଜା ଏବେ ବି ଏ ଜାତି ଶିଖିନି । ସୁଦ୍ରମୁନି ସାରଳା ଦାସ, କବି ସମାଟ ଉପେନ୍ଦ୍ରଭଞ୍ଜ, କବିବର ରାଧାନାଥ, ବ୍ୟାସ କବି ଫକିରମୋହନ, ପଲ୍ଲୀକବି ନନ୍ଦକିଶୋର, ପଣ୍ତିତ ଗୋପବନ୍ଧୁ, ପ୍ରକୃତି କବି ଗଙ୍ଗାଧର, ସାହିତ୍ୟଭୂଷଣ ଶଶିଭୂଷଣ, କାନ୍ତକବି ଲକ୍ଷ୍ମୀକାନ୍ତ, ପଣ୍ତିତ ଗୋଦାବରୀଶ ପ୍ରଭୃତିଙ୍କର ପ୍ରଚଣ୍ତ ପ୍ରତିଭା ଅଭ୍ୟୁଦୟ ଘଟି ବିଲୟ ହୋଇଛି । ସେଥିପାଇଁ ହୋଇଛି କ’ଣ ?

 

ବରଂ ଆମେ ବିକଳାଙ୍ଗ କରି ରାଧାନାଥଙ୍କୁ କଟକରେ ଗୌରୀଶଙ୍କର ପାର୍କରେ ବସାଇ ଓ ଗୋପବନ୍ଧୁଙ୍କୁ ପୁରୀ ସିଂହଦ୍ଵାରରେ ବସାଇ ତାଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରୁଛୁ । କାହାର ନାସାଗ୍ର ଭାଜି ଗଲାଣି ତ–କିଏ ରାଶି ରାଶି ଧୂଳିଆବର୍ଜନା ଭିତରେ ଆଚ୍ଛାଦିତ ହୋଇ ନିଜକୁ ଅସହାୟ ମଣୁଛି । ଅନ୍ୟମାନଙ୍କ କଥା ନ ଉଠାଇବା ହିଁ ଭଲ ।

 

ତା’ପରେ–

 

ଅସଂଖ୍ୟ ପ୍ରତିଭା ପ୍ରତିଦିନ ବଣମଲ୍ଲୀ ପରି ବଣରେ ଝରି ପଡ଼ୁଛନ୍ତି, ତା’ର ଖବର କେହି ରଖୁନି । ମଳୟାନୀଳରେ କେବଳ କ’ଣ ରାଜ ଉଦ୍ୟାନରେ ସୁସଜ୍ଜିତ କୁଣ୍ତରେ ପ୍ରଷ୍ଫୁଟିତ ହୋଇଥିବା କୁସୁମର ସୁବାସ ଭାସିଆସେ ଆଉ ବନରେ ଫୁଟିଥିବା ଅସଂଖ୍ୟ କୁସୁମର ସୁଗନ୍ଧ ଆସେ ନାହିଁ ? ଜଣା ଅଜଣା ଅସଂଖ୍ୟ ପ୍ରତିଭାର ବିସ୍ଫୋରଣରେ ଓଡିଆ ସାହିତ୍ୟ ସମୃଦ୍ଧ । ଜୀବନ କାଳରେ ପ୍ରତିଭାବାନ୍‍ ବ୍ୟକ୍ତିଙ୍କୁ ସମ୍ମାନ ମିଳିବା ତ’ ଦୂରର କଥା, ମୃତ୍ୟୁ ପରେ ବି ଶୋକ–ସଭାଟିଏ ହୋଇ ପାରେନି । ଶିଳ୍ପୀ ଗୁରୁ ବି ବର୍ମାଙ୍କ ଭଳି ଶିଳ୍ପୀ ମଧ୍ୟ ଭୋକ ଉପାସରେ ଛଟପଟ ହୋଇ ଶେଷ ନିଶ୍ଵାସ ତ୍ୟାଗ କରୁଛନ୍ତି–କେହି ଆହା ପଦ ବି କହୁନାହିଁ । କେବେ ଏଜାତି ପ୍ରତିଭା ପୂଜା ଶିଖିବ କେଜାଣି ? ପୂଜାପୂଜାର ବ୍ୟତିକ୍ରମ ସତେ ଯେମିତି ଆମର ଚାରିତ୍ରିକ ବୈଶିଷ୍ଟ୍ୟ ।

 

ମୁଁ ପରା ଥରେ କହିଲି–ଅନ୍ୟ କିଏ ବୁଝନ୍ତୁ ବା ନ ବୁଝନ୍ତୁ, ମୁଁ ବୁଝୁଛି ।

 

ବାସ୍ତବିକ !

 

ଏଇ କେତେ ଦିନ ହେଲା ଅଳକାର ଅଦ୍ଭୁତ ପରିବର୍ତ୍ତନ ହୋଇଛି । ସେ ଆଗଭଳି ଆଉ ମନ ଦୁଃଖରେ ଦିନ କାଟୁ ନାହିଁ କି ଅତୀତ ପାଇଁ ଲୁହ ଗଡ଼ାଇ ଅଧୈର୍ଯ୍ୟ ହେଉ ନାହିଁ । ତା’ର ସମସ୍ତ ଗର୍ବ, ଦମ୍ଭ, ଅଭିମାନ ହଜି ଯାଇଛି । ତା’ର ଆକାଶ କୁସୁମ ତୋଳା କଳ୍ପନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ବହୁ ଚିନ୍ତା, ବହୁ ଯୁକ୍ତି, ବହୁ ମାନସିକ ଦ୍ଵନ୍ଦ୍ଵ ପରେ ସେ ପରାସ୍ତ ହୋଇ ଅଦୃଷ୍ଟ ଲିଖନକୁ ସ୍ଵାଗତ ଜଣାଇଛି । ତା’ର ଇହକାଳ ପରକାଳର ସାଥି ସ୍ଵାମୀଙ୍କ ପ୍ରତି ସେ ଏତେ ଦିନ ଧରି ଯେଉଁ ବ୍ୟବହାର କରି ଆସିଛି, ସେଥିପାଇଁ ସେ କ୍ଷମାର ପାତ୍ରୀ ବୋଲି ମନେ କରିଛି ।

 

ବେଶଭୁଷା ତା’ର ସଂପୂର୍ଣ୍ଣଭାବେ ବଦଳି ଯାଇଛି । ରୁଚିରେ ତା’ର ଆଶ୍ଚର୍ଯ୍ୟରୂପେ ପରିବର୍ତ୍ତନ ହୋଇଛି । ସେ ଆଉ ଜର୍ଜେଟ ଶାଢ଼ୀ ପିନ୍ଧୁନାହିଁ କି ସ୍ନୋ ପାଉଡର ଲଗାଉନାହିଁ । ଦାନ୍ତଘସା ବ୍ରସକୁ ନିଆଁରେ ପୋଡ଼ି ଦେଇ ସାରିଛି । ବାସନାତେଲର ବାସନା ଉଭାଇ ଯାଇଛି । ଉପନ୍ୟାସ ପଢ଼ାର ସ୍ପୃହା କମି ଯାଇଛି ।

 

ସିନୋମା; ଥିଏଟର ମୋହ ତୁଟି ଯାଇଛି । ଅଧରରେ ଲିପ୍‍ଷ୍ଟିକ ବୋଳିବାତ ଦୂରର କଥା, ପାନ ଖଣ୍ତିଏ ଖାଇବା ବି ଛାଡ଼ି ଦେଇଛି । ଗାଧୋଇ ସାରିଲାମାତ୍ରେ ସେ ଏବେ ବହୁ ସମୟ ଭାଗବତ ପ୍ରାର୍ଥନା, ଭାଗବତ ପଢ଼ା, ଗୀତାପଢ଼ାରେ ମନ ଦେଉଛି । ଥର୍ମାମିଟରରେ ଜ୍ଵର ଖସିଲାଭଳି ପାର୍ଥୀବ ଲାଳସା ପ୍ରତି ହଠାତ୍‍ ତା’ର ବିତସ୍ପୃହା ଆସିଯାଇଛି ।

 

ସେ ସବୁବେଳେ ଏବେ ବିବେକାନନ୍ଦକୁ କହୁଛି–“ମୋ ରାଣ ତୁମେ ଆଉ ଏତେ ଧନ୍ଦି ହୁଅନା । ତୁମେ ତୁମ ଲେଖା ପଢ଼ାରେ ମନ ଦିଅ । ମୁଁ ଘର କାମସବୁ ନିଜହାତରେ କରି ଦେଉଛି । ସତରେ ତୁମେ ଜାଣି ପାରୁନ, ଏ ଭିତରେ ତୁମର ସ୍ଵାସ୍ଥ୍ୟର ଅବନତି ବହୁତ ଘଟିଲାଣି । ଶାସ୍ତ୍ର କହୁଛି–“ଶରୀର ମାଦ୍ୟଂ ଖଳୁ ଧର୍ମ ସାଧନମ ।”

 

ଏବେ ଅଳକା ସକାଳୁ ଉଠି ଗାଧୋଇବା, ଘରଦ୍ଵାର ପହଁରିବା, ନିଜ ହାତରେ ବାସନକୁସନ ମାଜିବା, ଠିକ୍‍ ସମୟରେ ରୋଷେଇ କରି ଖାଇବାକୁ ଦେବାରେ କୁଣ୍ଠାବୋଧ କରୁନାହିଁ ।

 

ତା’ର ଏଭଳି ପରିବର୍ତ୍ତନରେ ବିବେକାନନ୍ଦ କେବଳ ବିସ୍ମିତ ହୋଇନାହିଁ, ଭଗବାନ ନିକଟରେ କୃତଜ୍ଞତାରେ ଭାଙ୍ଗି ପଡ଼ିଛି । ନିଜକୁ ଧନ୍ୟ ମନେ କରୁଛି । ଅଳକାର କାର୍ଯ୍ୟକୁ ପ୍ରଶଂସା ନକରି ରହି ପାରୁନାହିଁ । ସେ ଯେ ଉପନ୍ୟାସ ନାୟିକାର ହାତଧରି ନାହିଁ, ଜୀବନ ସଂଗିନୀରୂପେ ଜଣେ ମଣିଷକୁ ପାଇଛି । ଏହାହି ତା’ର ସାନ୍ତ୍ଵନା । ସେଥିପାଇଁ ସେ ପରମ ଗୌରବାନ୍ଵିତ ମନେକରୁଛି ।

 

ଯିଏ ଦେଖୁଛି ସିଏ ଅଳକାକୁ ବାହା ବାହା କହୁଛି । ଯିଏ ଖରାପ କହୁଥିଲେ ସିଏ ବି ଭଲ କହିଲେଣି । କେତେ କବି ଅସୂୟାରେ ଜଳି ଗଲେଣି । କାହିଁକି ନା କଥାରେ ଅଛି–

 

“ଯେଉଁ ଗାଆଁରେ କରିବଘର, ଅଧେ ଆପଣା ଅଧେ ପର ।”

 

ତେବେ–

 

କାହା କଥାକୁ କାନ ଦିଏନି ଅଳକା । ସେ ଭାବେ ଆପେ ଭଲତ, ଜଗତ ଭଲ । ଈଶ୍ଵର ଯଦି ସହାୟ ଥିବେ ମଣିଷ ଅମଙ୍ଗଳ ପାଞ୍ଚି କ’ଣ କାର କିଛି କରିପାରିବ ? ସାମୟିକ ବାଧା ବିଘ୍ନ ଆସିପାରେ, ମାତ୍ର ତାହା ପରେ ପରେ ଉଭାଇ ଯିବ ।

 

ପୁଣି–

 

ଅଳକାର ବାପଘର ଗାଁରୁ ଯେ ଆସୁଛି ସେ ଦେଖି ସ୍ତମ୍ଭିତ ହୋଇଯାଉଛି । ଅଳକାଭଳି ପିଲା । ଯେ ସରଲବଣୀ ଥୁ ଥୁ କରି କାଢ଼ୁ ଥିଲା, ପଲଙ୍କ ଛଡ଼ା ତଳକୁ ଓହ୍ଲାଉ ନଥିଲା–ଶତ ଦାସବାସୀ ଖଟୁଥିଲେ, ତା’ର ପୁଣି ଆଜି ଏ କି ପରିବର୍ତ୍ତନ ?

 

କେହି କେହି ବି କହୁଛନ୍ତି–“ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି । ଲୋକ ନ ଠିକିଲେ ଶିଖେନାହିଁ । କାନ୍ଧରେ ପଡ଼ିଲେ ସମସ୍ତେ ବଜାଇ ଶିଖନ୍ତି ।”

 

ପ୍ରତାପଶାଳୀ ଜମିଦାର ଶ୍ରୀ ବିନତାନନ୍ଦ ଭୁଜବଳଙ୍କର ପ୍ରତାପ କଥା କିଏ ନ ଜାଣେ ? ନାଆଁ ତାଙ୍କର ଶୁଣିବା ମାତ୍ରେ ଗର୍ଭିଣୀ ଗାଈ ବାଟ ଛାଡ଼ିଦିଏ । ବାଘ ବକିରୀ ଏକା ତୁଠରେ ପାଣି ପିଅନ୍ତି । ନ୍ୟାୟ, ନିଶାପଠାରୁ ସଭାସମିତି ଯାଏ ସବୁଠାରେ ଭୁଜବଳଙ୍କର ଦରକାର ପଡ଼େ । ଗାଆଁ ଦାଣ୍ତରେ ଥରେ ସେ ଗଳାଖଙ୍କାରି ଦେଲେ, ଗାଆଁ ଟାଯାକ ଶୂନଶାନ ହୋଇଯାଏ । ରାଣା ପ୍ରତାପଙ୍କ ନିଶ ଭଳି ନିଶ ଦିଟାକୁ ଦେଖିଲା ମାତ୍ରେ ଶତ୍ରୁ ଶଙ୍କିଯାଏ । ରଜାକୁ ରେ କହିଲା ଭଳି ତାଙ୍କ ପଛରେ ଯେ ଯାହା କହିଲେ ମଧ୍ୟ, ତାଙ୍କ ଆଗରେ କେହି କିଛି କହିବାକୁ ସାହସ କରନ୍ତି ନାହିଁ-

 

ଭୁଜବଳ ଜଣେ ମିଲିଟାରୀ ସର୍ଭିସର ଲୋକ । ସେ ପିଲାଟିଦିନୁ ମିଲିଟାରୀ ସର୍ଭିସରେ ଯୋଗ ଦେଇଥିଲେ । ବେଶି ପାଠ ନପଢ଼ିଥିଲେ ମଧ୍ୟ, ନିଜର ବୃଦ୍ଧି ବଳରେ ସେ ଲେଫଟ୍‍ଣ୍ଟ କର୍ଣ୍ଣେଲ ପାହ୍ୟା ପର୍ଯ୍ୟନ୍ତ ଉର୍ଣ୍ଣୀତ ହୋଇଥିଲେ । ଇଂରେଜ ଗଭର୍ଣ୍ଣମେଣ୍ଟଙ୍କ ବିରୁଦ୍ଧରେ ବିପ୍ଳବ କରି, ଯେତେବେଳେ ନେତାଜୀ ସୁଭଷଚନ୍ଦ୍ର ବୋଷ ଭାରତରୁ ପଳାଇଯାଇ ବିଦେଶରେ ଆଜାଦହିନ୍ଦ୍‍ ଫୌଜ ଗଠନ କଲେ–ସେତେବେଳେ ଭୁଜବଳବାବୁ ଜାତୀୟତା ବୋଧରେ ଅନୁପ୍ରାଣିତ ହୋଇ ସେଥିରେ ଯୋଗ ଦେଲେ ।

 

ଜୟହିନ୍ଦ୍–

 

ଚଲୋଦିଲ୍ଲୀ–

 

ରବରେ ଗଗନ, ପବନ, ପ୍ରକଂପିତ ହୋଇ ଉଠିଲା । ଆଜାଦ ହିନ୍ଦ୍‍ ଫୌଜରେ ଭୁଜବଳବାବୁ ମୁଖ୍ୟ ଭୂମିକା ଗ୍ରହଣ କଲେ । ଅଳ୍ପଦିନ ପରେ ଯୁଦ୍ଧର ଗତି ବଦଳିଗଲା । ଆଜାଦ ହିନ୍ଦ୍‍ ଫୌଜର ଲୋକମାନେ ଧରାପଡ଼ି ବନ୍ଦୀ ହେଲେ । ସେମାନେ ଭାରତକୁ ଅଣାହେଲେ ।

 

ଦିଲ୍ଲୀ ଲାଲକିଲାରେ ସେମାନଙ୍କର ବିଚାର ବହୁଦିନ ଧରିଚାଲିଲା, ଭାରତର ବହୁ ବରପୁତ୍ର ସେମାନଙ୍କ ମୁକ୍ତି ପାଇଁ ଲଢ଼ିଲେ । ପଣ୍ତିତ ଜବାହାରଲାଲ ପ୍ରଭୃତି ମଧ୍ୟ ସେମାନଙ୍କ ସପକ୍ଷରେ ଲଢ଼ିଲେ । ସେମାନେ ନିର୍ଦ୍ଦୋଷରେ ଖଲାସ ହେଲେ । ଦେଶବାସୀଙ୍କ ମନରେ ଆନନ୍ଦର ଜୁଆର ଖେଳିଗଲା । ସେମାନଙ୍କୁ ବୀରୋଚିତ ସମ୍ଵର୍ଦ୍ଧନା ଜ୍ଞାପନ କରାଗଲା । ଏଥିରେ ଇଂରେଜ ସରକାର ବିଶେଷ ଚିନ୍ତିତ ହୋଇ ପ୍ରମାଦ ଗଣିଲେ ।

 

ଦିନ ପରେ ଦିନ ଗଡ଼ିଚାଲିଲା ।

 

ଭୁଜବଳବାବୁ ସ୍ଵଗ୍ରାମକୁ ଫେରିଲେ । ପୈତୃକ ସମ୍ପତ୍ତିର ଖୋଜଖବର ନେଲେ । ତା’ପରେ ଚାଷବାସରେ ମନୋନିବେଶ କଲେ ।

 

ଭୁଜବଳଙ୍କର ବିଭବ–ମୋହ ଗୁଣଟି ଛାଡ଼ିଦେଲେ ଅନ୍ୟାନ୍ୟ ହିସାବରେ ସେ ଜଣେ ସର୍ବଗୁଣସଂପନ୍ନ ବ୍ୟକ୍ତି । ଧନ ଲୋଭ ଗୁଣଟି ସେ ଉତ୍ତରାଧିକାରୀ ସୂତ୍ରରେ ପିତାଙ୍କଠାରୁ ଗ୍ରହଣ କରିଛନ୍ତି । ତାଙ୍କର ପିତାଙ୍କର ବିଷୟରେ ବେଶ୍‍ କୁଖ୍ୟାତି ଥିଲା। ସେଥିପାଇଁ ତାଙ୍କର ନାମ କେହି ସକାଳୁ ଅଧୁଆ ମୁହଁରେ ଧରନ୍ତି ନାହିଁ । ତାଙ୍କ ପିତା କିପରି ଧନୀ ହୋଇଥିଲେ, ସେ ସମ୍ଵନ୍ଧରେ ବେଶ୍‍ ଏକ କୌତୂହଳଦୀପକ କାହାଣୀ ଶୁଣିବାକୁ ମିଳେ । ତାଙ୍କର ପିତା ଜଣକ ଘରେ ଗାଈଆଳ ରୂପେ ଚାକିରୀ କରୁଥିଲେ । ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସ୍ଥାନଙ୍କୁ ଗୋରୁ ଚରାଇବା ପାଇଁ ଯାଆନ୍ତି । ସେଠାରେ ଗୋରୁଙ୍କୁ ଛାଡ଼ିଦେଇ ସେ ଏକ ଗଛମୂଳେ ବସି ତାଙ୍କ ସଙ୍ଗରେ ନେଇଥିବା ‘ନଟୁଚୋରୀ’ ‘ମେଲାଣି ଚଉତିଶା’ ପ୍ରଭୃତି ବହି ପଢ଼ନ୍ତି ।

 

ଦିନେ ଦେଖିଲେ ଜଣେ ବାବାଜି ଅଦୂରରେ କ’ଣ ଆଣି ମାଟିରେ ପୋତୁଛନ୍ତି । ତା’ପରେ ଅଳ୍ପବାଟ ଗଲାପରେ ପୁଣି ମାଟି ଖୋଳି କ’ଣ ପୋତୁଛନ୍ତି । ଏହିପରି ଚାରି ପାଞ୍ଚ ଯାଗା ମାଟି ଖୋଳି କ’ଣ ପୋତିସାରିଲା ପରେ ଚାଲି ଯାଉଛନ୍ତି ।

 

ଠିକ୍‍ ବାବାଜି ଚାଲିଗଲା ପରେ ପରେ ସେ ଯାଇ ଖୋଳା ହୋଇଥିବା ସ୍ଥାନମାନଙ୍କୁ ଖୋଳନ୍ତି । ସେଠାରେ ପୋତା ହୋଇଥିବା ସୁନା ମୋହର ଗୁଡ଼ିକୁ ଆଣି କିଆ ବଣରେ ଗୋଟିଏ ସ୍ଥାନରେ ରଖନ୍ତି । ଏହିପରି ପ୍ରତିଦିନ ବାବାଜି ସୁନା ମୋହର ପୋତି ଚାଲିଥାନ୍ତି, ଇଏ ଖୋଳି ଘେନିଆସନ୍ତି । ଦିନେ ବାବାଜି ଏକଥା ଦେଖିଲେ ।

 

ତା’ପରେ ପଚାରିଲେ–“ବାବା, ତୁମେ ଯେଉଁ ସୁନାମୋହରଗୁଡ଼ିକ ନେଉଛ–ତାକୁ ନେଇ କ’ଣ କରିବ ?”

 

ବିପ୍ରଚରଣ ଉତ୍ତର ଦେଲେ–“ଆପଣ ଯାହା କହିବେ ମୁଁ ତାହା କରିବି ।”

 

ବାବାଜୀ କହିଲେ–“ତୁମେ ଯେତେଦିନ ପର୍ଯ୍ୟନ୍ତ ସତ୍‍ ପଥରେ ଚାଲିବ ଏ ଧନ ତୁମର ନଷ୍ଟ ହେବ ନାହିଁ, ଯେଉଁ ଦିନ ଅନ୍ୟାୟ ପଥରେ ପାଦ ଦେବ ସେହି ଦିନ ଏ ଧନ ନଷ୍ଟ ହେବାକୁ ଆରମ୍ଭ କରିବ । ପୁଣି ତୁମର କୂଳରେ ପାଣି ଦେବାକୁ କେହି ରହିବେ ନାହିଁ ।”

 

ଏକଥା ଶୁଣିଲା ମାତ୍ରେ ବିପ୍ରଚରଣ ଯୋଡ଼ହସ୍ତ ହୋଇ ବାବାଜୀଙ୍କ ପାଦତଳେ ପଡ଼ି ରହିଲେ । ବାବାଜି ଯେତେ ରକମ ବୁଝାଇଲେ ମଧ୍ୟ, ବିପ୍ରଚରଣ କିଛି ବୁଝିଲେ ନାହିଁ ।

 

ତା’ ପରେ–

 

ବାବାଜୀଙ୍କ ମନ ବଦଳି ଗଲା । ହୃଦୟରେ ଦୟା ଆସିଲା । ସେ ପୁଣି କହିଲେ–“ଦେଖ ବାବା ! ତୁମର ଗୋଟିଏ ପୁଅ ହେବ ଆଉ ପାଞ୍ଚ ଝିଅ ହେବେ ମାତ୍ର ତୁମେ, ଜୀବନର ଶେଷ ଅବସ୍ଥାରେ କୁଷ୍ଠ ରୋଗାକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ିବ । ଯଦି ତୁମେ ଦାନ, ଧ୍ୟାନ, ଦରିଦ୍ର ସେବାରେ ସବୁବେଳେ ନିଜକୁ ନିୟାଜିତ କରିବ, ତେବେ ତୁମେ ଏ ରୋଗରେ ପଡ଼ିବ ନାହିଁ ।”

 

ତା’ପରେ ବବାଜି ଆଖି ପିଛୁଳାକେ ଅନ୍ତର୍ଦ୍ଧାନ ହୋଇ ଗଲେ ।

 

ବିପ୍ର ଚରଣଙ୍କର ଅବସ୍ଥା ବଦଳି ଗଲା । ସେ ଚାକିରୀ ଛାଡ଼ି ଦେଲେ । ତାଙ୍କୁ ବୁଦ୍ଧି କାହୁଁ କାହୁଁ ଦିଶିଲା । ଜମିବାଡ଼ି କିଣି ଘରଦ୍ଵାର କଲେ । ପ୍ରଥମେ ପ୍ରଥମେ ଦାନ, ଧ୍ୟାନରେ ଅଧିକାଂଶ ସମୟ କଟାଇଲେ । ଯିଏ ଦେଖିଲା ସିଏ ଅଟକିଲା, ଯିଏ ଶୁଣିଲା ସିଏ ବାହା ବାହା କଲା ।

 

ସବୁଦିନ ସମାନ ଯାଏ ନାହିଁ ।

 

ବିପ୍ରଚରଣଙ୍କ ମନ ଚହଲିଗଲା ଭୋଗ ବିଳାସରେ ମାତିଲେ । ଏ ଫୁଲରୁ ସେ ଫୁଲକୁ ଭ୍ରମର ଉଡ଼ି, ମଧୁ ଚାଖିଲା ଭଳି ସେ ଗୋଟିକ ପରେ ଗୋଟିଏ, ଆଠଟି ପତ୍ନୀ କଲେ । ଗୁରୁ ଗୁରୁଜନ ମାନିଲେ ନାହିଁ ।

 

ଯାହାକୁ ଟଙ୍କାଟିଏ ଦେଲେ, ତା’ ଠାରୁ ସୁଧ ମୂଳ କରି ଦଶଟଙ୍କା ଆଦାୟ କଲେ । ଯାହାକୁ ଗୌଣୀଏ ଧାନ କରଜ ଦେଲେ ତା’ଠାରୁ ଚକ୍ରବୃଦ୍ଧି ହାରରେ ପୌଟିଏ ଧାନ ଆଣିଲେ । ଯେ ନ ଦେଇ ପାରିଲା ତା’ର ଜମିବାଡ଼ି, ଗୋରୁଗାଈ ନାଲିସ କରି ନିଲାମ କଲେ । ଯାହାର କିଛି ନାହିଁ ଯଦି ଝିଅଟିଏ ଅଛି, ତେବେ ସେଇ ଝିଅଟିକୁ ଆଣି ବିଭା ହେଲେ । ଏହିପରି ସାତଟି ଝିଅ ଆଣିଥିଲେ ।

 

ସେ ଏପରି ଧନ ଲୋଭୀ, ଧର୍ମାନ୍ଧ, ଅତ୍ୟାଚାରୀ ହୋଇଗଲେ ଯେ, ସଦା ହିତ କଥାକୁ ଅହିତ ମଣିଲେ । ସଂଦେହର ଶେଷ ସୀମାକୁ ସ୍ପର୍ଶ କଲେ ।

 

କୁଟୁଣୀର କୁଟା ଚାଉଳ କାଟି ରଖିଲେ । ମୁଲିଆର ମୁଲ ଦେଲେ ନାହିଁ । ଥରେ ଗୋଟିଏ ପିଲାକୁ ପୋଖରୀ କୂଳରେ ବଳୀ ଦେଇ ଦେଲେ । ଏହିପରି ନାନା ଅପକର୍ମରେ ଲିପ୍ତ ରହିଲେ ।

 

ଭାଗ୍ୟ ଭଗବାନକୁ ବିଦ୍ରୂପରେ ଉଡ଼ାଇ ଦେଲେ । ପୁଣି ଚକ ଘୁରିଗଲା । ଶେଷରେ କୋଷ୍ଠ ରୋଗକ୍ରାନ୍ତ ହୋଇ ବିପ୍ରଚରଣ ମୃତ୍ୟୁ ମୁଖରେ ପଡ଼ିଲେ । ଗ୍ରାମ ଶ୍ମଶାନରେ ତିନିଦିନ କାଳ ତାଙ୍କର ଶବ ପଡ଼ି ରହିଲେ ମଧ୍ୟ, କାଉ ଶାଗୁଣା ଛୁଇଁଲେ ନାହିଁ ।

 

ସେଥିପାଇଁ ଶାସ୍ତ୍ର କହିଛି–“ପ୍ରାଣୀର ଭଲ ମନ୍ଦ ବାଣୀ, ମରଣ କାଳେ ତାହା ଜାଣି ।”

 

ବିପ୍ରଚରଣଙ୍କ କୁଳନନ୍ଦନ ଭୂଜବଳବାବୁ ତାଙ୍କ ଠାରୁ ସ୍ଵତନ୍ତ୍ର । ସେ ନିଶ୍ଚୟ ଜଣେ ବହୁଗୁଣ ସଂପନ୍ନ ବ୍ୟକ୍ତି । ଜ୍ୟୋତିଷ ବିଦ୍ୟାରେ ତାଙ୍କର ପାରଂଗମତା ଅଧିକ । ତା’ଛଡ଼ା ଅବସର ସମୟରେ, ପୁରାତନ ସାହିତ୍ୟ ଚର୍ଚ୍ଚାରେ ସେ ମନୋନିବେଶ କରନ୍ତି। କବି ସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କର ବୈଦେହୀ ବିଳାସର ବିଭିନ୍ନ ଛାନ୍ଦକୁ ଆଠ ଦଶ ପ୍ରକାର ଅର୍ଥକରି ବୁଝାଇ ପାରନ୍ତି-

 

ପୁଣି ଧର୍ମ ଆଲୋଚନା ବେଳେ ଏକବାର ତନ୍ମୟ ହୋଇଯାନ୍ତି । ସେ ରାତ୍ରିରେ ଛ’ ଘଣ୍ଟା ଶୋଇବା ବ୍ୟତୀତ ଅନ୍ୟସବୁ ସମୟରେ ମହାଜନୀ ଆଦିର କାଗଜପତ୍ର ଦେଖନ୍ତି । ଟଙ୍କାଟି କିପରି ଶହେଟଙ୍କା ହେବ ସେ ବିଷୟରେ ସେ ବହୁତ ଚିନ୍ତା କରନ୍ତି ।

 

ଭୁଜବଳବାବୁଙ୍କ ସ୍ୱଭାବର ଠିକ୍‍ ବିପରୀତ ସ୍ଵଭାବ ହେଉଛି ତାଙ୍କ ସହଧର୍ମିଣୀ ରୁକ୍ମଣୀ ଦେବୀଙ୍କର । ସେ ଭାରି ଦୟାପରାୟଣା, ଭକ୍ତିମତୀ । ପରଦୁଃଖ ଦେଖିଲା ମାତ୍ରେ ତାଙ୍କର ହୃଦୟ ତରଳିଯାଏ । ସେ ଅଶ୍ରୁମୋଚନ କରନ୍ତି ।

 

ଭୁଜବଳବାବୁ ଯେପରି ମାନ ସମ୍ମାନ ଓ ଆଭିଜାତ୍ୟକୁ ଜଗି ଚଳନ୍ତି–ରୁକ୍ମଣୀ ଦେବୀ ସେପରି ନୁହନ୍ତି । ସେ କୌଣସି କଥାକୁ ବେଶି ଗୁରୁତ୍ଵ ଦିଅନ୍ତି ନାହିଁ । ସେ କର୍ମ କରିଯାନ୍ତି । ଫଳପାଇଁ ଭଗବାନଙ୍କ ଉପରେ ନିର୍ଭର କରନ୍ତି ।

 

ତାଙ୍କର ଅଧିକାଂଶ ସମୟ ପଶୁପକ୍ଷୀ ପାଳିବାରେ ଯାଏ । ବିରାଡ଼ିଛୁଆ, ଶୁଆ, ଶାରୀ ପ୍ରଭୃତି ପାଳିବାରେ ସେ ବଡ଼ ନିପୁଣ । ଗାଆଁଠାରୁ ତିନିଗାଆଁ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପ୍ରଶଂସା କରନ୍ତି । ହାନି ଲାଭରେ, ଭଲ ମନ୍ଦରେ ସମସ୍ତେ ତାଙ୍କଠାରୁ ଉପଦେଶ ନେବାକୁ ଆସନ୍ତି । ତାଙ୍କ ପାଟିରୁ ଥରେ ଯିଏ ପଦେ କଥା ଶୁଣିଥିବ, ସେ କେବେ ତାଙ୍କୁ ଭୁଲି ପାରିବ ନାହିଁ ।

 

କିନ୍ତୁ–

 

ତାଙ୍କର ସବୁବେଳେ ମନରେ ଗୋଟିଏ ଦୁଃଖ ଯେ–ପାଞ୍ଚ କନ୍ୟାରେ ଏକମାତ୍ର ପୁତ୍ର ସୁକାନ୍ତ ଯେ କି, ତାଙ୍କ କଥା ଶୁଣେ ନାହିଁ । ସେ ସବୁବେଳେ କୁପଥଗାମୀ । ସେ ମନଇଚ୍ଛା ଯାହା ତାହାକରି ଚାଲିଥାଏ । ସବୁବେଳେ ତା’ ବିରୁଦ୍ଧରେ ଅଭିଯୋଗ ଶୁଣି ଶୁଣି ତାଙ୍କ କାନ ବଧିରା ହୋଇ ଗଲାଣି ।

 

କ’ଣ କରିବେ ?

 

ଏକୋଇର ବଳା ବିଶିକେଶନ ସୁକାନ୍ତ ପଛରେ ସେ ଯେତେ ଯାହା କହିଲେ ମଧ୍ୟ ଯେତେ ବିରକ୍ତ ହେଲେ ବି, ଯେତେ ଗାଳି ଦେଲେ ବି, ତାକୁ ଦିନେ ନ ଦେଖିଲେ ତାଙ୍କୁ ଯୁଗକ ପରି ଲାଗେ । ପେଟକୁ ଭାତ ଯାଏ ନାହିଁ । ଆଖିକି ନିଦ ଆସେ ନାହିଁ । ମନଟା ଖାଲି ଗୋଳେଇ ଘାଣ୍ଟି ହୁଏ । ପ୍ରକୃତରେ କହିବାକୁ ଗଲେ ଆଗକୁ କେହି ନାହିଁ ନା–ପଛକୁ କେହି ନାହିଁ । ତା’ରି ଉପରେ ଭୁଜବଳ ବଂଶର ମାନ, ସମ୍ମାନ ନିର୍ଭର କରେ ।

 

ସୁକାନ୍ତକୁ ଦେଖିଦେଲା ମାତ୍ରେ ସେ ସବୁକଥା ଭୁଲିଥାନ୍ତି । ତାଙ୍କ ମାତୃତ୍ଵ ଚହଲି ଉଠେ ।

 

ନାନା ଲୋକେ ନାନା କଥା ବୁଝାନ୍ତି । ତାଙ୍କ କାନରେ ସେ ସବୁ କିଛି ପଶେ ନାହିଁ ସେ ଭାବନ୍ତି ଝୁଅ ଜନମ ପର ଘରକୁ । ଆଜି ଅଛନ୍ତି କାଲି ଚାଲି ଯିବେ ।

 

ଗହଣା ଭିତରେ ନିମ କାଠି ।

 

ଆଗକୁ ନାହିଁ ନା ପଛକୁ ନାହିଁ । ଗୋଟିଏ ବୋଲି ପୁଅ । ସେ ଯଦି ଘର ଖବର, ମହାଜନୀ, ଜମିବାଡ଼ି କଥା ନ ବୁଝେ, ଘର ସଂସାରରେ ନ ପଶେ, ତେବେ ଏ ବଂଶର ମର୍ଯ୍ୟାଦା ଆଉ ରକ୍ଷା କରିବାକୁ ସମର୍ଥ ହେବ କିଏ ? ସୁଦୂର ରେଙ୍ଗୁନରେ ରହି, ନାନାଦି ବାଧାବିଘ୍ନ ସହି, ଭୁଜବଳବାବୁ ଯେଉଁ ଧନ ଅର୍ଜିଛନ୍ତି, ସଂପର୍ତ୍ତି କମେଇଛନ୍ତି ତାକୁ ଭୋଗ କରିବ କିଏ ?

 

ଏଇ ପ୍ରଶ୍ନ ଯେତେବେଳେ ରୁକ୍ମିଣୀ ଦେବୀଙ୍କ ମନରେ ଉଠେ ତାଙ୍କ ମୁଣ୍ତ କ’ଣ ହୋଇଯାଏ । ସେ ଶତ ବୃଶ୍ଚିକର ଦଂଶନ ଅନୁଭବ କରନ୍ତି । ସେ ବହୁବାର ମନା କଲେଣି ଯେ ରାଧୁ ସୁବୁଦ୍ଧି ପୁଅ ମଧୁ ସଙ୍ଗରେ ନ ମିଶିବାକୁ । ମାତ୍ର ସୁକାନ୍ତ ତାଙ୍କର କଥା ଶୁଣେ ନାହିଁ । ସେ ଯେତେ ମନାକଲେ ମଧ୍ୟ ତାଙ୍କର ଚିର ଶତ୍ରୁମାନଙ୍କ ସଙ୍ଗେ ମିଶି ସୁକାନ୍ତ, ନାନାଦି ଅପକର୍ମରେ ଲିପ୍ତ ରହେ ।

 

ଭୁଜବଳବାବୁ ଅତି ମାତ୍ରାରେ କ୍ରୋଧୀ ହୋଇଥିବା ହେତୁ, ରୁକ୍ମଣୀ ଦେବୀ ପୁଅ କଥା ତାଙ୍କ ଆଗରେ କିଛି କହି ପାରନ୍ତି ନାହିଁ । ସାପ ବଢ଼ୁ ବଢ଼ୁ ଚକ୍ର ବଢ଼ୁଛି । ନେଡ଼ିଗୁଡ଼ କହୁଣୀକି ବୋହିଗଲେ ଆଉ ବଳ ପାଇବ ନାହିଁ । ଯାହା ନଖରେ ଛିଣ୍ତି ଯିବା କଥା ତାହା କଟୁରୀରେ ବି, ଆଉ କାଟି ହେବନାହିଁ । ପିଲାଙ୍କୁ ସିନା ବୁଝେଇ ସୁଝେଇ ସବୁକଥା କରାଯାଏ, ସବୁବେଳେ ତାଙ୍କ ଉପରେ ରାଗି ନିଆଁବାଣ ହେଲେ ସେ ଆଉ ପାଖ ପଶିବେ ବା କାହିଁକି ?

 

ଯଦି ଅକାଳେସକାଳେ ପୁଅ କଥା କିଛି ପଡ଼ିଲା, ତେବେ ଭୁଜବଳବାବୁ ହସି ହସି ଓଲଟି କହନ୍ତି କ’ଣ ନା “ଯେପରି ମୁହଁ ବଢ଼ାଇଛ ସେପରି ସମ୍ଭାଳ ।” ଶାସ୍ତ୍ର କହିଛି–ସ୍ତ୍ରୀ, ପିଲା, କୁକୁର ଏମାନଙ୍କୁ ମୁହଁ ଦେବନାହିଁ । ଥରେ ଗୁମର ଏମାନେ ପାଇଗଲେ ସେମାନେ ଆଉ କାହାରିକୁ ମାନିବେ ନାହିଁ ।”

 

ରୁକ୍ମୁଣୀ ଦେବୀ କିଛି ଉତ୍ତର ଦିଅନ୍ତି ନାହିଁ ।

 

କେବଳ ହୁଁ ଟିଏ ମାରି ଚୁପ୍‍ ହୋଇ ରହନ୍ତି ।

 

ପ୍ରକୃତରେ ରୁକ୍ମଣୀ ଦେବୀ ତାଙ୍କ ସାଧ୍ୟମତେ ଯେତେ ଚେଷ୍ଟା କଲେଣି ପୁଅର ମନ ପରିବର୍ତ୍ତନ କରିବାପାଇଁ, ସେ ସଫଳକାମ ହୋଇପାରି ନାହାନ୍ତି ।

 

ସୁକାନ୍ତର ବୟସ ହେଲାଣି ।

 

କାଳେ ତାକୁ ବିବାହ କରିଦେଲେ, ବିବାହ ପାଣି ପଡ଼ିଲେ ତା’ର ମନ ପରିବର୍ତ୍ତନ ହୋଇଯିବ କି ? ଏଇ କଥାଟି ସେ ସବୁବେଳେ ମନ ମଧ୍ୟରେ ଭାବିବାକୁ ଲାଗିଲେ । ଚିନ୍ତାରେ ସଢ଼ିଗଲେ । ପୁଅ କଥା ଭାବି ଭାବି କଣ୍ଟା ହେଲେ । କଥାରେ କହନ୍ତି–“ଲୁଣ ଖାଏ ହାଣ୍ତି, ଚିନ୍ତା ଖାଏ ଗଣ୍ତି ।” ଏୟାକୁ ବି ସଂସ୍କୃତ କବି କହିଛନ୍ତି–“ଚିତା, ଚିନ୍ତା ଦୁହିଙ୍କ ମଧ୍ୟରେ ଚିନ୍ତା ହେଉଛି ଗରିୟସୀ । ଚିତା ଥରେ ଜାଳି ମାରିଦିଏ । ଚିନ୍ତା ପ୍ରତିକ୍ଷଣରେ ପଦେ ପଦେ ମାରୁଥାଏ ।”

 

ଏହା ଭିତରେ ଭୁଜବଳବାବୁ ବଡ଼ ବିରକ୍ତ ହୋଇ ପୁଅକୁ ତାଙ୍କର ଗୁମାସ୍ତା ସହିତ ମିଶି ବ୍ୟବସାୟ ହେଉ ବା କଣ୍ଟ୍ରାକ୍ଟରୀ ହେଉ କରିବାକୁ ନିର୍ଦ୍ଦେଶ ଦେଲେଣି । ତାଙ୍କର କହିବା କଥା, ଯଦି ଘରର ହାନିଲାଭ ବିଷୟ ଚାକରବାକରଙ୍କ କଥା, ବଂଧୁ–ବାଂଧବ, ମହାଜନୀ ଆଦିରେ ମନ ନ ପୁରାଇଲା ତେବେ ଘରେ ନିଷ୍କର୍ମା ହୋଇ ବସି ରହିବ କାହିଁକି ? ଲୋକ ଯଦି ନିକମା ହୋଇ ବସିରହେ, ତେବେ ସେ ନାନାଦି ଅପକର୍ମ କରିବାକୁ ମନ ବଳାଏ । ଚୋରୀ, ନାରୀ, ଜୀବହିଂସାରେ ପ୍ରବୃତ୍ତି ହୁଏ ।

 

ତା’ ପରେ–

 

ଆଉ ଏକ କଥା । ବସି ଖାଇଲେବି ନଇବାଲି ସରେ । ସେ କିଛି କରୁ ।

 

ଭୁଜବଳବାବୁଙ୍କର ଏ ପରାମର୍ଶ ଶୁଣି ସୁକାନ୍ତ ଭାରି ଖୁସି । “ମଳୁ ଖୋଜୁଥିଲା ପଇଡ଼ପାଣି, ବଇଦ କହିଲା ପିଇ ତୋରାଣୀ ।” ସୁକାନ୍ତ ପିତାଙ୍କୁ ପ୍ରଶଂସା ନ କରି ରହିପାରୁନି ।

 

କିନ୍ତୁ–

 

ରୁକ୍ମଣୀ ଦେବୀଙ୍କ ଉପରେ ସେ ଭାରି ବିରକ୍ତ । ସେ କହେ, ସବୁ ନାଟର ଗୋବର୍ଦ୍ଧନ ହେଉଛି ମା । ସେ ଏକା କାହିଁକି ସାଧାରଣତଃ ସ୍ତ୍ରୀଲୋକମାନଙ୍କର ସ୍ଥାନ, କାଳ, ପାତ୍ରର ଜ୍ଞାନ ନଥାଏ । ସେ ସବୁବେଳେ ସ୍ଵାମୀ, ପୁଅ, ଝିଅ, ଧନମାନ୍ୟ କଥା ଚିନ୍ତା କରନ୍ତି । ସେମାନଙ୍କର ଦୂରଦୃଷ୍ଟିର ଅଭାବ ।

 

ଏଥର–

 

ଭୁଜବଳବାବୁଙ୍କ ଆଗରେ ଦିନେ ରୁକ୍ମଣୀ ଦେବୀ ପୁଅର ବିବାହ ପ୍ରସ୍ତାବ ବାଢ଼ିଲେ । ସଂଗେ ସଂଗେ ଭୁଜବଳବାବୁ ନିଜର ଦୃଢ଼ ଅନିଚ୍ଛା ଜଣାଇଲେ ।

 

ରୁକ୍ମଣୀ ଦେବୀ କାରଣ ପଚାରନ୍ତେ ସେ କହିଲେ ଯେ ସୁକାନ୍ତ ନିଜେ ଯେତେବେଳେ ନିଜକୁ ଚଳାଇବାରେ ଅନୁପଯୁକ୍ତ; ସେ ପର ଉପରେ ନିର୍ଭର କରି ଚଳୁଛି, ସେତେବେଳେ ତା’ ବେକରେ ଆଉ ଜଣକୁ ବାଂଧି ଦେଲେ କରିବ କ’ଣ ? ବୋଝ ଉପରେ ନଳିତା ବିଡ଼ା ପରି କଥା ହେବ ନାହିଁକି ?”

 

ସେ ଘରବାଡ଼ି ଚାଷବାସ କଥାତ କିଛି ବୁଝିଲା ନାହିଁ । ତା’ହେଲେ ବ୍ୟବସାୟ ବାଣିଜ୍ୟ କରୁ ।

 

ନଚେତ୍‍–

 

କଣ୍ଟ୍ରାକ୍ଟରୀ କରୁ । ଆଜିକାଲି ତ କଣ୍ଟ୍ରାକ୍ଟରୀ କରିବାପାଇଁ ଯଥେଷ୍ଟ କ୍ଷେତ୍ର ପଡ଼ିଛି । ମାନ ସମ୍ମାନ ଯେପରି ଅଛି, ଦି’ପଇସା ମିଳିବାର ବି ସେପରି ଆଶା ଅଛି । କେବଳ ନେଇଆଣି ଥୋଇ ପାରିଲେ ହେଲା ।

 

ଏଇ ଦେଖୁନା–

 

ତୁମରି ଆଖି ଆଗରେ ଯାହାଙ୍କର ଦାଣ୍ତରୁ ଆସି ହାଣ୍ତିରେ ପଶୁଥିଲା, ଓଳିଏ ଖାଇଲେ ଓଳିଏ ଉପାସ ରହୁଥିଲେ, ତଇଳ ବିହୀନେ ଘରଣୀଙ୍କ ମୁଣ୍ତରୁ ଉକୁଣୀ ଝରୁଥିଲା ଭିକାରୀକୁ ଭିକ ମୁଠେ ଦେବାକୁ କଣ୍ଟରେ ଚାଉଳ ନଥିଲା ଅଖିମୁଠି ନେବାକୁ ମାଣେ କି କଣେ ଭୂମି ନଥିଲା–ସେମାନେ ଆଜି ନିଶରେ ହାତମାରି ତି’ତାଲା ପିଟିଲେଣି । ବାଟିକା ବାଟି ଜମିବାଡ଼ି କିଣିଲେଣି । ମିଲ୍‍ ବସେଇଲେଣି । ଗାଡ଼ି, ଘୋଡ଼ା, କିଣିଲେଣି । ମୋ’ ପୁଅ ଯଦି ବ୍ୟବସାୟ ବା କଣ୍ଟ୍ରାକ୍ଟରୀ କରିବ ତେବେ ତ ବହୁତ କିଛି କରିପାରିବ । ଏ ବିଶ୍ଵାସ ମୋର ଅଛି ।

 

ରୁକ୍ମଣୀ ଦେବୀ ଏଥର କହିଲେ–“କୁଲାକଚାଉଳ କୁକୁରକୁ ଦେଇ, ଖୁଦ ପୋଷକପାଇଁ ବାଉଳା ହେବା କଥା ଏ ।” କହିଲେ କୁଳ କୁଟୁମ୍ଵକୁ ଲାଜ, ନ କହିଲେ କୁଳ ଭାସିଯାଉଛି । ମୋ’ ଧନ କିଏ ଖାଉଛି–ମୋ’ ପୁଅ ପୁଣି ବ୍ୟବସାୟ, ବାଣିଜ୍ୟ କଣ୍ଟ୍ରାକ୍ଟି, କରିବ ନାହିଁ, ଆଉ କରିବ କିଏ-?

 

କାହିଁକି ?

 

ମୋର ଏବେ କୋଉ ନଅଟା ଛଅଟା ମାଡ଼ି ଯାଉଛନ୍ତି କି ? ହଂସ ମଧ୍ୟେ ବକ ଯଥା । ପାଞ୍ଚଟା ଝିଅରେ ଗୋଟିଏ ବୋଲି ପୁଅ, ଦିନେ ହେଲେ ଦେହ ଭଲ ନାହିଁ । ବାପ ଅଜାଙ୍କର ଯେତିକି ସଂପତ୍ତି ବିଷୟ ବାସନା ଅଛି ସେଥିରେ କ’ଣ ସେ ଚଳି ତା’ ପୁଅ ନାତି ଚଳି ପାରିବେ ନାହିଁ ?

 

ନା–ନା–

 

ମୁଁ ବଂଚି ଥାଉଁ ଥାଉଁ ତାକୁ କିଛି କରାଇ ଦେବିନାହିଁ କି କୁଆଡ଼େ ଛାଡ଼ିଦେବି ନାହିଁ ।”

 

ଭୁଜବଳବାବୁ ସ୍ଵଭାବ ସୁଲଭ ଭଂଗିରେ କହିବାକୁ ଆରମ୍ଭ କଲେ–ତୁମେ ଅର୍ଥକୁ ଅନର୍ଥ ବୁଝୁଛ ସିନା ମାତ୍ର ଏହାର ପରିଣାମ ପାଇଁ ତୁମେ ପୁରାପୁରୀ ଦାୟୀ ରହିବ । ତେବେ ମୁଁ ସୁକାନ୍ତର ବିବାହ କଥାରେ ରାଜି ହୋଇପାରେ, କେତୋଟି ସର୍ତ୍ତରେ।

 

–“ପୁଣି ସର୍ତ୍ତ କ’ଣ ?” ରୁକ୍ମଣୀ ରୂକ୍ଷ ଗଳାରେ ପଚାରିଲେ । ସର୍ତ୍ତ ହେଉଛି ଏୟା ଯେ, ପ୍ରଥମେ ସୁକାନ୍ତ ଜୀବନଧାରଣ ପାଇଁ କିଛି କର୍ମ କରୁ । ସେ କିଛି ଅଯୋଗ୍ୟ ନୁହେଁ । ବି କମ୍‍ ପାଶ୍‍କରିଛି ।

 

ତା’ପରେ–

 

ମୋର ଯେଉଁ ନାଆଁ ଅଛି, ସେ ତା’ର ସଦୁପଯୋଗ ବି କରିପାରିବ । ତୁମେ କହୁଛ ଆମର ଧନ ଅଛି । ୟା ବୋଲି ସେ କିଛି ନକରି, ତାସ, ପଶା ଖେଳି, ମଉଜ୍‍ ମଜଲିସ୍‍କରି ମୂଲ୍ୟବାନ ସମୟକୁ କଟାଇ ଦେବ ? ଯେଉଁ ସମୟ ପାଉଛି ସେ କ’ଣ ଆଉ ଫେରିଆସିବ ?

 

ପୁଣି–

 

ମୋର ଯେ ବୋହୂ ହେବ ସେ ଏକାଧାରରେ ରୂପ–ଯୌବନସଂପନ୍ନା ବିଶାଳ କୁଳସମ୍ଭବା ହୋଇଥିବ । ତା’ ନ ହେଲେ ପୁଅ ବାଡ଼ୁଅ ରହିବ ପଛେ, ମୁଁ ଯାହାକୁ ନାହିଁ ତାହାକୁ ଆଣି ବୋହୂ କରି ପାରିବି ନାହିଁ । ମୋର ନାମ ତଳେ ପଡ଼ିଯିବ ।

 

ତୁମ ଆଡ଼କଥାଟା ଉଠୁନଥିଲା ବୋଲି ମୁଁ କହୁ ନଥିଲି ।”

 

ହେଇ ନିଅ, ଦେଖ । ଆଲମାରୀ କାଢ଼ି ଥାକେ ଚିଠି ଆଣି ରୁକ୍ମଣୀ ଦେବୀଙ୍କ ହାତକୁ ବଢ଼ାଇ ଦେଲେ ଭୁଜବଳବାବୁ ସବୁଥିରେ ଗୋଟିଏ ଗୋଟିଏ ବିବାହ ପ୍ରସ୍ତାବ ରହିଛି । ରୁକ୍ମଣୀ ଦେବୀ ଗୋଟିକ ପରେ ଗୋଟିଏ ଚିଠି ପଢ଼ିବାକୁ ଆରମ୍ଭ କଲେ। ପ୍ରତି ଚିଠି ସହିତ ଆସିଥିବା ଫଟୋ ଓ ଜାତକ ଗୁଡ଼ିକ ମଧ୍ୟ ମନୋଯୋଗ ସହିତ ଲକ୍ଷ୍ୟକଲେ ।

 

କିଏ ଯଦି ଲେଖିଛି–“ମହାଶୟ, ମୋର ଗୋଟିଏ ବୋଲି ଝିଅ । ଆଗକୁ ନାହିଁ ନା ପଛକୁ ନାହିଁ ଅତି ଅଲିଅଳରେ ବଢ଼ିଛି। ପାଠ ବେଶି ନ ପଢ଼ିଥିଲେ ମଧ୍ୟ ସଭା ସମିତିରେ ଭଲ କହିପାରେ, ଗୀତ ଗାଇ ପାରେ । ଆପଣ ତାକୁ ବୋହୂକଲେ ଭାରି ଭଲ ହୁଅନ୍ତା ।

 

କିଏ ତେବେ ଲେଖିଛି–“ସାତ ପୁଅରେ ମୋର ଗୋଟିଏ ଝିଅ, ଦେଖିବାକୁ ଅପସରା ଭଳି । ଅନ୍ୟ ଝିଅଭଳି ସେ ଫୁଲଫାଙ୍କିଆ ନୁହେଁ, ସକାଳୁ ସଂଜଯାଏ ତାକୁ ତର ନଥାଏ । ଘରର ସବୁକାମ କରିପାରେ । ତା’ ମାର ଭାରି ଇଛା ଆପଣଙ୍କ ଘରେ ବଂଧୁ ବାଂଧିବାକୁ ।”

 

କିଏ ପୁଣି ଲେଖିଛି–“ଆମର ଝିଅ ନାହିଁ ନା ପୁଅ ନାହିଁ । ପୁଅଟି ଆଣିଛୁ ବଡ଼ ଭଉଣୀ ଠାରୁ । ଝିଅଟିଏ ଆଣିଛୁ ସାନ ଭଉଣୀ ଠାରୁ । ଏ ବର୍ଷ ମାଟ୍ରିକ ପାଶ୍‍ କଲା । ଝିଅ ଘିଅ । ବେଶି ଦିନ ରଖି କି ଲାଭ ? ତାକୁ ବିଭା କରି ଦେଲେ ଆମେ ନିଶ୍ଚିନ୍ତ ହେବୁ । ଯାହା ସମ୍ପତ୍ତି ବାଡ଼ି ଆମର ଅଛି ତାକୁ ଦି ଭାଗେ କରି ଦେବୁ । ପୁଅର ଅଧେ, ଝିଅର ଅଧେ । ସମସ୍ତେ କହୁଛନ୍ତି ଆପଣଙ୍କ ପୁଅ ସାଙ୍ଗରେ ତା’ର ବିବାହ ହେଲେ ଭାରି ଭଲ ହୁଅନ୍ତା ।”

 

ଏହିପରି ଅନେକ ଚିଠି ଆସିଛି । ଶେଷରେ ଜଣେ ଲେଖିଛି–“ମୁଁ ଜାଣେନା ଆପଣ ଆମ ସହିତ ବନ୍ଧୁ ବାନ୍ଧିବାକୁ ପସନ୍ଦ କରିବେ କି ନାହିଁ ? ଯୋଗ କଥା । ତେବେ ଆମେ ଯାହା ଜାଣୁଛୁ ଆପଣ ସବୁ କଥା ଜାଣିଲେ ନିଶ୍ଚୟ ରାଜି ହେବେ । ଆମେ ଗରୀବ ଲୋକ । ବେଶି କିଛି ଦେଇ ପାରିବୁ ନାହିଁ । ତୁଳସୀପତ୍ର ଓ ପାତ୍ରଟୀ କେବଳ ଦେବୁ । ଝିଅ ଆମର ସବୁ ଗୁଣରେ ପରିପୂର୍ଣ୍ଣ । ରନ୍ଧାବଢ଼ା, ଭଲ କରି ପାରେ । ସେ ଅନ୍ୟ ଝିଅ ଭଳିଆ ନୁହେଁ । ନିଜ କାମ କରିବାକୁ ନିଜେ ସେ ଭାରି ଭଲପାଏ । କୂଅରୁ ପାଣି କାଢ଼େ । ଢ଼ିଙ୍କିରେ ଚଢ଼ି ଧାନ କୁଟେ ।

 

ଏ ବର୍ଷ ବି: ଏ ପାଶ କଲା । ଭାରି ସାଧାସିଧା । ନାଆଁ ସୁକାନ୍ତୀ । ଆପଣଙ୍କ ପୁଅ ନାଆଁତ ସୁକାନ୍ତ । ଦୁଇଜଣଯାକ ଭାଇ ଭଉଣୀ ଭଳି ଦେଖାଯାନ୍ତେ । ଫଟୋ ଖଣ୍ତେ ତା’ର ପଠାଉଛି ଦେଖିବେ । ଭାରି ଲାଜକୁଳୀ । ମତାମତ ଜଣାଇବେ ।” ଏହି ଶେଷ ଚିଠିଟି ପଢ଼ିଲାବେଳେ ରୁକ୍ମଣୀ ଦେବୀ ମୁରୁକି ମୁରୁକି ହସିଲେ । ଭୁଜବଳବାବୁ ପଚାରିଲେ–“କ’ଣ କି?”

 

–“ମୋ କଥା କୋଉ ରହିବ ଯେ ?”

 

–“ରହିବା କଥା ହୋଇଥିଲେ ରହିବ ନାହିଁ କାହିଁକି ?”

 

“ହେଇ, ଏଇ ପିଲାଟିକୁ ଆମର ବୋହୂ କରିବା । ‘ନାଆଁଟି ଶୁଣ ସୁକାନ୍ତୀ । କେଡ଼େ ସୁନ୍ଦର । ସୁକାନ୍ତ ସାଙ୍ଗକୁ ସୁକାନ୍ତୀ ଭାରି ମାନିବ । ପୁଣି ଫଟୋଟି ଦେଖିଲ । ଗୋଟିଏ ଚାଉଳରେ ଗଢ଼ା । ପାଶ କରିଛି ବି:ଏ । ସବୁ ଗୁଣରେ ପରିପୂର୍ଣ୍ଣ । ସେ ଆସିଲେ ଆମ ଘର ହସି ଉଠିବ । ସୁକାନ୍ତକୁ ବି ଠିକ୍‍ ବାଟରେ ପକାଇ ଦେବ । ଖାଲି ଜାତକଟା ମେଳ ହେଲେ ହେଲା ।

 

ଭୁଜବଳବାବୁ ବ୍ୟଙ୍ଗ ସୂଚକ ଗଳାରେ “ହୁଁ”ଟିଏ ମାରି, ନାକ ଟେକି ମୁହଁ ବୁଲାଇ ନେଲେ-

 

ଏତିକି ବେଳେ ପଦାରୁ ଶୁଭିଲା ମା ଅଛନ୍ତି, ମା ?

 

କିଏ ?

 

ଆଜ୍ଞା–ମୁଁ ପାଣୁଆ ଅବଧାନ ।

 

ଆସ, ଆସ, ତୁମେ ବହୁତ ଦିନ ବଂଚିବ ହେ ଅବଧାନ । ଯୋଗକୁ ବାହ୍ମା ଖଟେ ନାହିଁ । ତୁମରି କଥା ପଡ଼ୁ ପଡ଼ୁ ତୁମେ ଆସି ପହଞ୍ଚି ଗଲାଣି ।

 

ପ୍ରଭୁ ଜଗନ୍ନାଥ, ହେ ମା କଟକଚଣ୍ତୀ ! ରାଜଯୋଟକ ପଡ଼ନ୍ତାକି । ସୁକାନ୍ତ ଆଉ ସୁକାନ୍ତୀର ଜାତକ ଦି’ଖଣ୍ତି ବଢ଼ାଇ ଦେଲେ ରୁକ୍ମଣୀ ଦେବୀ ପାଣୁ ଅବଧାନ ଆଡ଼କୁ ।

 

ପାଣୁ ଅବଧାନ ଦେଖୁ ଦେଖୁ ବଡ଼ପାଟିରେ ହୋ ହୋ କରି ହସି ଉଠିଲେ । ରାଜଯୋଟକ, ରାଜଯୋଟକ ପଡ଼ିଛି ମା’ ଜୟଗୁଋ ଜୟଗୁଋ, ଖିରି ପିଠାର ଯୋଗଅଛି ନିଶ୍ଚୟ ଏଥର ।

 

ମା’ ମୋର ପୁର୍ବରୁ ବାକିଥିବା ପାଟ ଯୋଡ଼ଟି ଯେମିତି ଏଥର ମିଳେ । ମୁଁ ଅଳ୍ପ ଦାମିକିଆ ଯୋଡ଼ ଜମା ନେବି ନାହିଁ । ଜାଣିଥା ‘ମା’ ମୋତେ ଠକାଠକି କଲେ ମୋ’ମନ ଭାରି କଷ୍ଟ ହେବ ।

 

ରୁକ୍ମଣୀ ଦେବୀଙ୍କର ମନର ଆନନ୍ଦ କହିଲେ ନ ସରେ । ପାଦ ଯୋଡ଼ିକ ତଳେ ଲାଗୁନି-

 

ମା’ଆ !

 

ମା’ଆ ବୋଲି ଯେଉଁ ଦୁଇଟି ଅକ୍ଷର ସେଭଳି ପଦାର୍ଥ ଆଉ ପୃଥିବୀରେ କେଉଁଠି ମିଳିବ ନାହିଁ । ମା’ ଯାହାର ନାହିଁ । ସାହା ତାହାର ନାହିଁ । ପୁଅଝିଅର ବିବାହ କଥା ଶୁଣିଲେ ଗର୍ଭଧାରିଣୀ ଜନନୀ ଯେତେ ଆନନ୍ଦିତା ହୁଏ–ତାହା କେବଳ ଅନୁଭବୀ ଜାଣେ ସଂତାନଟି ପାଇବାପାଇଁ କେତେ ଓଷା, ଉପାସ କରେ । ଦିଅଁ ପୂଜେ । ଶିବ ସେବେ ।

 

ବାସ୍ତବିକ ।

 

ଯା’ କୋଳରେ ଶିଶୁଟି ହସେ ନାହିଁ, ତା’ର ସେ କୋଳ ନୁହେଁ । ଯା ଘରେ ପିଲାଟି ଖେଳେ ନାହିଁ ସେ ଘର, ଘର ନୁହେଁ ଶ୍ମଶାନ ।

 

ଘର ସଂସାରରେ ପଶିଲାବେଳେ ଯେ କୌଣସି ନାରୀ ଭରା ଯୌବନର ଉନ୍ମାଦନାରେ ବିଭୋରା ହୋଇଥାଏ । ରଂଗିନୀ ସ୍ଵପ୍ନରେ ମନ ଫାଟି ପଡ଼ୁଥାଏ । ପରିଣୟ ପରେ ପରେ–ପ୍ରଣୟର ମଦର ନିଶାରେ କିଛି ଦିନ ଯାଏ ବିହ୍ଵଳ ହୁଏ । ମିଳନର ବଂଶୀ ମୂହୁର୍ତ୍ତେ ନିରବ ହେଲେ ଛାତିରେ ଛନକା ପଶେ । ଜାତି କୂଳ ଉପେକ୍ଷି ଦେବାକୁ ମନ ହୁଏ । ବିରହାଗ୍ନି ଧୂ ଧୂ ଜଳିଉଠେ ।

 

ଚକୁଆ ସଙ୍ଗରେ ଚକୋଇଟି, ଫୁଲ ସଙ୍ଗରେ ଭଅଁରଟି ଦେଖିଲାମାତ୍ରେ ମନରେ ଭାବାନ୍ତର ଯାତହୁଏ । ଆସଙ୍ଗ ଲିପ୍‍ସାରର ଜୁଆର ମନ ପ୍ରାଣରେ ମାଡ଼ିଯାଏ ।

 

ସକାଳ ଯାଏ, ସଂଧ୍ୟା ଆସେ । ସଂଧ୍ୟା ଯାଏ ସକାଳ ଆସେ । ନୂଆ ପୁରୁଣା ହୁଏ । ସଜଫୁଲ ବାସି ହୋଇଯାଏ । ଗନ୍ଧ ସରିଯାଏ । ମନ ମରିଯାଏ ।

 

ମାୟା ଜଞ୍ଜାଳର ଢେଉ ମାଡ଼ିଆସେ । ପିଲାଟିର ଅଭାବ ଅନୁଭୂତ ହୁଏ । ମନ ଆଉ କେଉଁଠି ଲାଗେନାହିଁ । ମାତୃତ୍ଵ ଗୁମୁରି ଉଠେ । ନାରୀ ଜନ୍ମର ଅସାରତା ବେଶ୍‍ ଉପଲବ୍ଧି କରିହୁଏ । ପରେ ପିଲାଟି ଦେଖିଲାମାତ୍ରେ ମନ ଖାଲି କ’ଣ ହୋଇଯାଏ । ଅଜଣାରେ ଆଖିରୁ ଲୁହ ଗଡ଼ି ପଡ଼େ ।

 

କେତେବେଳେ ଯଦି ଡାକ୍ତର ପାଖକୁ ଦଉଡ଼େ କେତେବେଳେ କବିରାଜ ପାଖକୁ । କେତେବେଳେ ପୁଣି ଗ୍ରାମ ଦେବତୀ ପାଖକୁ ମାଜଣା ନେଇ ଯାଏ–କେତେବେଳେ ତେବେ ଚମ୍ପା, ବେଲପତ୍ରୀ ନେଇ ମହାଦେବଙ୍କ ପାଖକୁ ଦଉଡ଼େ । କିଛି ସଂଦେହ ହେଲେ, ଗଣକକୁ ଡାକି ହାତ ବା କୋଷ୍ଠି ଦେଖାଏ ।

 

ଅଶନ, ବସନ ବିଷତୁଲ୍ୟ ଲାଗେ । ଆଖିରୁ ନିଦ ଉଭେଇ ଯାଏ । ସେଇ ଏକ କଥା । ଏକଚିନ୍ତା ! ପ୍ରଭୁ କ’ଣ ମୋ ଦୁଃଖ ବୁଝିବେ ନାହିଁ, ମୋ’ କୋଳ ଆଉ ହସିବ ନାହିଁ ? ଯେତେବେଳେ ମାତୃତ୍ଵର ଶୁଭ ସଙ୍କେତରେ, ଦେହ ଛାଇ ହେଇଯାଏ–ସେତେବେଳେ ମା’ର ମନରେ ଯେଉଁ ଆନନ୍ଦ ଜାତହୁଏ–ସେ ଆନନ୍ଦ ସମ୍ରାଟ ପାଇବ କେଉଁଠି ?

 

ତା’ପରେ ପ୍ରଶ୍ନ ଉଠେ ପୁଅ କି ଝିଅ ?

 

ସେଥିରେ ପୁଣି ମନ ଆହୁରି ଦୁଃଖହୁଏ । ନାନା ଲୋକେ ନାନା–ମନ୍ତବ୍ୟ କରନ୍ତି କିଏ ଯଦି କହିଲାଣି, ଲକ୍ଷଣରୁ ଜଣାଯାଉଛି ପୁଅଟିଏ ହେବ । କିଏ ତେବେ କହିଲାଣି–ନା ଝିଅଟିଏ, ଥାଉ ତେବେ । କିଏ ଯଦି କହିଲାଣି ପ୍ରଥମେ ଝିଅ ହେବା ଭଲ । ଏହିପରି କାହାରିକଥା କାହାରି ସଙ୍ଗରେ ମିଳେ ନାହିଁ ।

ଦିନ ଗଡ଼ି ଚାଲେ ।

ଶିଶୁଟି ଭୂମିଷ୍ଟ ହେଲାପରେ ଦଶମାସର ଦାରୁଣ ଗର୍ଭକଷ୍ଟ ଜନନୀର ନିମିଷକରେ ମନରୁ ଲିଭିଯାଏ । ସବୁ ଦ୍ଵନ୍ଦ୍ଵରେ ପୂର୍ଣ୍ଣଚ୍ଛେଦ ପଡ଼େ । ହେଉ ପୁଅ ବା ହେଉ ଝିଅ । ସେଥିପାଇଁ ସେ ତିଳେ ହେଲେ ମନ କଷ୍ଟ କରେ ନାହିଁ କି କାହାରି କଥା ଶୁଣେନାହିଁ ।

ପ୍ରକୃତରେ–

ଯେଉଁ ଘରେ ପିଲା ନାହିଁ–ସେ ଘର, ଘର ନୁହେଁ ।

ଏଥର ରୁକ୍ମଣୀ ଦେବୀ ପଚାରିଲେ କ’ଣ ସବୁତ ଠିକ୍‍ ଠାକ୍‍ ହୋଇଗଲା ଆଉ ଏବେ କ’ଣ କହୁଛ ?

ହଁ–ମୁଁ ବ୍ରଜରାଜପୁରର ମକର ମହାନ୍ତି ଝିଅ ସୁକାନ୍ତୀ ସହିତ ମୋ’ ପୁଅର ବିବାହ ଦେବି-? ଏହା କଦାପି ହୋଇପାରିବ ନାହିଁ । ଆକାଶ ପଛେ ଛିଣ୍ତୁ, ବସୁଧା ପଛେ ଫାଟୁ, ମୁଁ ଏଥିରେ କୌଣସି ମତେ ସମ୍ମତ ହୋଇପାରିବିନାହିଁ । ଯା’ ବାପ ମୋ’ ଘରେ ଚାକିରୀକରି ପେଟ ପୋଷୁଥିଲା, ମୁଁ ତା’ ଘରେ ବଂଧୁ ବାନ୍ଧିବି ? ଲୋକେ ମୋତେ କହିବେ କ’ଣ ?

ମୁଁ ଯାହାକୁ ଡାକେ–‘ମକର’ ମୁଁ ତାକୁ ସମୁନ୍ଧି କହି ପାଖରେ ବସାଇବି କେମିତି ? ଏକା ସୀଙ୍ଗରେ ଖାଇବି କେମିତି ? ମାନ ସମ୍ମାନକୁ ତଳେ ପକାଇ ପିତୃପୁରୁଷକୁ ଅହିନର୍କକୁ ଠେଲିବି କେମିତି ?

 

ଏହା କଦାପି ହୋଇ ନ ପାରେ ।

“ମୋର କେଉଁ କଥା ରହେ ଯେ ଏ କଥା ରହିଥାନ୍ତା ? ଅଭିମାନଭରା ଗଳାରେ ରୁକ୍ମଣୀ ଦେବୀ କହିଲେ ।

ଏଠାରେ ଅଭିମାନର ପ୍ରଶ୍ନ ଉଠୁନାହିଁ । ପ୍ରଶ୍ନ ଉଠୁଛି ମାନ, ସମ୍ନାନ, ଟଙ୍କା ପଇସା, ଧନ ଯୌତୁକ, ବଂଶ ମର୍ଯ୍ୟାଦା ଉପରେ–ଭୁଜବଳବାବୁ ଦାଂଭିକତା ପ୍ରକାଶ କଲେ ।

ପୁଅ ଯାହାକୁ ଘେନି ସଂସାର କରିବ, ଯେ ଆସିଲେ ଘର ହସିବ, ତାକୁ ସିନା ପୁଅ ବାହାହେବ–ଆଉ କ’ଣ ଟଙ୍କା ପଇସା ଯାନିଯୌତୁକକୁ ବାହା ହେବ ?

ରୁକ୍ମିଣୀ ଦେବୀ ଟିକିଏ ମୁରୁକି ହସା ଦେଇ ଆସିଲେ । ଭୁଜବଳବାବୁ କହିଲେ–“ତୁମେ ଜିତିଲ ମୁଁ ହାରିଲି, ଏବେ ବିବାହର ଯୋଗାଡ଼ କର । ତୁମ ଉପରେ ସବୁ ଭାର, ମୁଁ କେବଳ ନିମିତ୍ତ ମାତ୍ର ।

ମୋତେ ଯେତେବେଳେ ଯେଉଁ ହୁକୁମ ଦେବ–ସେତେବେଳେ ମୁଁ ତାହା କରିବି ।”

ରୁକ୍ମଣୀ ଦେବୀଙ୍କ ମୁହଁରେ ବିମଳ ହସ ରେଖା ଦେଖାଦେଲା ।

ତିନିମାସ ହେଲା ବିବେକାନନ୍ଦ ଜେଲ ଯାଇଛି । ତାକୁ କେଉଁ ଏକ ଅଜଣା ଜେଲକୁ ନିଆ ଯାଇଛି । ଜନ ସାଧାରଣ ବିବେକାନନ୍ଦର ମୁକ୍ତି ଦାବୀ କରି ବଡ଼ ଉତ୍‍କ୍ଷିପ୍ତ ଅବସ୍ଥାରେ ରହିଛନ୍ତି । କେତେବେଳେ ଯେ କ’ଣ ଘଟିବ ତାହା କେହି କେହି ପାରିବେ ନାହିଁ ।

 

ବିବେକାନନ୍ଦ ବିରୁଦ୍ଧରେ ରାଷ୍ଟ୍ରଦ୍ରୋହ ଅଭିଯୋଗ କରାଯାଇଛି । ସେ ସବୁବେଳେ ଶାସକ ଓ ଶାସନ ବିରୁଦ୍ଧରେ ଲେଖନୀ ଚାଳନା କରୁଛି । ବାରୁଦ ସ୍ତୁପରେ ନିଆଁ ଲଗାଇଲା ଭଳି, ତା’ର ଲେଖାଗୁଡ଼ିକ ଜନସାଧାରଣଙ୍କ ମନରେ ବିଦ୍ରୋହବହ୍ନିର ବୀଜ ବପନ କରୁଛି । ଲୋକମାନେ ଉତ୍ତେଜିତ ହୋଇ ଟେଲିଗ୍ରାମ ଲାଇନ କାଟୁଛନ୍ତି, ସରକାରୀ ଅଫିସରେ ନିଆଁଲଗାଇ ଦେଉଛନ୍ତି, ସବୁବେଳେ ଶାନ୍ତି ଭଙ୍ଗ ଲାଗି ରହିଛି ।

 

ବିଦେଶୀ ରାଷ୍ଟ୍ରମାନଙ୍କରେ ବିବେକାନନ୍ଦର ଲେଖା ଘେନି ଭୀଷଣ ପ୍ରତିକ୍ରିୟା ଦେଖା ଦେଇଛି । ବିଭିନ୍ନ ଖବର କାଗଜମାନ କଟୁ ମନ୍ତବ୍ୟ କରୁଛନ୍ତି । ଏହାଦ୍ଵାରା ଇଂରେଜ ରାଜତ୍ଵର ବଦନାମୀ ହେଉଛି । ଶତ୍ରୁ ଦେଶମାନେ ଏହାର ସୁଯୋଗ ନେଉଛନ୍ତି । ଔପନିବେଶିକବାଦର ମୂଳଦୁଆ ଦୋହଲି ଯାଉଛି ।

 

ତେଣୁ–

 

ତା’ର ବହିଗୁଡ଼ିକ ବ୍ୟାଜାପ୍ତ କରାଯିବା ସଙ୍ଗେ ସଙ୍ଗେ ତାକୁ ଜେଲ ଦଣ୍ତ ଦିଆ ଯାଇଛି । ଏହି ଅବସରରେ ବିବେକାନନ୍ଦର ମତ ପରିବର୍ତ୍ତନ ପାଇଁ ନାନାଦି ଅପକୌଶଳ ପ୍ରୟୋଗ କରାଯାଇଛି । ମୂଲ୍ୟବାନ ଉପଢୌକନ ଠାରୁ ବିଲାତରେ ଉଚ୍ଚଚାକିରୀ ପର୍ଯ୍ୟନ୍ତ ଯଚା ଯାଉଛି । ତା’ର ଦୃଢ଼ ଜାତୀୟତା ବୋଧ ଉପରେ ନିର୍ମମ କୁଠାରାଘାତ କରିବାପାଇଁ ନାନା ରକମର ମୋହ ଦେଖାଯାଉଛି । ବିବେକାନନ୍ଦ କେଉଁଥିରେ ପରିବର୍ତ୍ତନ ହେଲା ଭଳି ଦେଖାଯାଉନି ?

 

କେମିତି ବା ପରିବର୍ତ୍ତନ ହେବ ?

 

ଯାର ଲେଖନୀ ଅସୀଠାରୁ ବଳୀଆର । ଯିଏ ଧରାକୁ ସ୍ଵର୍ଗରେ ପରିଣତ କରିପାରେ, ଯିଏ ଅକାଳରେ ମଳୟାନୀଳର ସଂଚାର କରିପାରେ, ମଡ଼ା ଦେହରେ ଜୀବନ ପୁରାଇ ପାରେ, କୋଟିକର ଆଶା, ଆଶ୍ଵାସନାର ପ୍ରତୀକ ହୋଇ ଜନ୍ମ ହୋଇଛି ଯିଏ–ସେ ପରିବର୍ତ୍ତନ ହେବ କେମିତି ?

 

ସେ ଗୋଟିଏ ଯିଦ୍‍ ଧରିଛି–“ମରିବୁ ନଚେତ୍‍ କାର୍ଯ୍ୟ ସାଧନ କରିବୁ ।”

 

ଆମେ ଆଉ ମଶା, ମାଛି ପରି ରୋଗ, ଶୋକରେ ମରି ପାରିବୁ ନାହିଁ । ପର ଅଧୀନରେ ରହି ଅସରନ୍ତି ଯାତନା ଭୋଗ କରି ପାରିବୁ ନାହିଁ । ନିଜ ଦେଶରେ, ନିଜ ଗାଆଁରେ, ନିଜ ଘରେ ବିଦେଶୀ ହୋଇ ଚଳି ପାରିବୁ ନାହିଁ । ଶ୍ଵାନ ପରି ପରର ପଦ ଲେହନ କରି ନିଜତ୍ଵକୁ ବର୍ଜନ କରି ପାରିବୁ ନାହିଁ । ଚାଳିଶକୋଟି ଜନତା ମୁଖରେ ହସର ରେଖା ଫୁଟାଇବୁ । ରୋଗ, ଋଣ, ଶତ୍ରୁ ଦାଉରୁ ମୁକ୍ତ ହେବୁ । ଘିଅ ମହୁରେ ଏ ଦେଶକୁ ଭସାଇବୁ ।

 

ଆମ ଦେଶର ଶାସନ ଆମେ କରିବୁ । ଆମ ଦେହରେ ବିନ୍ଦୁଏ ରକ୍ତ ଥିବାଯାଏ, ଆମେ ଲଢ଼ିବୁ । ପରାଧିନତାକୁ କଦାପି ବରଦାସ୍ତ କରି ପାରିବୁ ନାହିଁ ।

 

ସରକାର ବଡ଼ ବିବ୍ରତ । ପୋଲିସ୍‍ ମଝିରେ ମଝିରେ ବିବେକାନନ୍ଦର ଘର ଖାନତଲାସ କରୁଛନ୍ତି ।

 

ଅଳକା ଛୋଟ ଛୋଟ ପୁଅ ଝିଅ ଦୁଇଟିଙ୍କୁ ନେଇ ସେଇମିତି ଓଳିଏ ଖାଇ ଓଳିଏ ପେଟରେ ଓଦାକନା ଦେଇ ଚଳୁଛି । ସେଥିପାଇଁ ତା’ ମନରେ ଆଦୌ ଚିନ୍ତା ନାହିଁ । ତା’ର ଗର୍ବ ଯେ ତା’ର ସ୍ଵାମୀ ଦଶ ଓ ଦେଶ ଲାଗି ବୀର ପରି ହସି ହସି ଜେଲ ବରଣ କରିଛନ୍ତି । ସମୟ ଆସିବ । ଯେତେବେଳେ ସବୁ ଦୁଃଖ, ନିର୍ଯ୍ୟାତନା ଅଦିନ କୁହୁଡ଼ି ଭଳି ଉଭେଇ ଯିବ । ଚାଳିଶ କୋଟି ଜନତା ପରାଧିନତାରୁ ମୁକ୍ତ ହୋଇ ସ୍ଵାଧୀନତାର ସ୍ଵାଦ ଅନୁଭବ କରିବେ । ସେତେବେଳେ ନିଶ୍ଚୟ ତାର ସ୍ଵାମୀଙ୍କ ଚଲା ପଥରେ ଫୁଲ ଚନ୍ଦନ ବୃଷ୍ଟି ହେବ ।

 

ସେ ମଧ୍ୟ ସ୍ଵାମୀଙ୍କ ପଥ ଅନୁସରଣ କରିବ ।

 

ଜୀବନର ସମ୍ଭାବନକୁ ତୁଚ୍ଛ ମନେ କରି ଜାତୀୟତାର ପ୍ରବଳ ପ୍ରବାହରେ ନିଜକୁ ଭସାଇ ଦେବ । ସେ ବି ବିପ୍ଳବର ନିଆଁ ଜାଳି ଦେବ । ବିଦ୍ରୋହର ଝଡ଼ ଛୁଟାଇ ଦେଇ, ମୁକ୍ତିର ପଥ ସୁଗମ କରିବ । ବିଦେଶୀ ଜିନିଷ ବର୍ଜନ କରିବ । ଅନ୍ୟାମାନଙ୍କୁ ଏଥିପାଇଁ ପ୍ରବର୍ତ୍ତାଇବ । ତା’ ବୟସର ମା’ ମାଉସୀମାନଙ୍କୁ ସ୍ଵାଧୀନତା ଆନ୍ଦୋଳନରେ ହସି ହସି ଝାସ ଦେବାପାଇଁ କାନେ କାନେ ବୁଝାଇବ ।

 

ସ୍ତ୍ରୀ ଓ ପୁରୁଷ ।

 

ଉଭୟଙ୍କୁ ନେଇ ସମାଜ । ଉଭୟେ ପ୍ରତି କ୍ଷେତ୍ରରେ ଅଣ୍ଟା ନ ଭିଡ଼ିଲେ କିଛି ହୋଇ ପାରିବ ନାହିଁ ।

 

ଦେଶର ଦୁର୍ଦ୍ଦିନ, ଜାତିର ଦୁର୍ଭାଗ୍ୟ ବେଳେ କି ଆବାଳବନିତା ସମସ୍ତଙ୍କୁ ଗୋଡ଼ ପୋତି ଠିଆ ହୋଇ ‘ଜୟ ଭାରତ ଜନନୀର ଜୟ’ ବୋଲି କହିବାକୁ ହେବ । ସେତୁବନ୍ଧରେ ଗୁଣ୍ତୁଚି ମୁଷା ଭାଗ ନେଲା ପରି ଏ ବେଳରେ ସମସ୍ତେ ନିଜ ନିଜର କ୍ଷୁଦ୍ର ସ୍ଵାର୍ଥକୁ ବଳି ଦେଇ ଦେଶ ମାତୃକାର ସେବାରେ ଆତ୍ମୋତ୍ସର୍ଗ କରିବାକୁ ହେବ । ତା’ ନ ହେଲେ କେବଳ ଗାନ୍ଧି, ଜବାହାର, ସୁବାଷ, ଚିତ୍ତରଞ୍ଜନ, ମୋତିଲାଲ, ଗୋପବନ୍ଧୁ ପ୍ରଭୃତି କିଛି କରି ପାରିବେ ନାହିଁ । ସେମାନେ ସିନା ନେତୃତ୍ଵ ଦେବେ, ମାତ୍ର ତାକୁ ବାସ୍ତବ କ୍ଷେତ୍ରରେ, କାର୍ଯ୍ୟରେ ପରିଣତ କରିବ କିଏ ?

 

ପ୍ରାଣଠାରୁ ସ୍ଵାଧୀନତା ବଡ଼ । ସେହି ସ୍ଵାଧୀନତା ଲାଭ କରିବା ପାଇଁ ତା’ର ସ୍ଵାମୀ ଯାହା କରିଛନ୍ତି, ସେ ତାକୁ ଦୃଢ଼ ଭାବରେ ସମର୍ଥନ କରେ । ସେଥିପାଇଁ ତା’ର ତିଳେ ହେଲେ ଶୋଚନା ନାହିଁ । ଦଶଦେଶ ପାଇଁ ଲଢ଼ୁ ଲଢ଼ୁ ବୀରପରି ହସି ହସି ବନ୍ଧୁକ ମୂନରେ ହେଉ ବା ଫାଶୀ କାଠରେ ହେଉ, ମରିବା ବରଂ ଶ୍ରେୟସ୍କର, ମାତ୍ର କା ପୁରୁଷ ପରି ଡରିହରି, ପରାଧୀନତା ଶୃଙ୍ଖଳରେ ବାନ୍ଧି ହୋଇ ଜୀବନ ଥାଉଁ ଥାଉଁ ପ୍ରତିକ୍ଷଣରେ ପଳ ପଳ ହୋଇ ମରିବା ଦୁର୍ବିସହ ଭୟଙ୍କର ।

 

ମଣିଷର ପାଣି, ପବନ ଆଲୋବ ଉପରେ ଯେପରି ଅଧିକାର ସେହିପରି ବଂଚି ରହିବାରେ, ସ୍ଵାଧୀନତାର ସ୍ଵାଦ ଲାଭ କରିବାରେ, ତା’ର ଜନ୍ମଗତ ଅଧିକାର । ତାକୁ ଏ ଅଧିକାରରୁ କେହି ବଞ୍ଚିତ କରି ପାରିବ ନାହିଁ । ଯେତେବେଳେ ଏହି ପୁଣ୍ୟ ଅଧିକାର ଉପରେ ଆଂଚ ଆସିଛି, ସେତେବେଳେ ବିଦ୍ରୋହ, ବିପ୍ଳବ ରକ୍ତାକ୍ତ ଯୁଦ୍ଧର ସୂତ୍ରପାତ ହୋଇଛି ।

 

ସାତ ସମୁଦ୍ର ତେରନଇ ପାରି ହୋଇ ଆସି ଆମରି ଘରେ ପଶି, ଆମରି ଉପରେ ଶାସନକରି ବିଦେଶୀ ସରକାର ଯାହା ଇଚ୍ଛା ତାହା କରୁଥିବେ, କେହି କିଛି କହିବେ ନାହିଁ ? ହାତରେ ବଂଧୁକ ଖଣ୍ତେ ଧରିବା ଦୂରର କଥା, ବାଡ଼ି ଖଣ୍ତେ ଧରିବା ପାଇଁବି ଅନୁମତି ଲୋଡ଼ା ।

 

ତେବେ ଥୋକେ ଲୋକ ତା’ର ସ୍ଵାମୀ ଜେଲ ଯିବାଟାକୁ ପସନ୍ଦ କରୁନାହାନ୍ତି । ବିଦ୍ରୂପକରି ହାଡ଼ଜଳା କଥା କହୁଛନ୍ତି । ନାକରେ ନିମକାଠି ଗୁଞ୍ଜି ହସୁଛନ୍ତି । ସେଥିପାଇଁ ଚିନ୍ତା କ’ଣ-?

 

ସବୁଯୁଗରେ–

 

ସବୁଦେଶରେ ଏଭଳି ଦଳେ ଲୋକ ଜନ୍ମ ହୁଅନ୍ତି । ସେମାନେ ବିଶ୍ଵାସଘାତକତାର ପ୍ରତିନିଧିତ୍ଵ କରନ୍ତି । ନିଜର ସ୍ଵାର୍ଥପାଇଁ ସବୁକିଛି ସେମାନେ କରିପାରନ୍ତି । ଘଡ଼ିକେ ଘୋଡା ଛୁଟାଇ ଦିଅନ୍ତି । ନୋହିଲା କଥାକୁ ହୋଇଲା କରନ୍ତି । ସ୍ଥାନ କାଳ, ପାତ୍ର ଜ୍ଞାନ ସେମାନଙ୍କର ନଥାଏ । ନିଜର ସୁଖ ସମ୍ଭୋଗ ପାଇଁ ପରପଦଲେହନ ଠାରୁ ଆରମ୍ଭକରି, ନିଜର ସହଧର୍ମ୍ମିଣୀ, ଅଲିଅଳୀ ଷୋଡ଼ଶୀ ଦୁହିତାକୁ ଅନ୍ୟ ହାତରେ ଉତ୍ସର୍ଗି ଦେବାକୁ ତିଳେହେଲେ କୁଣ୍ଠାବୋଧ କରନ୍ତି ନାହିଁ । ଇତିହାସର ସାମନ୍ତ ସନ୍ଧିକୁ ପ୍ରଥମେ ନିଜାମ ଗ୍ରହଣ କଲାଭଳି ସେମାନେ ପ୍ରଥମେ ନାନାଦି ଅନ୍ୟାୟ ଅର୍ନୀତି କଥାକୁ ସାଦରେ ଗ୍ରହଣ କରନ୍ତି । ସବୁବେଳେ ପରନିନ୍ଦା ଗାଇ ଘର କଥା ପଦାରେ କହି, ଅନ୍ୟକୁ ଅସୁବିଧାରେ ପକାଇ ରାୟ ବାହାଦୁର, ଖାଁ ବାହାଦୂର ଉପାଧିରେ ଭୁଷିତ ହୁଅନ୍ତି, ଏଥିରେ ବିସ୍ମିତ ହେବାର କ’ଣ ଅଛି ?

 

ଏ ଦେଶରେ ତ’ ପୁଣି ଜୟଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ ? ଏ ଦେଶରେ ତ’ ପୁଣି ଶିଖିମନାଇ ଜନ୍ମଗ୍ରହଣ କରିଥିଲେ ? ଏହି ଦଳଟି ହେଉଛନ୍ତି ପରାଙ୍ଗପୁଷ୍ଟ ମଲାଙ୍ଗ । ପୁରୀଷକୀଟ, ଏମାନଙ୍କର ମାନ ସମ୍ମାନପ୍ରତି ଆଦୌ ଖାତର ନ ଥାଏ । ଆପେ ଜୀଇଲେ ବାପର ନାଆଁ ନୀତିରେ ପରିଚାଳିତ ହୁଅନ୍ତି ।

 

ଯାହାହେଉ ତା’ର ସ୍ଵାମୀ ତ’ ଚୋରୀ, ଡକାଇତି କରି ଜେଲ ଯାଇ ନାହାନ୍ତି ? ସେଥିପାଇଁ ସେ ମନକଷ୍ଟ କରିବ, ବ୍ୟସ୍ତ ହେବ !

 

ତେବେ ସେ ଏ ପାଣିସୁଅପରି ଦିନଗୁଡ଼ିକ ବିତାଇବ କେମିତି ? କେତେବେଳେ ଯେ କ’ଣ ଘଟିବ, କିଏ କହିବ ? ବିଦେଶୀ ସରକାରର ତ ଧର୍ମାଧର୍ମ ଜ୍ଞାନ ନାହିଁ । ସେ ସିନା ଯେତେ ବିପଦ ଆସୁ ମୁଣ୍ତପାତି ସହିଯିବ–ଯେତେ ଯନ୍ତ୍ରଣା ଆସିବ ଛାତିକି ପାଷାଣ କରି ସହିଯିବ–ଭୋକ ଉପାସରେ ଛଟପଟ ହୋଇ ଦିନ କଟାଇ ପାରିବ, କିନ୍ତୁ ଛୁଆ ଦୁଇଟି ?

 

ତେବେ ତା’ର ଏତିକି ସାନ୍ତ୍ଵନା ଯେ ଈଶ୍ଵର ଯାହା କରନ୍ତି ପ୍ରାଣୀର ମଙ୍ଗଳପାଇଁ । ସର୍ବମଙ୍ଗଳମୟ କର୍ତ୍ତା ସେ । ତାଙ୍କର ଇଚ୍ଛା ପୂରଣ ହେଉ । ଗଣ୍ତି ଦେଇଛନ୍ତି ମଣ୍ତି ଦେବେ ସେ । ତାକୁ ଗୋଟିଏ ମାତ୍ର ଆଶଂକା ଘାରୁଛି ଯେ, ଯଦି ସେ ଆରେଷ୍ଟ ହୋଇଯାଏ ତେବେ ଏ ବାଡ଼ି ବଗିଚା, ଗୋରୁ ଗାଈ ଖବର ବୁଝିବ କିଏ ? ଛୁଆ ଦୁଇଟି ଯାଇ ଜେଲରେ ଚଳିବେ କେମିତି ? ହେଉ, ଈଶ୍ଵରଙ୍କ ଇଚ୍ଛା ।

 

ପାଟି କଥା ପାଟିରେ ଅଛି । କୁମ କାନ୍ଦି କାନ୍ଦି ଆସି ପହଞ୍ଚିଲା । ଅଳକା ଯେତେ ରକମ ପଚାରିଲା କୁମ କିଛି କହିଲା ନାହିଁ ବରଂ ଆହୁରି କାନ୍ଦିବାକୁ ଲାଗିଲା । ଏ କୁମ ବହୁଦିନ ହେଲା ଅଳକାର ଘରକୁ ଆସେ । ପିଲାଙ୍କୁ ଧରେ । ଅଳକାକୁ କାମ ଦାମରେ ଟିକେ ସାହାଯ୍ୟ କରେ, ଖାଏ । ପିନ୍ଧିବା ପାଇଁ ଲୁଗାପଟା ନିଏ । ଖର୍ଚ୍ଚ କରିବା ପାଇଁ କିଛି ପଇସାପତ୍ର ବେଳେବେଳେ ନିଏ । ଅଳକା ବାହାହୋଇ ଆସିଲା ଦିନରୁ, କୁମ ଆସୁଛି । ନିଜର ପୁଅ ଝିଅଠାରୁ ବଳି ଅଳକା, ବିବେକାନନ୍ଦଙ୍କୁ ଭଲ ପାଏ ସେ। ତାଙ୍କ ନାଆଁରେ କେହି ପଦେ କହିଲେ କୁମ ଦେହରେ ଲାଗିଯାଏ-

 

ବିବେକାନନ୍ଦ ଜେଲ ଗଲାଦିନରୁ, କୁମ ଆସି ରାତିରେ ଅଳକା ପାଖରେ ଶୁଏ । ବିବେକାନନ୍ଦ ପାଇଁ ଅଳକାର ଯେତେ ଚିନ୍ତା ନାହିଁ, କୁମର ତେତେ ଚିନ୍ତା ।

 

“ଅଳକା ଏକ ଜିଦ୍‍ କଲାରୁ କୁମ କାନ୍ଦି କାନ୍ଦି କହିଲା–କ’ଣ କହିବି ମା, ମୋ’ ଜିଭ ଲେଉଟୁ ନାହିଁ ।”

 

ହଁ କ’ଣ କହ ।

 

ବାବୁ ଆଉ ନାହାନ୍ତି ।

 

କୁଆଡ଼େ ଗଲେ ? ଅଳକା ହସି ହସି ଗଡ଼ିଗଲା । କହିଲା “ଏଥିପାଇଁ ତୁ’ ଏତେ ଚିନ୍ତା କରୁଛୁ କୁମ ? କାହିଁ ମୁଁ ତ’ କିଛି ଖରାପ ଲକ୍ଷଣ ଜାଣି ପାରୁ ନାହିଁ ? ଶଙ୍ଖା, ସିନ୍ଦୁର ମୋର ସେମିତି ଉଜ୍ଜଳୁଛି । ମନରେ ଟିକିଏ କଷ୍ଟ ଆସୁ ନାହିଁ ।”

 

ସେ ଯିବେ କୁଆଡ଼େ ? ତାଙ୍କୁ ନେବ କିଏ ? ନିଆଁ, ପାଣି ତାଙ୍କୁ ମାରି ପାରିବେ ନାହିଁ । ଯମ ତାଙ୍କୁ ବର୍ତ୍ତମାନ ଧରି ନେଇ ପାରିବ ନାହିଁ । ତାଙ୍କ ଆଡ଼କୁ ଚାଳିଶକୋଟି ଲୋକ ଅନାଇଁ ରହିଛନ୍ତି । ଏ ଦେଶ ସ୍ଵାଧୀନ ନ ହେବା ଯାଏ–ଏ ଲୋକେ ପରାଧିନତାର ଶୃଙ୍ଖଳାରୁ ମୁକ୍ତ ନ ହେବା ଯାଏ–ସେ ଯିବେ କୁଆଡ଼େ ।

 

କୁମ କହିଲା–“ମୁଁ କ’ଣ ମିଛ କହୁଛି ମା ?”

 

‘ନାଁ ମୁଁ ସେ କଥା କହୁନାହିଁ । ତୁମେ ନିଶ୍ଚୟ ଖରାପ ଖବର ଶୁଣିଛ । ଏ ଖବର ପ୍ରଚାର କରିଛନ୍ତି ବିଶ୍ଵାସଘାତକ ଦଳ । ମୋ’ ମନର ଟାଣ ଭାଙ୍ଗିବା ପାଇଁ ସେମାନେ ଏପରି କୌଶଳ ଖଞ୍ଜିଛନ୍ତି । ସେମାନେ ଯେତେ ରକମର ଚେଷ୍ଟା କଲେ ମଧ୍ୟ ମୋର ମନ ବଳ ଭାଙ୍ଗି ପାରିବେ ନାହିଁ ।

 

ଏତିକିବେଳେ ଗୋଟିଏ ପୋଷ୍ଟମ୍ୟାନ୍‍ ଆସି ଡାକିଲା–“ଟଙ୍କା ।” ହାତରେ ମନିଅର୍ଡର ଫର୍ମଟିଏ । ଅଳକା ବିସ୍ମିତ ହୋଇ କେତେ କଥା ଭାବିଗଲା । ତା’ ପାଖକୁ ପୁଣି ମନିଅର୍ଡ଼ର ପଠାଇଛି କିଏ ?

 

ବାପା ବୋଉତ ନାହାନ୍ତି । ଆଉ ଭାଇ ? ତାଙ୍କ କଥା ବା ଉଠୁଛି କାହିଁକି ? ସେତ ଡାକ୍ତର ହୋଇ ଦ୍ଵିତୀୟ ମହାଯୁଦ୍ଧରେ ଯୋଗ ଦେଇଥିଲେ । ଆଉ ଫେରି ନାହାନ୍ତି । ମଝିରେ ମଝିରେ ଶୁଣାଯାଉ ଥିଲା ଯେ, ସେ ଶତ୍ରୁପକ୍ଷ ହାତରେ ବନ୍ଦୀ ହୋଇ ୟୁରୋପର କେଉଁ ଜେଲରେ ସଢ଼ୁଛନ୍ତି । ପରେ ଯେତେବେଳେ ଯୁଦ୍ଧ ବନ୍ଦୀ ବିନିମୟ ହେଲା–ଇଂରେଜ ସରକାରଙ୍କ ସପକ୍ଷରେ ଭାରତରୁ ଯୋଗ ଦେଇଥିବା ଯୋଦ୍ଧାମାନେ ସଦର୍ପରେ ମାତୃଭୂମୀକୁ ଫେରି ଆସିଲେ । ସେତ କାହିଁ ଫେରିଲେ ନାହିଁ ?

 

ଆଉ ଭାଉଜ, ସେତ ଭାଇଙ୍କ ଲାଗି ପାଗଳୀ ହୋଇ କୁଆଡ଼େ ଚାଲିଗଲେ । ତାଙ୍କର କୌଣସି ପତ୍ତା ନାହିଁ । ସାନ ଭାଇ ଚିଦାନନ୍ଦ । ସେ ମଧ୍ୟ ଭାଇଙ୍କୁ ଝୁରି ଝୁରି ବିଷୟ ବାସନାର ମୋହ ତ୍ୟାଗ କରି ଘର ଛାଡ଼ି ହିମାଳୟକୁ ଚାଲିଗଲା । ଆଉ ଜମି ବାଡ଼ି ଯାହାଥିଲା, ଭାଇଭଗାରୀଏ ବାଣ୍ଟି କୁଣ୍ଟି ଖାଇବାରେ ଲାଗିଛନ୍ତି । ବାଘଘରେ ମିରିଗର ନାଟ କରୁଛନ୍ତି । ଅକାଳେ ସକାଳେ ଦିନେ ହେଲେ ମୋ’ ଦ୍ଵାର ମାଡ଼ନ୍ତି ନାହିଁକି, ମଲା ଗଲା ଖୋଜନ୍ତି ନାହିଁ । ଭାର ବେଭାରତ ଦୂରର କଥା । ତେବେ ଏ ଟଙ୍କା ପଠାଇଛି କିଏ ?

 

ପୋଷ୍ଟମ୍ୟାନ୍‍ ଏଥର ଅଳକା ହାତକୁ ମନିଅର୍ଡ଼ର ଫର୍ମଟିଏ ବଢ଼ାଇ ଦେଲା । ଦେଖେ ତ’ ସିଏ ଚିତ୍ର ପ୍ରତିଯୋଗିତାରେ ପ୍ରଥମ ହୋଇ ପାଞ୍ଚଶହଟଙ୍କା ପୁରସ୍କାର ପାଇଛି । ଆନନ୍ଦରେ ଆଖିରୁ ତା’ର ଦୁଇ ଧାର ଲୁହ ଗଡ଼ି ପଡ଼ିଲା । ସେ ଟଙ୍କା ରଖି ସାରିଲା ପରେ ପୋଷ୍ଟମ୍ୟାନ୍‍ ଆଉ ଗୋଟିଏ ଇନସିଓଡ଼୍‍ ବାହାର କରି ଦେଲା । ପାଞ୍ଚହଜାର ଟଙ୍କା ।

 

ପ୍ରଥମେ ଅଳକା ଏ ଟଙ୍କା ରଖିବାକୁ ଅନିଚ୍ଛା ପ୍ରକାଶ କଲା । ତା’ର ସନ୍ଦେହ ହେଲା କୌଣସି ଖଳ ଲୋକ କିଛି ଅସତ୍‍ ଉଦେଶ୍ୟରେ ତା’ ନାମରେ ଏପରି ଟଙ୍କା ପଠାଇଛି କିମ୍ଵା ଇଂରେଜ ସରକାର ତା’ର ମନ ପରିବର୍ତ୍ତନ ପାଇଁ ଏପରି ଫିକର ଖଞ୍ଜିଛନ୍ତି । ଯେତେବେଳେ ସେ ଦେଖିଲା ସୁଦୂର ରେଙ୍ଗୁନ୍‍ର ଗୋଟିଏ ମିଲଟାରୀ କ୍ୟାମ୍ପ ପୋଷ୍ଟ ଅଫିସରୁ ଏ ଟଙ୍କା ଆସିଛି ସେତେବେଳେ ସେ ଜଡ଼ଭରତ ପାଲଟିଗଲା । ତା’ର ତୁଣ୍ତରୁ କଥା ବାହାରିଲା ନାହିଁ । ଇନସିଓଡଟି ଗ୍ରହଣ କରି ଖୋଲିଲା ପରେ, ପାଞ୍ଚହଜାର ଟଙ୍କା ସହିତ ଆସିଥିବା ଚିଠି ଖଣ୍ତିକ ପଢ଼ି ସେ କଇଁ କଇଁ ହୋଇ କାନ୍ଦି ଉଠିଲା । ତା’ର ଭାଇ ମିଲିଟାରୀ ପୋଷ୍ଟ ଅଫିସରେ ଗୋଟିଏ ପାଶ୍‍ବୁକ ଖୋଲି ତାକୁ ଉତ୍ତରାଧିକାରୀଣୀ ରୂପେ ମନୋନୀତ କରି ଯାଇଥିବାରୁ ତା’ ପାଖକୁ ନିର୍ଦ୍ଦିଷ୍ଟ ସମୟ ପରେ ଏ ଟଙ୍କା ଆସିଛି ।

 

ପୋଷ୍ଟମ୍ୟାନ ଟଙ୍କା ଦେଇ ସାରିବା ପରେ ସଲାମ ବଜାଇ ବିସ୍ମୟ ବିସ୍ପାରିତ ନେତ୍ରରେ ଅଳକାକୁ ଚାହିଁ ଚାହିଁ ଚାଲିଗଲା।

 

ଅଳକା ହୁଂକା ପରି ଏକ ସ୍ଥାନରେ ଠିଆ ହୋଇ କେତେ କଥା ଭାବିବାକୁ ଲାଗିଲା । ଭଗ୍ନୀ ସୁଲଭ ବ୍ୟସ୍ତତାରେ ଭାଙ୍ଗି ପଡ଼ିଲା ସେ । କାରୁଣ୍ୟରେ ସାରାଅନ୍ତରଟା ତା’ର ଆଚ୍ଛାଦିତ ହୋଇ ଉଠିଲା । ଲୁଗା କାନିରେ ଲୁହ ପୋଛୁ ପୋଛୁ ତା’ର ଭାଇଙ୍କ କଥା ସବୁ ମନେ ପଡ଼ିଗଲା । ଅତୀତର କେତେ କଥା, ତା’ ଆଖି ଆଗରେ ନାଚି ଉଠିଲା । ଅବ୍ୟକ୍ତ ବେଦନାରେ ସେ ଅଭିଭୂତ ହୋଇପଡ଼ିଲା । ସ୍ମୃତିର ଦୂରନ୍ତ ବ୍ୟଥାର ଢ଼େଉ ତା’ର ହୃଦୟ ସୈକତ ଭୂମିରେ ମୁଣ୍ତ ପିଟିବାକୁ ଲାଗିଲା । ଚିନ୍ତାର ଗଭୀର ସମୁଦ୍ରରେ ହଠାତ୍‍ ଯେପରି ବୁଡ଼ିଗଲା ଅଳକା । ସ୍ମୃତି ତର୍ପଣ କରି ଚାଲିଲା ସେ ।

 

ତା’ର ଭାଇ କିପରି ସକଳ ବାଧା ବିଘ୍ନକୁ ପାଦରେ ଦଳି, ନିନ୍ଦା ବିଦ୍ରୂପକୁ ଭୃଷେପ ନ କରି, ବାପ ମା’ଙ୍କର କଥା ନ ଶୁଣି ତା’ର ନାମ ନେଇ ଲେଖାଇ ଥିଲେ ସ୍କୁଲରେ । ସେ କିପରି ଗାଆଁ ସ୍କୁଲରେ ପଢ଼ା ଶେଷ କଲା ପରେ ଝଡ଼ ଝଞ୍ଜା ବହିବାକୁ ଲାଗିଲା . ହଁ–ନାହିଁ ଭିତରେ ସେ କିପରି ଯାଇଁ କଲେଜରେ ନାଆଁ ଲେଖାଇ ପଢ଼ିଲା । ତା’ପରେ କିପରି ବମ୍ଵେର କଳା ବିଦ୍ୟାଳୟରେ ନାମ ଲେଖାଇ ଉତ୍ତୀର୍ଣ୍ଣ ହେଲା ? ସେ ଦେଶରେ ଜଣେ ବିଶିଷ୍ଟ ଶିଳ୍ପୀ ହେବାପାଇଁ କିପରି ତା’ ଭାଇ ଆପ୍ରାଣ ଚେଷ୍ଟା କରିଥିଲେ । ସେଥିପାଇଁ ତାଙ୍କୁ କମ୍‍ ବାଧାବିଘ୍ନ ସହିବାକୁ ପଡ଼ି ନାହିଁ । କମ୍‍ ତ୍ୟାଗ ସ୍ଵୀକାର କରିବାକୁ ପଡ଼ି ନାହିଁ । ହୀନ ଶତ୍ରୁମାନଙ୍କ ଠାରୁ କମ୍‍ ଲାଛନା ସହିବାକୁପଡ଼ି ନାହିଁ । ସେଥିପାଇଁ ସେ ଦିନେ ଦୁଃଖ ପ୍ରକାଶ କରି ନାହାନ୍ତି । ବିଚଳିତ ହୋଇ ନାହାନ୍ତି ।

 

ସେ କିପରି ନିଜେ ନ ପଢ଼ି ତାକୁ ପଢ଼ାଇଛନ୍ତି । ନିଜେ ନ ଖାଇ ତାକୁ ଭଲ ଭଲ ଜିନିଷ ଖୁଆଇଛନ୍ତି । ନିଜେ ଅର୍ଦ୍ଧ ନଗ୍ନ ରହି, ତାକୁ ଭଲ ପୋଷାକ ପରିଚ୍ଛଦ ଯୋଗାଇଛନ୍ତି । ତା’ର ପ୍ରଥମ ବିବାହ ପ୍ରସ୍ତାବ ଯେଉଁ ଦିନ ଭାଙ୍ଗିଗଲା ତା’ର ଭାଇ କିପରି ପାଗଳ ପରି ହୋଇ ଯାଇଥିଲେ । ସେ କଥା ଏବେ ବି ଅଳକାର ଭଲ ଭାବରେ ମନେ ଅଛି । କିନ୍ତୁ ହାୟ ! ଆଉ କ’ଣ ଭାଇଙ୍କର ଦେଖା ସେ ଜୀବନରେ ପାଇବ ନାହିଁ ? ଯଦି ସେ ଥାଆନ୍ତେ ତେବେ ଆଜି ସଂଘମିତ୍ରା, ଲଲାଟେନ୍ଦୁଙ୍କୁ ଦେଖି ସେ କେତେ ଖୁସି ହୋଇ ନ ଥାନ୍ତେ ? କେତେ ଖେଳନା ଆଣୁ ନ ଥାନ୍ତେ ?

 

ଏହି ଭଳି ନାନାକଥା ଅଳକା ମନରେ ଭାସି ଉଠିଲା । ପାଞ୍ଚହଜାର ଟଙ୍କା ପାଇ ସେ କୃତଜ୍ଞତାରେ ବୁଡ଼ିଗଲା । ଏହି ଟଙ୍କା ସେ ଖର୍ଚ୍ଚ ନକରି ତା’ର ଭାଇଙ୍କ ନାମରେ ଗୋଟିଏ ସେବାଶ୍ରମ ସ୍ଥାପନ କରିବା ପାଇଁ ମନସ୍ଥ କଲା ।

 

ଛୋଟ ପୁଅ ଝିଅ ଦୁଇ ଜଣଯାକ ଦାଣ୍ତରୁ ‘ବୋଉ’ ‘ବୋଉ’ ଡାକି ଦଉଡ଼ି ଆସିଲେ । ଅଳକାର ଅଜାଣତରେ ତା’ର ପାଟିରୁ ବାହାରି ପଡ଼ିଲା–“ପ୍ରଭୁ, ତୁମର ଇଚ୍ଛା ପୂରଣ ହେଉ ।”

 

ରାତି ଅଧ । ସବୁଆଡ଼େ ଶୂନଶାନ୍‍ । ଝିଙ୍କାରୀର ଝିଂଟା ଶଦ୍ଦରେ ଗଗନ ପବନ ମୁଖରିତ ହେଉଛି । ମଝିରେ ମଝିରେ କେବଳ ଦୂର ଦେବଦାରୁ ଡାଳରେ ବସି କଜଳ ପାତିଟି ରାବୁଛି । ସେ ରାବରେ ମିଶି ରହିଛି ଅନ୍ତଦାହର ସଂକେତ । ରାସ୍ତା ପାଖ ଘାସରେ ଶିଶିର ପଡ଼ି ଅନର୍ବଚନୀୟ ଶୋଭା ସୃଷ୍ଟି କରୁଛି । ତଥାପି ମନେ ହେଉଛି, ସତେ ଯେପରି ସର୍ପିଳ ରାସ୍ତାଟି ଗଭୀର ନିଦ୍ରାରେ ଶୋଇ ପଡ଼ିଛି ।

 

ହଠାତ୍‍– !!!

 

ଦମକାଏ ଶୀତଳ ପବନ ଘର ଭିତରକୁ ପଶି ଆସିଲା । ଝରକା କବାଟ ଏତେ ଜୋରରେ ପିଟି ହୋଇ ଗଲା ଯେ–ଘରର ମଥାନ ଖସି ପଡ଼ିଲାପରି ଲାଗିଲା । ଚାଉଁକିନା ସୁକାନ୍ତୀର ନିଦ ଭାଙ୍ଗି ଗଲା । ତା’ର ଦେହ ହାତ ବରଡ଼ାପତ୍ର ପରି ଥରି ଉଠିଲା । ତାରୁଣ୍ୟର ପତନ ତୀବ୍ର ଭାବରେ ଅନୁଭବ କଲା ସେ । ସେ ଅନ୍ଧାର ଉଣ୍ତାଳୀ ଉଣ୍ତାଳୀ ସୁକାନ୍ତକୁ ଡାକିଲା–“ହେଇଟି ଶୁଣୁଛ ନା କ’ଣ ମ ?”

 

ଭଞ୍ଜଙ୍କ, ଚେତି ଚାତୁରୀ ନିଶି ନାଶେ ଚାହିଁଲା ପରି ସୁକାନ୍ତୀ ଚାହିଁଲା ଘରର କବାଟ ମେଲା ହୋଇଛି । ସୁକାନ୍ତୀ ପାଖକୁ ଗୋଟିଏ ମଣିଷ ଶୋଇଲା ପରି ସୁକାନ୍ତ କେତେ ଗୁଡ଼ିଏ ଲୁଗାକୁ ଏକାଠି କରି ଶୁଆଇ ଦେଇ ଖସି ଯାଇଛି । ସୁକାନ୍ତୀ ପ୍ରଥମେ ପ୍ରଥମେ କିଛି ବୁଝିପାରିଲା ନାହିଁ । ତା’ ମନରେ କେତେ କଥା ଖେଳିଗଲା । ସେ ରହସ୍ୟ ଉଦ୍‍ଘାଟନ କରିବାର ଉପାୟ ଚିନ୍ତା କରିବାକୁ ଲାଗିଲା ।

 

କଲେଜରେ ପଢ଼ିଲାବେଳେ ସେ ବ୍ୟାସ କବି–ଫକୀର ମୋହନଙ୍କ “ପେଟେଣ୍ଟ ମେଡ଼ିସିନ୍‍” ଗଳ୍ପଟି ପଢ଼ି କେତେ ଲୋକଙ୍କୁ ବୁଝାଇଥିଲା । ଥଟ୍ଟା କରିଥିଲା । ତା’ର ଅନ୍ତରଙ୍ଗ ସାଙ୍ଗ ଯଶୋଧାରା ତାକୁ ସବୁବେଳେ କହୁଥିଲା ଯେ, ଏ ଭଳି ଅଭିନୟ ଦିନେ ତୋ’ ଭାଗ୍ୟରେ ନ ଘଟିବ, କିଏ କହିବ ?

 

ସାଙ୍ଗେ ସାଙ୍ଗେ ବୋଉ ତା’ର ବିରକ୍ତ ହୋଇ ଯଶୋଧାରାକୁ କହିଥିଲା–“କ’ଣ କହିଲୁ ଝିଅ, ମୋ’ ଜ୍ଵାଇଁ ମଦୁଆ ହେବ? ମୋ’ ଝିଅ ଯାହାକୁ ବାହାହେବ ସେ ଖାମଦାନ୍‍ ବୁନିଆଦୀ ଘରର ପିଲା ହୋଇଥିବ । ତା’ର କେଉଁଥିରେ ଊଣା ନ ଥିବ ।”

 

କିନ୍ତୁ–

 

ହାୟ !

 

ମଣିଷ ବିଚାର ଏକ । ଦଇବ ବିଚାର ଏକ । କର୍ମ ଛଡ଼ା ପଥ ନାହିଁ । ବାପ ମା’ ସିନା ଜନ୍ମ ଦିଅନ୍ତି, କର୍ମ ଦିଅନ୍ତି ନାହିଁ । ଯାହା ଭାଗ୍ୟରେ ଅଛି, ତାକୁ ନିଶ୍ଚୟ ଭୋଗ କରିବାକୁ ହେବ । ମଣିଷର ସବୁ ହେଉଛି ପଟେ । ଭାଗ୍ୟ ହେଉଛି ପଟେ । ରଜାଝିଅର ସ୍ଵାମୀକୁ କୁମ୍ଭୀର ଖାଇଯିବା ଭୟରେ ବାଡ଼ଦିଆ ହୋଇ ଘରେ ରଖାଗଲା, କିନ୍ତୁ ରକ୍ଷା ମିଳିଲା ନାହିଁ । ବାପର ଘର କାନ୍ଥରେ ଲେଖା ହୋଇଥିବା ବାଘ ଚିତ୍ରଟି, ବାଘ ହୋଇ ରଜା ପୁଅକୁ ଖାଇଗଲା । ରଜାଝିଅ ବିଧବା ହେଲା-। ରଜା ଝିଅର ଭାଗ୍ୟରେ ବିଧବା ହେବାର ବିଧି ନିର୍ଦ୍ଦେଶ ଥିଲା । ତାହା ନିଶ୍ଚୟ ଘଟିବ ହି ଘଟିବ-। କେହି ଅନ୍ୟଥା କରି ପାରିବେ ନାହିଁ ।

 

ଏହିପରି କେତେ କଥା ଭାବୁ ଭାବୁ ଏରୁଣ୍ତି ବନ୍ଧକୁ ଭରା ଦେଇ ଦୂର ଦିଗ୍‍ବଳୟ ଆଡ଼କୁ ଅନାଇ ରହିଲା । ଦେଖିଲା ଅଦୂରରେ ଦେବଦାରୁ ଡାଳରେ କଜଳପାତିଟି ବସି ତାହା ଆଡ଼କୁ ଅନାଇ ଲାଞ୍ଜ ହଲାଇ ହଲାଇ ଅସ୍ପଷ୍ଟ ଭାଷାରେ କେତେ କ’ଣ କହି ଯାଉଛି । ସତେ ଯେପରି ପକ୍ଷୀଟି ସାନ୍ତ୍ଵନା ଦେଇ କହୁଛି–“ତୁମେ ଅଧୈର୍ଯ୍ୟ ହୁଅନା, ଦମ୍ଭଧର ।” ଅଖି ବୁଲୁ ଥିଲେ ଚକ ବୁଲୁଥାଏ ବୁଲି ପଡ଼ୁଥାଇ ପହି, ଦୁନିଆଁ ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି ।” ଘର ଘୋର । ଆଖି ଲୁହା ଛାତି ପଥର ନ କଲେ, ଏଠି ପଦେ ପଦେ ବିପଦ । ଆଉ କାମନାର ନନ୍ଦନ–କାନନରେ ବୁଲି କଳ୍ପନାର ପାରିଜାତ ତୋଳିବାର ବେଳ ନାହିଁ । ବିଘ୍ନ, ବିପଦ, ଅଶ୍ରୁର ସାହାରା ମରୁଭୂମିରେ କର୍ତ୍ତବ୍ୟର ସ୍ଵର୍ଣ୍ଣଯାନ ବାହି, ଅଶେଷ ଧୈର୍ଯ୍ୟର ପ୍ରତିମୂର୍ତ୍ତି ସାଜି ତୁମକୁ ବାଟ ଚାଲିବାକୁ ହେବ ।

 

ତୁମେ ଏ ଦୁନିଆଁର ଅଭିନବ ରଙ୍ଗ ମଞ୍ଚର ଅଭିନେତ୍ରୀ । ସାରା ଦୁନିଆଁ ଅନାଇଁ ରହିଛି ତୁମ ଆଡ଼େ ସୁନ୍ଦର ଅଭିନୟ ଦେଖିବାକୁ ନିଜ ଗୋଡ଼ରେ ନିଜେ ଠିଆ ହୋଇ, ନିଜ ବୁଦ୍ଧିରେ ନିଜେ ଚାଲି, ଏଇ ଧରାକୁ ସ୍ଵର୍ଗରେ ପରିଣତ କରିବାକୁ ହେବ । ତାହାହେଲେ ସମସ୍ତେ ବାହା ବାହା କହିବେ ।”

 

ତୋଫା ଜହ୍ନ ଆଲୁଅ, ଚାରିଆଡ଼େ ବିଞ୍ଚି ହୋଇପଡ଼ି ଦିନ ଭଳି ଦେଖାଯାଉଛି । ଏତିକି ବେଳେ ସୁକାନ୍ତୀ ଦେଖିଲା ଫାଟକ ମେଲାକରି ଖଣ୍ତିଆଭୁତ ଭଳି ତିନିଜଣ ତା’ ଆଡ଼କୁ ଆଗେଇ ଆସୁଛନ୍ତି । ସମସ୍ତେ ବିବସ୍ତ୍ର । ମୁଣ୍ତ ବାଳ ଝାମ୍ପୁରୀ । ଆଖିରେ ଯେପରି ଅଗ୍ନି ଜଳୁଛି । ମୁହଁରେ ପ୍ରେତ ହସର ପ୍ରବଳ ସୁଅ । ସଦ୍ୟ ମଦ୍ୟ ଗନ୍ଧରେ ପେଟ ଭିତରୁ ଭାତ ବାହାରି ଆସିଲା ପରି ଲାଗୁଛି । ଭୀମ ଭୟଙ୍କର ରୂପ । ସତେ ଦେବ ଦେବ ମହାଦେବ ମହାକାଳ ରୂପ ଧରି ପ୍ରଳୟ ସଙ୍ଗରେ ଘେନି ଆସୁଛନ୍ତି କି ?

 

ସୁକାନ୍ତୀ ଠିଆ ହେବାର ବ୍ୟାଧ ଶଂକିତ ହରିଣ ଭଳି ତୀର ବେଗରେ ଦୁଇଜଣ ଦଉଡ଼ି ପଳାଇଲେ । ସେମାନେ ଦଉଡ଼ି ପଳାଇ ଗଲାବେଳେ, ସେମାନଙ୍କୁ ପରିଷ୍କାର ଭାବରେ ସୁକାନ୍ତୀ ଚିହ୍ନି ପାରିଲା ଯେ, ସେ ଦୁହେଁ ଅନ୍ୟ କେହି ନୁହନ୍ତି, ସେମାନେ ହେଉଛନ୍ତି ତାଙ୍କରି ଗୁମାସ୍ତୀ ବିଘ୍ନରାଜ, ତାଙ୍କରି ବାରିକ ପୁଅ ଚକ୍ରପାଣି । ପୂର୍ବାପର ସବୁ ଘଟଣାକୁ ଭାବି ଗଲା କ୍ଷଣି । କ୍ରୋଧରେ ତା’ର ହୃଦ ଉଛୁଳି ପଡ଼ିଲା । ଅଜାଣତରେ ପାଟିରୁ ତାହାର ବାହାରି ପଡ଼ିଲା–“ନିମକ ହାରାମ ।”

 

ଏଥର ସୁକାନ୍ତୀ ପାଗଳ ହାତୀ ପରି ଝୁଲି ଝୁଲି ଘର ଭିତରକୁ ପ୍ରବେଶ କଲା । ମଦ ଗନ୍ଧରେ ଘରଟା ଯେପରି ଫାଟି ପଡ଼ିଲା ।

 

ତଥାପି–

 

ସୁକାନ୍ତୀ ତିଳେ ମାତ୍ର ଘୃଣା ନ କରି, ମନରେ କିଛି ନ ଭାବି, ତା’ର ଆରାଧ୍ୟ ଦେବତା, ଇହକାଳ ପରକାଳର ସାଥି, ସ୍ଵାମୀ ସୁକାନ୍ତକୁ ଧରି ଚା’ ଉପରକୁ ଆଉଜି ପଡ଼ିଲା ।

 

ମାତ୍ର–

 

ସୁକାନ୍ତ !

Unknown

 

ରାତି ଦଶଟା ବେଳର ସୁକାନ୍ତ, ରାତି ତିନିଟା ବେଳର ସୁକାନ୍ତ ନୁହେଁ । ସେ ସୁକାନ୍ତ ଏ ସୁକାନ୍ତ ଭିତରେ ଆକାଶ ପାତାଳ ତଫାତ୍‍ । ଦେବ ଦାନବର ଫରକ । ସୁକାନ୍ତ ତା’ର ନିଜତ୍ଵ ହାରିଛି ରଙ୍ଗିନ୍‍ ସୁରା ପାଖରେ । ସେ ପବିତ୍ର ସ୍ଵାମୀ ସ୍ତ୍ରୀ ସଂପର୍କ କିଛି ବୁଝେନା ।

 

ସେ ଭୀଷଣ ଚିତ୍କାର କରି ତଳେ ଫୋପାଡ଼ି ଦେଲା ସୁକାନ୍ତୀ କି । ସୁକାନ୍ତୀ ତଳେ ଗଛ କାଟିଲା ପରି ପଡ଼ିଗଲା । ହାତର କହୁଣୀ ଛିଣ୍ତି ଝର ଝର ହୋଇ ରକ୍ତ ଝରି ପଡ଼ିଲା ।

 

ତେବେ ବି ମନରେ ତା’ର ତିଳେ ହେଲେ ଦ୍ଵିଧା ନାହିଁ । ଯେତେ ଦୋଷ କଲେ ମଧ୍ୟ ସେ ସ୍ଵାମୀ । ଆଉ କ’ଣ କଂସା, ପିତଳ ହୋଇଛି ଯେ, ବଦଳାଇ ଦେବ । ସୀତା, ସାବିତ୍ରୀ କେତେ କଷ୍ଟ ସେହି ସ୍ଵାମୀଙ୍କ ପାଇଁ ନ ସହିଛନ୍ତି ? ସେ କ’ଣ କେବେ ମନ କଷ୍ଟ କରୁଥିଲେ ? ସ୍ଵାମୀଙ୍କ ଉପରେ ରାଗୁଥିଲେ ?

 

ଏଥର ସୁକାନ୍ତୀ ଆଖି ଲୁହ କାନିରେ ପୋଛି ତଳୁ ଉଠିଆସି, ସୁକାନ୍ତର ହାତ ଧରି ପଲଙ୍କ ଉପରେ ନେଇ ଶୁଆଇ ଦେଇ ବିଂଚିବାକୁ ଲାଗିଲା । ନାନାଦି ଚାଟୁ କଥା ଦ୍ଵାରା ଶୁଆଇବାକୁ ଚେଷ୍ଟା କଲା, କିଛି ସମୟ ପରେ ଅବୋଧ ଶିଶୁଟି ଭଳି ସୁକାନ୍ତ ଶୋଇ ପଡ଼ିଲା । ସୁକାନ୍ତୀ ସେଇଭଳି ବସି ବିଞ୍ଚୁଥାଏ ।

 

କାହାକୁ ଏ କଥା କହିବ ? ଅଦେଖା ଘା’ ଦେଖେଇ ହୁଏନା କି କହି ହୁଏନା ।

 

ସେହିପରି ବସିଛି । ନାନାଆଡ଼୍‍ ନାନା କଥା ଆସି ମନରେ ପଡ଼ି, ମୁଣ୍ତ ତା’ର ଗୋଳମାଳ ହୋଇ ଯାଉଛି । ସେ ମଝିରେ ମଝିରେ ଦୀର୍ଘ ନିଶ୍ଵାସ ପକାଇ କହୁଛି–“ହେ ଭଗବାନ, ମୋ’ ସ୍ଵାମୀଙ୍କୁ ସଦ୍‍ବୁଦ୍ଧି ଦିଅ । ସତପଥକୁ ଫେରାଇ ଆଣ ।”

 

ରାତି ପାହିଗଲା ।

 

କାଉ କଲା ‘କା’ ।

 

“ସୁକାନ୍ତୀ ଭଳି ପିଲା ସବୁବେଳେ କାନ୍ଦୁଛି, ଖାଉନି କି ପିଉନି । ଯେଉଁଠି ବସୁଛି ସେଇଠି-। ସୁନା ଦେହ ତା’ର ଚୁନା ହୋଇ ଗଲାଣି । କାହାକୁ କିଛି କହୁନି ।

 

ପରଝିଅକୁ ଏ ଭଳି ସବୁବେଳେ ଖିନଭିନ୍‍ କରି କନ୍ଦାଇବା ଦ୍ଵାରା ଆମର କ’ଣ ଭଲ ମଙ୍ଗଳ ହେବ ? ରୁକ୍ମଣୀ ଦେବୀ ପଚାରିଲେ ।

 

ଭୁଜବଳବାବୁ କହିଲେ–କ’ଣ ମୁଁ ତୁମ କଥା କିଛି ବୁଝିପାରୁନାହିଁ ।

 

ରୁକ୍ମଣୀ ଦେବୀ କହିଲେ–ବୁଝିପାରିବ କେମିତି ? ତୁମେ ତ ନାଟର ଗୋବର୍ଦ୍ଧନ । ସାପ ଲାଞ୍ଜକୁ ଧରି ଖେଳାଉଛ । ମୋର କ’ଣ ନାହିଁ ଯେ ସୁକାନ୍ତ କଣ୍ଟ୍ରାକ୍ଟରୀ ନ କରିଥିଲେ ଚଳି ନ ଥାନ୍ତା-। ତା’ ସାଙ୍ଗରେ ସବୁବେଳେ ଲଗାଇଲ । ଏବେ ସମ୍ଭାଳ । ପୁଣି ମୋରି ଘରେ ରହି, ମୋରି ଦାନା ଖାଇ, ମୋରି ପୁଅକୁ ବିନାଶ କରିବାକୁ ବସିଛି ବିଘ୍ନରାଜ । ତା’ ସାଙ୍ଗରେ ଯୋଗ ଦେଇଛି ବାରିକ ଟୋକା ଚକ୍ରପାଣି । ପଇସା ଦେଲେ କ’ଣ ଗୁମାସ୍ତା ଅଭାବ ହୋଇଛନ୍ତି ? ସେଇ ବିଘ୍ନରାଜ ଠାରୁ ମଧୁ ଝରୁଛି ଯେ ସେଇ ରହିବ । ସେ ନ ରହିଲେ ଯେମିତି କିଛି ହୋଇ ପାରିବ ନାହିଁ ।

 

କଥାଟା, କ’ଣ ନ କହି ଏ ଭଳି ଭାବରେ କଣ୍ଟାବାଡ଼କୁ ଲୁଗା ପକାଇ ଅଯଥାରେ କଳି କଲେ କେମିତି ହେବ ? ମୁଁ ତ’ ଯାହା କହେ ଅଯଥା । ଆଉ ତୁମେ ଯାହା କୁହ ଯଥା । ତୁମର ଯଦି ଏ ଭଳି ଇଚ୍ଛାଥିଲା ପରଝିଅକୁ ଆଣି ତା’ ବେକରେ ବାନ୍ଧୁଥିଲ କାହିଁକି ?

 

କ’ଣ କଥାଟା କୁହ ?

 

କହିବି ଛତୁ । ସୁକାନ୍ତ ଯୋଗୁଁ ପିତୃ ପୁରୁଷ ଅହିନର୍କକୁ ଗଲେ । ଚାରିଆଡ଼େ ଡ଼ିବି ଡ଼ିବି ବାଜୁଛି । ନାନା ଲୋକେ ନାନା କଥା କହୁଛନ୍ତି । କାହା ପାଟିରେ କିଏ ହାତ ଦେବ ? ଏ ହାତକୁ ସେ ହାତ । ନିଜେ ଝିଅ ଜନ୍ମ କରିଛ । ନିଜ ଝିଅ ଯେମିତି, ପର ଝିଅ ସେମିତି । ସୁକାନ୍ତୀ ଭଳି ପିଲାବୋଲି ସିନା ପଥର ହୋଇ ସବୁ ସହି ଯାଉଛି । ଅନ୍ତରରେ କାନ୍ଦି, ମୁହଁରେ ହସୁଛି ।

 

ସୁକାନ୍ତୀ କ’ଣ ବେମାର ହୋଇଛି ?

 

ଅନୁଭବୀ ବିନା କିଏ ଜାଣିବ ? ତୁମ ସେବାରେ ତ କିଛି ତ୍ରୁଟି କରୁ ନାହିଁ । ତୁଳାମୁହାଁ କାଂକ ଭଳି ସବୁ ଜାଣି ଅଜଣା ହେଉଛ । ଚେଇଁ ଶୋଇବା ଲୋକଙ୍କୁ ଉଠାଇବା ସାଧ୍ୟ କାହାର ଅଛି-? ସେ ଗୋଟିଏ ପିଲା ବୋହୂ ହୋଇ ଏ ଘରକୁ ଛ’ମାସ ହେଲା ଆସିଲାଣି–ସ୍ଵାମୀ ସୁଖ କ’ଣ ସେ ଜାଣିଲାଣି ? ତୁମରି କଥା ମାନି ବାପ ଭାଇଙ୍କ ମୁହଁକୁ ଚାହିଁଲା ନାହିଁ । ତୁମେ କେବେ ତା’ର ହାନୀ ଲାଭ କେବେ ବୁଝିଛ ? ବଂଶ ନାଶ ବେଳେ ଘୋଡ଼ା ମୁହାଁ ପୁଅ ଜନ୍ମ ହୋଇଛି ଯେ, ତା’ କଥା କହିଲେ ବୋଇଲେ ସରୁନାହିଁ ।

 

ସୁକାନ୍ତ କ’ଣ ତାକୁ କିଛି କହିଛି ?

 

ହଁ, କହି ନାହିଁ ଯେ ତାକୁ ଜୀଅନ୍ତା ସମାଧି ଦେଇ ସାରିଲାଣି । ଛ’ମାସ ହେଲା ସେ ଆସିଲାଣି–ଦିନେ ହେଲେ ସେ ସୁକାନ୍ତ ଠାରୁ ମିଠା କଥା କି ଆହା ପଦ ଶୁଣିଲା ନାହିଁ । ହାନୀ ଲାଭରେ ମୁଁ କହିଚି । ତୁମେ ହାଡଶୂଳା କଥା କହିବ ଅଥଚ ସେ ନିଜର ସ୍ଵାମୀଠାରୁ ମଧୁର ବଚନ ପଦେ ବି ଶୁଣିବ ନାହିଁ । ସ୍ଵାମୀ ତା’ର ସବୁବେଳେ ମଦ ଖାଇ, ଦାରୀ ନଚାଇ ଉନ୍ମତ୍ତ ହେଉଥିବ–ଯେତେବେଳେ ଘରକୁ ଆସିବ ୟାକୁ ମାର ଧର କରୁଥିବ–ସେ ପୁଣି ଗୋଟିଏ ମଣିଷ, ଏ ଘରେ ବଂଚିବ କେମିତି ?

 

ସୁକାନ୍ତୀ କ’ଣ ଏ ସବୁକିଛି ତୁମକୁ କହୁଥିଲା ?

 

କହିବ କ’ଣ ? ମୁଁ କ’ଣ ମଣିଷ ନୁହେଁ ? ମୋର କ’ଣ ଆଖି ନାହିଁ ? ମୁଁ କିଛି ଦେଖି ପାରୁ ନାହିଁ ? ମୋର କ’ଣ କାନ ନାହିଁ ? ମୁଁ କିଛି ଶୁଣି ପାରୁନାହିଁ । ମୋର କ’ଣ ହୃଦୟ ନାହିଁ ? ମୁଁ ଏସବୁ କିଛି ବୁଝିପାରୁ ନାହିଁକି ଅନୁଭବ କରି ପାରୁ ନାହିଁ । ମୁଁ ଜାଡ଼ି ନା ହୁଣ୍ତି ହୋଇଛି ? ଗୋଟାଏ ପୁଅ ଦିନ ନାହିଁ ରାତି ନାହିଁ, ସବୁବେଳେ ମାତାଲ ହୋଇ ବୁଲୁଛି । ସ୍ତ୍ରୀ ପ୍ରତି ନଜର ନାହିଁ-। ଘର ପ୍ରତି ଆସ୍ଥା ନାହିଁ । କାହା କଥାକୁ ଖାତିରି ନାହିଁ । ନିନ୍ଦାକୁ ଭୟନାହିଁ । ସବୁବେଳେ ସେ ବିଘ୍ନରାଜ, ଚକ୍ରପାଣି କଥାରେ ମାତିଛି । ମୁଁ ପଚାରିଲେ ମୋତେ ପୁଣି କହୁଛି କ’ଣ ନା–“ତୋ’ର ସେଥିରେ ସବୁ କ’ଣ ଅଛି ? ବାପା ପରା ମୋତେ କହିଛନ୍ତି–ମୁଁ ବିଘ୍ନରାଜ ଠାରୁ ବ୍ୟବସାୟ କାଇଦା, କୌଶଳ ଶିଖୁଛି ।” ମୁଁ ପରିଷ୍କାର ବୁଝିପାରିଛି, ଏ ପୋଡ଼ାମୁହାଁ ବିଘ୍ନରାଜ ହିଁ ସବୁ ବିଘ୍ନର ମୂଳ । ସର୍ବନାଶର ହେତୁ ।

 

ତୁମେ ତ ଭୋଳାନାଥ । ଯେ ଯାହା କହିଲେ ସବୁଥିରେ ହଁ । କିଛି ବୁଝିପାରୁନାହିଁ, ତୁମର ବାପା ତା’ର ବାପାକୁ, ଖମାର ଘର ଖୁଣ୍ଟରେ ବାଂଧି ପିଟି ପିଟି ମାରିଥିଲେ–ସେହି ରାଗ ତା’ ମନରେ କୁହୁଳୁଛି । ସେ ପିତୃଋଣ ସୁଝିବାପାଇଁ ଏ ପାଲା ଲଗାଇଛି । ଦିନେ ନୁହେଁ, ସବୁଦିନେ ରାତି ଅଧରେ ମଦଖାଇ ଢଳି ଢଳି ପାଗଳଙ୍କ ପରି ବକି ବକି ଘରକୁ ଫେରୁଛି ସୁକାନ୍ତ, ଏ ଖବର ତୁମେ କେବେ ରଖିଛ ?

 

ଆରେ ଆରେ ତୁମେ ବୁଝିପାରୁ ନାହିଁ । ସେ ବେଶି ରାତିରେ ଘରକୁ ଫେରିବାର କାରଣ ହେଉଛି, ବ୍ୟବସାୟ ସଂକ୍ରାନ୍ତରେ ବିଭିନ୍ନ ସ୍ଥାନକୁ ବିଭିନ୍ନ ଲୋକଙ୍କ ପାଖକୁ ଯାଉଛି । ଆଉ ମଦ କଥା କହୁଛ ? ଆଜିକାଲି ଏବେ ମଦ କିଏ ଖାଉନାହିଁ ? କଠିନ ପରିଶ୍ରମ ପରେ ଯଦି ସେ କିଛି ନ ଖାଇବ ତେବେ ତ ଅଳ୍ପ ଦିନରେ ରୋଗରେ ପଡ଼ି, ବିଛଣାରେ ଶୋଇ ରହିବ । ତେବେ ମୁଁ ତାକୁ ଏ ବିଷୟରେ ତାଗିଦ୍‍ କରିଦେବି ।

ଥାଉ ଥାଉ ତୁମ ସଫେଇ, କୈଫିୟତ । ମୁଁ କିଛି ଶୁଣିବି ନାହିଁ । ତୁମେ ଆଗେ ବିଘ୍ନରାଜକୁ ଏ ଘରୁ ବାହାର କରିଦିଅ ।

ନା–ନା–ତୁମେ ଏଭଳି କୁହନା । ବିଘ୍ନରାଜ ଭଳି ବିସ୍ଵସ୍ତ ନିମକସଚା ଚାକର କୋଟିକରେ ଗୋଟିଏ ମିଳିବା କଷ୍ଟ । ସେ ଆମ ଘରକୁ ପର ଘର ବୋଲି ଭାବେନା । ହଁ–ବରାବର ନିଜର ଘର ବୋଲି ଭାବେ । ଉପରେ ଉପରେ ଆଜ୍ଞା, ଆଜ୍ଞା, କହି କାନ ସାଉଁଳାଇ ଚାଲିଥାଏ ବୋଲି କ’ଣ ନା, ବିଘ୍ନରାଜଟି ଭାରି ଭଲ ଲୋକ । ସେ ଭଲ ଲୋକ କି ମନ୍ଦ ଲୋକ ମୁଁ ଜାଣେ ।

ରାଣ୍ତୀପୁଅ ଅନନ୍ତାଟା । ଘରେ ଅକ୍ଷିମୁଠି ଦେବାକୁ ଜମି ମାଣେ କି କଣେ ନାହିଁ । ତିନି ତିନିଟା ପିଲା, ସ୍ତ୍ରୀ–ସେମାନେ ଚଳୁଛନ୍ତି କେମିତି ? ତୁମ ଜାଣିବାକୁ, ଏତ ଏଠୁ ପାଏ ତିରିଶଟଙ୍କା, ସେଥିରେ ପୁଣି ପିଲା ପାଠ ପଢ଼ୁଛନ୍ତି କେମିତି ? ଘର କୋଠା ହେଉଛି କେମିତି ? ଭାରିଜା ସୁନା ଗହଣାରେ ଛାଇ ହେଉଛି କେମିତି ?

ପୁଣି–

ଗଲା ଅଇଲା, ବଂଧୁ ବାଂଧବ ଅଛନ୍ତି ।

ତାହାହେଲେ ତୁମେ କହୁଛ ବିଘ୍ନରାଜ ସବୁ ଖରାପ କରୁଛି ଆମର ?

ନିଶ୍ଚୟ । ଏଥିରେ କିଛି ସଂଦେହ ନାହିଁ । ସେ ଶକୁନୀ ମଂନ୍ତ୍ରୀ ସାଜି ତୁମ ମୁହଁକୁ ମଂତ୍ର ବଳରେ ବାଂଧିଛି । ତୁମେ ତାକୁ କିଛି କହି ପାରୁନାହିଁ । ମୁଁ ଏ ସବୁ ପାଲା ଆଉ ବେଶୀ କାଳ ଦେଖି ପାରିବି ନାହିଁ । ସାପ ବଢ଼ୁ ବଢ଼ୁ ଚକ୍ର ବଢ଼ୁଛି । ତା’ର ଚୋଟର ବିଷ ଜ୍ଵଳା ଯେ, ଦିନେ ଏ ଢ଼ିଅରେ ବିଲୁଆ ଭୋକାଇବ ଏଥିରେ ଅଣୁମାତ୍ର ସଂଦେହ ନାହିଁ ।

ତା’ ହେଲେ ତୁମେ କ’ଣ କହୁଛ ?

ଆଉ କହିବି କ’ଣ ? ଯଦି ତୁମେ ଏହାର କୌଣସି ସମାଧାନ ନ କର–ତାହାହେଲେ ମୋ’ ରାହା ମୁଁ କାଟି ଚାଲିଯିବି । ମୋର କ’ଣ ଏମିତି ଜଣେ ହେଲେ କେହି କୁଆଡ଼େ ନାହାନ୍ତି ? ଆଉ ନିର୍ଲଜ ମୁହଁକୁ ସଲ୍ଲଜ କରି ସୁକାନ୍ତୀ ବାପ ଘରକୁ ଚିଠି ଦେବି । ତା’ ବାପ କି ଭାଇ ଆସିଲେ ତାକୁ ତାଙ୍କ ସାଙ୍ଗରେ ପଠାଇ ଦେଇ ନିଶ୍ଚିନ୍ତ ହେବି ।

ତୁମେ ବାପ, ପୁଅ ଆଉ ତୁମର ବିଘ୍ନରାଜ, ରତ୍ରପାଣି ଧନ ବଢ଼ାଉ ଥାଅ, ଦାରୀନାଟ କରୁଥାଅ ।

ଆଉ କ’ଣ କହି ଆସୁଥିଲେ ରୁକ୍ମଣୀ ଦେବୀ–କହି ପାରିଲେନି । ତାଙ୍କର ଛାତି କ’ଣ ହୋଇଗଲା । ଛାତିକୁ ଖବ୍‍ ଜୋରରେ ଆଉଁଷିବାକୁ ଲାଗିଲେ । ଆଉ କଥାବାର୍ତ୍ତା କରି ପାରିଲେ ନାହିଁ । ପାଣି ପିଇବାକୁ ଠାରିଲେ ।

 

ଭୁଜବଳବାବୁ ପାଣି ପାଇଁ ବ୍ୟସ୍ତ ହୋଇ ଡାକ ଛାଡ଼ିଲେ । ସୁକାନ୍ତୀ ତରବରରେ ପାଣି ଆଣି ଅତି ଯତ୍ନର ସହିତ ରୁକ୍ମଣୀ ଦେବୀଙ୍କ ପାଟିରେ ଦେଲା । ରୁକ୍ମଣୀ ଦେବୀ ଖୁବ୍‍ ଜୋରରେ ସୁକାନ୍ତୀର ହାତକୁ ଚାପି ଧରିଲେ । ଜିଭ ଯେତେ ଲେଉଟାଇଲେ କ’ଣ କହିବାକୁ କିଛି କହି ପାରିଲେ ନାହିଁ । ସୁକାନ୍ତୀ ପିଲାଙ୍କ ଭଳି କାନ୍ଦି କାନ୍ଦି ମୁଣ୍ତ ତଳେ ପିଟି ଦେଲା ।

ସାଇ ପଡ଼ିଶା ଆସି ଜମା ହେଲେ । ସମସ୍ତଙ୍କ ଆଖିରେ ଲୁହ । ସମସ୍ତଙ୍କ ପାଟିରେ ଆହା ପଦ । ଲୋକଭଳି ଜଣେ ଲୋକ ହେଉଛନ୍ତି ରୁକ୍ମଣୀ ଦେବୀ । ସକାଳୁ ଉଠି ମୁହଁ ତାଙ୍କର ଯେ ଚାହିଁଥିବ ସେ ଦିନସାରା ଖାଇ ଖାଇ ଥକିଯାଏ ବୋଲି ଲୋକେ କହନ୍ତି । ବ୍ୟବସାୟ, ବାଣିଜ୍ୟ କରିବାପାଇଁ ଗଲେ ଆମେ ଆସି ସମସ୍ତେ ରୁକ୍ମଣୀ ଦେବୀଙ୍କର ଆଶୀର୍ବାଦ ନେଇଥାଉ । ଦେହ ମୁଣ୍ତ କାର ଖରାପ ହେଲେ, ସେ ପରଅପର ନ ଭାବି ରାତି ରାତି ଜଗି ବସନ୍ତି । ସେ କାହାରି କିଛି ଦୋଷ ନ ବାଛି ଦାନ ଦେବାକୁ ଶ୍ରେୟସ୍କର ମଣନ୍ତି ।

ତାଙ୍କର ଅମାୟିକ ବ୍ୟବହାର ତାଙ୍କର ଶତ୍ରୁମାନଙ୍କୁ ମଧ୍ୟ ନିଜର କରିଥାଏ । ସେ ହିସାବରେ ଯାର ଯାହା ହେଲେ ମଧ୍ୟ, ଗାଆଁଯାକ ସମସ୍ତେ ଡାକନ୍ତି–ମା’ । ସେ ଜୀବନରେ ଯାହାକୁ ଥରେ ଖାଇବାକୁ ଦେଇଛନ୍ତି ସେ ଭୁଲି ପାରିନାହିଁ । ଯାହା ସହିତ ସେ ଥରେ କଥାବାର୍ତ୍ତା ହୋଇଛନ୍ତି, ସେ ପାଶୋରି ପାରିନାହିଁ । ସେ ଯାହାକୁ ଦୟା ଚାହାଣୀରେ ଥରେ ଚାହିଁଛନ୍ତି, ସେ ମଧ୍ୟ ଜୀବନରେ ଭୁଲି ପାରିନାହିଁ ।

ଡାକ୍ତର ଆସିଲେ । ବହୁ ଚେଷ୍ଟା ହେଲା ।

ମାତ୍ର–

ହାୟ

ରୁକ୍ମଣୀ ଦେବୀ ଚାଲିଗଲେ ସେଇ ସ୍ଥାନକୁ ଯେଉଁ ସ୍ଥାନରୁ କି ଆଉ କେହି କେବେ ଫେରେ ନା ।

ଭୁଜବଳବାବୁଙ୍କ ଆଖିରୁ ଦି’ଟୋପା ତତଲା ଲୁହ ଗଡ଼ି ପଡ଼ିଲା । ତାଙ୍କର ଟାଣ ଭାଙ୍ଗି ଗଲା ବୋଲି ସେ ଅନୁଭବ କଲେ । ସେ ନିଜର ପ୍ରିୟତମା ପତ୍ନୀଙ୍କ କଥା ଭାବି ଭାବି ଏକ ରକମ ପାଗଳ ହୋଇଗଲେ ।

ଆଉ–

ସୁକାନ୍ତ ।

ତା’ର ସେଥିପ୍ରତି ଭ୍ରୁକ୍ଷେପ ନାହିଁ । କାରଣ ବିଘ୍ନରାଜ ତାକୁ ବୁଝାଇ ଦେଇଛି ଯେ, ଜନ୍ମ ହେଲେ ପ୍ରାଣୀର ମୃତ୍ୟୁ ଅବଶ୍ୟମ୍ଭାବି । ଦିନେ ନା ଦିନେ ସମସ୍ତେ କାଳ କବଳରେ ପଡ଼ିବେ । ସେ ପିଲା ହେଉ କି ବଡ଼ ହେଉ, ଧନୀ ହେଉ କି ନିର୍ଦ୍ଧନ ହେଉ, ପାପୀ ହେଉ କି ପୁଣ୍ୟବାନ୍‍ ହେଉ, ରୋଗୀ ହେଉ କି ଭୋଗୀ ହେଉ, ଅହିଂସା ହେଉ କି ହିଂସାପରାୟଣ ହେଉ, ସମସ୍ତେ ଦିନେ ନା ଦିନେ ମୃତ୍ୟୁର ବଶ୍ୟତା ସ୍ଵୀକାର କରିବେ । କବିବର ରାଧାନାଥ ଯଥାର୍ଥରେ କହିଛନ୍ତି–

“କେହି ରହି ନାହିଁ ରହିବେ ନାହିଁ ଏ ଭବରଙ୍ଗଭୁମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳବଳେ ।”

 

ତେଣୁ–

 

ଯେ ଗଲା–ସେ ଗଲା ।

 

ତା’ ପାଇଁ ଅଶ୍ରୁ ଗଡ଼ାଇ, ଅନୁତାପାଳନରେ ଜଳି ଲାଭ ନାହିଁ । ସୁକାନ୍ତ ସୁରା ଆଉ ସାକୀର ମାୟାରେ ପଡ଼ି ନିଜର ଗର୍ଭଧାରିଣୀ ଜନନୀର ମୃତ୍ୟୁରେ ମଧ୍ୟ ଟୋପାଏ ହଲେ ଅଶ୍ରୁ ମୋଚନ କରିବାକୁ କୁଣ୍ଠାବୋଧ କରୁଛି ।

 

ବରଂ–

 

କହୁଛି–“ହଁ, ଆମ୍ଭେମାନେ, ତ ଦିନେ ଏଇଭଳି ମରିବା ଆଉ ଚିନ୍ତା କରି ଲାଭ କ’ଣ ?

 

ସୁକାନ୍ତ ଶୋଇଛି । ସୁକାନ୍ତୀ ବସି ଗୋଡ଼ ମୋଡ଼ି ଦେଉଛି । ମୁଣ୍ତର ବାଳ ଅବୋଲକରା-। ଚନ୍ଦ୍ରରମାନିନ୍ଦୀ ବଦନରେ କଳାର ଛାଇ । ବେଶ ଭୂଷାରେ ସଂପୂର୍ଣ୍ଣ ପରିବର୍ତ୍ତନ ପରିଲକ୍ଷିତ ହେଉଛି । ଶାଶୁ ମରିଗଲା ପରେ ସୁକାନ୍ତୀ ଉପରେ ଘରର ଦାୟୀତ୍ଵ ସବୁ ପଡ଼ିଛି ।

 

ସବୁବେଳେ କାମ । ଖାଲି କାମ । ଘରଠାରୁ ବାହାର ଯାଏ–ସବୁବେଳେ କାମ । ତହିଁରେ ପୁଣି ଘୋର ଅଶାନ୍ତି । ସ୍ଵାମୀ କଥା ଭାବି ଭାବି ତନୁକ୍ଷୀଣ । ସେ ଆଉ ସତ୍‍ ପଥକୁ ଫେରି ଆସିବାର ବାଟ କିଛି ଦେଖାଯାଉ ନାହିଁ ।

 

ତହିଁରେ ପୁଣି ଶାଶୁ ମଲା ଦିନୁ ଶ୍ଵଶୁର ଅର୍ଦ୍ଧ ପାଗଳ ଅବସ୍ଥାରେ ରହିଛନ୍ତି । ଖାଇଲେ ଖାଉଛନ୍ତି ହସିଲେ ହସୁଛନ୍ତି । ବସିଥିଲେ ବସିଛନ୍ତି । ବେଳେବେଳେ ବାଉଳି ଉଠି ରୁକ୍ମଣୀ ଦେବୀଙ୍କ ଫଟୋ ଆଡ଼େ ଚାହିଁ କହୁଛନ୍ତି–“ହଁ, ମୁଁ ବିଘ୍ନରାଜକୁ ବାହାର କରିଦେବି । ସୁକାନ୍ତ ଆଉ ବ୍ୟବସାୟ ବା କଣ୍ଟ୍ରାକ୍ଟରୀ କରିବ ନାହିଁ । ସୁକାନ୍ତୀ ଆଉ ମୋଟେ କାନ୍ଦିବ ନାହିଁ । ତୁମେ ଆସ । ଫେରି ଆସ । ମୋ’ ରାଣ । ମୋ’ କଥା ରଖିବ ନାହିଁ ? ତୁମେ ଏକା ଯାଅନା । ଆମେ ସାଙ୍ଗ ହୋଇ ଯିବା । ମୁଁ ସେ ଦିନ ତୁମକୁ ଯାହାସବୁ କହୁଥିଲି ଥଟ୍ଟାରେ କହୁଥିଲି–ତୁମେ କ’ଣ ସତେ ରାଗିଛ ? ତୁମେ ପରା ବାସର ପ୍ରଦୀପ ଛୁଇଁ ନିୟମ କରିଛ, ଜୀବନରେ ମୋ’ ଉପରେ କେବେ ରାଗିବ ନାହିଁ ? ଏ ପୁଣି କ’ଣ କରୁଛ ? ବ୍ୟତିକ୍ରମ ହେଉଛି । ଆସ । ଫେରିଆସ ।”

 

ଗଲା ଆଇଲା, ବନ୍ଧୁ ବାନ୍ଧବ ସାଇ ପଡ଼ିଶା, ଚାକର ବାକର, ସବୁ କଥା ବୁଝିବାକୁ ପଡ଼ୁଛି ସୁକାନ୍ତୀ କି । ତେବେ ସେ ରୁକ୍ମିଣମୀ ଦେବୀଙ୍କ ସ୍ନେହ, ଶ୍ରଦ୍ଧାକୁ ଝୁରି ଝୁରି କଣ୍ଟା ହୋଇ ସାରିଲାଣି । ସେ ଭଳି ମଣିଷ କୋଟିକରେ ଗୋଟିଏ ମିଳିବା କଷ୍ଟ । ତାଙ୍କରି ଯୋଗୁଁ ସେ ନିଜର ମା’ ବାପା କଥା ଭୁଲି ଯାଇଥିଲା । ଏଥର ସୁକାନ୍ତ କର ଲେଉଟାଇ କଟମଟ କରି ଚାହିଁଲା ।

 

ସୁକାନ୍ତୀ ପଚାରିଲା–“ଦେହ କ’ଣ ହେଉଛି ?”

 

ମୁଣ୍ତ ଟିକେ ବିନ୍ଧୁଛି । ସେ କିଛି ନୁହେଁ ।

 

ଲୁଚାଅନି, ମୋ ରାଣ, କ’ଣ କୁହ ?

 

କହିବି ?

 

ହଁ,

 

ମୁଁ ଯାହା ମାଗିବି ଦେବ ?

 

ହଁ, ତେବେ ସିନ୍ଧୁକର ଚାବିଟି ଛାଡ଼ି ମୋତେ ଆଉ ଯାହା ମାଗିବ ଦେବି । ଏ ଚାବି ମୋର ନୁହେଁ । ଏ ଚାବି ଉପରେ ମୋର ଅଧିକାର ନାହିଁ । ଏହା ସାଇତି ରଖିବା ପାଇଁ କେବଳ ଗଲାବେଳେ ମୋତେ ବୋଉ ଦେଇଛନ୍ତି । କ’ଣ ମାଗୁଛ ମାଗ ।

 

ତାହା ହେଲେ–

 

ତୁମର ବେକର ହାର, ହାତର ରୁଲି, କାନର ଦୁଲ, ଦେଇ ପାରିବ ?

 

ନିଶ୍ଚୟ ।

 

କାନରୁ ଦୁଲ, ବେକରୁ ହାର, ହାତରୁ ରୁଲି ଓହ୍ଲାଇ ହସି ହସି ଅବିଳମ୍ଵେ ସୁକାନ୍ତ ହାତକୁ ବଢ଼ାଇ ଦେଲା ସୁକାନ୍ତୀ । ତା’ ପରେ କହିଲା–‘’ ତୁମେ ଶୋଇଥାଅ, ମୁଁ ଟିକେ କ୍ଷୀର ଗରମ କରି ଆଣେ । ଉଷୁମ ଉଷୁମ ପିଇ ଦେଲେ ମୁଣ୍ତ ବ୍ୟଥାଟା କମିଯିବ।

 

ସ୍ଵକାନ୍ତୀ ଚାଲିଗଲା ।

 

ଏହି ଅବସରରେ ବିଘ୍ନରାଜ ଓ ଚକ୍ରପାଣି ଦୁହେଁ ଆସି ଉଁକିମାରି ଝରକା ବାଟେ ଡାକିଲେ–“ସୁକାନ୍ତବାବୁ ଆଉ କେତେ ଡେରି ?”

 

ତୁମେମାନେ ଯାଅ, ମୁଁ ଯାଉଛି ବୋଲି ସୁକାନ୍ତ କହିଲା ।

 

ଏତିକି ବେଳେ କ୍ଷୀର ତାଟିଆଟି ଧରି ଘର ଭିତରକୁ, ପଶି ଆସିଲା ସୁକାନ୍ତୀ । ବିଘ୍ନରାଜ, ଚକ୍ରପାଣି ସୁକାନ୍ତୀକୁ ଦେଖିଲା ମାତ୍ରେ ଦଉଡ଼ି ପଳାଇ ଗଲେ । କୁକୁରଗୁଡ଼ିଏ ଭୋ’ ଭୋ’ ହୋଇ ଭୋକି ଉଠିଲେ । ବିଘ୍ନରାଜ, ଚକ୍ରପାଣି ପଳାଇ ଗଲାବେଳେ ସୁକାନ୍ତୀ ଦେଖି ପାରିଛି ସେ ଦୁହିଙ୍କୁ ।

 

ଦେଖିଲେ କ’ଣ ହେବ ?

 

ଘର ଢିଙ୍କିତ କୁମ୍ଭୀର । ଆପଣା ସୁନାତ ଭେଣ୍ତି । ପରକୁ ଦୋଷ ଦେଇ ଲାଭ କ’ଣ ? ମନକଥା ମନରେ ମାରି ଚୁପ୍‍ ହୋଇ ରହିଲା । ବନସ୍ତ ପୋଡ଼ିଲେ ଜଗତ ଜାଣଇ ମନ ପୋଡ଼ିଲେ କିଏ ଜାଣେ ?

 

ତଥାପି–

 

ନିର୍ଲଜ ମୁହଁକୁ ସଲଜ କରି ପଚାରିଲା–“ଆଛା ମୁଁ ଘରକୁ ପଶି ଆସିଲା ବେଳେ ଝରକା ପାଖରେ ଯେଉଁ ଶଦ୍ଦ ହେଲା–ତାହା ତୁମେ ଶୁଣିଛ ?”

 

ହଁ ।

 

କି ଶଦ୍ଦ ?

 

ଶଦ୍ଦ ନୁହେଁ–ପଦ ଧ୍ଵନୀ ।

 

ପଦଧ୍ଵନୀ ? କାହାର ?

 

ବିଘ୍ନରାଜର ।

 

ତୁମ ପାଖରେ ପରା ଏତେ କାତର ପ୍ରାର୍ଥନା କଲି ଯେ ତୁମେ ବିଘ୍ନରାଜ ଭଳି ଜଣେ ନୃସଂଶ, ବିପଥଗାମୀ ଲୋକର ସାଙ୍ଗ ଛାଡ଼ । ଆମର ସେ ସର୍ବନାଶ କରିବାକୁ ବସିଛି । ସେ ଆମର ଗୁମାସ୍ତା ନୁହେଁ–ଶତ୍ରୁ । କଥାରେ ଅଛି ରୋଗ, ଋଣ, ଶତ୍ରୁଙ୍କୁ ପ୍ରଶ୍ରୟ ଦେଲେ ସେମାନେ ସମୟରେ ପ୍ରାଣନାଶ କରିବାକୁ ସମର୍ଥ ହୁଅନ୍ତି । ସେ ଦାଣ୍ତରେ, ହାଟରେ, ବାଟରେ ସବୁଆଡ଼େ ବାଜା ବଜାଇ କହୁଛି ଯେ ସେ ପିତୃଋଣ ପରିଶୋଧ କରିବ ।

 

ପିତୃଋଣ କ’ଣ–ସୁକାନ୍ତ ପଚାରିଲା ।

 

ତୁମେ ତ କିଛି ଜାଣିନା । ତା’ର ଅଜା ତୁମ ଘରୁ ଋଣ ନେଇଥିଲେ । ସୁଧ ମୂଳ ମିଶି ବହୁତ ଟଙ୍କା ହୋଇଗଲା । ସେ ଦେଇ ନ ପାରିବାରୁ ତୁମର ଅଜା କୁଆଡ଼େ ଖମାର ଘର ପିଣ୍ତା ଖୁଣ୍ଟରେ ବାନ୍ଧି ପିଟି ପିଟି ମାରି ପକାଇଥିଲେ । ସେହି ରାଗ ବିଘ୍ନରାଜ ମନରେ କୁହୁଳୁଛି । ବୋଉ କହୁଥିଲେ–କୁଆଡ଼େ ତୀର୍ଥଦର୍ଶନ ପାଇଁ ସାଙ୍ଗରେ ନେଇ, ତୁମର ଦାଦାଙ୍କୁ ସେ ବିଷ ଦେଇ ମାରିଥିଲା । ଡକାୟତ ଦଳକୁ ଲଗାଇ କୁଳ ଦେବତା କନକ ଦୁର୍ଗାଙ୍କୁ ଚୋରାଇ ନେଇଥିଲା ।

 

ତାହାରି ଯୋଗୁଁ ଗର୍ଭଧାରିଣୀ ଜନନୀ, ହୋଇ ତୁମରି ଆଖି ଆଗରେ ଇହଧାମ ତ୍ୟାଗ କରି ଚାଲିଗଲେ । ବାପାଙ୍କୁ ତ ମନ୍ତ୍ରରେ ବାଂଧି ରଖିଛି । ଆଉ ବାକି ରହିଲା କିଏ ? ତୁମେ ଆଉ ମୁଁ–

 

ଆମକୁ ମାରିଦେଲେ ତା’ର ପ୍ରତିଜ୍ଞା ପୂରଣ ହୋଇଯିବ । ତଥାପି ସମୟ ଅଛି । ମୋ’ ସାନ କୁହା ମାନ । ତା’ ସାଙ୍ଗରେ ଆଉ ମିଶ ନାହିଁ ।

 

ଉତଫଣ ତମ୍ପ ପରି ଗର୍ଜିଉଠି ସୁକାନ୍ତ କହିଲା–‘ସାବଧାନ ସୁକାନ୍ତୀ, ତୁମ ସୀମା ଭିତରେ ତୁମେ ରୁହ । ମୁଁ ତୁମଠାରୁ କୌଣସି ଉପଦେଶ ଶୁଣିବାକୁ ଚାହେଁନା । ତୁମର ଇଚ୍ଛା ହେଲେ ତୁମେ ଏ ଘରେ ରହିପାର, ଇଛା ନ ହେଲେ ମୁକ୍ତ ଆକାଶର ବିହଙ୍ଗମ ପରି ଯୁଆଡ଼େ ଯାଇପାର ।”

 

ସୁକାନ୍ତୀ ଏଥର କହିଲା–“ହେଉ, ତୁମର ଇଛା ଯାହା ହେଉଛି ତାହା କର । କିନ୍ତୁ–ମନେରଖ–ତୁମେ ଯଦି ତା’ ସାଙ୍ଗ ପରିତ୍ୟାଗ ନ କର ତାହାହେଲେ ସେ ନିଶ୍ଚୟ ତୁମର ସର୍ବନାଶ ଘଟାଇବ । ଧନ, ସମ୍ପତ୍ତିଯାକ ସବୁ ବୋହିନେବ ।”

 

ମୋ’ ବାପ ଧନ ସଂପତ୍ତି ସେ ନେବ । ତୁମର ସେଥିରେ କ’ଣ କହିବାର ଅଛି ? ତୁମ ବାପ ଘର ଧନ ସପତ୍ତି ତା’ ନୁହେଁ? ଏଥର ସେସବୁ ଜିନିଷ ମନଇଚ୍ଛା ନେବ । କିଏ ତାକୁ ବାରଣ କରିବ ବା ବାଧା ଦେବ ମୁଁ ଦେଖିବି । ବିରକ୍ତ ହୋଇ ସୁକାନ୍ତ ଏପରି ଭାବରେ ସୁକାନ୍ତୀକି ଠେଲି ଦେଲା ଯେ ସୁକାନ୍ତୀ ମୁଣ୍ତ ପଲଙ୍କ ବାଡ଼ରେ ପିଟି ହୋଇ–ମୁଣ୍ତ ଫାଟି ଝର ଝର ହୋଇ ରକ୍ତ ଗଡ଼ି ପଡ଼ିଲା । ମାତ୍ର ସୁକାନ୍ତର ସେଥିପ୍ରତି ତିଳେ ହେଲେ ଖାତର ନାହିଁ । ସେ ହସି ହସି ଘରୁ ବିଜୁଳି ବେଗରେ ବାହାରି ଯାଇ ଘନ ଅନ୍ଧାରରେ ମିଶିଗଲା ।

 

ସୁକାନ୍ତୀ କେବଳ ଅନାଇ ରହିଥିଲା ସୁକାନ୍ତର ଗଲା ବାଟକୁ ଦିନେ ନୁହେଁ ଦି’ଦିନ ନୁହେଁ, ତିନିଦିନ ହେଲା ତାକୁ ଜର, କିଛି ଖାଇନି । ଆହା ପଦେ କହିବାକୁ ସାହା କେହି ନାହିଁ ତା’ର-। ସ୍ଵାମୀଙ୍କର ପୁଣି ତହିଁରେ ଅକଥନୀୟ ଅତ୍ୟାଚାର ।

 

ଗୋଟିଏ ହାତରେ ମୁଣ୍ତର ଲହୁ ପୋଛୁ ପୋଛୁ–ତଥାପି କହିଲା “ଭଗବାନ, ମୋ’ ସ୍ଵାମୀଙ୍କି ସଦବୁଦ୍ଧି ଦିଅ ।”

 

ସୁକାନ୍ତ ଢ଼ଳି ଢ଼ଳି ଆସି କହିଲା–‘ବାବୁ ବିଘ୍ନରାଜ ହେଇ, ନେ ହାର । ଦୁଲ୍‍ ଆଉ ରୁଲି । ହାଃ–ହାଃ–ହାଃ ପ୍ରେତ ହସରେ ଉଦ୍ୟାନସ୍ଥଳୀ ପ୍ରକଂପିତ ହୋଇ ଉଠିଲା ।

 

ମୁଁ ତ ମୋ’ ପ୍ରତିଜ୍ଞା ରଖି ପାରିଲି ।

 

ଯାହା କହିଥିଲି ସେୟା କଲି । ଆଉ ତୁମେ ଦୁହେଁ ? ତୁମେମାନେ କେତେ ବାଟ ଆଗେଇଲ ?

 

ମୁଁ ତ ତୁମରିମାନଙ୍କ କଥା ଭାବି ଭାବି କାଲି ରାତିସାରା ଆଦୌ ଶୋଇ ପାରିଲି ନାହିଁ । ତୁମେ ଦୁହେ କିପରି ଯାଇଥିବ କିପରି ତା’ ସାଙ୍ଗରେ କଥାବାର୍ତ୍ତା ହୋଇଥିବ, ଆଉ ସେ ତୁମମାନଙ୍କୁ କ’ଣ କହିଥିବ–ଇତ୍ୟାଦି ଇତ୍ୟାଦି ଭାବି ଭାବି ରାତି ସାରା ଶୋଇ ପାରିଲିନି । ମନଟା ଖାଲି ଛଟ ପଟ ହେଲା ।

 

ସତରେ ବିଘ୍ନରାଜ, ମୁଁ ସିନା ଘରକୁ ଯାଏ ମାତ୍ର–ତୋ’ ପାଖରେ ମୋର ଆତ୍ମାଟା ଖମାର ଘରଠାରେ ରହିଯାଏ । କାୟା ସହିତ ଛାୟା ରହିଲା ପରି ମୁଁ ତୁମମାନଙ୍କ ସାଙ୍ଗରେ ରହିବାକୁ ଚାହେଁ ।

 

ଆଚ୍ଛା, କ’ଣ ଅଳକାକୁ ରାଜି କରାଇ ପାରିଲ ?

 

ନା–

 

ପରାସ୍ତସୈନିକ । ତୁମେମାନେ ଜଣେ ସାମାନ୍ୟ ଅବଳା ପାଖରେ ପରାଜୟ ସ୍ଵୀକାର କରି, ଛତ୍ରଭଙ୍ଗ ଦେଇ ପଳାଇ ଆସିଲ ? ଲଜ୍ଜା ନାହିଁ ତୁମ୍ଭମାନଙ୍କୁ ? ଅତି ସୁକୋମଳ ସ୍ଵରରେ କହୁଛୁ ନା–

 

ମୁଁ’ ଜାଣେ ତୁ ଗୋଟିଏ ଅପଦାର୍ଥ । ଚକ୍ରପାଣି ଗୋଟିଏ ଅକାଳ କୁଷ୍ମାଣ୍ତ । ତୁମମାନଙ୍କ ଦ୍ଵାରା କୌଣସି କାର୍ଯ୍ୟ ହୋଇ ପାରିବ ନାହିଁ । ବୁଝିଲୁ ବିଘ୍ନରାଜ । ତୋ’ କଥା, ଆଉ କାର୍ଯ୍ୟ ଭିତରେ ବହୁତ ତଫାତ ।

 

ଯାହା ହେଉ–

 

ତୋର ଏ ନାକୁ ମୁଁ ଆଦୌ ପସନ୍ଦ କରେ ନା । କଳେବଳେ କୌଶଳେ ଯେ କୌଣସି ମତେ ଅଳକାକୁ ଆଣି ଏଠାରେ ନଚାଇବାକୁ ହେବ ଆଉ ତା’ର ସୁଧାଧରୁ ଅମୃତ ପାନ କରିବାକୁ ହେବ । ତା’ ନ ହେଲେ ଜୀବନରେ ଏକ ଅବଶୋଷ ରହିଯିବ। ଏ ଜନ୍ମ ବ୍ୟର୍ଥ ହୋଇଯିବ । ଚାତକ ମେଘର ଆଦ୍ୟ ଅସରାକୁ ପିଇଲା ଭଳି, ମୁଁ ତା’ ଅଧରରୁ ଅମୃତ ଢକ ଢକ କରି ପିଇବାକୁ ଚାହେଁ ।

 

ଚକ୍ରପାଣି କଥା ଛାଡ଼ ।

 

କ’ଣ ତୁ’ ଏ କାର୍ଯ୍ୟ କରି ପାରିବୁ ନା ନାହିଁ ?

 

ମୁଁ ତ ଚେଷ୍ଟା କରିଛି ଭାଇ କେଉଁଥିରେ କିଛି ଫଳ ହେଲା ନାହିଁ ମୁଁ ଭାଗ୍ୟବଳରୁ ବଂଚି ଗଲି ନଚେତ ସେ ମୋର ଜୀବନ ଦୀପ ଲିଭାଇ ଦେଇଥାନ୍ତା । ମୋ’ପାଟିରୁ କଥା ବାହାରିଛି କି ନାହିଁ–ସେ ଫଣିନୀ ପରି ମୋ’ ପାଖକୁ ଜିଭ ଲହ ଲହ କରି ଧାଇଁ ଆସିଲା ।

 

କେବଳ–

 

ସେତିକିରେ ମୋର ଦୁର୍ଦ୍ଦଶା ଶେଷ ହେଲା ନାହିଁ । ଦୂର୍ଗା ମାହିଷାସୁରକୁ ବଧ କଲାପରି ସେ ଗୋଟିଏ କଟୁରୀ ହାତରେ ଧରି ହଠାତ୍‍ ଚୁଟିକି ଧରି ପକାଇଲା । ମୁଁ ପାଟି କଲାରୁ ହାଣି ଦେବି ବୋଲି ଧମକାଇଲା । ମୁଁ ପ୍ରାଣ ବିକଳରେ ଏକା ଡ଼ିଆଁକେ ଏଠି ଆସି ହାଜର ।

 

ଥାଉ ।

 

ମୁଁ ତୋ’ ବୀରତ୍ଵର ଓ କୃତୀତ୍ଵର ହୀନ ଇତିହାସ ଶୁଣିବାକୁ ଚାହେଁ ନା । ତୁ ତୋ’ ପଣ ରକ୍ଷା କରିବାକୁ ସମର୍ଥ ହେବୁ କି ନାହିଁ, ଶେଷ ଥର ପାଇଁ ମୁଁ ଶୁଣିବାକୁ ଚାହେଁ ।

 

ନା–ମୁଁ ପାରିବି ନାହିଁ ।

 

ସେତ ମଣିଷ ନୁହେଁ । ସାକ୍ଷାତ ଗୋଟିଏ ରଣଚଣ୍ତୀ । ସେ ଜିହ୍ଵା ଲହଲହ କରି କେଉଁ ମୂହୁର୍ତ୍ତରେ ମୋତେ ଖାଇ ଦେବ–ତା’ ଠିକ୍‍ ନାହିଁ । ମୁଁ ଜାଣୁ ଜାଣୁ ମରଣ ମୁହଁକୁ ଠେଲି ହୋଇ ଯିବି କେମିତି ?

 

ଆଛା, ତାହା ହେଲେ ମୁଁ ଅଳକାକୁ ପାଇବାପାଇଁ ନିଜେ ଚେଷ୍ଟା କରିବି । ତୁମେ ଦୁହେଁ ମୋ’ ସାଙ୍ଗରେ ଯିବ କି ନାହିଁ ?

 

କି ଭଳି ଚେଷ୍ଟା ଆମେ ଶୁଣୁ ?

 

ଗୋଟିଏ ସମୟ ଠିକ୍‍ କରାଯାଉ । ନିଶୂନ ରାତିରେ ଆମେ ତିନିହେଁ ଚୁପ୍‍ ଚୁପ୍‍ ହୋଇ ଯିବା । ସେ ରହୁଥିବା ଘରେ, ନିଆଁ ଲଗାଇ ଦେଇ ଅନ୍ଧକାର ମଧ୍ୟରେ ଅପେକ୍ଷା କରି ରହିବା । ସେ ଯେତେବେଳେ ହତାଶ ହୋଇ ଛୁଆଟିକୁ ଘେନି ପଦାକୁ ବାହାରି ଆସିବ, ସେତେବେଳେ ତାକୁ ସାହାଯ୍ୟ କରିବାକୁ କେହି ନ ଥିବେ । ଛୁଆଟିର ତଣ୍ଟିଚିପି ଫୋପାଡ଼ି ଦେବା । ଅଳକାର ମୁହଁରେ ହଠାତ୍‍ ଲୁଗାବାନ୍ଧି ଜବରଦସ୍ତି ଟେକି ଆଣିବା ।

 

ତା’ ପରେ–

ତା’ ପରେ ତାକୁ ଆଣି ଏଠାରେ ନଚାଇବା । ମନଭରି ଉପଭୋଗ କରିବା

ହଁ–ହଁ–ଠିକ କଥା ବିଘ୍ନରାଜ ଓ ଚକ୍ରପାଣି ଦୁହେଁ ଉତ୍ସାହିତ କରି କହିଲେ ।

ରାତି ଅଧ । ନିଶା ସାଇଁ ସାଇଁ ଗର୍ଜୁଛି । କିଏ କୁଆଡ଼େ ଶୋଇଲେଣି । ଉଦ୍ୟାନର ଗୋଟିଏ ଫୁଲ ଗଛରେ ପେଚା ଦୁଇଟି ବସି ଅଶୁଭ ସୂଚକ ରାବ ରାବୁଛନ୍ତି ।

ସୁକାନ୍ତର ସେଇ ଏକା ଯିଦ୍‍ । ଆଜି ଯେ କୌଣସିମତେ ଅଳକାକୁ ଉପଭୋଗ କରିବାକୁ ପଡ଼ିବ । ଆକାଶ ଛିଣ୍ତୁ ବସୁଧା ଫାଟୁ, ବଜ୍ର ବିଜୁଳୀରେ ପୃଥିବୀ ପ୍ରକଂପିତ ହେଉ, ପ୍ରଳୟ ମାଡ଼ି ଆସୁ । ତଥାପି ଆଜି ଅଳାକାକୁ ଆଣିବାକୁ ହେବ ।

ଯେ ଯାହା କହିଲେ ମଧ୍ୟ ସୁକାନ୍ତ କିଛି ଶୁଣିବାକୁ ନାରାଜ । ଉତ୍ସାହର ଜୁଆର । ହୃଦୟରେ ଶତ ସିଂହର ବଳ । ଯେ କୌଣସିମତେ ଅଳକାକୁ ଆଣିବାକୁ ହେବ ।

କିଛି କୁଆଡ଼େ ନ ଥିଲା ।

ହଠାତ୍‍–

ଆକାଶ ମେଘାଚ୍ଛନ୍ନ ହୋଇଗଲା । ଦାମିନୀ ଚମକରେ ଦେହ ଥରି ଉଠିଲା । ପ୍ରଚଣ୍ତ ପବନ ପ୍ରବଳ ବେଗରେ ବୋହିବାକୁ ଆରମ୍ଭ କଲା ।

ତେବେ ବି–

ଅଳକାର ଘର ଆଡ଼କୁ ଚାଲିଲେ ବିଘ୍ନରାଜ, ଚକ୍ରପାଣି ଆଉ ସୁକାନ୍ତ । କଦର୍ଯ୍ୟ ବିଭତ୍ସ ରୂପ । ହାତରେ ଗୋଟିଏ ଗୋଟିଏ ଲମ୍ଵା ଛୁରୀ । ପୁଣି ବଂଧୁକ । ଆଖିରେ ନିଆଁ ରଡ଼ ପଡ଼ିଛି ଯେମିତି । ମୁହଁରେ ଅହେତୁକୀ ଦାନବର ହସ ।

ଏଥର ଅଳକାର ଫାଟକ ଖୋଲି ଘର ସଂଲଗ୍ନ ବଗିଚା ଭିତରକୁ ପଶିଲେ ତିନିଜଣ ।

ଅଳକା ଗଭୀର ନିଦ୍ରାରେ ମଗ୍ନ । ଦୁଇ ରାତି ହେଲା ଶୋଇନି । ତା’ର ଭାଇଙ୍କ ନାମରେ ସ୍ଥାପିତ ବିଦ୍ୟାଳୟର ଘର ତିଆରି ନେଇ ସେ ଉଦ୍‍ବିଗ୍ନ ଅବସ୍ଥାରେ ଅଛି । ଶୀଘ୍ର ଯେପରି ସ୍କୁଲଟି ଖୋଲା ଯାଇ ପାରିବ ସେହି ଯୋଗାଡ଼ରେ ଅଛି ଅଳକା କାରଣ ଦେଶରେ ଯେପରି ଜାତୀୟ ଆନ୍ଦୋଳନର ବହ୍ନି ହୁ ହୁ ହୋଇ ଜଳୁଛି–ସେଥିପାଇଁ ଦୋଷୀ କରି ସରକାର କାହାକୁ କେତେବେଳେ ବିନା ଦ୍ଵିଧା ଓ ବିଚାରରେ ବନ୍ଦୀ କରି ନେବେ, ତା’ର ଠିକଣା ନାହିଁ । ତେବେ କିଛି ଅପ୍ରତ୍ୟାଶିତ ବିପଦ ଘଟିବା ପୂର୍ବରୁ ସ୍କୁଲ କାର୍ଯ୍ୟଟି ଶେଷ ହୋଇ ପାରିଲେ ସେ ଖୁସି ହେବ ।

ସୁବିଧା ହେଲେ ଛୁଆଟିକୁ ସାଙ୍ଗରେ ନ ନେଇ ସେ ଏହି ସ୍କୁଲରେ, କୁମ ଯିମା ଛାଡ଼ିଯିବ-

ରାତି ଅନିଦ୍ରା ହେତୁ ଅଳକାକୁ ଖୁବ୍‍ ଜୋରରେ ନିଦ ହୋଇଛି । ସେ ସ୍ଵପ୍ନ ଦେଖୁଛି ସତେ ଯେପରି ତା’ର ସବୁ କଳ୍ପନାକୁ ଧ୍ଵଂସ କରି ଦେଉଛନ୍ତି ଦୁଇ ତିନିଜଣ । ଘରେ ନିଆଁ ଲାଗିଛି, ମାତ୍ର ଯେତେ କାତର ପ୍ରାର୍ଥନା କଲେ ମଧ୍ୟ, କେହି ସାହାଯ୍ୟ କରିବାକୁ ଆସୁନାହାନ୍ତି । ତା’ କୋଳରୁ ଛଡ଼ାଇ ନିଆହୋଇ–ତା’ର ତଣ୍ଟି ଚିପି ଦିଆହୋଇ, ଫୋପାଡ଼ି ଦିଆହେଉଛି ।

 

ତା’ ପରେ–

 

ତା’ ପରେ ଆରମ୍ଭ ହେଉଛି ବଳତ୍କାର ଆଉ ପ୍ରଚଣ୍ତ ଆକ୍ରମଣ ।

 

ଠିକ୍‍–

 

ଏହି ସମୟରେ ଫାଟକ ନିକଟରେ ଶୋଇଥିବା ବୁଲକୁକୁର ଦୁଇଟି ଭୋ’ ଭୋ’ ହୋଇ ଉଠିଲେ । ଅଳକାର ନିଦ ଭାଂଗିଗଲା । ଆଶଙ୍କାରେ ତା’ର ହୃଦୟ ଥରି ଉଠିଲା । ତା’ର ମନେ ହେଲା, ସତେ ଯେପରି ସେ ଏକ ଭୟଙ୍କର ଦୁର୍ଘଟଣାର ଶୀକାର ହେବାକୁ ଯାଉଛି ।

 

ହେ ଭଗବାନ । କହି, ଦୀର୍ଘ ନିଶ୍ଵାସଟି ପକାଇଲା ।

 

ସତକୁ ସତ ଏହି ସମୟରେ ଘରଟି ଜଳି ଉଠିଲା । ସେ ପ୍ରାଣ ବିକଳରେ ପୁଅଟିକୁ ଘେନି ପଦାକୁ ବାହାରି ଆସିଲା । ଘରେ ଝିଅଟି ରହିଲା । ଦେଖିଲା ତିନିଜଣ ଲୋକ ଯମଦୂତ ଭଳି ବିକଟ ରୂପ ଧରି ଛୁରୀ ବଂଧୁକ ହସ୍ତେ ତା’ ଆଡ଼କୁ ମାଡ଼ି ଆସୁଛନ୍ତି । ତା’ର ସର୍ବନାଶ ଉପସ୍ଥିତ ହୋଇଛି ବୋଲି ସେ ଭାବିଲା ।

 

ଭୀଷଣ ଭୟଙ୍କର ଅଟ୍ଟହାସ୍ୟରେ ଅଳକାର ବଗିଚା କଂପି ଉଠିଲା । ଠିକ୍‍ ଏତିକି ବେଳେ–ପ୍ରଚଣ୍ତ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହୋଇଗଲା । ତା’ ସହିତ ମଧ୍ୟ ଭୂମିକମ୍ପ ଅନୁଭୂତ ହେଲା । ଆକସ୍ମିକ ବଜ୍ର ଚଡ଼କରେ ଚନ୍ତ୍ରପାଣି ଢଳି ପଡ଼ିଲା । ସୁକାନ୍ତ ଓ ବିଘ୍ନରାଜ ପ୍ରାଣ ବିକଳରେ ଦଉଡ଼ି ପଳାଇ ଯିବାକୁ ଆରମ୍ଭ କଲେ ।

 

ଭୀଷଣ ବର୍ଷାରେ ଜଳୁଥିବା ଘରଟି ଲିଭିଗଲା ଅଳକା ଶିଶୁ ପୁତ୍ରଟିକୁ ଧରି କାଠଭଳି ଠିଆ ହୋଇଥାଏ, ଗୋଟିଏ ଆମ୍ଵ ଗଛକୁ ଆଉଜି । ଈଶ୍ଵରଙ୍କ ପ୍ରତି ତା’ର କୃତଜ୍ଞତା ଭରି ଯାଉଛି । ନିଆଁ ଲିଭିଗଲା ପରେ ଦେଖିଲା ଯେ ଝିଅ ତା’ର ନିଆଁ ଭିତରେ ପୋଡ଼ି ପାଉଁଶ ହୋଇ ଯାଇଛି ।

 

ଦଉଡ଼ି ପଳାଇ ଯାଉଥିବା ବେଳେ ଠିକ୍‍ ଫାଟକ ନିକଟରେ ବିଘ୍ନରାଜ କହିଲା–“ବାବୁ, ମୋତେ ଗୋଟିଏ କ’ଣ କାମୁଡ଼ି ଦେଲା ?”

 

ସୁକାନ୍ତ କହିଲା, ଆଛା ହେଉ ପଳାଇ ଆସ ତା’ ପରେ ଦେଖିବା ।

 

ପାଦେ ଦି’ ପାଦେ ଯାଇଛି କି ନାହିଁ ବିଘ୍ନରାଜ କହିଲା “ନା, ନା, ମୁଁ ଯାଇପାରିବି ନାହିଁ । ମୋର ମୁଣ୍ତ କ’ଣ ହୋଇଯାଉଛି। ଦେହ ଥରି ଉଠୁଛି । ମୋର ମନେ ହେଉଛି ମୁଁ ଆଉ ବଂଚିବି ନାହିଁ । ଆଉ କ’ଣ କହିବ ବୋଲି ଚାହୁଁଥିଲା ବିଘ୍ନରାଜ କହି ପାରିଲା ନାହିଁ । ସେଠାରେ ଟଳି ପଡ଼ିଲା । ତା’ ଜୀବନର ଭଲ, ମନ୍ଦ ସବୁ କାର୍ଯ୍ୟାବଳୀ, ତା’ ସଙ୍ଗେ ସଙ୍ଗେ ବି ଶେଷ ହୋଇ ଗଲା ।

 

ମଣିଷ ବିଚାର ଏକ । ଦଇବ ବିଚାର ଏକ । ମଣିଷ ଯାହା ବିଚାରେ କରିବା ପାଇଁ, ତାହା କରି ପାରେ ନାହିଁ । ତାହା ଯଦି ସେ କରି ପାରୁଥାନ୍ତା ତେବେ ସେ ଈଶ୍ଵରଙ୍କୁ ମାନନ୍ତା ନାହିଁ । ବିଧିର ବିଧାନ ଭିନ୍ନ ପ୍ରକାର ।

 

ଭାଗବତକାର ଯଥାର୍ଥରେ କହିଛନ୍ତି–“ପ୍ରାଣୀର ଭଲ ମନ୍ଦ ବାଣୀ, ମରଣ କାଳେ ତାହା ଜାଣି ।” ପ୍ରାଣୀର ଭଲ ମନ୍ଦ ସବୁ ମରଣ ବେଳେ ଜଣା ପଡ଼େ ।

 

ଜଗତ ମୁଖେ ହରି ।

 

ଭଲ କରିଥିଲେ ଭଲ । ମନ୍ଦ କରିଥିଲେ ମନ୍ଦ । ଭସ୍ମ ଆଚ୍ଛାଦିତ ବହ୍ନି ଯେପରି ଅନିଳ ସଂଯୋଗ ହୋଇ ପ୍ରଳୟ ଘଟାଇ ପାରେ, ସେହିପରି ମଣିଷର ଭଲ ଗୁଣ ଥିଲେ ତାକୁ କେହି ଦବାଇ ରଖି ପାରିବେ ନାହିଁ । ତାହା ଦିନେ ନା ଦିବେ ଧରା ପଡ଼ିଯିବ ।

 

ସ୍ଵର୍ଗ–ନରକ । ଦୁଇଟି ଯାକ ମଣିଷ ଜନ୍ମ ଠାରୁ ମୃତ୍ୟୁ ଭିତରେ ଭୋଗ କରେ । ମଣିଷ ଯେତେବେଳେ ଯାହାକରେ ଆଗ ପଛକୁ ବିଚାର କରେ ନାହିଁ । ତା’ର କୃତକର୍ମ ପାଇ ଯେତେବେଳେ ଦଣ୍ତପାଏ, ସେତେବେଳେ ସେ କହେ ମୋ’ ଭାଗ୍ୟରେ ଥିଲା । ତା’ର କୃତ କର୍ମ ପାଇଁ ସେ ଅନୁତପ୍ତ ହୁଏ ନାହିଁ ।

 

ହଁ–

 

ମଣିଷ ମଣିଷର କ୍ଷତି କରିପାରେ । ତାହା ସାମୟିକ ଯେତେ ବାଧା, ବିଘ୍ନ, ବିପଦ ମାଡ଼ି ଆସିଲେ ମଧ୍ୟ ତାହା ଅଦିନ କୁହୁଡ଼ି ଭଳି ଉଭାଇ ଯାଏ । ପୁଣି ଲୋକ ଅନେକ ସମୟରେ ଭାବେ ଯେ ଈଶ୍ଵର ଦଣ୍ତ କ’ଣ ? ଈଶ୍ଵର ଦଣ୍ତ ନିଶ୍ଚିତ, ମାତ୍ର ଏହା ଏତେ ଅଜଣାରେ ଆସ୍ତେ ଆସ୍ତେ ଆସୋ ଯେ, ମଣିଷ ତାହା ବିଚାର କରି ପାରେ ନାହିଁ ।

 

ସୁକାନ୍ତ କୌଣସି ମତେ ଉଦ୍ୟାନ ସଂଲଗ୍ନ ଆଡ଼ା ଘରେ ପହଞ୍ଚିଲା । ଏଥର ସେ ଭାଗିଂ ପଡ଼ିଲା । ନିଦରୁ ଉଠିଲା ଭଳି ଅନୁଭବ କଲା । ପୁନର୍ଜନ୍ମ ଲାଭ କଲା କି ସତେ ?

 

ଦୀର୍ଘ ଦିନ ଧରି ସେ ଘର, ନିଜର ମା, ପ୍ରିୟତମା ପତ୍ନୀ ଓ ନିଜର ସ୍ଵାସ୍ଥ୍ୟ ପ୍ରତି କରିଥିବା ଅତ୍ୟାଚାର ପାଇଁ ଅନୁତାପ କଲା । ନିଜ ପିତାଙ୍କର ଅନ୍ୟାୟ ଅନୁଚିତ ଉପଦେଶ ଓ ଧନ ଇଛାପାଇଁ ସେ ଘୃଣାରେ ଜଳି ଉଠିଲା । ବିଘ୍ନରାଜ ପାଇଁ ଭାରି ବ୍ୟସ୍ତ ହେଲା ।

 

ଚାହୁଁ ଚାହୁଁ ରାତି ପାହିଗଲା । କାଉ କଲା ‘କା’ ।

 

ସୁକାନ୍ତର ଭୋକରେ କରଡ଼ି ଜଳି ଯାଉଥାଏ । କ’ଣ କିରିବ କୁଆଡ଼େ ଯିବ ଚିନ୍ତାକରି ପାରୁ ନ ଥାଏ । ତା’ର ବାମ ଗୋଡ଼ଟି ଅଳକାର ଫାଟକ ବାଜି ଜଖମ ହୋଇଥିବା ହେତୁ, ସେ ଉଠି ପାରୁ ନ ଥାଏ । କ୍ଳାନ୍ତି, ଅବସାଦରେ ଦେହ ଥରି ଉଠୁଥାଏ। ଭୋକରେ ପେଟ ଜଳୁଛି । ଚାରିଆଡ଼େ ଦୃଷ୍ଟି ବୁଲାଇ ନେଲା ଦେଖିଲା ଗୋଟିଏ ଶିକା ଉପରେ କିଛି ଲଡ଼ୁ ଥୁଆହୋଇଛି । କିଏ ସତେ କହିଦେଲା ଭଳି ଗୋଟିଏ ଲଡ଼ୁ ସିଏ ପଦାକୁ ଫୋପାଡ଼ି ଦେଲା । ତାକୁ ଯେତୋଟି ଆଉ ଖାଇଲେ–ସେଗୁଡ଼ିକ ଘଟଣାସ୍ଥଳରେ ଢଳି ପଡ଼ିଲେ ।

 

ସୁକାନ୍ତର ଦେହ ଭୟରେ ଥରି ଉଠିଲା । ସେ ମନ ମଧ୍ୟରେ କେତେ କ’ଣ ଭାବିଗଲା । ବିଘ୍ନରାଜ ଉପରେ ଥିବା ସମସ୍ତ ବିଶ୍ଵାସ ତା’ର ତୁଟିଗଲା । ବିଘ୍ନରାଜ ପ୍ରତି ଘୃଣା ଓ ସଂଦେହରେ ହୃଦୟ ପୁରିଗଲା । ନିଜର ମା ଓ ପତ୍ନୀଙ୍କ କଥା ଏତେ ଦିନେ ସେ ମନରେ ହେଜିଲା । ବିଘ୍ନରାଜ କରିଥିବା ଷଡ଼ଯନ୍ତ୍ର କଥା ସେ, ପରିଷ୍କାର ଭାବରେ ବୁଝିପାରିଲା ।

 

ବିଘ୍ନରାଜ, ଚକ୍ରପାଣି ଦୁହେଁ ତା’ର ବାପାକୁ ଭୁଲାଇ, ତାକୁ କୁପଥରେ ନେଇଛନ୍ତି ବୋଲି ସେ ଆଜି ପ୍ରଥମ କରି ଅନୁଭବ କଲା । ତା’ର ଗର୍ଭଧାରିଣୀ ଜନନୀ ଦୁଃଖରେ ସଢ଼ି ସଢ଼ି ଇହଧାମ ତ୍ୟାଗ କରିଛନ୍ତି । ପ୍ରାଣର ପ୍ରିୟତମା ପତ୍ନୀ ନଦୀ ବା ସମୁଦ୍ରରେ ପଡ଼ି ପ୍ରାଣ ହରାଇଛନ୍ତି ।

 

ଯଦି ବିଘ୍ନରାଜ ଆଜି ବଂଚିଥାନ୍ତା ! ସେ ତା’ର ପାପର ପ୍ରାୟଶ୍ଚିତ ନିଶ୍ଚୟ ଭୋଗ କରିଥାନ୍ତା ! ତା’ର ତଣ୍ଟିଚିପି ତାକୁ ମାରି ଥାନ୍ତି ନଚେତ୍‍ ଗୁଳି କରି ମାରିଥାନ୍ତି । ଆଉ ଚକ୍ରପାଣି–ତାକୁ ପିଟି ପିଟି ମାରିଥାନ୍ତି ।

 

ପୁଣି ବାପା–

 

ଏ ଭଳି ବାପାଙ୍କର ଦରକାର କ’ଣ ? ପ୍ରକୃତରେ ଯଦି ସେ ମୋତେ ଜନ୍ମ କରିଥାନ୍ତେ ଓ ମୋର ସେ ପିତା ହୋଇଥାନ୍ତେ, ତାହାହେଲେ ବିଘ୍ନରାଜ ଭଳି ଜଣେ ନରାଧମ ସହିତ ମୋର ସଂପର୍କକୁ ଦୃଢ଼ରୁ ଦୃଢ଼ତର କରିବା ପାଇଁ ଅସଦ୍‍ ପରାମର୍ଶ ଦେଇ ନ ଥାନ୍ତେ । ଅସଦ୍‍ ଉପାୟରେ ଧନ ଅର୍ଜନ କରିବାପାଇଁ ମୋତେ ପ୍ରବର୍ତ୍ତାଇ ନ ଥାନ୍ତେ ।

 

ସେ ପିତା ନୁହେଁ, ପିଶାଚ । ମୁଁ ତାଙ୍କୁ ପିତାର ସମ୍ମାନ ଦେବାକୁ ଚାହେଁ ନା–ସେ ମୋର ପରମ ଶତ୍ରୁ ।

 

ସୁକାନ୍ତର ମୁଣ୍ତ ଗୋଳମାଳ ହୋଇ ଯାଇଛି । ସେ ସତ୍‍ ଅସତ୍‍ ବିଷୟରେ କିଛି ଧାରଣା କରି ପାରୁନାହିଁ । ଏତିକି ବେଳେ–

 

କିଏ ଜଣେ ଦଉଡ଼ି ଆସି କହିଲା–“ପୋଲିସ୍‍ ।”

 

ଭୁଜବଳବାବୁ ଅନେକ ବେଳୁ ଶୋଇବାକୁ ଚେଷ୍ଟା କଲେଣି, ମାତ୍ର ଶୋଇ ପାରୁ ନାହାନ୍ତି-। ତାଙ୍କ ମନରେ ନାନାଆଡ଼ୁ ନାନା କଥା ଆସି ପଡ଼ୁଛି । ମନରେ ତିଳେ ହେଲେ ଶାନ୍ତି ନାହିଁ-। ସେ ରୁକ୍ମିଣୀ ଦେବୀଙ୍କୁ ଝୁରି ଝୁରି ଦେହରେ ହାଡ଼ ଦି’ଖଣ୍ତ ରହିଲାଣି । କେତେ ଆଡ଼ୁ କେତେ କଥା ତାଙ୍କ ମନରେ ପଡ଼ୁଛି । ତାଙ୍କର ଅବସ୍ଥା ଏପରି ହେଲାଣି, ଯେ ଦେଖିବ ସେ ଆଉ ଚିହ୍ନି ପାରିବ ନାହିଁ-

 

ସେ ରୁକ୍ମିଣୀ ଦେବୀ ଓ ସୁକାନ୍ତୀ କି ଭାବି ଭାବି କଣ୍ଟା ହେଲେଣି । ଯେ ଯେତେ ରକମର ବୁଝାଇଲେ ମଧ୍ୟ ତାଙ୍କ ମନ କେଉଁଥିରେ ବୁଝୁ ନାହିଁ ।

 

ସେ ବହୁତ ଚେଷ୍ଟା କଲେ ମଧ୍ୟ ଶୋଇ ପାରୁ ନାହାନ୍ତି । ଅତୀତ ଯେପରି ଆଜି ମୂର୍ତ୍ତିମନ୍ତ ହୋଇ ତାଙ୍କ ଆଗରେ ଠିଆ ହୋଇଛି । ବିବେକର କଷାଘାତରେ ଚମକି ପଡ଼ୁଛନ୍ତି ସେ । ସେ ଆଜି ଗୋଟିଏ କଥାକୁ ବଡ଼ ନିବିଡ଼ ଭାବରେ ଭାବୁଛନ୍ତି । ତାଙ୍କର ପାଞ୍ଚଟି କନ୍ୟା ସଂତାନ ଜାତ ହେବା ପରେ ତାଙ୍କର ସ୍ତ୍ରୀ କିପରି ପାଗଳ ହୋଇ ଯାଇଥିଲେ ।

 

ତା’ପରେ–

 

ଷଷ୍ଠ ଗର୍ଭର ଶୁଭ ଲକ୍ଷଣ ପ୍ରକାଶ ପାଇଲା । ସେଥିର ରୁକ୍ମିଣୀ ଦେବୀଙ୍କ ସ୍ଵାସ୍ଥ୍ୟ ଖରାପ ହେଲା । ବଂଚିବାର ଆଶା କ୍ଷୀଣ ହୋଇ ଉଠିଲା । ଯେ, ତାଙ୍କୁ ଦେଖିଲା ଦୀର୍ଘ ନିଶ୍ଵାସଟି ପକାଇ ଭଗବାନଙ୍କୁ ତାଙ୍କର ଜୀବନ ରକ୍ଷା ପାଇଁ ଡାକିଲା । ସେ ନିଜେ ମଧ୍ୟ କହିଲେ ଯେ, ଏଥର ଆଉ ଯମଦୂତମାନଙ୍କ କବଳରୁ ସେ ରକ୍ଷାପାଇ ପାରିବେ ନାହିଁ ।

 

ଦିନ ପରେ ଦିନ ଗଡ଼ି ଚାଲିଲା । ରୁକ୍ମିଣୀ ଦେବୀଙ୍କୁ ଡାକ୍ତରଖାନାକୁ ନିଆଗଲା । ସେଠାରେ ଷଷ୍ଠ ମୃତ କନ୍ୟାଟି ଭୂମିଷ୍ଠ ହେଲା । ସେତେବେଳକୁ ତାଙ୍କର ଚେତା ନ ଥିଲା ।

 

ଠିକ୍‍–

 

ସେହି ମୁହୂର୍ତ୍ତରେ ଅନ୍ୟ ଗୋଟିଏ ବେଡ଼୍‍ ତଳେ ଶୋଇ କୁଆଁ କୁଆଁ କରି କାନ୍ଦୁଥିବା ନବଜାତ ଶିଶୁଟିକୁ ଆଣି ତାଙ୍କ କୋଳରେ ଶୁଆଇ ଦିଆଗଲା । ସେହି ନବଜାତ ଶିଶୁଟିକୁ କୌଣସି ହତଭାଗିନୀ ଜନନୀ ଛାଡ଼ି ଚାଲି ଯାଇଥିଲା । ପୋଲିସ୍‍ ଅନୁସଂଧାନ କଲେ, କିଛି ଜାଣି ପାରିଲେ ନାହିଁ । ପରେ ଜଣାଗଲା ଯେ କୌଣସି ଲୋକ ମିଛ ଠିକଣା ଦେଇ ଡାକ୍ତର ଖାନାରେ ଥିଲା । ଶିଶୁଟି ଜନ୍ମ ପରେ କୁଆଡ଼େ ଚାଲି ଯାଇଛି ତା’ର ସଂଧାନ ମିଳୁ ନାହିଁ ।

 

ଈଶ୍ଵର ବଡ଼ ଲୋକ । ସେ ଶିଶୁକୁ ଆଉ କେହି ଖୋଜିଲେ ନାହିଁ । ତା’ ପରେ ତାଙ୍କ ଚେତା ଯେତେବେଳେ ଫେରି ଆସିଲା । ସେ ପଚାରିଲେ–“ପୁଅ ନା ଝିଅ ?”

 

ପୁଅ ।

 

ସେ ଆନନ୍ଦ ବିହ୍ଵଳା ହୋଇଗଲେ । ସବୁ ଦୁଃଖ ଭୁଲିଗଲେ । ତାଙ୍କ ଦେହରୁ ରୋଗ ମଧ୍ୟ ଉଭାଇ ଗଲା । ସେ ମନେ କଲେ ସତେ ଯେପରି ତାଙ୍କର କିଛି ହୋଇ ନାହିଁ । ପୁତ୍ରର ନାମ ସୁକାନ୍ତ ଦିଆଗଲା । ଦିନ ପରେ ଦିନ, ମାସ ପରେ ମାସ ଗଡ଼ି ଚାଲିଲା । ପାଞ୍ଚଟି କନ୍ୟା ଓ ପୁତ୍ରଟି ସହିତ ରୁକ୍ମିଣୀ ଦେବୀ ରହିଲେ । ମୁଁ ରେଙ୍ଗୁନ ଯାଇ ସେଠାରେ ବହୁ ଧନ ଉପାର୍ଜନ କଲି । ଯାହା ଫଳରେ ଜମିଦାରୀ କିଣି ପାରିଲି ।

 

ହଁ–ମୁଁ ରେଙ୍ଗୁନରେ ଥିବାବେଳେ ଏକ ହୃଦୟବିଦାରକ କରୁଣ କାହାଣୀ ଶୁଣିବାକୁ ପାଇଲି ।

 

ଭାଦ୍ରବ ମାସର ପହିଲି ରବିବାର ଦିନ । ପାଞ୍ଚଟି ଯାକ ଝିଅ ରାତି ଥାଇ ଖୁଦୁରୁକୁଣୀ ଓଷା ପାଇଁ ଫୁଲ ତୋଳିବାକୁ ଯାଇ ଧରା ଧରି ହୋଇ ବୁଡ଼ିମଲେ । କେବଳ ସୁକାନ୍ତକୁ ଦେଖି ରୁକ୍ମିଣୀ ଦେବୀ ସବୁ ଦୁଃଖ ଭୁଲି ଗଲେ ।

 

ସୁକାନ୍ତ ଦିନକୁ ଦିନ ବଢ଼ିବାକୁ ଲାଗିଲା । ପାଠ ପଢ଼ି ବି: ଏ: ପାଶ୍‍ କଲା । ସୁକାନ୍ତର କାର୍ଯ୍ୟ କଳାପ ଦେଖି ଅନେକ ଲୋକ କହନ୍ତି–“ଧାନ ପେଟରୁ ବାଳୁଙ୍ଗାଟିଏ ଜନ୍ମ ହେଲା କେମିତି-?”

 

ମୁଁ କଥାଟି ଶୁଣେ କିଛି କହେ ନାହିଁ । ରୁକ୍ମିଣୀ ଦେବୀ ଶେଷ ପର୍ଯ୍ୟନ୍ତ ମଧ୍ୟ କିଛି ଜାଣି ପାରି ନ ଥିଲେ ।

 

ନିଜର ପୁଅ ଝିଅଙ୍କ ମା’ମାନେ ଗେହ୍ଲାରେ କହିଲା ଭଳି ସେ କେବଳ ବେଳେବେଳେ କହନ୍ତି–“ମୁଁ ସୁକାନ୍ତକୁ ଡାକ୍ତରଖାନାରୁ ପାଇ କରି ଆଣିଛି ।”

 

କିନ୍ତୁ–

 

ପ୍ରକୃତରେ ରୁକ୍ମିଣୀ ଦେବୀ ଜାଣନ୍ତି ନାହିଁ ଯେ, ସେ ସୁକାନ୍ତକୁ ପାଇକରି ଆଣିଛନ୍ତି । ନିୟତୀର ବିଚିତ୍ର ଗତି । ଜଗତରେ କାହାରି ଶକ୍ତି ନାହିଁ ଯେ, କିଏ ତା’ର ଗତିକୁ ପ୍ରତିହତ କରିବ ।

 

ସୁକାନ୍ତ କ’ଣ କରୁଥିବ ବର୍ତ୍ତମାନ ଜେଲରେ ?

 

ରାତି ଅନେକ ହୋଇ ଗଲାଣି । ଟିକେ ନିଦ ହୋଇ ଯାଆନ୍ତା କି ?

 

ଏତିକି ବେଳେ–

 

ଭୁଜବଳବାବୁଙ୍କ ଶୋଇବା ଘର କବାଟରେ ଠକ୍‍ ଠକ୍‍ ଶୁଭିଲା ।

 

ଭୁଜବଳବାବୁ କରଲେଉଟାଇ କାନ ଡେରି ରହିଲେ । ପୁଣି କବାଟ ଠକ୍‍ ଠକ୍‍ ହେଲା ।

 

ଭୁଜବଳବାବୁ ପଚାରିଲେ–“କିଏରେ ?”

 

କିଛି ଜବାବ ମିଳିଲା ନାହିଁ ।

 

ଭୁଜବଳବାବୁ ଏଥର ଉଠି ବିଛଣାରେ ବସିଲେ । ଏଥର ପୁଣି ଆହୁରି ଜୋରରେ କବାଟ ଠକ୍‍ ଠକ୍‍ ହେଲା । ମନରେ ଦମ୍ଭ, ହୃଦୟରେ ସାହସବାନ୍ଧି ଭୁଜବଳବାବୁ ଯାଇ କବାଟ ଫିଟାଇ ଦେଲେ ।

 

ଝଡ଼ ବେଗରେ ଘର ଭିତରକୁ ପଶିଆସିଲା ସୁକାନ୍ତ । ଭୁଜବଳବାବୁ ଟିକିଏ ଶଂକି ଗଲେ । ଜେଲର ମେଘନାଦପାଚେରୀ ଡେଇଁ ସୁକାନ୍ତ ଯେ ଆସିଛି ଭୁଜବଳବାବୁ କିପରି ଜାଣିବେ-? ସେ ଭୟରେ ଚିତ୍କାର ଛାଡ଼ିଲେ ।

 

ଖୁବ୍‍ ପାଖକୁ ଲଗିଆସିଲା ସୁକାନ୍ତ ।

 

ମିଂଜି ମିଜିଂ ହୋଇ ଜଳୁଥିବା ଲଣ୍ଠନ୍ଟିକୁ ଟେକି ଦେଲେ ଭୁଜବଳବାବୁ । ସେ ଯାହା ଦେଖିଲେ, ନିଜର ଆଖି କାନକୁ ବିଶ୍ଵାସ କରିପାରିଲେ ନାହିଁ ।

 

ସୁକାନ୍ତ ପଚାରିଲା–“ମୋତେ ଚିହ୍ନି ପାରୁଛ ?”

 

ଭୁଜବଳବାବୁ କହିଲେ–“ନାଁ ”

 

ହଁ, ଚିହ୍ନି ପାରିବ କେମିତି ? ତୁମରି ଦଶା ମୁଁ ଭୋଗୁଛି ବର୍ତ୍ତମାନ । ତୁମର ଲାଳସା ବହ୍ନିର ଇନ୍ଧନ ହୋଇ ଜଳୁଛି । ତୁମେ ମଜାମାରି ଏଠାରେ ମଉଜରେ ରହିଛ, ଆଉ ମୁଁ ଜେଲର କେଉଁ ଅଂଧାରୀ କୋଣରେ ଭୋକ ଉପାସରେ ସଢ଼ୁଛି । ମୁଁ କହୁଛି ଶୀଘ୍ର ଭିତରୁ କବାଟ ବନ୍ଦ କରିଦିଅ ।

 

ଭୁଜବଳବାବୁ ଏଥର ସୁକାନ୍ତକୁ ଭଲକରି ଚାହିଁଲେ । ମୂହଁରେ ହାତେ ହାତେ ଲମ୍ଵା ଦାଢ଼ୀ । ଦେହରେ ନମ୍ଵରକରା ଫତେଇ ଖଣ୍ତେ । ନଖ ଗୁଡ଼ିକ ଭାଲୁ ନଖପରି । ମଇଳା ଲୁଗା ଗନ୍ଧରେ ନାକ ଫାଟି ଯାଉଛି । ନୟନ ଦୀପ୍ତିହୀନ । ଦୀର୍ଘକାଳର ରୋଗୀ ଭଳି ଦେଖାଯାଉଛି ସେ ।

 

ଏଥର ଭୁଜବଳବାବୁ ପଚାରିଲେ–“ଆଚ୍ଛା ବାବା କ’ଣ ଖାଇଛୁ ?”

 

ନାଁ–

 

ଭୁଜବଳବାବୁ ମୃଢ଼ି ଦି’ଟା ଆଣି ଦେଲେ । ସୁକାନ୍ତ ଦୁର୍ଭିକ୍ଷ ପ୍ରପୀଡ଼ିତ ଲୋକ ଭଳି ମସ୍‍ମସ୍ କରି ମୁଢ଼ି ଚୋବାଇଲା । ଅଧ ସେରିଆ ଗ୍ଲାସରେ ଢକ ଢକ କରି, ଦୁଇ ଗ୍ଳାସ ପାଣି ପିଇଦେଲା ।

 

ବାପା !

 

ହଁ–

 

କ’ଣ କହି ଆସୁଥିଲା ସୁକାନ୍ତ କହିପାରିଲା ନାହିଁ । ପାଟି କଥା ପାଟିରେ ରହିଗଲା । ଆଖିରୁ ତା’ର ଝରିପଡ଼ିଲା ଦି’ଟୋପା ତତଲା ଲୁହ । ହୁଏତ ସେ ପଚାରିଥାନ୍ତା ସୁକାନ୍ତୀ କଥା ବୋଧହୁଏ ।

 

ଏଥର ବାହାରେ କୋଳାହଳ ଶୁଭିଲା । ସୁକାନ୍ତ ପରିଷ୍କାର ଭାବରେ ବୁଝିପାରିଲା ଯେ ତାକୁ ଧରିବାପାଇଁ ପୋଲିଶ ଜେଲ ଗାଡ଼ି ନେଇ ଆସିଛନ୍ତି । ସେ ପାଚେରୀ ଡେଇଁ ଚୁପ୍‍ ଚୁପ୍‍ କରି ପଳାଇଗଲା । ଗଲାବେଳେ ଅଳକାକୁ ଖଣ୍ତିଏ ଚିଠି ଲେଖିଦେଇ ଗଲା ସେ ।

 

ମାନନୀୟାଷୁ–

 

ମୋର ପ୍ରଣାମ ନେବେ ।

 

ମଣିଷ ଏକ ଦୁର୍ବଳ ମୂହୁର୍ତ୍ତରେ ଯେଉଁ ଭୁଲ କରି ବସେ ତାହାର ପ୍ରାୟଶ୍ଚିତ କରିବାପାଇଁ ଶତ ଚେଷ୍ଟା କଲେ ମଧ୍ୟ ତାହା ସ୍ମୃତି ପଟରେ ଅଲିଭା ଦାଗ ରଖି ଜୀବନ୍ତ ମରଣର ବେଦନା ଆଣିଦିଏ ।

 

ମୁଁ ଜାଣେ ଆପଣ ଜଣେ ବୁଦ୍ଧିମତୀ, ଜ୍ଞାନଶୀଳା ମହିଳା । ଆପଣଙ୍କ ହୃଦୟ ଦୟାରେ ପୂର୍ଣ୍ଣ । ମୋର ଆଶା ଓ ବିଶ୍ଵାସ ମୋର କୃତକାର୍ଯ୍ୟ ପାଇଁ ଉଦାରତାର ସହିତ ମୋତେ କ୍ଷମା ଦେବେ ।

 

ମୋତେ ଆପଣ ଚିହ୍ନି ନାହାନ୍ତି । ମୁଁ ଜେଲରୁ ଲୁଚି ଆସିଥିଲି, ଆପଣଙ୍କୁ ସାକ୍ଷାତ କରି କ୍ଷମା ମାଗିବାପାଇଁ । ମାତ୍ର ସେ ସୁଯୋଗ ମୋତେ ଘଟିଲା ନାହିଁ । ଏତିକିରେ ମୁଁ ରହୁଛି । ଇତି । ସୁକାନ୍ତ ।

 

ଏଥର ପୋଲିଶ ଏସ୍‍.ପି.ଙ୍କ ତତ୍ତ୍ଵାବଧାନରେ ଭୁଜବଳବାବୁଙ୍କ ଘର ଖାନତଲାସ ଚାଲିଲା । ଏହି ଖାନତଲାସ କରୁଥିଲେ ଜଣେ ପୋଲିଶ ଇନସ୍ପେକ୍ଟର, ଜଣେ ସବ୍ଇନସ୍ପେକ୍ଟର ଓ ଚାରିଜଣ କନେଷ୍ଟବଳ ।

 

ଘରର ସବୁଆଡ଼େ ସର୍ଚ୍ଚ କଲେ । ଅଳକାକୁ ଲେଖା ହୋଇଥିବା ଚିଠି ଖଣ୍ତିକ ଭୁଜବଳବାବୁଙ୍କ ତକିଆ ତଳୁ ପାଇଲେ ।

 

ସୁକାନ୍ତ ସମ୍ଵନ୍ଧରେ ଭୁଜବଳବାବୁଙ୍କୁ ନାନାଦି ପ୍ରଶ୍ନ ପଚାରିଲେ । ଭୁଜବଳବାବୁ ଏଭଳି ଭୀତତ୍ରସ୍ତ ହୋଇଗଲେ ଯେ, ପାଟିରୁ ତାଙ୍କର କୌଣସି ଜବାବ ମିଳିଲା ନାହିଁ । ବରଡ଼ାପତ୍ର ଭଳି ଥରିଲେ ସେ ।

 

ପୋଲିସ ଇନସ୍ପେକ୍ଟର ବାବୁ ବିରକ୍ତ ହୋଇ ଲାଠିରେ ଦୁଇ ପାହାର ପକାଇଲେ ଭୁଜବଳବାବୁଙ୍କୁ । ଗୋଟିଏ ପାହାର ଭୁଜବଳବାବୁଙ୍କ ମୁଣ୍ତରେ ଏଭଳି ଭାବରେ ବସିଲା ଯେ, ରକ୍ତର ସୁଅ ଛୁଟିଲା । ସେ ଅଚେତ ହୋଇ ତଳେ ପଡ଼ିଗଲେ ।

 

ଭୁଜବଳଙ୍କୁ ପୋଲିସ ଭ୍ୟାନ୍‍ରେ ନେଇ ଡାକ୍ତରଖାନାରେ ଭର୍ତ୍ତି କରାଗଲା । ଅତିରିକ୍ତ ରକ୍ତ କ୍ଷରଣ ଘଟିଥିବା ଯୋଗୁଁ ଡାକ୍ତରମାନେ ରକ୍ତ ଦେବାକୁ କହିଲେ । ରକ୍ତ ଦେଉଛି କିଏ ?

 

ଡାକ୍ତରଖାନାର ଜଣେ ଲେଡ଼ି ଡାକ୍ତର ସ୍ଵେଚ୍ଛାକୃତ ଭାବରେ ରକ୍ତ ଦେବାକୁ ଆଗେଇ ଆସିଲେ । ରକ୍ତ ଦିଆଗଲା । ସବୁ ରକମର ଚେଷ୍ଟା ସତ୍ଵେ, ଭୁଜବଳବାବୁ ରାତି ତିନିଟା ବେଳକୁ ସଂସାରର ସମସ୍ତ ମାୟା ବନ୍ଧନ କାଟି ଇହଲୀଳା ତ୍ୟାଗ କଲେ ।

 

ପୋଲିସର ଏହି ଭଳି ନିଷ୍ଠୁର ବ୍ୟବହାର ଯୋଗୁଁ ଏବେ ବି, ପୋଲିସ ଜନସାଧାରଣଙ୍କର ଆସ୍ଥା ଭାଜନ ହୋଇ ପାରୁନାହାନ୍ତି । ତେଣୁ କବିବର ରାଧାନାଥ କହିଛନ୍ତି :–

 

“ତେଣୁ ତା’ର ନାମ ଅଟଇ ପୋଲିସ,

ବିନାମେଘେ ସୃଜି ପାରଇ କୁଳିଶ ।”

 

ତହିଁ ଆରଦିନ ସକାଳୁ ଖବର କାଗଜରେ ବାହାରିଲା, ଯିଏ ଏତେ ନମ୍ଵର କଇଦୀଙ୍କୁ ଧରି ଦେଇ ପାରିବ ସେ ଏକହଜାରଟଙ୍କା ପୁରସ୍କାର ପାଇବ । ଆଉ ଯଦି କୌଣସି ସମାଜ ବିରୋଧି ଲୋକ ଏଭଳି ଲୋକଙ୍କୁ ପ୍ରଶ୍ରୟ ଦେଇଥିବାରୁ ଜଣାପଡ଼େ । ତେବେ ତାଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରାଯିବ ।

 

ଆଜି ଜେଲରେ ଚାରିଆଡ଼େ ଚହଳ । ଦଳ ଦଳ ହୋଇ ଲୋକ ଜେଲ ଭିତରକୁ ଆସୁଛନ୍ତି । ଆବାଳବୃଦ୍ଧବନିତା କେହି ବାଦ ପଡ଼ୁ ନାହାନ୍ତି । ଯେଉଁମାନେ ଜେଲକୁ ଆସୁଛନ୍ତି ସେମାନେ ଜେଲ୍‍ ଭ୍ୟାନରୁ ବାହାରିଲା ମାତ୍ରେ ‘ଇନକିଲାବ ଜିନ୍ଦାବାଦ’ ‘ଜୟ ମହାତ୍ମାଗାନ୍ଧୀ କି ଜୟ’ ‘ଜୟ ଭାରତ ଜନନୀର ଜୟ’ ପ୍ରଭୃତି ଜାତୀୟତା ବ୍ୟଞ୍ଜକ ସ୍କୋଗାନ ଦେଇ ଗଗନ, ପବନ, ପ୍ରକଂପିତ କରୁଛନ୍ତି । ଜେଲ୍‍ ତା’ର ପ୍ରତିଧ୍ଵନୀରେ ଆଲୋଡ଼ିତ ହେଉଛି ।

 

ଜେଲର ପାଇଖାନା ଠାରୁ ରୋଷେଇ ଘରଯାଏ, ଆଉ ସୋରିଷଟିଏ ପକାଇବାକୁ ଥାନ ନାହିଁ । ସବୁଆଡ଼େ ଲୋକ ଦଳ ଦଳ ହୋଇ ଶୋଇଛନ୍ତି । ଶ୍ରେଣୀର ବାଛ ବିଚାର ନାହିଁ ।

 

ଯେତେ ଲୋକ ଜେଲକୁ ଆସୁଛନ୍ତି, ସେତେ ପୁଣି ସତ୍ୟାଗ୍ରହ କରି ଗିରଫ ହେବାପାଇଁ ଆଗେଇ ଆସୁଛନ୍ତି । ଇଂରେଜ ସରକାରଙ୍କ ବୁଦ୍ଧି ବଣା ହୋଇଗଲାଣି । ସେ ଭାବୁଥିଲେ ଗାନ୍ଧୀ, ନେହେରୁ, ପଟେଲ, ଚିତ୍ତରଞ୍ଜନ ଓ ଗୋପବନ୍ଧୁ ପ୍ରଭୃତି କେତେ ଜଣ ମାତ୍ର, ସ୍ଵାଧୀନତା ଆନ୍ଦୋଳନକୁ ଏ ଦେଶରେ ଜୀଆଇଁ ରଖିଛନ୍ତି ।

 

ସେମାନଙ୍କର ଧାରଣାର ବାହାରେ ଥିଲା ଯେ, ଏ ଦେଶର ପ୍ରତ୍ୟେକ ଜନତା ସ୍ଵାଧିନତାର ସ୍ଵାଦ ଚାଖିବାକୁ ଉଦଗ୍ରୀବ ହେଲେଣି । ଏ ଦେଶର କବି ଲେଖିଲେଣି–

 

“ଡରାଇ ଶାସିବା ନୀତି ଭାଙ୍ଗିଯିବ ।

ପ୍ରଜାଙ୍କ ମତରେ ଶାସନ ଚାଲିବ ।”

 

ଯାହାହେଉ, ଚୋର, ତସ୍କର, ଡକାୟତ, ଦୋଷୀ ସମସ୍ତେ ଏ ଦେଶର ଲୋକ । ସମସ୍ତେ ଭାରତ ଜନନୀଙ୍କର ପୁତ୍ର । ବର୍ତ୍ତମାନ ସମସ୍ତଙ୍କର ଗୋଟିଏ ମହତ୍‍ ଉଦ୍ଦେଶ୍ୟ ହେଉଛି ଯେ, ଏ ଦେଶରୁ ପରାଧିନତା ଲୋପ କରିବା ।

 

ଆଜି ଯେଉଁ ମହିଳା ସତ୍ୟାଗ୍ରହୀଦଳ ଆସିଛନ୍ତି ସେହି ଦଳ ମଧ୍ୟରେ ଆସିଛି ଅଳକା । ତା’ର ଛୋଟ ପୁଅଟି ମଧ୍ୟ ଆସିଛି । ଅଳକା ଯେଉଁ ଘରେ ରହିଛି ସେହି ଘର ପାଖ ବାରଣ୍ତାରେ ରହିଛି ସୁକାନ୍ତ । ଅଳକାକୁ ଦେଖିଲା ମାତ୍ରେ ସୁକାନ୍ତ ଚିହ୍ନି ପାରିଛି । ମାତ୍ର ଅଳକା ସୁକାନ୍ତକୁ ଚିହ୍ନି ପାରିନି ।

 

ଅଳକା ଆସିଲା ଦିନରୁ ସୁକାନ୍ତ ତା’ର କୃତପାପର ପ୍ରାୟଶ୍ଚିତ ପାଇଁ ଯତ୍‍ପରୋନାସ୍ତି ଚେଷ୍ଟା କରେ । ଅଳକାର ପିଲାଟିକୁ ସବୁବେଳେ ଗେଲ କରେ, କାଖାଏ, ପାଖରେ ବସାଏ ଗପ କହେ ।

 

ଜେଲର ମେଟ୍ରନ ଯେତେବେଳେ ଆସେ ସେତେବେଳେ ଅଳକାକୁ ସତର୍କ କରି କହିଯାଏ–ଶୁଣ, ବାରଣ୍ତାରେ ଥିବା ୧୧ ନମ୍ଵର ଆସାମୀକୁ ଖୁବ୍‍ ସାବଧାନ ଥିବ । ସେ ଭଲ ଲୋକ ନୁହେଁ । ଆଖିରୁ କଳା କାଢ଼ି ନେଇଯିବ । ଘରପୋଡ଼ି ଅପରାଧରେ ଧରା ହୋଇ ଆସିଛି ସେ । ତା’ର ବିଚାର ଶେଷ ହୋଇନାହିଁ ।

 

ଏହାରି ଭିତରେ ପୁଣି ଦିନେ ସେ ଗାର୍ଡ଼ ଆଖିରେ ଧୂଳୀ ଦେଇ ପାଚେରୀ ଡେଇଁ ଜେଲ ବାହାରକୁ ପଳାଇଗଲା । ତା’ପରେ ମାସେ ଦୁଇମାସ କାଳ ଲୁଚି ରହିଲା । ଦିନେ ସେ ସ୍ତ୍ରୀ ବେଶରେ ଗୋଟିଏ ମନ୍ଦିରରେ ବୁଲୁଥିଲା ବେଳେ ଗୋଟିଏ ପିଲା ସନ୍ଦେହ କରି ପୋଲିସକୁ ଖବର ଦେଲା । ପୋଲିସ ଆସି ଗିରଫ କଲେ ।

 

ଏଥର–

 

ଅଳକା ଆସି ଭଲକରି ଥରେ ସୁକାନ୍ତକୁ ଦେଖିଲା । ସୁକାନ୍ତର ଦୁରାବସ୍ଥା ଦେଖି ଅଳକାର ଜନନୀ ହୃଦୟ ତରଳିଗଲା । ସେ ମନେ ମନେ ଭାବିଲା–“ଶାସ୍ତ୍ର କହୁଛି ପାପକୁ ଘୃଣାକର, ପାପୀକୁ ନୁହେଁ ।” ତେବେ କେଉଁ ପରିସ୍ଥିତିରେ ପଡ଼ି ଏ ଲୋକଟି ଏପରି କଲା–କିଏ ଜାଣେ ? ମାତ୍ର ଆଜି ସେ ଯେ ଜଣେ ଉତ୍ତମ ପୁରୁଷ, ତା’ ପ୍ରତି ସଂଦେହ କରିବାର କ’ଣ ଅଛି ?

 

ଅଳକାର ଯାହା ଖାଦ୍ୟଦ୍ରବ୍ୟ ଆସେ ସେ ସେଥିରୁ କିଛି କିଛି ତା’ ପୁଅ ହାତରେ ସୁକାନ୍ତ ପାଇଁ ପଠାଏ । ତେବେ ମୋଟାମୋଟି ସୁକାନ୍ତର ବ୍ୟବହାରରେ ଅଳକା ମୁଗ୍‍ଧ ।

 

ଦିନେ ଅଳକା ପଚାରିଲା–“ତୁମ ନାଆଁ କ’ଣ ?”

 

ସୁକାନ୍ତ ।

 

ତୁମର କିଏ ସବୁ ଅଛନ୍ତି ?

 

କେହି ନାହାନ୍ତି ।

 

ତୁମେ କି ଅପରାଧରେ ଧରା ହୋଇ ଆସିଛ ?

 

ଘର ପୋଡି ।

 

କାହାର ?

 

ଆପଣଙ୍କର–ମୋତେ କ୍ଷମାକର କ୍ଷମାକର ଭଉଣୀ କହି ଗୋଡ଼ ଧରି ଭୋ’ ଭୋ’ କରି କାନ୍ଦିଲା ସୁକାନ୍ତ ।

 

ଏଁ–ତୁମେ ?

 

ଚମକି ପଡ଼ିଲା ଅଳକା ।

 

ହଁ ।

 

ତୁମର ହୃଦୟ ଏଭଳି ଦୟାରେ ପୂର୍ଣ୍ଣ । ତୁମର ବ୍ୟବହାର ଏଡ଼େ ମଧୁର । ମୁଁ ତ’ ଦେଖୁଛି ତୁମେ ମାନବିକତାର ଜୀବନ୍ତ ମୂର୍ତ୍ତି ।

 

କିନ୍ତୁ–

 

ହଁ–ସବୁଦିନ ସମସ୍ତଙ୍କର ସମାନ ଥାଏନା । ଯେତେବେଳେ ମଣିଷ ପଥଭ୍ରଷ୍ଟ ହୁଏ; ତା’ ମୁଣ୍ତରେ ଭୂତ ପଶେ, ସେ ସେତେବେଳେ କ’ଣ କରେ ସେ ନିଜେ ବୁଝି ପାରେନା । ତାକୁ ଯେତେ ସତ୍‍ ପରାମର୍ଶ ଦିଆଗଲେ ମଧ୍ୟ ସେ ଗ୍ରହଣ କରିବାକୁ ପଶ୍ଚାତ୍‍ପଦ ହୁଏ । ପାପର ପଥ ଏଡ଼େ ପିଚ୍ଛିଳ ଯେ ଥରେ ସେ ପଥରେ ଗୋଡ଼ ଦେଇ ଆଗେଇଲେ ଆଉ ମଣିଷ ପଛକୁ ଫେରି ପାରେ ନା, ତା’ର ହୀତାହିତ ଜ୍ଞାନ ଲୋପପାଏ ।

 

ଯାହା ହେଉ, ତୁମଭଳି ମହିୟସୀ ମହିଳାଙ୍କ ପ୍ରତି ମୁଁ ଯେଉଁ ଅସଦ୍‍ ଆଚରଣ କରିଛି ସେଥିପାଇଁ ମୁଁ ଗଭୀର ଭାବରେ ଦୁଃଖିତ ଓ ଅନୁତପ୍ତ । ମେତେ ଜନ୍ମଜନ୍ମାନ୍ତରେ ନିସ୍ତାର ନାହିଁ । ମୋତେ ତୁମେ କ୍ଷମା ଦିଅ ଭଉଣୀ । ମୋର ମଧ୍ୟ ତୁମରିପରି ଜଣେ ଭଉଣୀ ଥିଲା ତା’ର ନାମ ଅଳକା । ତୁମରିପରି ।

 

ଠିକ୍‍–

 

ତୁମରିପରି ।

 

ସେ କ’ଣ କରୁଛନ୍ତି ?

 

ସେ ଫୁଲ ତୋଳୁ ତୋଳୁ ପୋଖରୀରେ ବୁଡ଼ି ମରିଛି ।

 

ତେଣୁ–

 

ତୁମେ ଆଜିଠାରୁ ମୋର ଭଉଣୀ । ମୁଁ ଆଜିଠାରୁ ତୁମ ନିକଟରେ ପ୍ରତିଜ୍ଞା କରୁଛି ଯେ ଆଜିଠାରୁ ଅନ୍ୟ କୌଣସି କଥାରେ ନ ମାତି ଦେଶ ସେବାରେ ନିଜକୁ ନିୟୋଜିତ କରିବି । ଯେତେ ବାଧା, ବିଘ୍ନ, ଦୁର୍ବିସହ ଯଂନ୍ତ୍ରଣା ଆସୁ ପଛକେ ମୁଁ ହସି ହସି ମୁକ୍ତି ଆନ୍ଦୋଳନରେ ଝାସ ଦେବି ।

 

ଅଳକା ଦୀର୍ଘ ନିଶ୍ଵାସ ପକାଇ କହିଲା ହେ ଭଗବାନ ।

 

ଏତିକିବେଳେ ହଠାତ୍‍ ଆସି ପହଞ୍ଚିଗଲା ବିବେକାନନ୍ଦ । ଅଳକା ବିବେକାନନ୍ଦକୁ ଦେଖି କିଛି କହି ପାରିଲାନାହିଁ । ବିବେକାନନ୍ଦ ବି ନିରୁତ୍ତର । ଉଭୟେ ଉଭୟଙ୍କୁ କେତେ ସମୟ ଧରି ଖାଲି ବଲ୍‍ ବଲ୍‍ କରି ଚାହିଁ ରହିଲେ । ଆଖିରେ ଲୁହ ଛାତିରେ କୋହ ।

 

ସୌମିତ୍ରୀ ରଞ୍ଜନ ଆସି କହିଲା ମା–ମା–ସେ କିଏ ? ବିବେକାନନ୍ଦ ପୁଅକୁ କାଖେଇ ପକାଇଲେ । ସେ ଜେଲକୁ ଆସିଲାବେଳେ ପୁଅକୁ ହୋଇଥିଲା ଦୁଇବର୍ଷ । ଆଜିକି ୬ ବର୍ଷ ହେଲା ଘର ଛାଡ଼ି ଆସିଲାଣି ବିବେକାନନ୍ଦ ।

 

ଅଳକା ଜାଣେନି ବିବେକାନନ୍ଦ ଠିକ୍‍ ତାରି ଜେଲରେ ଅଛି ବୋଲି । ସେ ଜାଣିଥିଲା ହଜାରିବାଗ ଜେଲରେ ତାକୁ ନେଇ ରଖାଯାଇଛି । କିନ୍ତୁ ଏହା ଭିତରେ ତାକୁ ଏ ଜେଲକୁ ଅଣାଯାଇଛି । ଅଳକା ଯେଉଁଦିନ ଜେଲକୁ ଆସିଲା ସେଦିନ ଖବର ପାଇଥିଲା ବିବେକାନନ୍ଦ । ସେ ଅଳକା ସହିତ ଦେଖାକରିବ ବୋଲି ଜେଲ କର୍ତ୍ତୃପକ୍ଷଙ୍କୁ ଅନୁମତି ପନ୍ଦରଦିନ ହେବ ମାଗିଥିଲେ ମଧ୍ୟ ଆଜି ପାଇଲା ।

 

ଏ ଅନୁମତି ପୁଣି ମିଳିଛି ପନ୍ଦର ମିନିଟ ପାଇଁ । ପାଟିରେ କଥାବାର୍ତ୍ତା ହେବାକୁ ସମୟ ନାହିଁ ? କେବଳ ଆଖି କଥାବାର୍ତ୍ତାରେ ହିଁ ସ୍ଵାମୀ ସ୍ତ୍ରୀଙ୍କର ସାକ୍ଷାତ ଶେଷ ହେଲା । ଗାର୍ଡ଼ କହିଲା–

 

ବାବୁ ସମୟ ହୋଇଲା–“ଆସ, ଆସ ।”

 

ବିବେକାନନ୍ଦ ଚାଲିଗଲାବେଳେ ଅଳକା କୋଣାର୍କର ପାଷାଣ ରୂପସୀ ପରି ନିର୍ବାକ ହୋଇ ଠିଆ ହୋଇ ଚାହିଁ ରହିଥିଲା।

 

‘ଗାନ୍ଧୀଜୀଙ୍କର ‘କର ଅବା ମର’ ଆହ୍ଵାନରେ ସାରା ଦେଶ ଚହଲି ଯାଇଛି । ଦେଶର ସବୁ ବଡ଼ ବଡ଼ ନେତା ନେତ୍ରୀଙ୍କୁ ଗିରଫ କରି ନିଆଯାଇଛି । ଲୋକ ବଡ଼ ଅସହାୟ ଅବସ୍ଥାରେ ଥିଲେ ମଧ୍ୟ ପ୍ରବଳ ଜନଆନ୍ଦୋଳନ ଆରମ୍ଭ ହୋଇଛି । ପ୍ରତି ଗାଁରେ ପ୍ରତି ଘରେ ବର୍ତ୍ତମାନ ବିଦ୍ରୋହର ବହ୍ନୀ ଜଳୁଛି । କୌଣସି କୌଣସି ସ୍ଥାନରେ ଘର କୋଣରେ ଲୁଚିଥିବା ଅସୂର୍ଯ୍ୟସ୍ପର୍ଶା ସ୍ତ୍ରୀଲୋକମାନେ ବି ସରକାରୀ ଲୋକଙ୍କୁ ଦେଖିଲା ମାତ୍ରେ ଛାଞ୍ଚୁଶିରେ ବାଡ଼େଇବା ଆରମ୍ଭ କରିଛନ୍ତି-। ଲକ୍ଷ ଲକ୍ଷ ଲୋକଙ୍କୁ ଗିରଫ କରାଯିବା ଫଳରେ ଜେଲରେ ଆଉ ସ୍ଥାନ ନାହିଁ । ହାଉସରେ ଗୋରୁଙ୍କୁ ତାରବାଡ଼ ଦେଇ ରଖିଲା ଭଳି ସହସ୍ର ସହସ୍ର ଲୋକଙ୍କୁ ଖୋଲା ପଡ଼ିଆରେ ଖରା ବର୍ଷାରେ ରଖା ଯାଇଛି । ପିଇବାକୁ ଭଲ ପାଣି ମୁନ୍ଦେ ଦିଆଯାଉ ନାହିଁ । ଖାଇବାକୁ ପେଟପୁରା ଖାଦ୍ୟ ବି ଦିଆ ଯାଉନାହିଁ । ତାରି ଭିତରେ କେତୋଟି ଶିଶୁ ଶୁଖି ଶୁଖି ମରି ଗଲେଣି ।

 

ବାରୁଦ ଦେହରେ ଅଗ୍ନି ସଂଯୋଗ କଲେ ଯେଉଁ ଅବସ୍ଥା ସଂଘଟିତ ହୁଏ ଲୋକମାନଙ୍କ ମନର ଅବସ୍ଥା ତଦ୍ରୁପ ରହିଛି ।

 

ଜେଲର କର୍ମଚାରୀମାନେ ସତର୍କ କରି ଦେଇ ଗଲେ ଯେ ସାବଧାନ ! ଆଜି ପୋଲିସ୍‍ ଇନସ୍ପେକ୍ଟର ଆସିବେ । ସେତେବେଳେ ଶୃଙ୍ଖଳା ରକ୍ଷା କରିବାକୁ ହେବ ।

 

ତା’ ନ ହେଲେ–

 

ଯେଉଁମାନେ ଗୋଳମାଳ କରିବେ ସେମାନଙ୍କର ଜେଲର ସମୟ ଅଧିକା ଦଶବର୍ଷ କରି ବଢ଼ାଇ ଦିଆଯିବ ।

 

ଜେଲ କର୍ମଚାରୀଙ୍କର ତାଗିଦ୍‍ ପ୍ରତି କେହି କର୍ଣ୍ଣପାତ କଲେ ନାହିଁ । ସମସ୍ତେ ହସରେ ଉଡ଼ାଇ ଦେଲେ । ସବୁ ଅଭାବ ଅଭିଯୋଗ କଥା ପରିଦର୍ଶନକାରୀ ଉପରିସ୍ଥ ପୋଲିଶ କର୍ତ୍ତାଙ୍କୁ ଜଣାଇବେ ବୋଲି ଠିକ୍‍ ହେଲା ।

 

ଅଳ୍ପ ସମୟ ପରେ–

 

ଅନେକ ଗୁଡ଼ିଏ କାର, ଜିପ ଓ ପୋଲିଶ ଗାଡ଼ି ଆସି ଜେଲର ଫାଟକ ପାଖରେ ରହିଲା-। ପୋଲିଶ ଇନସ୍ପେକ୍ଟର ଜେନେରାଲଙ୍କ ସହିତ ଜିଲା ମାଜିଷ୍ଟ୍ରେଟ୍‍ ପ୍ରଭୃତି ଆସିଛନ୍ତି । ସେମାନେ କ୍ୟାମ୍ପକୁ ପଶୁ ପଶୁ ଜଣେ ବୟସ୍କା ସ୍ଵାଧୀନତା ପାଗଳୀ ଆଗକୁ ମାଡ଼ି ଆସି କହିଲା–“ସାହେବ, ଜେଲର କର୍ମଚାରୀମାନେ ଆମ୍ଭମାନଙ୍କ ପ୍ରତି ବଡ଼ ନିର୍ଦ୍ଦୟ ବ୍ୟବହାର କରୁଛନ୍ତି । ଖାଇବାକୁ–”

 

ପାଟି କଥା ପାଟିରେ ରହିଗଲା । ପୋଲିସ୍‍ କନେଷ୍ଟବଲ୍‍ ଯେତେବେଳେ ବୟସ୍କା ସ୍ତ୍ରୀ ଲେକଟିକୁ ଟାଣି ନେଇ କିଛି ନ କୁହାଇ ଦେବାକୁ ଚେଷ୍ଟା କଲେ ସେତିକିବେଳେ କ୍ୟାମ୍ପରେ ଗୋଳମାଳ ଆରଂଭ ହୋଇଗଲା । ଠେଲା ପେଲାରେ ପୋଲିସମାନେ ପ୍ରମାଦ ଗଣିଲେ । ପଦାରେ ପୋଲିସ ଘେର ଭାଙ୍ଗି ସାଧାରଣ ଲୋକମାନେ ଜେଲ ପାଖକୁ ଧାଇଁ ଆସିଲେ । କ୍ୟାମ୍ପର ପ୍ରବଳ ଗୋଳମାଳର ଶଦ୍ଦ ଶୁଣି ଜେଲର ବନ୍ଦୀମାନେ ବି ରୋଷ କମ୍ପିତ ଗଳାରେ ‘ମାର, ଧର’ ‘ଇନ୍‍କିଲାବ ଜିନ୍ଦାବାଦ’ ବୋଲି ଗଗନ, ପବନ ପ୍ରକଂପିତ କଲେ । ପୋଲିସ୍‍ ଲାଠିଚାର୍ଜ କଲେ ।

 

ଫଳରେ–

 

ବହୁ ସାଧାରଣ ଲୋକ ଯେପରି ଗୁରୁତର ଆହତ ହେଲେ ସେହିପରି ବହୁ ପୋଲିସ କର୍ମଚାରୀ ବି ଆହତ ହେଲେ । ଇଂରେଜ ସରକାର ଲୋକମାନଙ୍କ ମଧ୍ୟରେ ଏଭଳି ଜାଗରଣ ଦେଖି ସ୍ଵାଧୀନତା ଦେଇ ଦେବାକୁ ବିଲାତ ସରକାରଙ୍କୁ ସୁପାରିଶ କଲେ । ସରକାର ପରିଷ୍କାର ଜାଣି ପାରିଲେ ଯେ ଭାରତରେ ଇଂରେଜ ଶାସନ ଆଉ ବେଶି ଦିନ ଚାଲି ପାରିବ ନାହିଁ ।

 

ବହୁ ଲୋକ ଆହତ ହୋଇ ଡାକ୍ତରଖାନାକୁ ଆସିଛନ୍ତି । ଆସିଛି ସୁକାନ୍ତ ବି । ତେବେ ସୁକାନ୍ତର ବଂଚିବା ଆଶା ଖୁବ୍‍ କମ । ଗୁରୁତର ଆଘାତ ଲାଗିଛି ମୁଣ୍ତରେ । ନାକ ବାଟେ ସବୁବେଳେ ରକ୍ତ ସ୍ରାବ ହେଉଛି ।

 

ଡାକ୍ତରମାନେ କହିଛନ୍ତି ଯଦି ଦୁଇଦିନ ଟପିଯାଏ ତେବେ ବି ବଞ୍ଚିବାର ଆଶା କ୍ଷୀଣ ରହିଛି । ବହୁ ସରକାରୀ କର୍ମଚାରୀ ଓକିଲ, ଡାକ୍ତର ପ୍ରଭୃତି ପ୍ରତ୍ୟକ୍ଷରେ ସରକାର ଭୟରେ ଜାତୀୟ ସ୍ଵାଧୀନତା ଆନ୍ଦୋଳନକୁ ଅନେକ ସମୟରେ ସମର୍ଥନ ନ କରୁଥିଲେ ମଧ୍ୟ ହାର୍ଦ୍ଦିକ ସମର୍ଥନ କରୁଥିଲେ ସବୁବେଳେ । ଜାତୀୟତାରେ ଉଦ୍‍ବୁଦ୍ଧ ହୋଇ ସେମାନେ ସତ୍ୟାଗ୍ରହୀମାନଙ୍କର ଚିକିତ୍ସା ଭଲଭାବରେ କରୁଥିଲେ । ହାତରୁ ପଇସା ଦେଇ ଭଲ ଔଷଧ କିଣି ରୋଗୀମାନଙ୍କର ଚିକିତ୍ସା କରୁଥିଲେ ।

 

ଦିନପରେ ଦିନ ଗଡ଼ି ଚାଲିଲା ।

 

ଯେ ଯୁଆଡ଼େ ଭଲ ହୋଇ ଗଲେଣି ।

 

ସୁକାନ୍ତ ରହିଛି । ସୁକାନ୍ତକୁ ଜଗି ରହିଛି ସେହି ବୟସ୍କା ପାଗଳୀ ମହିଳା । ତାକୁ ଯେତେ ରକମର ବୁଝାଇଲେ ମଧ୍ୟ ସେ ଯିବାକୁ ନାରାଜ ।

 

ସେ କାହିଁକି କେଜାଣି ସୁକାନ୍ତକୁ ଜେଲରେ ଦେଖିଲା ଦିନୁ ତାକୁ ଭାରି ଭଲପାଏ ।

 

ପାଗଳୀତ !

 

ଭଲ ମନ୍ଦ କିଛି ବୁଝେନାହିଁ । ଯେତେବେଳେ ଯାହା ମନକୁ ଆସେ ତାହା ଗପି ଚାଲିଯାଏ । ପୁଣି କେତେବେଳେ ଯଦି କାନ୍ଦେ, ପୁଣି କେତେବେଳେ ହସେ । ପୁଣି କେତେବେଳେ ସେ ବିଦେଶୀ ସରକାର ବିରୁଦ୍ଧରେ ବକ୍ତୃତା ଆରମ୍ଭ କରିଦିଏ । ତା’ କଥାରେ ବିଶେଷ କେହି ଜୋର ଦିଅନ୍ତି ନାହିଁ ।

 

ସମସ୍ତେ କହନ୍ତି ପାଗଳୀ !

 

ସେ ବି କହେ ହଁ ମୁଁ ପାଗଳୀ । ତେବେ ଅନ୍ୟ ପାଗଳୀଙ୍କ ପରି ସେ ମଇଳା ଛିଣ୍ତାଲୁଗା ପିନ୍ଧେନାହିଁ କି ଖପରା ଧରି ବୁଲେନାହିଁ । ବିବସ୍କ ହୋଇ ହାସ୍ୟାସ୍ପଦ ହେବାକୁ ସେ ପସନ୍ଦ କରେନାହିଁ । ତାକୁ ସମସ୍ତେ ସିନା କହନ୍ତି ପାଗଳୀ କିନ୍ତୁ ସେ ବିନା ପରିଶ୍ରମରେ କାହାରିଠାରୁ କିଛି ନେବାକୁ ରାଜି ହୁଏନାହିଁ । ଚାଲି ଯାଉଁ ଯାଉଁ ଯଦି ବାଟରେ ଦେଖିଲା କାହା ଗୋରୁ ଗୋଠରେ ଗୋବର ପଡ଼ିଛି ତେବେ ସେ ସାଙ୍ଗେ ସାଙ୍ଗେ ତାହା ବାହାର କରିନେଇ ଗୋବରଖାତରେ ପକାଇ ଦିଏ । ଗୋରୁହାଣ୍ତିରେ ପାଣି ଆଣି ପୁରାଇ ଦିଏ । ଯେ ଦେଖନ୍ତି ସେ ଆଶ୍ଚର୍ଯ୍ୟ ହୁଅନ୍ତି । ପାଗଳୀ ବୋଲି କେହି ପାଖ ପଶନ୍ତି ନାହିଁ । ଗଣ୍ତେ ଖାଇବାକୁ ଦିଅନ୍ତି । ଖଣ୍ତେ ପିନ୍ଧିବାକୁ ଦିଅନ୍ତି । ସେ ଠାରୁ ତା’ କାମ ସରିଯାଏ ସେ ଚାଲିଯାଏ ।

 

ପୁଣି–

 

ବାଟରେ ଯାଉଁ ଯାଉଁ ଯଦି ଫୁଲ ଦେଖିଲା ତେବେ ତାକୁ ତୋଳିନିଏ । କୌଣସି ମନ୍ଦିର ପୂଜାରୀଙ୍କୁ ଦିଏ, ସେ ଗଣ୍ତେ ଖାଇବାକୁ ଦେଲେ ଏ ଖୁସିହୋଇ ଚାଲିଯାଏ । ଶୋଇବାର ବାରଣ ନଥାଏ । ସେ ଅନ୍ୟାନ୍ୟଙ୍କ ଭଳି ଅପରିଷ୍କାର ଅପରିଛନ୍ନ ସ୍ଥାନରେ ଶୋଇବାକୁ ପସନ୍ଦ କରେ ନାହିଁ-। ମନ୍ଦିର, ଦେବାଳୟ, ଚାଟଶାଳୀ, ଗୃହସ୍ଥର ପିଣ୍ତାରେ ରାତି କଟାଇ ଦିଏ ।

 

ଆଉ–

 

କେଉଁଠି କେଉଁଠି ପିଲାଙ୍କୁ ପଢ଼ାଇ ବସେ । ଯେ ଯାହା ପଚାରେ କାହାକୁ କିଛି କହେ ନାହିଁ । ନାଆଁ ଠିକଣା କହେ ନାହିଁ । ହସେ, କାନ୍ଦେ–

 

ସମସ୍ତେ କହନ୍ତି ପାଗଳୀ । ସେ ଆହୁରି ହସେ । ତା’ ହସର ଅର୍ଥ କେହି ଖୋଜେ ନାହିଁ-। ଲୁହର ଇତିହାସ କେହି ବୁଝିବାକୁ ଚେଷ୍ଟା କରେନାହିଁ । ମୋଟାମୋଟି ସମସ୍ତେ କହନ୍ତି ପାଗଳୀ ଏହି ତା’ର ପରିଚୟ ।

 

ତେବେ–

 

ଯେଉଁଦିନ ପ୍ରଥମେ ଜେଲକୁ ଆସିଲା ସେହିଦିନ କାହିଁକି ସୁକାନ୍ତକୁ ଦେଖି ହଠାତ୍‍ କହିଲା ସମୁଦି ତୁମେ ଏଇଠି ଅଛ ?

 

ସମସ୍ତେ ହସିଲେ । ସୁକାନ୍ତ ବି ହସିଲା । ଏକ ସୁରରେ ସମସ୍ତେ କହିଉଠିଲେ ପାଗଳୀଟା ।

 

ସୁକାନ୍ତ କିନ୍ତୁ ବହୁଦିନ ଧରି ଲକ୍ଷ୍ୟ କଲା ତାକୁ । ତା’ର କାର୍ଯ୍ୟ କଳାପରେ ବ୍ୟବହାରରେ ପାଗଳାମୀର ଇଂଗିତ ପାଇଲା ନାହିଁ ।

 

ତାକୁ ପଚାରି ଅନେକ ଅକୁହା କଥା ଆଦାୟ କଲା ମାତ୍ର ତା’ର ପ୍ରକୃତ ପରିଚୟ ଜାଣି ପାରିଲା ନାହିଁ । ଲୋକେ କହନ୍ତି ତାକୁ ପାଗଳୀ । ସରକାର କହନ୍ତି–‘ଜନ ନେନ୍ତ୍ରୀ’ ।

 

ତେବେ ସୁକାନ୍ତ ଜାଣେ ସେ ପାଗଳୀ ନୁହେଁ–ଜଣେ ମଣିଷ । ସେ ଜେଲରେ ଯେଉଁଠାରେ ଥାଏ, ଅଳକା ତା’ ପୁଅଟିକୁ ଧରି ସେହିଠାରେ ଅଳ୍ପ ଦୂରରେ ଥାଏ, ଏ ବାୟାଣୀ ବି ସେହି ପାଖରେ ଥାଏ ।

 

ତା’ର ପ୍ରତି ଦିନର କାମ ହେଲା–ଅଳକାର ପୁଅକୁ ପଢ଼ାଇବା । ଏଣୁ ଅଳକା ସୁକାନ୍ତ ଭାରି ଭଲ ପାଆନ୍ତି ତାକୁ ।

 

ଅଳ୍ପଦିନ ପରେ ସୁକାନ୍ତ ଆଉ ବାୟାଣୀ ମୁକ୍ତ ହୋଇ ଆସିଥିଲେ । ଆସିଲାମାତ୍ରେ ପୁଣି ଆନ୍ଦୋଳନ ଚଳାଇ ବନ୍ଦୀ ହେଲେ । ଗୋଳମାଳରେ ଆହତ ହୋଇ ଡାକ୍ତରଖାନାକୁ ଆସିଲେ । ସାତଦିନ ଚିକିତ୍ସା ହେଲା ପରେ ବାୟାଣୀ ଭଲ ହୋଇ ଯାଇଛି ।

 

ସୁକାନ୍ତର ଅବସ୍ଥା ଉଦ୍‍ବେଗ ଜନକ ରହିଛି । ତେଣୁ ବାୟାଣୀ ସୁକାନ୍ତକୁ ଛାଡ଼ି ଯିବାକୁ ନାରାଜ ।

 

ଶୋଇପଡ଼ । କାହା ସହିତ କଥାବାର୍ତ୍ତା ହୁଅ ନାହିଁ । ଲେଡ଼ି ଡାକ୍ତର କହିଲେ ।

 

ମୁଁ କ’ଣ ଭଲ ହେବି ଡାକ୍ତର ? ସୁକାନ୍ତ ପଚାରିଲା ।

 

ନିଶ୍ଚୟ ।

 

ତୁମର ବିଶେଷ କିଛି ହୋଇନାହିଁ ।

 

ମୋର କିଛି ହୋଇନାହିଁ ?

 

ନା–

 

ହାଃ–ହାଃ–ହାଃ–

 

ହେଉ, ତେବେ ନିଅ–ଏ ଔଷଧ ପିଇଦିଅ । ଆଛା ପାଟି ମେଲାକର ।

 

ହଁ–ହୁଁ–

 

ପାଟି ମେଲାକର–ମେଲାକର–

 

ଦେଖ ତୁମେ କଥା ନ ମାନିଲେ, ଔଷଧ ନ ଖାଇଲେ ଇଜେକ୍‍ସନ ନ ନେଲେ–ତୁମକୁ ଡାକ୍ତର ଖାନାରୁ ବାହାର କରି ଦିଆଯିବ ।

 

ଏହି ସମୟରେ ଗୋଟିଏ ଛୋଟ ଝିଅ ଆସିଲା । ହାତରେ ବହି ସିଲେଟ୍‍ । ହସ ହସ ମୁହ । ନାଆଁ ଲଳିତା । ଲେଡ଼ି ଡାକ୍ତର ତା’ର ମୁହଁକୁ ଶ୍ରଦ୍ଧାରେ କାନିରେ ପୋଛି ଦେଲେ । କହିଲେ–“ଘରକୁ ନ ଯାଇ ଏଣେ ଆସିଲୁ କାହିଁକି ?”

 

ମା,–ପଇସା ।

 

କ’ଣ କରିବୁ ?

 

ଚକୋଲେଟ୍‍ କିଣିବି ।

 

ଆଛା ତୁ ଯା, ମୁଁ ଘରକୁ ଗଲାବେଳେ ତୋ’ ପାଇଁ ଚକୋଲେଟ୍‍ ନେବି ।

 

ନା–ନା–କହି ଗୁଣୁ ଗୁଣୁ ହୋଇ କାନ୍ଦିବାକୁ ଆରଂଭ କଲା ଲଳିତା । ଲେଡ଼ି ଡାକ୍ତର ତାକୁ ବୁଝାଇ ସୁଝାଇ ତା’ର ହାତ ଧରି ପଦାକୁ ନେଇଗଲେ ।

 

ଏ ସବୁ ଦୃଶ୍ୟ ସୁକାନ୍ତ ତା’ର ବେଡ଼ ଉପରେ ଶୋଇ ଶୋଇ ଦେଖୁଥିଲା । ତା’ର ମନ କାହିଁକି କ’ଣ ହୋଇଗଲା । ତାକୁ ପୂର୍ବ ରାତିରେ ଜଣେ ଡାକ୍ତର ଦେଇଥିବା ଟଙ୍କାଟିକୁ ତକିଆ ତଳୁ ବାହାର କରି ଲଳିତାକୁ ଡାକି ଦେଲା ।

 

ଲେଡ଼ି ଡାକ୍ତର–କ’ଣ ? ବୋଲି କହି ଚୁପ୍‍ ହୋଇ ଅନ୍ୟ ରୋଗୀକୁ ଇଂଜେକ୍‍ସନ ଦେବାକୁ ଚାଲିଗଲେ ।

 

ସୁକାନ୍ତ ଲଳିତାକୁ ଧରି ତା’ ସାଙ୍ଗରେ ଖୁସି ଗପ ହେଉ ଥାଏ ।

 

ଏଥର–

 

ଲେଡ଼ି ଡାକ୍ତର ଆସି କହିଲେ–“ଦେଖ, ବର୍ତ୍ତମାନ ସମୟ ୮ଟା ଅନ୍ୟ ଜଣେ ପୁରୁଷ ଡାକ୍ତର ଆସିବେ । ମୁଁ ଚାଲିଯିବି । ତୁମେ ଦୁଷ୍ଟାମି କରିବ ନାହିଁ । ତୁମର ଯାହା ଦରକାର ହେଉଥିବ ସିଷ୍ଟରଙ୍କୁ କହିବ । ଡାକ୍ତର ଆସିବେ ତାଙ୍କୁ ବି କହିବ । ନିଦ ନ ହେଲେ ଡାକ୍ତରଙ୍କୁ କହିବ । ଡରିବ ନାହିଁ ।”

 

ତୁମେ କ’ଣ ଆଉ ଆସିବ ନାହିଁ ଡାକ୍ତର ?

 

ନା–

ପୁଣି କେତେବେଳେ ଆସିବ ?

 

ଆସନ୍ତା କାଲି ଦିନ ଦଶଟାବେଳେ ।

 

ତୁମେ ଗଲେ ମୁଁ ମରିଯିବି–ଡାକ୍ତର ।

 

କାହିଁକି ?

 

କେଜାଣି ମୁଁ କହି ପାରିବି ନାହିଁ । ତୁମକୁ ଦେଖିଲାମାତ୍ରେ ମୋର ସବୁ ବେଦନା କମି ଯାଉଛି । ମୋର ମନେ ହେଉଛି ସତେ ଯେମିତି ତୁମେ ମୋର ଅତି ଆପଣାର ଲୋକ ।

 

ଡାକ୍ତରାଣୀ ଟିକିଏ ମୁରୁକି ହସା ଦେଇ କହିଲେ–“ହେଉ ଶୋଇ ପଡ଼ ।”

 

ଡାକ୍ତରାଣୀ ଏଥର ହାତର ଘଣ୍ଟାକୁ ଅନାଇଲେ । ତା’ ପରେ ଝିଅଟିକୁ ଘେନି ଚାଲିଗଲେ । ସୁକାନ୍ତ ତାଙ୍କର ଗଲା ବାଟକୁ ଚାହିଁ ରହିଥିଲା ଏକ ଧ୍ୟାନରେ ।

 

ଲଳିତା କେତେବେଳୁ ଶୋଇଲେଣି । ଲେଡ଼ି ଡାକ୍ତର ଶୋଇ ନାହାନ୍ତି । ସେ ଯେତେଚେଷ୍ଟା କଲେ ମଧ୍ୟ କ୍ଷଣକ ପାଇଁ ଆଖିରେ ପଲକ ପଡ଼ୁନାହିଁ । କାହିଁକି କେଜାଣି ସେଇ ରୋଗୀଟା ସବୁବେଳେ ତାଙ୍କ ଆଖି ଆଗରେ ନାଚି ଯାଉଛି । ସେ ଚାକିରୀକଲା ଦିନରୁ ବହୁତ ରୋଗୀ ଦେଖିଲେଣି କିନ୍ତୁ ସେଇ ରୋଗୀଟା ପ୍ରତି ସେ କାହିଁକି ବିଶେଷ ଆକୃଷ୍ଟ ହେଉଛନ୍ତି–ତାହାର କାରଣ କିଛି ସେ ବୁଝିପାରୁ ନାହାନ୍ତି ।

 

“ତୁମେ ଗଲେ ମୁଁ ମରିଯିବି, ଡାକ୍ତର !” କଥାଟା ସବୁବେଳେ ତାଙ୍କ ମନେ ପଡ଼ୁଛି ।

 

ବାସ୍ତବିକ !

 

ରୋଗୀଟାର ଅବସ୍ଥା ଯେପରି ଉଦ୍‍ବେଗଜନକ ରହିଛି କ’ଣ ଯେ କେତେବେଳେ ଘଟିଯିବ ତାହା କିଏ କହିବ ? ଆକସ୍ମିକ ଭାବରେ କେଉଁ ସତୀ ରମଣୀର ସୀମନ୍ତରୁ ସିନ୍ଦୁର ଲିଭିଯିବ–ତା’ର ଠିକଣା ନାହିଁ ।

 

ମନଟା ଖାଲି ତାଙ୍କର ଗୋଳେଇଘାଣ୍ଟି ହେଲା । ସେ ଆଦୌ ଶୋଇ ପାରିଲେ ନାହିଁ ।

 

ଚାକରକୁ ଡାକି କହିଲା–“ସୁର, ଲଳିତା ଶୋଇଛି । ତୁମେ ଏଠାରେ ବସିଥାଅ । ମୁଁ ଗୋଟିଏ ଜରୁରୀ ଡାକରା ପାଇ ଡାକ୍ତର ଖାନାକୁ ଯାଉଛି ।

 

ଯଦି–

 

ଲଳିତା ଉଠି ମୋତେ ଖୋଜେ ତେବେ କହିବବ ମା’ ବାହାରକୁ ଯାଇଛନ୍ତି ଶୀଘ୍ର ଆସିବେ । ବେଶି କନ୍ଦାକନ୍ଦି କଲେ ମୋତେ ଫୋନରେ ଡାକିଦେବ । ମୁଁ ଚାଲି ଆସିବି ।

 

ସୁର କହିଲା–“ହେଉ ମା ।”

 

ଲେଡ଼ି ଡାକ୍ତର ଟର୍ଚ୍ଚଟି ଧରି ଘରୁ ଡାକ୍ତରଖାନାକୁ ଗଲେ । ଡିଉଟିରେଥିବା ଡାକ୍ତର, ଲେଡ଼ି ଡାକ୍ତରଙ୍କୁ ଅସମୟରେ ଦେଖି ଚମକି ପଡ଼ି ପଚାରିଲେ–“ଆପଣ ପୁଣି କ’ଣ ଆସିଛନ୍ତି ?”

 

ହଁ–ମୁଁ ଗଭୀର ନିଦ୍ରାଭିଭୂତ ଥିଲି । ଫୋନଟା କ୍ରିଂ କ୍ରିଂ ହୋଇ କଂପି ଉଠିଲା । ମୁଁ ଫୋନ ଧରିବାରୁ କିଏ ଜଣେ କହିଲା–“ଆପଣ ଶୀଘ୍ର ଆସନ୍ତୁ । ଡିଉଟିରେ ଥିବା ଡାକ୍ତର କୌଣସି କାର୍ଯ୍ୟରେ ପଦାକୁ ଯାଇଛନ୍ତି । ପନ୍ଦର ନମ୍ଵର ବେଡ଼ର ରୋଗୀର ଅବସ୍ଥା ସଂକଟାପନ୍ନ ।” ମୁଁ ହଠାତ୍‍ ଘରୁ ବାହାରି ଆସିଲି । ଦୁଇ ଡାକ୍ତରଯାକ ୧୫ ନମ୍ଵର ବେଡ଼ର ରୋଗୀ ପାଖକୁ ଗଲେ । ଦେଖିଲେ ଅଳ୍ପ ସମୟ ପୂର୍ବରୁ ନିଦ ଔଷଧ ଖାଇ ରୋଗୀଟି ଗାଢ଼ ନିଦ୍ରାରେ ଶୋଇ ପଡ଼ିଛି ।

 

ଲେଡ଼ି ଡାକ୍ତର ଭଲକରି ଥରେ ଆଖି ବୁଲାଇ ନେଲେ ତା’ ଉପରେ । ତା’ପରେ ଚାଲିଗଲେ ।

 

ଘରକୁ ଯାଇ ବିଛଣା ଉପରେ ନିଜର ଦେହକୁ ଏପଟସେପଟ ଗଡ଼ାଇଲେ । ସବୁବେଳେ ସେଇ ରୋଗୀଟାର ମୁହଁ ନାଚି ଉଠିଲା ତାଙ୍କ ଆଖିରେ । ବେଳେବେଳେ ଅଜାଣତରେ ପାଟିରୁ ବାହାରି ପଡ଼ିଲା–“ସେ ବା ଏଠାକୁ କାହିଁକି ଆସନ୍ତେ ।”

 

ରାତି ପାହିଗଲା । ଲେଡ଼ି ଡାକ୍ତର ନିଜର ଦୈନନ୍ଦିନ କାମସାରି ନାହାନ୍ତି–ଜଣେ ବେହେରା ଆସି ପହଞ୍ଚି କହିଲା–

 

ଆଜ୍ଞା, ସେ ପନ୍ଦର ନମ୍ଵର ବେଡର ରୋଗୀ କିଛି ଔଷଧ ଖାଉନାହିଁ କି ଇଂଜେକସନ ନେଉନାହିଁ । ସବୁବେଳେ ଆପଣଙ୍କୁ ଖୋଜୁଛି । ଆପଣ ଶୀଘ୍ର ଆସନ୍ତୁ ।

 

“ହଉ, ମୁଁ ଯାଉଛି ଚାଲ” କହି ଲେଡ଼ି ଡାକ୍ତର ଗାଧୋଇବା ଘରକୁ ଗଲେ । ଅଳ୍ପ ସମୟ ପରେ ନିଜର ପ୍ରାତଃକର୍ମ ସାରି ଲେଡ଼ି ଡାକ୍ତର ଡାକ୍ତରଖାନାରେ ପହଞ୍ଚିଲେ ।

 

ଦେଖିଲେ ପୂର୍ବଦିନ ଅପେକ୍ଷା ସେ ରୋଗୀଟା ସାମାନ୍ୟ ଭଲ ଅଛି । ତଥାପି ଅବସ୍ଥା ଗୁରୁତର । ଲେଡ଼ି ଡାକ୍ତରଙ୍କୁ ଦେଖିଲାମାତ୍ରେ ରୋଗୀଟି ପିଲାଙ୍କ ପରି କାନ୍ଦିଲା ।

 

ଲେଡ଼ି ଡାକ୍ତର କହିଲେ–“କାନ୍ଦୁଛ କାହିଁକି ? ମୁଁ ଆସିଲିଣି । ଦିନ ବାରଟା ଯାଏ ରହିବି-। ଚିନ୍ତା କରିବାର କୌଣସି କାରଣ ନାହିଁ ।”

 

ସିଷ୍ଟର–

 

ଆଜ୍ଞା–

 

ଆଣ ଏ ରୋଗୀର ଔଷଧ ଆଣ । ଇଂଜେକ୍ସନ ଆଣ । ତୁମେ ଔଷଧ ଖୁଆଇ ନ ଦେଲେ ମୁଁ ଖାଇବି ନାହିଁ । ଆଛା ହେଉ ।

 

ଲେଡ଼ି ଡାକ୍ତର ଔଷଧ ଖୁଆଇ ଦେଉଥିବା ବେଳେ ଖବରକାଗଜବାଲା ଡାକି ଡାକି ଚାଲି ଯାଉଥିଲା–“ଭାରତ ସ୍ଵାଧୀନ ହେବ ।”

 

ସ୍ନ ୧୯୪୭ ମସିହା

 

ଅଗଷ୍ଟ ତା’ ୧୫ରିଖ । ଭାରତର ସ୍ଵାଧୀନତା ଦିବସ । ଦୁଇଶହବର୍ଷର ପରାଧୀନତାର ଶୃଙ୍ଖଳ ଛିଣ୍ତି ଯାଇଛି । ଜାତୀୟ ସଂଗୀତ ମୂର୍ଚ୍ଛନାରେ ଗଗନ, ପବନ ମୁଖରିତ ହୋଇ ଉଠୁଛି । ପୁରପଲ୍ଲୀରେ, ରାସ୍ତାଘାଟରେ ସୁବୁଆଡ଼େ ଜନତାର ସ୍ରୋତ । ସ୍ଵାଧୀନତା ଦିବସ ଉପଲକ୍ଷେ ସରକାର ସମସ୍ତ ରାଜନୈତିକ ବନ୍ଦୀମାନଙ୍କୁ ଖଲାସ କରି ଦେଇଛନ୍ତି । ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତେ ଆନନ୍ଦ ବିହ୍ଵଳ । ଲକ୍ଷ ଲକ୍ଷ ଶହୀଦଙ୍କର ରକ୍ତ ଦାନରେ ଆସିଛି ଏ ସ୍ଵାଧୀନତା । ଏ ସ୍ଵାଧୀନତାକୁ ରକ୍ଷାକରିବା ପ୍ରତି ଭାରତୀୟର ପୁଣ୍ୟ କର୍ତ୍ତବ୍ୟ ।

 

ଯୁଆଡ଼େ ଶୁଣ ସେଆଡ଼େ ‘ଭାରତ ମାତା କୀ ଜୟ’ ‘ମହାତ୍ମା ଗାନ୍ଧିଜୀ ଜୟ’ ସ୍ଳୋଗାନର ଲହରୀ ଖେଳି ଯାଉଛି ।

 

କିନ୍ତୁ–

 

ସୁକାନ୍ତୀ ମନରେ ତିଳେ ହେଲେ ଆନଂଦ ନାହିଁ । ହୃଦୟରେ ବେଦନାର ଉଚ୍ଛ୍ଵାସ । ତା’ର ଆଜି ଅତୀତର ସବୁକଥା ଗୋଟି ଗୋଟି ହୋଇ ମନେ ପଡ଼ୁଛି ।

 

–“ହଁ” ବୋଲି କହି ସୁକାନ୍ତୀ ଘର ଭିତରକୁ ଯାଇ ସୁକାନ୍ତକୁ କହିଲା–“ଦେଖିବ ଆସିଲ କିଏ ସବୁ ଆସି ଆମ ମେଲାରେ ବସିଛନ୍ତି ?”

 

ସୁକାନ୍ତ ଆସିଲା । ଅଳକାକୁ ଦେଖିଲାମାତ୍ରେ ଭାରି ଆନନ୍ଦିତ ହେଲା । ତା’ର ପୁଅ ସୌମିତ୍ରୀ ରଞ୍ଜନକୁ ଅସୀମ ଶ୍ରଦ୍ଧାରେ କୁଣ୍ଢାଇ ପକାଇଲା ।

 

ଅଳକା କାନରେ ଚୁପ୍‍ କରି ସୁକାନ୍ତ ପଚାରିଲା–“ସେ କିଏ ?”

 

ଅଳକା ହସି ହସି କହିଲା–“ତାଙ୍କୁ ପଚାର, ସେ କିଏ କହିବେ ?”

 

ଅଳକା ପାଟିରୁ କଥା ନ ସରୁଣୁ–

 

ଉତ୍ତର ମିଳିଲା–“ମୁଁ ହେଉଛି ବିବେକାନଂଦ । ଅଳକା ଦେବୀଙ୍କ ପ୍ରାଣେଶ୍ଵର ।”

 

ଉଁ–ହୁଁ–ସେମିତି କ’ଣ କହୁଛ–ଅଳକା ମୂରୁକିହସା ଦେଇ କହିଲା ।

 

ସୁକାନ୍ତ ଏଥର ନମସ୍କାର କଲା ବିବେକାନନ୍ଦକୁ । ସୁକାନ୍ତୀକୁ ଜଳଖିଆ, ଚାହା ପ୍ରଭୃତି ତିଆରି କରିବାକୁ ବରାଦ କଲା । ସୁକାନ୍ତୀ ଚାଲିଗଲା ।

 

ସୁକାନ୍ତ ଓ ବିବେକାନନ୍ଦ ଦୁହେଁ ବସି ଦେଶର ବିଭିନ୍ନ ସମସ୍ୟା ସମ୍ଵନ୍ଧରେ ଗୁରୁତ୍ଵ ପୂର୍ଣ୍ଣ ଆଲୋଚନା କଲେ । ଅଳକା ସୁକାନ୍ତୀ ପଛେ ପଛେ ରୋଷେଇ ଘରକୁ ପଶିଯାଇ କହିଲା “ଆସ ମ’ ଟିକେ ବସି ଗପସପ କରିବା । ଆମେତ ବର୍ତ୍ତମାନ ଖାଇ ପିଇ ଆସିଛୁ, ଆମପାଇଁ ଏତେ ବ୍ୟସ୍ତ ହେବା ଆବଶ୍ୟକ ନାହିଁ ।”

 

ନା–ତା’ କେମିତି ହେବ ? ସୁକାନ୍ତୀ କହିଲା ।

ଏତିକିବେଳେ ପାଣି ମାଠିଆଏ କାଖେଇ ଆସି ପ୍ରବେଶକଲା ଜଣେ ମଧ୍ୟମ ବୟସ୍କା ମହିଳା । ଅଳକା ଦେଖିଲା ମାତ୍ରେ କହିଲା–“ଏଁ–ଏ କିଏ ତୁମେ ?”

ହଁ–ହଁ–ମୁଁ ଏଠାରେ ଅଛି ।

ସୁକାନ୍ତୀ ପଚାରିଲା–“ତୁମେ ଆମ ସମୁଦୁଣୀକି ଚିହ୍ନିଲ କେମିତି ?

“ସେସବୁ ବହୁତ ବହୁତ କଥା । ଆମେ ସବୁ ଗୋଟିଏ ନାବର ପଝାରୀ ଥିଲୁ । ପୁଣି ସୁକାନ୍ତବାବୁ, ମୁଁ, ବିବେକାନନ୍ଦବାବୁ ଓ ତୁମ ସମୁଦୁଣୀ ଗୋଟିଏ ଜେଲରେ ଥିଲୁ । ସେ ମୋର ପୁଅକୁ ଜେଲ ଭିତରେ ପାଠ ପଢ଼ାଉଥିଲେ ଅଳକା କହଲା ।

ଏଥର ଅଳକା ସିଧା ସଳଖ ଭାବରେ ପ୍ରଶ୍ନ କଲେ ସମୁଦୁଣୀକି–“ଆଛା ଏତେଦିନ ତୁମ ସାଙ୍ଗରେ ରହିଲୁ–ତୁମ ନାଆଁ ତ ଜାଣିପାରିଲୁ ନାହିଁ । ଆଜି ନାଆଁ ଟା କ’ଣ କୁହ ?

ନାଆଁଟା ନ ଜାଣିଲେ ହୁଅନ୍ତା ନାହିଁ ?

ନା–କୁହ ।

“ପ୍ରତିଭା”

ଘର କେଉଁଠି ?

ନୀଳକମଳପୁର ?

ଏଁ–ଏଁ–ଭାଉଜ । ତୁମେ ଏତେ ଦିନ ହେଲା ମୁହଁଛପା ଦେଇ ମୋତେ ରହିଛ । ମୁଁ ତୁମର କି ଦୋଷ କରିଥିଲି ଜାଣି ପାରିଲି ନାହିଁ । ଉଠିଯାଇ ହଠାତ ପ୍ରତିଭା ଦେବୀଙ୍କ ବେକକୁ ଧରି ବଡ଼ ପାଟିରେ କାନ୍ଦିଲା ଅଳକା । ପ୍ରତିଭା ଦେବୀଙ୍କ ଆଖିରୁ ବି ଝର ଝର ହୋଇ ଲୁହ ବୋହି ଯାଉଥାଏ ।

ସୁକାନ୍ତୀ ଏ ସବୁ ଦେଖି ନିଜର ଆଖି କାନକୁ ବିଶ୍ଵାସ କରି ପାରୁ ନ ଥାଏ । ତାକୁ ଇନ୍ଦ୍ରଜାଲ ଭେଳିକି ଭଳି ଲାଗୁଥାଏ ।

ରୋଷେଇଘରୁ କାନ୍ଦିବାର ସୁର ବାରି ଉଠିଆସି ପଚାରିଲେ ବିବେକାନନ୍ଦ ଓ ସୁକାନ୍ତ ।

କଥା କ’ଣ ? କାହାର କ’ଣ ହେଲା ।” ସବୁ ଶୁଣିଲା ପରେ ଦୁହେଁ ନମସ୍କାର କଲେ ପ୍ରତିଭା ଦେବୀଙ୍କୁ । ସମସ୍ତେ କିଛିକାଳ ନୀରବରେ ଠିଆହୋଇ ଗଲେ । କେହି କାହାରିକୁ କିଛି କହି ପାରିଲେ ନାହିଁ ।

ଭଗବାନଙ୍କର ଅସୀମ କରୁଣାର କଥା ଭାବି ଭାବି ବିହ୍ଵଳ ହେଉଥିଲେ ସମସ୍ତେ ।

ଲଳିତା ଓ ସୌମିତ୍ରୀରଂଜନ ସେତେବେଳକୁ ବାହାର ବଗିଚାରେ ବୁଲି ଗୋଟିଏ ଫୁଲ ଉପରେ ବସିଥିବା ଭ୍ରମରକୁ ଦେଖି ହସି ହସି ଗଡ଼ି ଯାଉଥାନ୍ତି । ପ୍ରତିଭା ଦେବୀ ଲଳିତା ଓ ସୌମିତ୍ରୀ ରଂଜନକୁ ଡାକିଲେ । ସେ ଦୁହେଁ ଆସିଲେ । ସମସ୍ତେ ଖାଇ ବସିଲେ ।

ଏଥର ସୁକାନ୍ତ ପ୍ରତିଭା ଦେବୀଙ୍କୁ ଲକ୍ଷ୍ୟକରି କହିଲା “ଏଥର ତୁମକୁ ଡାକିବୁ କ’ଣ ?”

 

ସୁକାନ୍ତ ପାଟିରୁ କଥା ଛଡ଼ାଇ ନେଇ ସୁକାନ୍ତୀ କହିଲା–“କାହିଁକି ଭାଉଜ ?”

 

ପ୍ରତିଭା ଦେବୀ କହିଲେ–“ନା–ନା–ସେ କଥା ହେବ ନାହିଁ । ଯେଉଁ ସମୁଦୁଣୀ କି ସେହି ସମୁଦୁଣୀ ।”

 

କିପରି ?

 

ଲଳିତା ଆଉ ସୌମିତ୍ରୀରଂଜନକୁ ଦେଖାଇ କହିଲା–“ୟାଙ୍କରି ପାଇଁ ।”

 

ଏଥର ସୁକାନ୍ତୀ ଅନାଇଲା ସୁକାନ୍ତ ମୁହଁକୁ । ଆଉ ଅଳକା ଅନାଇଲା ବିବେକାନନ୍ଦ ମୁହଁକୁ ।

 

ସମସ୍ତେ ଆଖି ଠରାଠରି ହୋଇ ମୁରୁକି ମୁରୁକି ହସିଲେ ।

 

ବିବେକାନନ୍ଦ କହିଲା ହେଉ–“ସେଥିରେ ଏବେ କ୍ଷତି କ’ଣ ?” ଭଲ ପ୍ରସ୍ତାବ । ମୋ’ ଆଡ଼ୁ ମୁଁ ଏ ପ୍ରସ୍ତବରେ ସମ୍ମତି ପ୍ରଦାନ କରୁଛି ।

 

ସୁକାନ୍ତୀ କହିଲା–“ମୁଁ କିନ୍ତୁ ଏ ପ୍ରସ୍ତାବରେ ବର୍ତ୍ତମାନ କିଛି ମତାମତ ଦେଇ ପାରିବି ନାହିଁ-

 

ସୁକାନ୍ତ ପଚାରିଲା–“କାହିଁକି ?”

 

କାହିଁକି ? ତୁମେ କିପରି ଜାଣିବ ? ତୁମେତ–ଅଜଣା ଚାଉଳର ଭାତ ଖାଉଥିଲ । ଯେତେବେଳେ ବେକରେ ଧକା ଦେଇ ମୋତେ ଘରୁ ତଡ଼ି ଦେଇଥିଲ–ସେତେବେଳେ ଯିଏ ମୋତେ ଆଶ୍ରା ଦେଇ ମୋର ଜୀବନ ରକ୍ଷା କଲେ, ମୋର ଛୁଆଟିକୁ ବଂଚାଇଲେ ସେହି ସାଧୁଙ୍କ ବିନାନୁମତିରେ ମୁଁ କିପରି ଏଭଳି ଏକ ପ୍ରସ୍ତାବରେ ରାଜି ହେବି ?

 

ଅନ୍ୟ ସମସ୍ତେ ଏକ ସ୍ଵରରେ କହିଲେ–“ଠିକ୍‍ କଥା ।”

 

“ସାଧୁଙ୍କ ଆଶ୍ରମ ଏଠାକୁ କେତେବାଟ ?” ପଚାରିଲା ବିବେକାନନ୍ଦ ।

 

ଦଶମାଇଲ ।

 

ତାହା ହେଲେ ଦିନ ଠିକ୍‍ କରାଯାଉ ସେହିଦିନ ସମସ୍ତେ ଯିବା ।

 

ପ୍ରତିଭା ଦେବୀ କହିଲେ ଆଗାମୀ ମାଘମାସ ଶ୍ରୀପଞ୍ଚମୀ ଦିନ ଗଲେ ଠିକ୍‍ ହେବ ।

 

ଏହି ସମୟରେ ଗୋଟିଏ ଜିପ୍‍ଗାଡ଼ି ଆସି–ଠିଆ ହୋଇ ଗଲା ଅଳକାର ଘର ଆଗରେ-। ଜଣେ ଚପରାଶି ଆସି ବିବେକାନନ୍ଦ ହାତକୁ ବଢ଼ାଇ ଦେଲା ଖଣ୍ତିଏ ଗୁରୁତ୍ଵପୂର୍ଣ୍ଣ ଚିଠି ରାଜ୍ୟପାଳ ଡକାଇଛନ୍ତି । ବିବେକାନନ୍ଦ ଓ ଅଳକା ଦୁହେଁ ବାହାରିଲେ । ସୌମିତ୍ରୀରଂଜନ ବି ।

 

ପ୍ରତିଭା ଦେବୀ କହିଲେ–ସୌମିତ୍ରୀରଂଜନ ଥାଉ ।

 

“ହେଉ ଥାଉ”–ବାପ, ମା ଦୁଇଜଣ ଯାକ କହି ଚାଲିଗଲେ ।

 

ବିବେକାନନ୍ଦ ରାଜ୍ୟର ଶାସନଭାର ଗ୍ରହଣ କରିଛି । ବହୁ ବଡ଼ ବଡ଼ କଥାରେ ସବୁବେଳେ ତା’ର ମୁଣ୍ତ ଖେଳୁଛି । ଶହ ଶହ ଲୋକ ପ୍ରତିଦିନ ତା’ ପାଖକୁ ଧାଉଁଛନ୍ତି । ଯେଉଁ ଲୋକମାନେ ତାକୁ ଆଡ଼ ଆଖିରେ ଅନାଉ ନ ଥିଲେ ସେମାନଙ୍କଠାରୁ ତା’ର ଅଜସ୍ର ପ୍ରଶଂସା ଶୁଣିବାକୁ ମିଳୁଛି । ସ୍ଵାର୍ଥ ହାସଲ ପାଇଁ କେତେ ରକମର ଲୋକ ଆସୁଛନ୍ତି । ତେବେ ଦରିଦ୍ର ଜନସାଧାରଣଙ୍କ ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇଛି ବିବେକାନନ୍ଦ ।

 

ସଂସାର ବିଚିତ୍ର । ଯେଉଁମାନେ ଆଡ଼ ଆଖିରେ ବିବେକାନନ୍ଦକୁ ଅନାଉ ନ ଥିଲେ–ତା’ର ନାଆଁ ପଡ଼ିଲେ ଯାହାଙ୍କର ନାହି ଡିଏଁ, ସେହିମାନେ ଆଜି ଆସି ସବୁବେଳେ ଭିଡ଼ ଜମାଉଛନ୍ତି । ଫାଟକରେ ଶୋଇଥିବା କୁକୁରକୁ ବି ଆଉଁଷି ଗେଲ କରୁଛନ୍ତି ।

 

ଏଇତ ଦୁନିଆଁ ।

 

ଅଳକା କହିଲା–“ମନେ ଅଛି ତ ତୁମର ଆସନ୍ତା କାଲି ପରା ଶ୍ରୀପଞ୍ଚମୀ ?”

 

ବିବେକାନନ୍ଦ କହିଲା–“ଆରେ ଠିକ୍‍ କଥାତ ? ମୋରତ ସେ ବିଷୟରେ ଆଦୌ ଖିଆଲ ନାହିଁ ।”

Image